Welcome!

Unlock your personalized experience.
Sign Up

Naveen Patnaik: ରାଜ୍ୟରେ ମା' ଭଉଣୀଙ୍କ ସୁରକ୍ଷା ଓ ଆଇନଶୃଙ୍ଖଳା ସୁନିଶ୍ଚିତ କରନ୍ତୁ ସରକାର: ବିଜେଡି

Jun 20, 2026 - 18:44
Naveen Patnaik: ରାଜ୍ୟରେ ମା' ଭଉଣୀଙ୍କ ସୁରକ୍ଷା ଓ ଆଇନଶୃଙ୍ଖଳା ସୁନିଶ୍ଚିତ କରନ୍ତୁ ସରକାର: ବିଜେଡି

ଭୁବନେଶ୍ବର: ରାୟଗଡ଼ ଜିଲ୍ଲାକଲ୍ୟାଣସିଂହପୁରରେ ଦିଲ୍ଲୀର ଛାତ୍ରୀଙ୍କ ସହ ଘଟିଥିବା ଜଘନ୍ୟ, ବର୍ବରୋଚିତ କାଣ୍ଡ ସମଗ୍ର ଓଡ଼ିଶାକୁ ବିଚଳିତ, ଲଜ୍ଜିତ ଓ ଚିନ୍ତିତ କରିଛି। ଏପରି ଦୁଃସ୍ଥିତିର ସାମ୍ନା କରିଥିବା ଛାତ୍ରୀଙ୍କୁ ମୋର ଗଭୀର ସମବେଦନା ଜଣାଉଛି ବୋଲି ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ କହିଛନ୍ତି। ସର୍ବସମ୍ମୁଖରେ ଛାତ୍ରୀଙ୍କ ସହ ସଂଘବଦ୍ଧ ଭାବେ ଘଟିଥିବା ବୀଭତ୍ସ, ନାରକୀୟ କାଣ୍ଡ ମାନବିକତା ଏବଂ ଆମ ଅସ୍ମିତା ଉପରେ ବିରାଟ ପ୍ରଶ୍ନବାଚୀ ସୃଷ୍ଟି କରିଛି।

ସାମାଜିକ ଗଣମାଧ୍ୟମ ‘ଏକ୍ସ’ରେ ଟୁଇଟ କରି ନବୀନ ଲେଖିଛନ୍ତି, ଏପରି ଘଟଣା ସାରା ରାଜ୍ୟରେ ଆଲୋଡ଼ନ ସୃଷ୍ଟି କରିଥିବା ବେଳେ ସରକାର ତୁରନ୍ତ ତତ୍ପରତାର ସହ କାର୍ଯ୍ୟାନୁଷ୍ଠାନ ନେବା ଦରକାର। କାହିଁକି ଓଡ଼ିଶାର ଛବି କଳୁଷିତ ହେବାକୁ ଛାଡ଼ି ଦିଆଯାଇଛି?ଏ ସରକାର, ଏ ପୁଲିସ ପ୍ରଶାସନ ଏତେ ଅସହାୟ କ'ଣ ପାଇଁ? ସମସ୍ତଙ୍କ ସୁରକ୍ଷା ସୁନିଶ୍ଚିତ କରିବା କ'ଣ ଏ ସରକାରଙ୍କ ଉତ୍ତରଦାୟିତ୍ୱ ନୁହେଁ କି?

ପିଲାଚୋର ସନ୍ଦେହରେ ସ୍ବେଛାସେବୀଙ୍କୁ ଆକ୍ରମଣ ମାମଲା: ଗିରଫ ହେଲେ ୧୬

ସମ୍ବେଦନଶୀଳ ଘଟଣାରେ ସରକାରଙ୍କ ସ୍ଥାଣୁତା ଓ ଅସମ୍ଭବ ନୀରବତା ଏପରି ବିଭତ୍ସ କାଣ୍ଡ ଘଟିବାକୁ ପ୍ରଶ୍ରୟ ଦେଉନାହିଁ କି? ନାରୀ ନିର୍ଯାତନା ଓ ବିପର୍ଯ୍ୟସ୍ତ ଆଇନଶୃଙ୍ଖଳା ପାଇଁ ଓଡ଼ିଶା ସାରା ବିଶ୍ୱରେ ନିନ୍ଦିତ ହେଉଥିବା ବେଳେ ସରକାର କେଉଁ ମୁହଁରେ 'ବିକାଶର ଧାରା ଓଡ଼ିଶା ସାରା' କହି ଉତ୍ସବରେ ମାତିଛନ୍ତି? ବୋଲି ନବୀନ ପ୍ରଶ୍ନ କରିଛନ୍ତି। ସରକାର ତୁରନ୍ତ କଠୋରରୁ କଠୋର ପଦକ୍ଷେପ ଗ୍ରହଣ କରି ରାଜ୍ୟରେ ମା' ଭଉଣୀଙ୍କ ସୁରକ୍ଷା ଓ ଆଇନଶୃଙ୍ଖଳା ସୁନିଶ୍ଚିତ କରନ୍ତୁ।

ସୂଚନାଯୋଗ୍ୟ, ଗତ ୧୬ ତାରିଖ ଦିନ ରାୟଗଡ଼ା ଜିଲ୍ଲା କଲ୍ୟାଣସିଂହପୁର ଅଞ୍ଚଳରେ ବାହାର ରାଜ୍ୟର ଯୁବତୀଙ୍କୁ ପିଲା ଚୋର ଅଭିଯୋଗରେ ନିର୍ଯାତନା ଦିଆଯାଇ ଥିବା ନେଇ ଗରମାଧ୍ୟମରେ ଖବର ପ୍ରକାଶିତ ହୋଇଥିଲା। ପୀଡ଼ିତାଙ୍କ ସମେତ ଅନ୍ୟ ଜଣେ ସାମାଜିକ କର୍ମୀଙ୍କୁ ମଧ୍ୟ ମାଡ଼ ମାରିଥିଲେ ଉତ୍ୟକ୍ତ ଲୋକେ। ମାମଲାରେ ପୁଲିସ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ୨୦ରୁ ଅଧିକ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ଏହି ଘଟଣାରେ ପୁଲିସ ୩ଟି ମାମଲା ରୁଜୁ କରିଛି।