A Window of Hope: ଆଶାର ଗବାକ୍ଷ: କ୍ଷମା ହିଁ ଶକ୍ତିର ପରିଚୟ
ଗୌରଚନ୍ଦ୍ର ତ୍ରିପାଠୀ ଥରେ ମହର୍ଷି ଭୃଗୁ ତ୍ରିଦେବଙ୍କ ମଧ୍ୟରେ କିଏ ସର୍ବଶ୍ରେଷ୍ଠ, ତାହା ପରୀକ୍ଷା କରିବାକୁ ବାହାରିଲେ।
ବୈକୁଣ୍ଠରେ ଭଗବାନ ବିଷ୍ଣୁ ଶୟନରତ ଥିବାବେଳେ ଭୃଗୁ ତାଙ୍କ ଛାତିରେ ଗୋଇଠା ମାରିଲେ।
କିନ୍ତୁ ବିଷ୍ଣୁ କ୍ରୋଧିତ ନ ହୋଇ ଭୃଗୁଙ୍କ ପାଦ ଧରି ପଚାରିଲେ, “ମୁନିବର!
ମୋର କଠିନ ଛାତିରେ ଆଘାତ ଲାଗି ଆପଣଙ୍କ କୋମଳ ପାଦରେ କଷ୍ଟ ହୋଇନାହିଁ ତ?” କବି ରହିମ୍ ଏହି ଘଟଣାକୁ ଖୁବ୍ ସୁନ୍ଦର ଭାବେ ଉଲ୍ଲେଖ କରିଛନ୍ତି- “କ୍ଷମା ବଡ଼ନ କୋ ଚାହିଏ, ଛୋଟନ କୋ ଉତ୍ପାତ।
କହି ରହିମ୍ ହରି କୋ ଘଟ୍ୟୋ, ଜୋ ଭୃଗୁ ମାରୀ ଲାତ॥'' ପ୍ରକୃତରେ, କାହାରି ଅସଦାଚରଣ ଜଣେ ବଡ଼ ମଣିଷର ବଡ଼ପଣକୁ କ୍ଷୁଣ୍ଣ କରିପାରେ ନାହିଁ।
ଅପରାଧୀକୁ କ୍ଷମା କରିବା ମଣିଷକୁ ଛୋଟ ନୁହେଁ, ବରଂ ଗୌରବାନ୍ବିତ କରିଥାଏ।
ଭାରତୀୟ ସଂସ୍କୃତିରେ କ୍ଷମା ଧର୍ମର ଏକ ମୌଳିକ ଆଧାର।
ମହାଭାରତରେ କୁହାଯାଇଛି- “କ୍ଷମା ଧର୍ମଃ କ୍ଷମା ଯଜ୍ଞଃ କ୍ଷମା ବେଦାଃ କ୍ଷମା ଶ୍ରୁତମ୍।
ଯସ୍ତାମେବଂ ବିଜାନାତି ସ ସର୍ବଂ କ୍ଷନ୍ତୁମର୍ହତି॥” ଅର୍ଥାତ୍, କ୍ଷମା ହିଁ ଧର୍ମ, ଯଜ୍ଞ, ବେଦ ଓ ଶ୍ରୁତି।
ଜୈନ ଧର୍ମରେ ପର୍ଯ୍ୟୁଷଣ ପର୍ବ ଅବସରରେ 'ମିଚ୍ଛାମି ଦୁକ୍କଡ଼ମ୍' କହି ସମସ୍ତ ଜୀବଙ୍କଠାରୁ କ୍ଷମା ପ୍ରାର୍ଥନା କରାଯାଏ।
ଅନ୍ୟପକ୍ଷରେ, ଯୀଶୁ ଖ୍ରୀଷ୍ଟ କ୍ରୁଶବିଦ୍ଧ ଅବସ୍ଥାରେ ନିଜ ଯନ୍ତ୍ରଣାଦାତାଙ୍କ ପାଇଁ କହିଛନ୍ତି- “ହେ ପିତା!
