Mistakes in Books: ବ୍ରହ୍ମପୁର ଜିଲ୍ଲା ହେଲା, ‘ଓଡ଼ିଶା’ର ନିୟମଗିରି 'ଝାଡ଼ଖଣ୍ଡ'ର ହୋଇଗଲା... ପ୍ରଥମରୁ ଅଷ୍ଟମ ଶ୍ରେଣୀ ବହିରେ ସାଙ୍ଘାତିକ ତ୍ରୁଟି
ଭୁବନେଶ୍ୱର,୧୬/୦୬; ଜାତୀୟ ଶିକ୍ଷା ନୀତି ୨୦୨୦କୁ ଆଧାର କରି ପ୍ରସ୍ତୁତ ହୋଇଛି ନୂଆ ପାଠ୍ୟକ୍ରମ । ପ୍ରଥମରୁ ଅଷ୍ଟମ ଶ୍ରେଣୀ ପାଠ୍ୟପୁସ୍ତକ ପରିବର୍ତ୍ତନ ହୋଇଛି । ଏପରିକି ସ୍କୁଲରେ ପିଲାଙ୍କୁ ବଣ୍ଟନ ମଧ୍ୟ କରାଗଲାଣି । ହେଲେ ପ୍ରଥମରୁ ଅଷ୍ଟମ ଶ୍ରେଣୀ ଯାଏ ସମସ୍ତ ପାଠ୍ୟପୁସ୍ତକରେ ମାଳମାଳ ଭୁଲ । କେଉଁଠି ବନାନ ଭୁଲ୍ ତ ଆଉ କେଉଁଠି ମହାପୁରୁଷଙ୍କ ନାମ ଭୁଲ୍ । ଏମିତିକି ‘ଓଡ଼ିଶା’ ବିଧାନସଭା ଚିତ୍ର ସ୍ଥାନରେ ‘କର୍ଣ୍ଣାଟକ’ ବିଧାନସଭା ଚିତ୍ରକୁ ସ୍ଥାନିତ କରାଯାଇଛି । ‘ଓଡ଼ିଶା’ର ନିୟମଗିରିକୁ ‘ଝାଡ଼ଖଣ୍ଡ’ର ନିୟମଗିରି, ସୁନନ୍ଦା ପଟ୍ଟନାୟକଙ୍କ ନାମକୁ ସନନ୍ଦା ପଟ୍ଟନାୟକ ବୋଲି ଉଲ୍ଲେଖ କରିଛନ୍ତି । ‘ନୀଳକଣ୍ଠ ଦାସ’ଙ୍କ ନାମକୁ ‘ନୀଳକଣ୍ଠ ଦାଶ’, ହୀରା ବଦଳରେ ସୁନା ବୋଲି ଲେଖାଯାଇଛି । ଡଙ୍ଗରିଆ ଜନଜାତିଙ୍କୁ ‘ଢୋଙ୍ଗାରିଆ’ ଉଲ୍ଲେଖ ହୋଇଛି । ଏମିତିକି ‘ଗଞ୍ଜାମ’ ଜିଲ୍ଲାକୁ ‘ବ୍ରହ୍ମପୁର’ ଜିଲ୍ଲା କରିଛନ୍ତି । ଏପରି ୧୬୭୮ଟି ଭୁଲ୍ ଚିହ୍ନଟ ହୋଇଛି । ସର୍ବାଧିକ ୭୦୫ଟି ଭୁଲ୍ ଅଷ୍ଟମ ଶ୍ରେଣୀରେ ବହିରେ ରହିଛି । ଏହି ସମସ୍ତ ଭୁଲ୍କୁ ଖୋଦ୍ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ସ୍ୱୀକାର କରିଛି । ଏହାର ସଂଶୋଧନ ପାଇଁ ତାଲିକା ପ୍ରସ୍ତୁତ କରିଛି ।
