National Unity Day: ସର୍ଦ୍ଦାର ପଟେଲଙ୍କ ଆଦର୍ଶରେ ଗଢ଼ିବୁ ଏକ ସମୃଦ୍ଧ ଓ ବିକଶିତ ଓଡ଼ିଶା: ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର: ଲୌହ ମାନବ ସର୍ଦ୍ଦାର ବଲ୍ଲଭଭାଇ ପଟେଲ ନିଜର ଅସାଧାରଣ ରାଜନୈତିକ ଦୂରଦୃଷ୍ଟି, ଦୃଢ଼ ଇଚ୍ଛାଶକ୍ତି ଏବଂ ବାସ୍ତବବାଦୀ ନେତୃତ୍ୱ ବଳରେ ୫୬୦ରୁ ଅଧିକ କ୍ଷୁଦ୍ର ଓ ବୃହତ୍ ରାଜ୍ୟକୁ ଏକତ୍ରିତ କରି ଏକ ବିଶାଳ, ଶକ୍ତିଶାଳୀ ଭାରତର ମୂଳଦୁଆ ପକାଇଥିଲେ।
ତାଙ୍କ ଜନ୍ମ ଦିବସ କେବଳ ଜୟନ୍ତୀ ପାଳନର ଦିନ ନୁହେଁ, ବରଂ ଏହା ଆମର ସାମୂହିକ ସଂକଳ୍ପ, ଦେଶପ୍ରେମ ଏବଂ ଜାତୀୟ ଅଖଣ୍ଡତା ପ୍ରତି ଆମର ଅଙ୍ଗୀକାରବଦ୍ଧତାର ପ୍ରତୀକ ଅଟେ ବୋଲି ଆଜି 'ଲୌହ ମାନବ' ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କ ପବିତ୍ର ଜୟନ୍ତୀ ଅବସରରେ OSAP ୭ମ ବାଟାଲିୟନ ପରେଡ ପଡ଼ିଆଠାରେ ଆୟୋଜିତ 'ରାଷ୍ଟ୍ରୀୟ ଏକତା ଦିବସ' କାର୍ଯ୍ୟକ୍ରମରେ ଯୋଗଦେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି।
Advertisment କାର୍ଯ୍ୟକ୍ରମରେ ଓଡ଼ିଶା ପୁଲିସ ବାହିନୀର ନିଷ୍ଠା, କଠିନ ପରିଶ୍ରମ ଓ ଦକ୍ଷତାର ଭୂୟସୀ ପ୍ରଶଂସା କରି ମୁଖ୍ୟମନ୍ତ୍ରୀ ପ୍ରକାଶ କରିଛନ୍ତି ଯେ ରାଜ୍ୟ ସରକାରଙ୍କ ଦୃଢ଼ ପଦକ୍ଷେପ ଏବଂ ପୁଲିସର ନିରନ୍ତର ଅଭିଯାନ ଫଳରେ ଓଡ଼ିଶା ଆଜି ନକ୍ସଲ ତଥା ମାଓବାଦୀ ହିଂସା କବଳରୁ ମୁକ୍ତ ହେବା ଦିଗରେ ବଡ଼ ସଫଳତା ହାସଲ କରିଛି।
ଦିନେ ଯେଉଁ ଜିଲ୍ଲାଗୁଡ଼ିକରେ ଲୋକେ ଦିନବେଳେ ମଧ୍ୟ ଯାତାୟାତ କରିବାକୁ ଭୟ କରୁଥିଲେ, ଆଜି ସେହି ଭୟ ଓ ଆତଙ୍କର ପରିବେଶ ଆଉ ନାହିଁ।
ମାନ୍ୟବର ପ୍ରଧାନମନ୍ତ୍ରୀଙ୍କ ଦିଗ୍ଦର୍ଶନ ଓ କେନ୍ଦ୍ର ଗୃହମନ୍ତ୍ରୀଙ୍କ ନେତୃତ୍ୱରେ ଓଡ଼ିଶା ଆଜି ସମ୍ପୂର୍ଣ୍ଣ ନକ୍ସଲମୁକ୍ତ ହୋଇପାରିଛି ବୋଲି ସେ ମତବ୍ୟକ୍ତ କରିଛନ୍ତି।
ରାଜ୍ୟର ଶିଳ୍ପାୟନ ଓ ଆଭ୍ୟନ୍ତରୀଣ ସୁରକ୍ଷା ସମ୍ପର୍କରେ ଆଲୋକପାତ କରି ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ଗତ ଦୁଇ ବର୍ଷ ଧରି ରାଜ୍ୟରେ ଶିଳ୍ପାୟନର ଏକ ନୂତନ ଅଧ୍ୟାୟ ଆରମ୍ଭ ହୋଇଛି ଏବଂ ଦେଶ-ବିଦେଶର ଶିଳ୍ପପତିମାନେ ଓଡ଼ିଶାରେ ପୁଞ୍ଜିନିବେଶ କରୁଛନ୍ତି।
ଶିଳ୍ପ ଓ ବ୍ୟବସାୟର ବିକାଶ ପାଇଁ ଶାନ୍ତି, ସୁରକ୍ଷା ଓ ସୁଦୃଢ଼ ଆଇନଶୃଙ୍ଖଳା ନିତ୍ୟାନ୍ତ ଆବଶ୍ୟକ ଥିବାବେଳେ ଓଡ଼ିଶା ପୋଲିସର ନିଷ୍ଠାପର ଉଦ୍ୟମ ଯୋଗୁଁ ରାଜ୍ୟରେ ଏକ ଶାନ୍ତିପୂର୍ଣ୍ଣ ଓ ଅନୁକୂଳ ପରିବେଶ ବଜାୟ ରହିଛି।
ସେହିପରି ସ୍ୱାଧୀନତା ସଂଗ୍ରାମ ତଥା ଗଡ଼ଜାତ ମିଶ୍ରଣରେ ଡକ୍ଟର ହରେକୃଷ୍ଣ ମହତାବଙ୍କ ସମେତ ଓଡ଼ିଶାର ବରପୁତ୍ରମାନଙ୍କ ଅବଦାନକୁ ସ୍ମରଣ କରି ଜାତି, ଧର୍ମ, ବର୍ଣ୍ଣ କିମ୍ବା ଭାଷାର ସୀମା ବାହାରେ ସମସ୍ତେ ପ୍ରଥମେ ଭାରତୀୟ ଓ ଓଡ଼ିଆ ହୋଇ ଏକ 'ସମୃଦ୍ଧ ଓ ବିକଶିତ ଓଡ଼ିଶା' ଗଠନ ପାଇଁ ସଙ୍କଳ୍ପ ନେବାକୁ ସେ ଆହ୍ୱାନ ଜଣାଇଛନ୍ତି।
ଏହି ଅବସରରେ ଗୁଜରାଟର ଏକ୍ତା ନଗର ଠାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଉପସ୍ଥିତିରେ ଆୟୋଜିତ ଜାତୀୟ ରାଷ୍ଟ୍ରୀୟ ଏକତା ଦିବସ ପରେଡ୍ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ଆଭାସୀ ମାଧ୍ୟମରେ ଯୋଗଦେଇଥିଲେ।
ଏହି ସମାରୋହରେ ଗୃହ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ହେମନ୍ତ ଶର୍ମା, ଗୁଇନ୍ଦା ନିର୍ଦ୍ଦେଶକ ଆର୍.ପି.
କୋଚେଙ୍କ ସମେତ ବରିଷ୍ଠ ପୁଲିସ ଅଧିକାରୀ, କର୍ମଚାରୀ ବୃନ୍ଦ ଏବଂ ଅନ୍ୟାନ୍ୟ ଅତିଥିବୃନ୍ଦ ଅଂଶଗ୍ରହଣ କରିଥିଲେ।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।