ଏମାନଙ୍କୁ କ୍ଷମା କର, କାରଣ ଏମାନେ କ'ଣ କରୁଛନ୍ତି, ତାହା ଜାଣନ୍ତି ନାହିଁ।” ବୌଦ୍ଧ ଦର୍ଶନ ଘୃଣାର ପ୍ରତିକାର କରୁଣା ବୋଲି ଶିକ୍ଷା ଦିଏ ଏବଂ କୁରାନ୍ରେ ମଧ୍ୟ କ୍ଷମା ଓ ଦୟାକୁ ମହତ୍ତ୍ୱ ଦିଆଯାଇଛି।
ଧର୍ମ ଓ ସଂସ୍କୃତି ଭିନ୍ନ ହେଲେ ମଧ୍ୟ ଏହି ସବୁ ଶିକ୍ଷାର ମୂଳ ବାର୍ତ୍ତା ଏକ- କ୍ଷମା ମଣିଷକୁ କ୍ରୋଧ, ଦ୍ୱେଷ ଓ ପ୍ରତିଶୋଧରୁ ମୁକ୍ତ କରି ଉଦାର ଓ ଶାନ୍ତିପ୍ରିୟ କରିଥାଏ।
ତଥାପି, ଯେତେବେଳେ କେହି ଆମକୁ ଆଚରଣରେ ଅଥବା ବଚନରେ ଆଘାତ ଦିଏ, ଆମେ ପ୍ରତିଶୋଧ ନେବାକୁ ବ୍ୟଗ୍ର ହୋଇପଡୁ; କାହାରି ଭୁଲ୍ ପାଇଁ ଆମେ ନିଜ ମନର ଶାନ୍ତି ନଷ୍ଟ କରୁ ଏବଂ ଯିଏ ଆମକୁ ଯନ୍ତ୍ରଣା ଦେଇଛି, ତା'ଠାରୁ ପ୍ରତିଶୋଧ ନେବାର ଭାବନାରେ ନିଜକୁ ବନ୍ଦୀ କରି ରଖୁ।
ଏହି ମାନସିକତାରୁ ମୁକ୍ତିର ମାର୍ଗ ହୁଏତ କ୍ଷମାର ମହତ୍ତ୍ୱ ଭିତରେହିଁ ଲୁଚି ରହିଛି।
କ୍ଷମାର ଅର୍ଥ ନୁହେଁ ଅନ୍ୟର ଭୁଲ୍କୁ ସମର୍ଥନ କରିବା କିମ୍ବା ଭୁଲିଯିବା।
ସେହି ଭୁଲ୍କୁ ନେଇ ମନରେ ଜମାଟ ବାନ୍ଧିଥିବା ଯନ୍ତ୍ରଣାରୁ ନିଜକୁ ମୁକ୍ତ କରିବା ହେଉଛି କ୍ଷମା।
ସାମାଜିକ ଜୀବ ଭାବରେ ପ୍ରତ୍ୟେକ ମଣିଷର ବନ୍ଧୁତା, ଦାମ୍ପତ୍ୟ ଓ ସାମାଜିକ ସମ୍ପର୍କରେ ମତଭେଦ, ଅବହେଳା, ମାନସିକ ଆଘାତ ଓ ଭୁଲ୍ ବୁଝାମଣା ରହିବା ସ୍ୱାଭାବିକ।
କିନ୍ତୁ ପ୍ରତ୍ୟେକ ଭୁଲ୍ର ଉତ୍ତରରେ ଯଦି ଆଉ ଏକ ଭୁଲ୍, ପ୍ରତ୍ୟେକ ଅପମାନର ଉତ୍ତରରେ ଆଉ ଏକ ଅପମାନ ଏବଂ ପ୍ରତ୍ୟେକ ଆଘାତର ଉତ୍ତରରେ ଆଉ ଏକ ଆଘାତ ଦିଆଯାଏ, ତେବେ ସମ୍ପର୍କର ସୌଧ ଭୁଶୁଡ଼ି ପଡ଼ିବା ସ୍ବାଭାବିକ।
କ୍ଷମା ସେହି ଭଗ୍ନ ସମ୍ପର୍କକୁ ଯୋଡ଼ିବାର ଏକ ସୁନ୍ଦର ସେତୁ ହୋଇପାରେ।
ତେବେ କ୍ଷମା କରିବା ମାନେ ସବୁ ପରିସ୍ଥିତିରେ ଅନ୍ୟାୟ ଓ ଅତ୍ୟାଚାରକୁ ସହିଯିବା ନୁହେଁ।
ଶିଶୁପାଳଙ୍କ ଶତ ଅପରାଧ କ୍ଷମା କରିବାର ପ୍ରତିଶ୍ରୁତି ଦେଇଥିବା ଶ୍ରୀକୃଷ୍ଣ, ସେହି ସୀମା ଅତିକ୍ରମ ହେବା ପରେ ସୁଦର୍ଶନ ଚକ୍ରରେ ତାଙ୍କର ମସ୍ତକଚ୍ଛେଦନ କରିଥିଲେ।
