MLA Saroj Padhi': ସିଡିଓଙ୍କୁ ବିଧାୟକ ସରୋଜ ପାଢ଼ୀଙ୍କ ଦୁର୍ବ୍ୟବହାର ପ୍ରସଙ୍ଗ: ବିବାଦ, ଏତଲା, ଚାପ, ସମାଧାନ
ଭୁବନେଶ୍ବର/ ଛତ୍ରପୁର: ଗଞ୍ଜାମ ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ (ସିଡିଓ) ସମୀର କୁମାର ଜେନାଙ୍କୁ ଆସିକା ବିଧାୟକ ସରୋଜ କୁମାର ପାଢ଼ୀଙ୍କ ଦୁର୍ବ୍ୟବହାର ଘଟଣା ରୋଚକ ମୋଡ଼ ନେଇଛି।
ଆଜି ଦିନତମାମ ଏ ନେଇ ଲୋକସେବା ଭବନରେ ତନାଘନା ପରେ ସମାଧାନ ପାଇଁ ଉପରୁ ଚାପ ପଡ଼ିଥିଲା।
ଶେଷରେ ସନ୍ଧ୍ୟାରେ ଦକ୍ଷିଣାଞ୍ଚଳ ଆର୍ଡିସି ବିଜୟ ଅମୃତ କୁଲାଙ୍ଗେଙ୍କ କାର୍ଯ୍ୟାଳୟରେ ବିଧାୟକ ଓ ସିଡିଓଙ୍କ ଭିତରେ ବୁଝାମଣା ହୋଇଥିଲା।
ଉଭୟ ପରସ୍ପରକୁ ଧରି ଫଟୋ ଉଠାଇଥିଲେ।
ବିବାଦର ତାଳିପକା ସମାଧାନ ହୋଇଥିବାରୁ ସରକାର ସାମୟିକ ଆଶ୍ବସ୍ତ ହୋଇଛନ୍ତି ସତ, କିନ୍ତୁ ଘଟଣାକୁ ନେଇ ସାଧାରଣରେ ଚର୍ଚ୍ଚା ଥମିନି।
Advertisment ଦୁଇ ଦିନ ତଳେ ଦୁର୍ବ୍ୟବହାର ଘଟଣା ଘଟିଥିଲେ ହେଁ ସିଡିଓଙ୍କ ଏତଲା ଆଜି ପଦାକୁ ଆସିଥିଲା।
ଏହାର ନକଲ ସାମାଜିକ ଗଣମାଧ୍ୟମରେ ବୁଲିଥିଲା।
ବୁଲୁଥିବା ଏତଲାରେ ଦର୍ଶାଯାଇଥିଲା ଯେ ଗତ ୩ ତାରିଖ ରାତି ୭ଟାରେ ସେ ଆସିକା ପୌରପାଳିକା କାର୍ଯ୍ୟନିର୍ବାହୀ ଅଧିକାରୀଙ୍କ ପ୍ରକୋଷ୍ଠରେ ବସିଥିବା ବେଳେ ବିଧାୟକ ଧସେଇ ପଶି ରିଲିଫ ବଣ୍ଟନକୁ ନେଇ ଚିତ୍କାର କରିବା ସହ ଯୁକ୍ତିତର୍କ କରିଥିଲେ।
ଦୁର୍ବ୍ୟବହାର କରିବା ସହ ଧମକଚମକ ଦେଇ ତୁରନ୍ତ ପଳାଇବାକୁ କହିଥିଲେ।
ଏପରିକି ତାଙ୍କୁ ମାରିକି ମାଟିରେ ମିଶାଇଦେବେ ବୋଲି ବିଧାୟକ ଧମକ ଦେଇଥିବା ନେଇ ଏତଲାରେ କୁହାଯାଇଛି।
ତେବେ ଆସିକା ଥାନା ଭାରପ୍ରାପ୍ତ ଆଇଆଇସି ସୌମ୍ୟରଞ୍ଜନ ଜେନା ଓ ଆସିକା ଏସ୍ଡିପିଓ ସୌରଭ ରଞ୍ଜନ ପ୍ରଧାନ ଏପରି ଏତଲାକୁ ଅସ୍ବୀକାର କରିଛନ୍ତି।
ହେଲେ ରିପୋର୍ଟ ଲେଖା ପର୍ଯ୍ୟନ୍ତ ସିଡିଓ ଶ୍ରୀ ଜେନା ଏହାକୁ ଖଣ୍ଡନ କରି ନଥିଲେ।
ବିଭିନ୍ନ ମହଲରୁ ବିଧାୟକଙ୍କ ଏପରି ଆଚରଣକୁ ନିନ୍ଦା କରାଯାଇଥିଲା।
ବିରୋଧୀ ଦଳ ସରକାରଙ୍କୁ ଘେରିଥିଲେ।
