Welcome!

Unlock your personalized experience.
Sign Up

National Conclave: ମତ୍ସ୍ୟବିଜ୍ଞାନ ମହାବିଦ୍ୟାଳୟରେ ଦୁଇ ଦିନିଆ ଜାତୀୟ କନକ୍ଳେଭ

Jul 19, 2026 - 09:01
National Conclave: ମତ୍ସ୍ୟବିଜ୍ଞାନ ମହାବିଦ୍ୟାଳୟରେ ଦୁଇ ଦିନିଆ ଜାତୀୟ କନକ୍ଳେଭ
ଗଂଜାମ: ଗଂଜାମ ଜିଲ୍ଲାର ରଙ୍ଗେଈଲୁଣ୍ଡା ଠାରେ ଅବସ୍ଥିତ ମତ୍ସ୍ୟବିଜ୍ଞାନ ମହାବିଦ୍ୟାଳୟ ଠାରେ ଦୁଇ ଦିନିଆ ଜାତୀୟ କନକ୍ଳେଭ ଆନୁଷ୍ଠାନିକ ଭାବେ ଉଦଘାଟିତ ହୋଇଯାଇ ଅଛି । ଏହି କନକ୍ଳେଭ, ମତ୍ସ୍ୟବିଜ୍ଞାନ ମହାବିଦ୍ୟାଳୟ ଓ  ଜାତୀୟ ମତ୍ସ୍ୟ ଉନ୍ନୟନ ପରିଷଦ ଦ୍ୱାରା ଆୟୋଜିତ ହୋଇଅଛି।  ଅଭିନବ ଉପାୟରେ ମାଛକୁ ରୂପାନ୍ତରୀକରଣ  କରି ଭିନ୍ନ ଭିନ୍ନ ପ୍ରକାର ମୂଲ୍ୟ ଯୁକ୍ତ ଦ୍ରବ୍ୟ ପ୍ରସ୍ତୁତ କରିବାଦ୍ଵାରା ମାଛର ଚାହିଦା ବଢ଼ିବା ସହିତ ମତ୍ସ୍ୟ ଉଦ୍ୟୋଗୀ ସୃଷ୍ଟି କରିବା ପାଇଁ ଦେଶର ଭିନ୍ନ ଭିନ୍ନ ମତ୍ସ୍ୟ ବିଜ୍ଞାନ ମହାବିଦ୍ୟଳରୁ ଛାତ୍ରଛାତ୍ରୀମାନେ ଯୋଗଦେଇ ନିଜ ନିଜର ମାଛର ମୂଲ୍ୟଯୁକ୍ତ ଦ୍ରବ୍ୟ ପ୍ରସ୍ତୁତ କରି ବିଶେଷଜ୍ଞଙ୍କ ସମ୍ମୁଖରେ ଉପସ୍ଥାପନ କରିଥିଲେ।  ଏହି ଦୁଇ ଦିନିଆ କନକ୍ଳେଭ  ୧୮.୦୭.୨୦୨୬ ଆରମ୍ଭ ହୋଇ ୧୯.୦୭.୨୦୨୬ ରେ ଶେଷ ହେବ। ଦେଶର ଭିନ୍ନ ଭିନ୍ନ ରାଜ୍ୟ ତଥା ମହାରଷ୍ଟ୍ର, ପଶ୍ଚିମ ବଙ୍ଗ, ବିହାର ,ତାମିଲନାଡୁ, ଆନ୍ଧ୍ର ପ୍ରଦେଶ, ତେଲେଙ୍ଗାନା, ଗୁଜୁରାଟରେ ଥିବା ମତ୍ସ୍ୟ ବିଜ୍ଞାନ ମହାବିଦ୍ୟାଳୟରୁ ଶତାଧିକ ଛାତ୍ରଛାତ୍ରୀ ଓ ଦେଶର ଭିନ୍ନ ଭିନ୍ନ ସ୍ଥାନରୁ ମତ୍ସ୍ୟବିଜ୍ଞାନୀ, ଅଧ୍ୟାପକ, ମତ୍ସ୍ୟ ଉଦ୍ୟୋଗୀ, ପ୍ରଶାସକ ଓ ବୁଦ୍ଧିଜୀବୀ ଯୋଗଦେଇଥିଲେ ।