ଏହି ପ୍ରସଙ୍ଗ ଆମକୁ ଏକ ଗଭୀର ଜୀବନଦର୍ଶନ ଶିଖାଏ- କ୍ଷମା ମହାନତାର ପରିଚୟ ହୋଇପାରେ, କିନ୍ତୁ କ୍ଷମାର ଅର୍ଥ ଅନ୍ୟାୟକୁ ଅସୀମିତ ଭାବରେ ପ୍ରଶ୍ରୟ ଦେବା ନୁହେଁ।
ଆବଶ୍ୟକ ସ୍ଥଳେ ଅନ୍ୟାୟ ଓ ଅସଦାଚରଣ ପାଇଁ ଦଣ୍ଡ ପ୍ରଦାନ ଯୁକ୍ତିଯୁକ୍ତ ଓ ନ୍ୟାୟସଙ୍ଗତ।
କ୍ଷମା କେବଳ ଯେ ଏକ ଧାର୍ମିକ ଆଚାର ତା' ନୁହେଁ।
ବିଭିନ୍ନ ମନୋବୈଜ୍ଞାନିକ ଅଧ୍ୟୟନରୁ ଜଣାପଡ଼େ ଯେ ଏହା କ୍ରୋଧ, ଉଦ୍ବେଗ ଓ ଅବସାଦର ମାତ୍ରା ହ୍ରାସ କରିବା ସହ ଆତ୍ମବିଶ୍ୱାସ ଓ ଭବିଷ୍ୟତ ପ୍ରତି ଆଶାବାଦ ବଢ଼ାଇବାରେ ସହାୟକ ହୁଏ।
ଏହା ଦାମ୍ପତ୍ୟ ସମ୍ପର୍କକୁ ସୁଦୃଢ଼ କରେ, ଭାଙ୍ଗିଯାଇଥିବା ବନ୍ଧୁତାକୁ ପୁନଃ ଯୋଡ଼ିବାରେ ସହାୟକ ହୁଏ ଏବଂ ସମାଜରେ ବିଶ୍ୱାସ ଓ ସଦ୍ଭାବ ଫେରାଇ ଆଣିବାରେ ସାହାଯ୍ୟ କରେ।
ମନୋବିଜ୍ଞାନୀ ଏଭରେଟ୍ ୱର୍ଥିଙ୍ଗଟନ୍ଙ୍କ 'ଆର୍ଇଏସିଏଚ୍' ମଡେଲ୍ର ପାଞ୍ଚଟି ପର୍ଯ୍ୟାୟ ଏହି ଦିଗରେ ଏକ ବ୍ୟାବହାରିକ ମାର୍ଗଦର୍ଶନ ଦିଏ: 'ରିକଲ୍' ବା ନିଜ ଆଘାତକୁ ସ୍ୱୀକାର କରିବା, 'ଏମ୍ପାଥାଇଜ୍' ବା ଅନ୍ୟର ପରିସ୍ଥିତିକୁ ବୁଝିବା, 'ଅଲ୍ଟ୍ରୁଇଷ୍ଟିକ୍ ଗିଫ୍ଟ' ବା ନିଃସ୍ୱାର୍ଥ ଭାବେ କ୍ଷମାର ଉପହାର ଦେବା, 'କମିଟ୍' କ୍ଷମାର ସଂକଳ୍ପ ନେବା ଏବଂ 'ହୋଲ୍ଡ ଅନ୍' ବା ସେହି ସଂକଳ୍ପରେ ଅଟଳ ରହିବା।
ମାନସିକ ଶାନ୍ତି ଓ ପ୍ରକୃତ ସୁଖପ୍ରାପ୍ତି ପାଇଁ କ୍ଷମାର ଏହି ପ୍ରକ୍ରିୟାକୁ ଧୀରେଧୀରେ ନିଜ ଜୀବନଶୈଳୀରେ ଅନ୍ତର୍ଭୁକ୍ତ କରାଯାଇ ପାରିବ।
କ୍ଷମା ଏକ ଐଶ୍ବରୀୟ ଚିନ୍ତାଧାରା, ଯାହା କ୍ଷମା କରୁଥିବା ବ୍ୟକ୍ତିର ଜୀବନକୁ ସକାରାତ୍ମକ ଭାବେ ବଦଳାଇବା ସହ କ୍ଷମା ପାଉଥିବା ବ୍ୟକ୍ତି ପାଇଁ ମଧ୍ୟ ଆତ୍ମସଂଶୋଧନର ଏକ ସୁଯୋଗ ସୃଷ୍ଟି କରିପାରେ।
କ୍ଷମା କରିବା ଦ୍ୱାରା ଆମେ ନିଜ ମନରେ ଜମାଟ ବାନ୍ଧିଥିବା କ୍ରୋଧ, ଦ୍ୱେଷ ଓ ଯନ୍ତ୍ରଣାକୁ ମୁକ୍ତ କରିଥାଉ।
ତେଣୁ ଚାଲନ୍ତୁ ଆମ ମାନସିକ ଶାନ୍ତିର ଚାବି ନିଜ ହାତରେ ରଖିବା।
ଅତୀତର ଯନ୍ତ୍ରଣାର ବନ୍ଧନରୁ ନିଜକୁ ମୁକ୍ତ କରିବା। (ମତାମତ ଲେଖକଙ୍କ ନିଜସ୍ବ) ମୋ: ୯୯୩୭୦୪୨୫୨୭ Advertisment
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।
