The Odyssey India premiere: ମୁମ୍ବାଇରେ ହଲିଉଡ଼ ଷ୍ଟାର; ଓଲିମ୍ପିଆ କାଫେରେ ଚା' ସହ ଚାଖିଲେ ବନ୍ ମସ୍କା
ହଲିଉଡ୍ର ପ୍ରଖ୍ୟାତ ନିର୍ଦ୍ଦେଶକ କ୍ରିଷ୍ଟୋଫର୍ ନୋଲାନ୍ ଏବଂ ଅଭିନେତା ଟମ୍ ହଲାଣ୍ଡ ଓ ମ୍ୟାଟ୍ ଡେମନ୍ ସେମାନଙ୍କ ବହୁ ପ୍ରତୀକ୍ଷିତ ଚଳଚ୍ଚିତ୍ର 'ଦି ଓଡ଼ିଶି'ର ଭାରତୀରେ ପ୍ରିମିୟର ପାଇଁ ମୁମ୍ବାଇ ଗସ୍ତ ଆସିଛନ୍ତି। ପ୍ରିମିୟର ପୂର୍ବରୁ ସେମାନେ ମୁମ୍ବାଇର ଐତିହାସିକ ଓଲିମ୍ପିଆ କାଫେରେ ପହଞ୍ଚି ଫେମସ୍ ଚା' ଓ ବନ୍ ମସ୍କାର ସ୍ୱାଦ ନେଇଥିଲେ। ଏହାର ଫଟୋ ଓ ଭିଡିଓ ସୋସିଆଲ୍ ମିଡିଆରେ ଏବେ ଭାଇରାଲ୍ ହେଉଛି।
ନୋଲାନ୍ ତାଙ୍କ ପତ୍ନୀ ତଥା ପ୍ରଯୋଜିକା ଏମା ଥୋମାସଙ୍କ ସହ ମୁମ୍ବାଇରେ ପହଞ୍ଚି ଥିବାବେଳେ ଟମ୍ ହଲାଣ୍ଡ ଓ ମ୍ୟାଟ୍ ଡେମନ୍ ପୂର୍ବରୁ ପହଞ୍ଚିଥିଲେ। ସେମାନେ କୋଲାବାର ତାଜମହଲ ପ୍ୟାଲେସ୍ ହୋଟେଲରେ ରହିଥିଲେ ଏବଂ ଦୁଇ ଦିନିଆ ଗସ୍ତରେ ପ୍ରେସ୍ ମିଟ୍, ସ୍ୱତନ୍ତ୍ର ସ୍କ୍ରିନିଂ ଓ ଫିଲ୍ମର ଭାରତୀୟ ପ୍ରିମିୟରରେ ଯୋଗ ଦେଇଥିଲେ।
ରେଡ୍ କାର୍ପେଟରେ ଯିବା ପୂର୍ବରୁ ଏହି ତିନି ହଲିଉଡ୍ ତାରକା କୋଲାବାର ଶତାବ୍ଦୀ ପୁରୁଣା ଓଲିମ୍ପିଆ କାଫେରେ ପହଞ୍ଚିଥିଲେ। ସେଠାରେ ସେମାନେ ମୁମ୍ବାଇର ପ୍ରସିଦ୍ଧ ଚା' ଓ ବନ୍ ମସ୍କା ଖାଇଥିଲେ। ସୋସିଆଲ୍ ମିଡିଆରେ ସାମ୍ନାକୁ ଆସିଥିବା ଫଟୋରେ ସେମାନେ ସାଧାରଣ ଗ୍ରାହକଙ୍କ ଭଳି ବସି ଚା' ପିଉଥିବା ଓ ଆଲୋଚନା କରୁଥିବା ଦେଖିବାକୁ ମିଳିଛି।
