Munaf Patel defends MS Dhoni: ହୁକ୍କା ବିବାଦ ମଧ୍ୟରେ ଧୋନିଙ୍କ ସମର୍ଥନରେ ମୁନାଫ ପଟେଲ, କହିଲେ- 'ସେତେବେଳେ କାହିଁକି କହିନଥିଲେ?'

Jul 14, 2026 - 13:27
Munaf Patel defends MS Dhoni: ହୁକ୍କା ବିବାଦ ମଧ୍ୟରେ ଧୋନିଙ୍କ ସମର୍ଥନରେ ମୁନାଫ ପଟେଲ, କହିଲେ- 'ସେତେବେଳେ କାହିଁକି କହିନଥିଲେ?'

ଭାରତୀୟ ଡ୍ରେସିଂ ରୁମରେ କଥିତ ହୁକ୍କା ସେସନକୁ ନେଇ ଚର୍ଚ୍ଚା ଜୋର ଧରିଥିବା ବେଳେ ପୂର୍ବତନ ଦ୍ରୁତ ବୋଲର ମୁନାଫ ପଟେଲ ଏମଏସ ଧୋନିଙ୍କ ସମର୍ଥନରେ ବାହାରିଛନ୍ତି। ବର୍ଷ ବର୍ଷ ପରେ ଏଭଳି ଅଭିଯୋଗ ଉଠାଇବାର ଯଥାର୍ଥତାକୁ ସେ ପ୍ରଶ୍ନ କରିବା ସହ ଧୋନିଙ୍କ ନେତୃତ୍ୱ ଓ ଶାନ୍ତ ସ୍ୱଭାବର ପ୍ରଶଂସା କରିଛନ୍ତି।

ଡ୍ରେସିଂ ରୁମରେ କଥିତ ହୁକ୍କାକୁ ନେଇ ନୂଆ ବିବାଦ ମଧ୍ୟରେ ୨୦୧୧ ବିଶ୍ୱକପ ବିଜୟୀ ଦଳର ସଦସ୍ୟ ମୁନାଫ ପଟେଲ ଏମଏସ ଧୋନିଙ୍କ ପକ୍ଷ ନେଇଛନ୍ତି। ସେ କହିଛନ୍ତି, ଯଦି କାହାର ଦଳର ପରିବେଶ କିମ୍ବା ସଂସ୍କୃତିକୁ ନେଇ ଆପତ୍ତି ଥିଲା, ତେବେ ସେହି ସମୟରେ ଏହା ଉଠାଇବା ଉଚିତ ଥିଲା, ଅବସର ପରେ ନୁହେଁ।

ମୁନାଫ କହିଛନ୍ତି, କିଛି ପୂର୍ବତନ ଖେଳାଳି ଏବେ ପୁରୁଣା ଘଟଣାକୁ ନେଇ ଚର୍ଚ୍ଚା କରୁଛନ୍ତି। "ଯଦି କିଛି କହିବାର ଥିଲା, ସେତେବେଳେ କହିବା ଉଚିତ ଥିଲା। ଅବସର ପରେ ଯାହା ଇଚ୍ଛା କହିଦେଲେ ତାହାର ବିଶେଷ ଅର୍ଥ ନାହିଁ।"
ମୁନାଫଙ୍କ କହିବା ଅନୁଯାୟୀ, ଧୋନି ସବୁବେଳେ ବୋଲର ମାନଙ୍କୁ ନିଜ ଯୋଜନା ଅନୁଯାୟୀ ବୋଲିଂ କରିବାକୁ ସ୍ୱାଧୀନତା ଦେଉଥିଲେ। କେବଳ ଯେତେବେଳେ କୌଣସି ଯୋଜନା କାମ କରୁନଥିଲା, ସେତେବେଳେ ସେ ପରାମର୍ଶ ଦେଉଥିଲେ। ଏହି କାରଣରୁ ଖେଳାଳିମାନେ ତାଙ୍କୁ ଜଣେ ସଫଳ ଅଧିନାୟକ ଭାବେ ଦେଖୁଥିଲେ।

ହୁକ୍କା ବିବାଦ ଉପରେ ସ୍ପଷ୍ଟୀକରଣ ଦେଇ ମୁନାଫ କହିଛନ୍ତି, କୌଣସି ଖେଳାଳିଙ୍କୁ ଏଭଳି ସେସନରେ ଯୋଗଦେବାକୁ କେବେ ବାଧ୍ୟ କରାଯାଇ ନଥିଲା। ସେ ନିଜେ ମଧ୍ୟ ଏଥିରେ ସାମିଲ ହୋଇନଥିଲେ ଏବଂ ଏହା ସମ୍ପୂର୍ଣ୍ଣ ବ୍ୟକ୍ତିଗତ ପସନ୍ଦ ଥିଲା ବୋଲି କହିଛନ୍ତି।
ପୂର୍ବତନ କ୍ରିକେଟର ଇରଫାନ ପଠାନ ଓ ମନୋଜ ତିୱାରୀଙ୍କ ମନ୍ତବ୍ୟକୁ ନେଇ ମୁନାଫ କହିଛନ୍ତି, ବର୍ଷ ବର୍ଷ ପରେ ଏଭଳି ବୟାନ ଦେବା ପଛରେ ସୋସିଆଲ ମିଡିଆରେ ଚର୍ଚ୍ଚାରେ ରହିବାର ଉଦ୍ଦେଶ୍ୟ ଥାଇପାରେ।
ମୁନାଫଙ୍କ କହିବା ଅନୁଯାୟୀ, ଧୋନି କେବେ ବି ବ୍ୟକ୍ତିଗତ ଅଭିଯୋଗର ଉତ୍ତର ଦେବାକୁ ପସନ୍ଦ କରନ୍ତି ନାହିଁ। ତାଙ୍କର ଶାନ୍ତ ସ୍ୱଭାବ ଏବଂ ନୀରବତା ହିଁ ତାଙ୍କ ବ୍ୟକ୍ତିତ୍ୱର ସବୁଠାରୁ ବଡ଼ ପରିଚୟ ବୋଲି ସେ କହିଛନ୍ତି।

୨୦୧୧ ବିଶ୍ୱକପ ବିଜୟକୁ ସ୍ମରଣ କରି ମୁନାଫ କହିଛନ୍ତି, ୱାଙ୍ଖେଡେ ଷ୍ଟାଡିୟମରେ ଟ୍ରଫି ଜିତିବା ତାଙ୍କ କ୍ୟାରିୟରର ସବୁଠାରୁ ସ୍ମରଣୀୟ ମୁହୂର୍ତ୍ତ ମଧ୍ୟରୁ ଗୋଟିଏ। ସଚିନ ତେନ୍ଦୁଲକରଙ୍କ ପାଇଁ ବିଶ୍ୱକପ ଜିତିବା ସମଗ୍ର ଦଳର ସ୍ୱପ୍ନ ଥିଲା ବୋଲି ସେ କହିଛନ୍ତି। ବିଶ୍ୱକପ ବିଜୟ ପରେ ଡ୍ରେସିଂ ରୁମର ପରିବେଶ ଆଜି ମଧ୍ୟ ତାଙ୍କ ଜୀବନର ସବୁଠାରୁ ମୂଲ୍ୟବାନ ସ୍ମୃତି ବୋଲି ମୁନାଫ ପ୍ରକାଶ କରିଛନ୍ତି।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।