ମତ୍ସ୍ୟ ଉତ୍ପାଦନ ବୃଦ୍ଧି

କାର୍ଯ୍ୟକ୍ରମରେ ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ପ୍ରଭାତ କୁମାର ରାଉଳ ସଭାପତିତ୍ୱ କରିଥିବା ବେଳେ,  ପରିଚୟ ଓ ସ୍ୱାଗତ ସମ୍ଭାଷଣ କରିଥିଲେ ମହାବିଦ୍ୟାଳୟର ଡିନ୍ ତଥା କନକ୍ଳେଭର ସଂଯୋଜକ ପ୍ରଫେସର ନିତ୍ୟାନନ୍ଦ  ଦାସ ।  ମତ୍ସ୍ୟ କ୍ଷେତ୍ରର ଉର୍ନ୍ନତି  ପାଇଁ  ମାନ୍ୟବର କୁଳପତି ଓ  ବିଭାଗୀୟ ମନ୍ତ୍ରୀଙ୍କୁ ମହାବିଦ୍ୟଳର ଡିନ ସାଧୁବାଦ ଜଣାଇଥିଲେ । କାର୍ଯ୍ୟକ୍ରମର ଶୁଭାରମ୍ଭ ବନ୍ଦେ ଉତ୍କଳ ଜନନୀ ଜୟଗାନରୁ ଆରମ୍ଭ ହୋଇଥିଲା । ମୁଖ୍ୟ ଅତିଥି ମାନ୍ୟବର ମନ୍ତ୍ରୀ, ମତ୍ସ୍ୟ ଓ ପ୍ରାଣୀସମ୍ପଦ ବିକାଶ ଏବଂ ସୂକ୍ଷ୍ମ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ବିଭାଗ, ଗୋକୁଳାନନ୍ଦ ମଲ୍ଲିକ ଯୋଗ ଦେଇ କହିଥିଲେ,  ମତ୍ସ୍ୟ କ୍ଷେତ୍ରରେ ଓଡିଶା ଆଜି ବହୁ ଆଗରେ,  ନିକଟ ଅତୀତରେ ଗଭୀର ସମୁଦ୍ରରେ ମାଛ ଧରିବା ପାଇଁ ସବୁ ପ୍ରକାର ପଦକ୍ଷେପ ନିଆଯାଇଛି।  ମତ୍ସ୍ୟ କ୍ଷେତ୍ରରେ ଉର୍ନ୍ନତି ପାଇଁ ସୁବର୍ଣ୍ଣପୁର ଠାରେ ଆଉ ଏକ ମତ୍ସ୍ୟବିଜ୍ଞାନ ଖୋଲିବା ପାଇଁ ନିଷ୍ପତ୍ତି ନିଆଯାଇଛି। ଗାଁର ଉନ୍ନତି ହେଲେ ରାଜ୍ୟ ତଥା ଦେଶର ଉନ୍ନତି ହୋଇପାରିବ । ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ପ୍ରଭାତ କୁମାର ରାଉଳ ନିଜ ବକ୍ତବ୍ୟରେ କହିଥିଲେ ମତ୍ସ୍ୟ କ୍ଷେତ୍ରକୁ ଭାରତୀୟ ଅର୍ଥନୀତିରେ ସୂର୍ଯ୍ୟକିରଣ କ୍ଷେତ୍ର ଭାବରେ ବିବେଚନା କରାଯାଏ । ଉତ୍ପାଦନ ଓ ରପ୍ତାନି କ୍ଷେତ୍ରରେ ମତ୍ସ୍ୟ ଉଦ୍ୟୋଗୀ ମାନଙ୍କର ଉଲ୍ଲେଖନୀୟ ଅବଦାନ ରହିଛି ।  ମତ୍ସ୍ୟ ଯୋଜନା  ପ୍ରଣୟନ ଦ୍ୱାରା ମତ୍ସ୍ୟ ଉତ୍ପାଦନ ବୃଦ୍ଧି ପାଉଛି । 
ମୁଖ୍ୟବକ୍ତା  ଭାବେ, ମତ୍ସ୍ୟ ଓ ପ୍ରାଣୀସମ୍ପଦ ବିକାଶ ବିଭାଗ, ଭାରତ ସରକାର ଅଧୀନରେ  କାର୍ଯ୍ୟରତ  ପ୍ରଫେସର  ଜି . ଜୟସୀକରନ  ଯୋଗ ଦେଇ ମତ୍ସ୍ୟ ଉଦ୍ୟୋଗୀ ସୃଷ୍ଟି ଉପରେ ଗୁରୁତ୍ୱ ଦେଇଥିଲେ। ଆସୋସିଏଟ ପ୍ରଫେସର ଡ଼. ଧରିତ୍ରୀ ଚୌଧୁରୀ  ଧନ୍ୟବାଦ ଅର୍ପଣ କରିଥିଲେ। କାର୍ଯ୍ୟକ୍ରମରେ  ମହାବିଦ୍ୟାଳୟର  ଅଧ୍ୟାପକ, ଅଧ୍ୟାପିକା ଓ ଛାତ୍ରଛାତ୍ରୀମାନେ ସହଯୋଗ କରିଥିଲେ। ଏହି କାର୍ଯ୍ୟକ୍ରମରେ ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟର କୁଳସଚିବ ସମେତ ଅନ୍ୟାନ୍ୟ ପଦାଧିକାରୀମାନେ ଉପସ୍ଥିତ ଥିଲେ। ସନ୍ଧ୍ୟାରେ ମତ୍ସ୍ୟବିଜ୍ଞାନ ମହାବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।