Malviya Nagar Fire: ମାଲବୀୟ ନଗର ଅଗ୍ନିକାଣ୍ଡ; ଜୀବନ ବାଜି ଲଗାଇ ସାଜିଥିଲେ ସାହାରା, ଆଜି ନିଜେ ଅସହାୟ !
ନୂଆଦିଲ୍ଲୀ, ୧୭।୬: ଦେଶର ରାଜଧାନୀ ଦିଲ୍ଲୀରେ ଘଟିଥିବା ଭୟାବହ ଅଗ୍ନିକାଣ୍ଡର ଯନ୍ତ୍ରଣା ଏବେ ବି କମିନାହିଁ । ବିହାରର ବାସିନ୍ଦା ୨୬ ବର୍ଷୀୟ ରୋହିତଙ୍କ ଜୀବନ ଏହି ଦୁର୍ଘଟଣା ପରେ ସମ୍ପୂର୍ଣ୍ଣ ଓଲଟପାଲଟ ହୋଇଯାଇଛି । ଏକ ସୁନ୍ଦର ଭବିଷ୍ୟତ ଆଶାରେ ଦିଲ୍ଲୀ ଆସିଥିବା ରୋହିତଙ୍କ ସବୁ ସ୍ୱପ୍ନ ଜୁନ୍ ୩ ତାରିଖରେ ହୌଜ୍ ଖାସ୍ର 'ବେଡ୍ ଆଣ୍ଡ ବ୍ରେକଫାଷ୍ଟ' ୱାଭେ ରେଷ୍ଟୁରାଣ୍ଟରେ ଲାଗିଥିବା ନିଆଁରେ ପୋଡ଼ି ପାଉଁଶ ହୋଇଯାଇଛି । ରୋହିତ ସେହି ରେଷ୍ଟୁରାଣ୍ଟର ରୋଷେଇ ଘରେ କାମ କରୁଥିଲେ ଏବଂ ଅଗ୍ନିକାଣ୍ଡ ସମୟରେ ସେ ନିଜ ଡ୍ୟୁଟିରେ ଥିଲେ । ନିଆଁ ଲାଗିବା ସମୟରେ ରୋହିତଙ୍କ ସହ ତାଙ୍କ ଗାଁର ଦୁଇଜଣ ସାଥୀ ମଧ୍ୟ ପ୍ରଥମ ମହଲାରେ କାମ କରୁଥିଲେ । ନିଆଁ ଲାଗିଥିବାର ଦେଖି ରୋହିତ ନିଜ ଜୀବନକୁ ବାଜି ଲଗାଇ ସେମାନଙ୍କୁ ବଞ୍ଚାଇବା ପାଇଁ ଉପରକୁ ଦୌଡ଼ିଥିଲେ । ନିଆଁ ଚାରିପଟେ ଘେରିଯିବା ପରେ ତିନି ଜଣ ନିଜକୁ ଏକ ବାଥରୁମ୍ରେ ବନ୍ଦ କରିଦେଇଥିଲେ । ଏହାପରେ ବାଥରୁମ୍ ବାଲଟି ସାହାଯ୍ୟରେ ଝରକା କାଚ ଭାଙ୍ଗି ବାହାରକୁ ଡେଇଁବା ପାଇଁ ବାଟ ପ୍ରସ୍ତୁତ କରିଥିଲେ । ରୋହିତ ନିଜେ ନ ଯାଇ ପ୍ରଥମେ ତାଙ୍କର ଦୁଇ ସାଥୀଙ୍କୁ ସୁରକ୍ଷିତ ଭାବେ ତଳକୁ ଡେଇଁବାରେ ସାହାଯ୍ୟ କରିଥିଲେ ଏବଂ ସବୁଠାରୁ ଶେଷରେ ସେ ନିଜେ ତଳକୁ ଡେଇଁଥିଲେ ।
ଶରୀରରେ ଏକାଧିକ ଫ୍ରାକ୍ଚର, ମେରୁଦଣ୍ଡରେ ଲାଗିଲା ରଡ୍:
ରୋହିତଙ୍କ ଶରୀରର ଅନେକ ସ୍ଥାନରେ ଫ୍ରାକ୍ଚର ହୋଇଛି । ରୋହିତ ଗଣମାଧ୍ୟମକୁ କହିଛନ୍ତି ଯେ, ଏପର୍ଯ୍ୟନ୍ତ ସରକାରଙ୍କ ପକ୍ଷରୁ ତାଙ୍କୁ କୌଣସି ଆର୍ଥିକ ସହାୟତା ବା କ୍ଷତିପୂରଣ ମିଳିନାହିଁ । ବର୍ତ୍ତମାନ ତାଙ୍କ ଭଉଣୀ ରେଣୁ ତାଙ୍କର ଦେଖାଶୁଣା କରୁଛନ୍ତି । ଜଳୁଥିବା ବିଲ୍ଡିଂରୁ କୁଦିବା ପରେ ସ୍ଥାନୀୟ ଲୋକେ ରୋହିତଙ୍କୁ ଏକ ବେସରକାରୀ ହସ୍ପିଟାଲରେ ଭର୍ତ୍ତି କରିଥିଲେ, ଯେଉଁଠାରେ ତାଙ୍କର ପ୍ରାଥମିକ ଚିକିତ୍ସା ହୋଇଥିଲା । କିନ୍ତୁ ବର୍ତ୍ତମାନ ଔଷଧ, ଆଗାମୀ ଚିକିତ୍ସା ଏବଂ ଯାତାୟାତ ଖର୍ଚ୍ଚ ପାଇଁ ପରିବାର ପାଖରେ ଟଙ୍କାଟିଏ ନାହିଁ । ଗତ ଦୁଇ ସପ୍ତାହ ହେବ ଏକ ସ୍ଥାନୀୟ ଏନଜିଓ ସେମାନଙ୍କୁ ଖାଦ୍ୟ ଯୋଗାଇ ଦେଉଛି, ଯାହା ଦ୍ୱାରା ସେମାନଙ୍କ ଚୁଲି ଜଳୁଛି । ମାତ୍ର ଆଗକୁ କ’ଣ ହେବ, ସେନେଇ ପରିବାର ଘୋର ଅନିଶ୍ଚିତତା ମଧ୍ୟରେ ଗତି କରୁଛି ।
ପରିବାରର ରୋଜଗାର ବନ୍ଦ, ପିଲାଙ୍କ ପାଠପଢ଼ା ଠପ୍:
ଦୁର୍ଘଟଣା ପୂର୍ବରୁ ରୋହିତ ମାସିକ ୧୨,୦୦୦ ଟଙ୍କା ରୋଜଗାର କରୁଥିଲେ । ପରିବାରକୁ ସହଯୋଗ କରିବା ପାଇଁ ତାଙ୍କ ପତ୍ନୀ ଏବଂ ଭଉଣୀ ମାଲଭୀୟ ନଗରର ବିଭିନ୍ନ ଘରେ କାମ କରୁଥିଲେ । ରୋହିତଙ୍କ ଏକ ୯ ବର୍ଷର ପୁଅ ଦିଲ୍ଲୀରେ ତାଙ୍କ ସହ ରହୁଥିବା ବେଳେ ବଡ଼ ପୁଅ ବିହାରରେ ପଢ଼ୁଛି । ମାତ୍ର ରୋହିତଙ୍କ ଏଭଳି ଅବସ୍ଥା ପାଇଁ ତାଙ୍କ ସେବା କରିବାକୁ ଯାଇ ସ୍ତ୍ରୀ ଓ ଭଉଣୀଙ୍କୁ ଚାକିରି ଛାଡ଼ିବାକୁ ପଡ଼ିଛି । ରୋଜଗାର ସମ୍ପୂର୍ଣ୍ଣ ବନ୍ଦ ହୋଇଯିବାରୁ ପରିବାର ଦୁଇ ପିଲାଙ୍କ ପାଠପଢ଼ା ମଧ୍ୟ ବନ୍ଦ କରିଦେଇଛି । ବର୍ତ୍ତମାନ ଏହି ଗରିବ ପରିବାର ସରକାରୀ ସହାୟତା ଏବଂ କ୍ଷତିପୂରଣକୁ ଚାହିଁ ବସିଛି, ଯାହା ଦ୍ୱାରା ସେମାନଙ୍କୁ ଟିକେ ଆଶ୍ୱସ୍ତି ମିଳିପାରନ୍ତା ।
ଆହୁରି ପଢ଼ନ୍ତୁ... Shivsena Crisis: '୫୦ କୋଟି ଅଫର୍, ଆଡଭାନ୍ସରେ ୧୫ କୋଟି'...ଶିବସେନା ୟୁବିଟି ସାଂସଦଙ୍କ ଉପରେ ସଞ୍ଜୟଙ୍କ ବଡ଼ ଦାବି
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ PRAMEYA - ପ୍ରମେୟ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।