ଆଜି ପୂର୍ବାହ୍ନରେ ବିଧାୟକ ଶ୍ରୀ ପାଢ଼ୀ ଜିଲ୍ଲାର ଅନ୍ୟ ବିଧାୟକଙ୍କ ସହ ମୁଖ୍ୟମନ୍ତ୍ରୀଙ୍କୁ ଭେଟିବାକୁ ଆସିଥିଲେ।
ଫେରିଲା ବେଳେ ଗଣମାଧ୍ୟମକୁ କହିଥିଲେ, ଆମ ଭିତରେ ସେମିତି କିଛି ହୋଇନି।
ଯେଉଁ ଭୁଲ୍ ବୁଝମଣା ହୋଇଥିଲା, ତା'ର ସମାଧାନ ହୋଇଯାଇଛି।
ଏହା ଉପରେ ଅଧିକ ଆଲୋଚନା ଠିକ ନୁହେଁ।
ଏସବୁ ଅତି ସାଧାରଣ କଥା।
ସେ ଏଫ୍ଆଇଆର ଦେଇଛନ୍ତି।
କିନ୍ତୁ ଆମେ କଥାବାର୍ତ୍ତା ହେଇସାରିଲୁଣି।
ଏହି ଘଟଣାରେ କାହାର ଭୁଲ୍ ଥିଲା ବୋଲି ପ୍ରଶ୍ନରେ ବିଧାୟକ ସିଧାସଳଖ ଉତ୍ତର ଦେଇ ନଥିଲେ।
କହିଥିଲେ, ବାତ୍ୟା ଅଞ୍ଚଳରେ ସେ ବି କାମ କରୁଥିଲେ, ମୁଁ ବି କାମ କରୁଥିଲି।
ଆଠ ଦିନ ହେଲାଣି ଆମେ ଖାଇନୁ କି ଶୋଇନୁ।
ଯଦି ତା' ଭିତରେ କିଏ କାହାକୁ କିଛି କହିଦେଲା, ତା'ହେଲେ ହୋଇଗଲା ତ ହୋଇଗଲା।
ତା'ର ସମାଧାନ ବି ହୋଇଗଲା।
ମୋର ତାଙ୍କ ବିରୋଧରେ କିଛି ଅଭିଯୋଗ ନାହିଁ କି ତାଙ୍କର ମୋ ଉପରେ କିଛି ଅଭିଯୋଗ ନାହିଁ।
ମୁଁ ରାଜନୀତି କରିବାର ୪୭ ବର୍ଷ ହେଲାଣି।
ଏହି ୪୭ ବର୍ଷ ଭିତରେ ବହୁ ଅଫିସରଙ୍କୁ ଦେଖିଛୁ।
ବହୁ ଅଫିସର ଆମକୁ ବି ଦେଖିଛନ୍ତି।
ବହୁତ ଭୁଲ ବୁଝାମଣା ହୋଇଛି।
କେତେ ଅଫିସର ଆମକୁ ଗାଳି କରିଛନ୍ତି।
ଆମେ ବି ତାଙ୍କୁ ଗାଳି କରିଛୁ।
କିନ୍ତୁ ସେ ସବୁର କିଛି ମାନେ ନାହିଁ।
ଏହି ପ୍ରସଙ୍ଗରେ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ କହିଥିଲେ, ଘଟଣାଟି ଅତ୍ୟନ୍ତ ଦୁର୍ଭାଗ୍ୟଜନକ।
ସରୋଜ ପାଢ଼ୀ ଏହି ଘଟଣା ପାଇଁ ଅନୁତପ୍ତ।
ଅପରପକ୍ଷରେ ଏହି ଘଟଣାର ପ୍ରତିବାଦରେ ଆଜି ଗଞ୍ଜାମ ଜିଲ୍ଲା ପରିଷଦ କାର୍ଯ୍ୟାଳୟର ବିଭିନ୍ନ ବିଭାଗର ଅଧିକାରୀ ଓ କର୍ମଚାରୀ ଜିଲ୍ଲାପାଳ ଭି.କୀର୍ତ୍ତି ଭାସନକୁ ଭେଟି ଦାବିପତ୍ର ପ୍ରଦାନ କରିବା ସହ ଆସିକା ବିଧାୟକଙ୍କ ଏଭଳି ବ୍ୟବହାରକୁ ନିନ୍ଦା କରି ଆଇନଗତ କାର୍ଯ୍ୟାନୁଷ୍ଠାନ ଦାବି କରିଥିଲେ।
ଏହା ସହ ସମସ୍ତଙ୍କ ସୁରକ୍ଷା ସୁନିଶ୍ଚିତ କରିବାକୁ ନିବେଦନ କରିଥିଲେ।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।