କାଫେର ମ୍ୟାନେଜରଙ୍କ କହିବା ଅନୁଯାୟୀ, ପ୍ରଥମେ କର୍ମଚାରୀମାନେ ଜାଣିପାରିନଥିଲେ ଯେ ଏତେ ବଡ଼ ହଲିଉଡ୍ ତାରକା ସେମାନଙ୍କ କାଫେକୁ ଆସିଛନ୍ତି। ପରେ ବାହାରେ ପ୍ରଶଂସକଙ୍କ ଭିଡ଼ ଜମିବା ପରେ ସମସ୍ତେ ସେମାନଙ୍କୁ ଚିହ୍ନିଥିଲେ।
୧୯୧୮ ମସିହାରେ ପ୍ରତିଷ୍ଠିତ ଓଲିମ୍ପିଆ କାଫେ ମୁମ୍ବାଇର ଅନ୍ୟତମ ପୁରାତନ ରେଷ୍ଟୁରାଣ୍ଟ। ଏହାର ପାରମ୍ପରିକ ସାଜସଜ୍ଜା, ମାର୍ବଲ୍ ଟେବୁଲ୍ ଏବଂ ପୁରୁଣା ଢାଞ୍ଚା ଆଜି ମଧ୍ୟ ଅପରିବର୍ତ୍ତିତ ରହିଛି। ଚା' ଓ ବନ୍ ମସ୍କା ସହ କିମା, କବାବ ଓ ବିରିୟାନୀ ପାଇଁ ମଧ୍ୟ ଏହା ବେଶ୍ ପ୍ରସିଦ୍ଧ।
ଓଲିମ୍ପିଆ କାଫେରୁ ବାହାରିବା ପରେ ନୋଲାନ୍, ଟମ୍ ହଲାଣ୍ଡ ଓ ମ୍ୟାଟ୍ ଡେମନ୍ ଗେଟୱେ ଅଫ୍ ଇଣ୍ଡିଆ ନିକଟରେ ଫଟୋସୁଟ୍ କରିଥିଲେ। ପରେ ସେମାନେ 'ଦି ଓଡ଼ିଶି'ର ଭାରତୀୟ ପ୍ରିମିୟରରେ ଯୋଗ ଦେଇଥିଲେ। ଏହି ଅବସରରେ ନୋଲାନ୍ ଭାରତୀୟ ଦର୍ଶକଙ୍କ ସିନେମା ପ୍ରତି ଭଲପାଇବାର ପ୍ରଶଂସା କରିଥିବା ବେଳେ ଟମ୍ ହଲାଣ୍ଡ ଭାରତୀୟ ପ୍ରଶଂସକଙ୍କ ଉତ୍ସାହକୁ ଧନ୍ୟବାଦ ଜଣାଇଥିଲେ।
ହୋମରଙ୍କ ପ୍ରସିଦ୍ଧ ଗ୍ରୀକ୍ ମହାକାବ୍ୟ ଉପରେ ଆଧାରିତ 'ଦି ଓଡ଼ିଶି'ରେ ମ୍ୟାଟ୍ ଡେମନ୍ ଓଡିସିୟସ୍ ଏବଂ ଟମ୍ ହଲାଣ୍ଡ ତାଙ୍କ ପୁଅ ଟେଲିମାକସ୍ ଭୂମିକାରେ ଅଭିନୟ କରିଛନ୍ତି। ଫିଲ୍ମରେ ଆନ୍ ହାଥାୱେ, ଜେଣ୍ଡାୟା, ରବର୍ଟ ପ୍ୟାଟିନସନ୍, ଲୁପିତା ନ୍ୟୋଙ୍ଗୋ, ଚାର୍ଲିଜ୍ ଥେରନ୍ ଓ ଜନ୍ ବର୍ନଥାଲ୍ ମଧ୍ୟ ନଜର ଆସିବେ।
ଆଇମ୍ୟାକ୍ସ କ୍ୟାମେରାରେ ସୁଟିଂ ହୋଇଥିବା ଏହି ଚଳଚ୍ଚିତ୍ର ଜୁଲାଇ ୧୭ରେ ବିଶ୍ୱବ୍ୟାପୀ ମୁକ୍ତିଲାଭ କରିବ।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।