MSCB University ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ୱବିଦ୍ୟାଳୟର ପ୍ରତିଷ୍ଠା ଦିବସ
"ବାରିପଦା / ଭୁବନେଶ୍ବର: ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ୱବିଦ୍ୟାଳୟର (ଉତ୍ତର ଓଡ଼ିଶା ବିଶ୍ୱବିଦ୍ୟାଳୟ) ୨୯ତମ ପ୍ରତିଷ୍ଠା ଦିବସ ଆଜି ପାଳିତ ହୋଇଯାଇଛି।
ସମାବେଶରେ ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ମହେନ୍ଦ୍ର କୁମାର ମହାନ୍ତିଙ୍କ ଅଧ୍ୟକ୍ଷତା କରିଥିଲେ।
ସମାରୋହର ମୁଖ୍ୟଅତିଥି ଗୃହନିର୍ମାଣ ଓ ନଗର ଉନ୍ନୟନ ଏବଂ ସାଧାରଣ ଉଦ୍ୟୋଗ ବିଭାଗ ମନ୍ତ୍ରୀ ଡାକ୍ତର କୃଷ୍ଣଚନ୍ଦ୍ର ମହାପାତ୍ର କହିଲେ ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ୱବିଦ୍ୟାଳୟ କେବଳ ଉଚ୍ଚଶିକ୍ଷା ପ୍ରଦାନରେ ସୀମିତ ନରହି ମୟୂରଭଞ୍ଜ ଜିଲ୍ଲାର ସର୍ବାଙ୍ଗୀନ ବିକାଶରେ ଏକ ଅଗ୍ରଣୀ ଅନୁଷ୍ଠାନ ଭାବେ ଭୂମିକା ଗ୍ରହଣ କରିବ।
ଶିକ୍ଷା, ଗବେଷଣା, ନବସୃଜନ, ଦକ୍ଷତା ବିକାଶ ଏବଂ ସମାଜସେବା କ୍ଷେତ୍ରରେ ବିଶ୍ୱବିଦ୍ୟାଳୟର ସକ୍ରିୟ ଅବଦାନ ସାମଗ୍ରିକ ପ୍ରଗତିକୁ ନୂତନ ଦିଗ ପ୍ରଦାନ କରିବା ଆବଶ୍ୟକ।
ଏହି ଦିଗରେ ରାଜ୍ୟ ସରକାରଙ୍କ ପକ୍ଷରୁ ସମସ୍ତ ପ୍ରକାର ସହଯୋଗ ମିଳିବ ବୋଲି ସେ ପ୍ରତିଶ୍ରୁତି ଦେଇଥିଲେ।Advertisment ଏହି ଅବସରରେ ବିଶିଷ୍ଟ ଶିକ୍ଷାବିତ୍ ତଥା ବକ୍ସି ଜଗବନ୍ଧୁ ବିଦ୍ୟାଧର ସ୍ୱୟଂଶାସିତ ମହାବିଦ୍ୟାଳୟର ପୂର୍ବତନ ଅଧ୍ୟକ୍ଷ ପ୍ରଫେସର ରଘୁନାଥ ପଣ୍ଡା ମୁଖ୍ୟବକ୍ତା ଭାବେ ଯୋଗଦେଇ ଉଚ୍ଚଶିକ୍ଷାର ଗୁଣାତ୍ମକ ବିକାଶ, ମୂଲ୍ୟବୋଧଭିତ୍ତିକ ଶିକ୍ଷା ଏବଂ ଜ୍ଞାନଭିତ୍ତିକ ସମାଜ ଗଠନ ଉପରେ ଆଲୋକପାତ କରିଥିଲେ ।
