NEET: ବୁର୍ଖା ପିନ୍ଧି ପରୀକ୍ଷା କେନ୍ଦ୍ରକୁ ଆସିଲେ ଛାତ୍ରୀ, ପ୍ରବେଶ ଅନୁମତି ନେଇ ବିବାଦ
ଅଜମେର: ଦେଶବ୍ୟାପୀ ପ୍ରାୟ ୨୨ ଲକ୍ଷରୁ ଅଧିକ ପରୀକ୍ଷାର୍ଥୀ ରବିବାର ଦିନ ନିଟ୍ ୟୁଜି ପୁନଃ ପରୀକ୍ଷା ଦେଇଥିବା ବେଳେ ରାଜସ୍ଥାନର ଅଜମେର ସ୍ଥିତ ଏକ ପରୀକ୍ଷା କେନ୍ଦ୍ରରେ ବୁର୍ଖା ପିନ୍ଧିବାକୁ ନେଇ କିଛି ସମୟ ପାଇଁ ଉତ୍ତେଜନା ପ୍ରକାଶ ପାଇଥିଲା। ପରୀକ୍ଷା କେନ୍ଦ୍ର କର୍ତ୍ତୃପକ୍ଷ ଜଣେ ମୁସଲିମ୍ ଛାତ୍ରୀଙ୍କୁ ବୁର୍ଖା ପିନ୍ଧି ଭିତରକୁ ପ୍ରବେଶ କରିବାକୁ ମନା କରିଦେଇଥିବା ନେଇ ଅଭିଯୋଗ ଆସିଥିଲା।
ଛାତ୍ରୀଜଣକ ଗଣମାଧ୍ୟମ ପ୍ରତିନିଧିମାନଙ୍କୁ କହିଛନ୍ତି ଯେ, ଗତ ମେ’ ୩ ତାରିଖରେ ହୋଇଥିବା ପ୍ରଥମ ପରୀକ୍ଷାରେ ମଧ୍ୟ ସେ ସମାନ ପୋଷାକ ପିନ୍ଧି ପରୀକ୍ଷା ଦେଇଥିଲେ ଏବଂ ସେତେବେଳେ ତାଙ୍କୁ ଅଟକାଯାଇନଥିଲା। ମାତ୍ର ଏହି ପୁନଃ ପରୀକ୍ଷା ସମୟରେ ପ୍ରଥମେ ଦୁପଟ୍ଟା ଓ ପରେ ବୁର୍ଖା ହଟାଇବାକୁ ଜିଦ୍ କରାଯାଇଥିଲା, ଯାହାକୁ ନେଇ ସେ ପରୀକ୍ଷା ନଦେବାକୁ ଚେତାବନୀ ଦେଇଥିଲେ।
ଛାତ୍ରୀଙ୍କ ପିତା ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି ଯେ, ଜାତୀୟ ପରୀକ୍ଷା ସଂସ୍ଥା (ଏନଟିଏ) ର ନିୟମ ୧୮ ଅନୁଯାୟୀ ପରୀକ୍ଷାର୍ଥୀମାନଙ୍କୁ ସେମାନଙ୍କର ଧାର୍ମିକ ପୋଷାକ ପିନ୍ଧିବାକୁ ଅନୁମତି ରହିଛି। ସେମାନେ ପରୀକ୍ଷା କେନ୍ଦ୍ର କର୍ତ୍ତୃପକ୍ଷଙ୍କୁ ଜଣେ ମହିଳା କର୍ମଚାରୀଙ୍କ ଦ୍ୱାରା ପରଦା ଆଢୁଆଳରେ କିମ୍ବା ଏକ ବନ୍ଦ କୋଠରୀରେ ସୁରକ୍ଷା ଯାଞ୍ଚ କରିବାକୁ ଅନୁରୋଧ କରିଥିଲେ ମଧ୍ୟ କେନ୍ଦ୍ର କର୍ମଚାରୀମାନେ ପ୍ରଥମେ ଏହାକୁ ପ୍ରତ୍ୟାଖ୍ୟାନ କରିଦେଇଥିଲେ।
Narendra Modi: ନିଟ୍ ୟୁଜି ପରୀକ୍ଷା ପାଇଁ ବନ ନିଷ୍ପତ୍ତି ନେଲେ ପ୍ରଧାନମନ୍ତ୍ରୀ
ଏହି ଘଟଣାକୁ ନେଇ ପରୀକ୍ଷା କେନ୍ଦ୍ର ବାହାରେ କିଛି ସମୟ ପାଇଁ ବିବାଦ ସୃଷ୍ଟି ହୋଇଥିଲା। ତେବେ ଏହି ଘଟଣା ସମ୍ପର୍କରେ ଉଚ୍ଚ ପଦାଧିକାରୀମାନେ ଅବଗତ ହେବା ପରେ ସମସ୍ୟାର ସମାଧାନ ହୋଇଥିଲା। ‘ଏନଟିଏ’ ମଧ୍ୟ ନିଜର ଆନୁଷ୍ଠାନିକ ବୟାନରେ ସ୍ପଷ୍ଟ କରିଛି ଯେ, ନିୟମ ଅନୁଯାୟୀ ଆଗୁଆ ରିପୋର୍ଟିଂ ଏବଂ ସଠିକ୍ ସୁରକ୍ଷା ଯାଞ୍ଚ ପରେ ସମ୍ପୃକ୍ତ ଛାତ୍ରୀଙ୍କୁ ପରୀକ୍ଷା କେନ୍ଦ୍ରରେ ପ୍ରବେଶ ଅନୁମତି ଦିଆଯାଇଥିଲା ଏବଂ ସେ ସଫଳତାର ସହ ପରୀକ୍ଷା ଦେଇଛନ୍ତି।