ମୟୂରଭଞ୍ଜ ଲୋକସଭା ସାଂସଦ ନବଚରଣ ମାଝୀ, ବାରିପଦା ବିଧାୟକ ପ୍ରକାଶ ସୋରେନ ଏବଂ ମୟୂରଭଞ୍ଜ ରାଜପରିବାରର ଉତ୍ତରାଧିକାରୀ ପ୍ରବୀଣ ଚନ୍ଦ୍ର ଭଞ୍ଜଦେଓ ସମ୍ମାନିତ ଅତିଥି ଭାବେ ଯୋଗଦେଇ ବିଶ୍ୱବିଦ୍ୟାଳୟର ଉତ୍ତରୋତ୍ତର ପ୍ରଗତି କାମନା କରିଥିଲେ।
ଆରମ୍ଭରେ ବିଶ୍ୱବିଦ୍ୟାଳୟର କୁଳସଚିବ ସୁଶ୍ରୀ ସୁମିତା ସିଂ ଅତିଥିମାନଙ୍କୁ ସ୍ୱାଗତ ଜଣାଇବା ସହ ପ୍ରତିଷ୍ଠା ଦିବସର ତାତ୍ପର୍ଯ୍ୟ ଏବଂ କାର୍ଯ୍ୟକ୍ରମର ରୂପରେଖା ସମ୍ପର୍କରେ ସୂଚନା ପ୍ରଦାନ କରିଥିଲେ। 'ଭୂମି ଗୌରବ' ସମ୍ମାନ ସହ ବିଶିଷ୍ଟ ବ୍ୟକ୍ତିତ୍ୱଙ୍କୁ ସମ୍ବର୍ଦ୍ଧନା ପ୍ରତିଷ୍ଠା ଦିବସ ଅବସରରେ ବିଭିନ୍ନ କ୍ଷେତ୍ରରେ ସମାଜ ପ୍ରତି ଉଲ୍ଲେଖନୀୟ ଅବଦାନ ପାଇଁ ବିଶିଷ୍ଟ ବ୍ୟକ୍ତିତ୍ୱମାନଙ୍କୁ 'ଭୂମି ଗୌରବ' ସମ୍ମାନ ପ୍ରଦାନ କରାଯାଇଥିଲା।
୨୦୨୫ ବର୍ଷ ପାଇଁ 'ଭୂମି ଗୌରବ' ସମ୍ମାନ ମୟୂରଭଞ୍ଜର ବିଶିଷ୍ଟ ବ୍ୟକ୍ତିତ୍ୱ ଶରତ ଚନ୍ଦ୍ର ନାୟକ, ଡକ୍ଟର ବନଜା ମହାନ୍ତି ଏବଂ ଇଞ୍ଜିନିୟର ରବିନାରାୟଣ ଭୂୟାଁଙ୍କୁ ପ୍ରଦାନ କରାଯାଇଥିଲା।
ସେହିପରି ୨୦୨୬ ବର୍ଷ ପାଇଁ 'ଭୂମି ଗୌରବ' ସମ୍ମାନ କଳା ଓ ସଂସ୍କୃତି କ୍ଷେତ୍ରରେ ପରେଶ ଚନ୍ଦ୍ର ସାହୁ, ସମାଜସେବା କ୍ଷେତ୍ରରେ ବିବେକାନନ୍ଦ ପଟ୍ଟନାୟକ ଏବଂ ଶିକ୍ଷା କ୍ଷେତ୍ରରେ ହରିଶ୍ଚନ୍ଦ୍ର ହୋତାଙ୍କୁ ପ୍ରଦାନ କରାଯାଇଥିଲା।
ବିଶ୍ୱବିଦ୍ୟାଳୟର ଅଣଶିକ୍ଷକ କର୍ମଚାରୀମାନଙ୍କ ମଧ୍ୟରୁ କନିଷ୍ଠ ସହାୟକ ଶ୍ରୀମତୀ ସନ୍ଦୀପ୍ତା ରାଉତ ଏବଂ ପିଅନ୍ ଶ୍ରୀମତୀ କବିତା ପଣ୍ଡାଙ୍କୁ 'ଶ୍ରେଷ୍ଠ କର୍ମଚାରୀ ସମ୍ମାନ–୨୦୨୬' ପ୍ରଦାନ କରାଯାଇଥିଲା।
କୃତୀ ଛାତ୍ରଛାତ୍ରୀ ଓ ଏନ୍ଏସ୍ଏସ୍ ସ୍ୱେଚ୍ଛାସେବୀଙ୍କୁ ପୁରସ୍କୃତ କରାଯାଇଥିଲା।"
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।