ଏହା ଅଭିଭାବକ, ଶିକ୍ଷକ, ଛାତ୍ରଛାତ୍ରୀଙ୍କୁ ଚିନ୍ତାରେ ପକାଇଛି । ଜାତୀୟ ଶିକ୍ଷା ନୀତି-୨୦୨୦କୁ ଆଧାର କରି ପାଠ୍ୟକ୍ରମ ପ୍ରସ୍ତୁତ କରାଗଲା । ଏଥିପାଇଁ ଓଡ଼ିଶା ପାଠ୍ୟକ୍ରମ ରୂପରେଖ- ସ୍କୁଲ ଶିକ୍ଷା ୨୦୨୫ ଅନୁଯାୟୀ ସମସ୍ତ ପାଠ୍ୟପୁସ୍ତକ ମଧ୍ୟ ପ୍ରସ୍ତୁତ ହେଲା । ନୂଆ ପାଠ୍ୟପୁସ୍ତକ ଅନୁଯାୟୀ ପିଲାମାନେ ୨୦୨୬-୨୭ ଶିକ୍ଷାବର୍ଷରେ ପଢ଼ିବେ ବୋଲି ମଧ୍ୟ ନିଷ୍ପତ୍ତି ହେଲା । ସେହି ଅନୁଯାୟୀ ପ୍ରସ୍ତୁତି ଢେର ଆଗରୁ ଆରମ୍ଭ କଲା ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ । ପାଠ୍ୟପୁସ୍ତକ ପ୍ରସ୍ତୁତ ଦାୟିତ୍ୱ ଶିକ୍ଷକ ଶିକ୍ଷା ନିର୍ଦ୍ଦେଶାଳୟ ଏବଂ ରାଜ୍ୟ ଶିକ୍ଷା ଗବେଷଣା ଓ ପ୍ରଶିକ୍ଷଣ ପରିଷଦ (ଏସ୍ସିଇଆର୍ଟି)କୁ ଦିଆଗଲା । ବହି ପ୍ରସ୍ତୁତରେ ଅଭିଜ୍ଞ ଶିକ୍ଷକ, ଶିକ୍ଷୟିତ୍ରୀଙ୍କୁ ନେଇ କରାଗଲା । ହେଲେ ବହିରେ ଏମିତି ମାଳ ମାଳ ଭୁଲ୍ କିପରି ରହିଲା ବୋଲି ଶିକ୍ଷକ ସଂଘ ମାନେ ପ୍ରଶ୍ନ ଉଠାଇଛନ୍ତି ।
ଏମିତିକି ଘରୋଇ ସ୍କୁଲ ଶିକ୍ଷକ ଓ ଅଳ୍ପ କିଛି ସରକାରୀ ସ୍କୁଲର ଶିକ୍ଷକଙ୍କୁ କାର୍ଯ୍ୟରେ ନିୟୋଜିତ କରାଯାଇଥିବା ନେଇ ମଧ୍ୟ ଅଭିଯୋଗ କରାଯାଇଛି । ସବୁଠୁ ବଡ଼ ପ୍ରଶ୍ନ, ପାଠ୍ୟପୁସ୍ତକ ପ୍ରସ୍ତୁତ ହୋଇ ଛପା ହେବାକୁ ଯିବା ପୂର୍ବରୁ ଏହାର ପ୍ରୁଫ୍ ରିଡିଂ କରାଯାଇନାହିଁ ଲାଗୁଛି । ଏପରିକି ବହି ଛାପିବା ସମୟରେ ଆଗୁଆ କିଛି ବହିକୁ ଆଣି ସମୀକ୍ଷା କରାଯାଇନଥିବା ନେଇ ମଧ୍ୟ ଅଭିଯୋଗ ହୋଇଛି । ଅନ୍ୟପଟେ ପାଠ୍ୟପୁସ୍ତକରେ ଭୁଲ୍ ଥିବା କଥା ଖୋଦ୍ ଏସ୍ସିଇଆର୍ଟି ମାନିଛି ସତ କିନ୍ତୁ ହାଲୁକା ଭାବେ ଏହାକୁ ନେଇ କହିଛି, ୨୦୨୬-୨୭ ଶିକ୍ଷାବର୍ଷ ପାଇଁ ପ୍ରସ୍ତୁତ ହୋଇ ଯାଇଥିବା ବହି କେବଳ ‘ଏକ୍ସପେରିମେଣ୍ଟାଲ୍ ଏଡିସନ୍’ ଭାବେ ଦିଆଯାଇଛି । ଏଥିରେ ସାମାନ୍ୟ ଭୁଲ୍ ସବୁ ରହିଛି । ପ୍ରଶ୍ନ ଉଠୁଛି, ମହାପୁରୁଷଙ୍କ ନାମକୁ ଭୁଲ୍ ଲେଖିବା କ’ଣ ସାମାନ୍ୟ ଭୁଲ୍ । ଗଣିତରେ ସଂଖ୍ୟା ଭୁଲ୍ ଲେଖିବା, ନିୟମଗିରିକୁ ଝାଡ଼ଖଣ୍ଡ ରାଜ୍ୟରେ ଲେଖିବା, ଧାନକୁ ଗହମ ଲେଖିବା, କାଚକୁ କପ୍ ଲେଖିବା, ସମୟକୁ ସମସ୍ତ, ପଞ୍ଚଗଙ୍ଗାକୁ ପଚଗଙ୍ଗା, ୨୫୦୦ ବର୍ଷ ପ୍ରାଚୀନ ଜିନିଷକୁ ୫୦୦ ବର୍ଷର ଲେଖିବା କିପରି ସାମାନ୍ୟ ଭୁଲ୍ ହୋଇପାରେ ।
ଏହା ବି ପଢନ୍ତୁ...Panchayat Funding : ବଡ଼ କ୍ଷତି ସହିବ ଓଡ଼ିଶା, ଚଳିତ ଆର୍ଥିକ ବର୍ଷରେ ମିଳିବ ୭୨୧ କୋଟି, ନୂଆ ଫର୍ମୁଲାରେ ହରାଇବ ୫୨୯ କୋଟି
ଖାଲି ସେତିକି ନୁହେଁ ହିମାଚଳୀ ଭାଷାକୁ ହିମାଚଳ ଭାଷା, ଆମ୍ବକୁ ଆମ, ଆନ୍ଧ୍ରପ୍ରଦେଶକୁ ଆନ୍ଦ୍ରପ୍ରଦେଶ, ସଦେଇବେରେଣୀକୁ ସଜେଇବେରେଣୀ, ବିଜୟକୁ ବିଷୟ, ଯତ୍ନକୁ ଯନ୍ତ୍ର, ତାପମାତ୍ରାକୁ ଚାପମାତ୍ରା, ପୂର୍ବତନକୁ ପୁର୍ନତନ, ୩୦୦ ଶବ୍ଦକୁ ୩୦୦୦ ଶବ୍ଦ, ଶିଖ୍କୁ ଶିଆ, ମୋଗଲକୁ ପୋଗଲ୍, ଡିମ୍ବକୋଷକୁ ଅଡିମ୍ବକୋଷ, ପେନ୍ସିଲ୍କୁ ପେନିଲ୍, ବଗକୁ ବାଗ, ଖୁଦୁରୀକୁଣୀ ଓଷାକୁ ଖୁଦରକୁଣୀ ଏମିତି କେତେ ଭୁଲ୍ ଉଲ୍ଲେଖ କରିଛନ୍ତି । ମିଳିଥିବା ସୂଚନା ଅନୁଯାୟୀ, ସର୍ବାଧିକ ଭୁଲ୍ ଅଷ୍ଟମ ଶ୍ରେଣୀର ବହିରେ ହୋଇଛି । ୭୦୫ଟି ଭୁଲ୍ ଥିବା ଚିହ୍ନଟ କରାଯାଇଛି । ଏଥିରୁ ଜିଜ୍ଞାସା ବିଷୟରେ ୨୯୪, ସଂସ୍କୃତରେ ୧୧୪, ସାମାଜିକ ବିଜ୍ଞାନରେ ୨୫, ସାହିତ୍ୟରେ ୩୧, ଇଂରାଜୀରେ ୧୨, ଗଣିତରେ ୧୨ ଭୁଲ୍ ରହିଛି ।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ PRAMEYA - ପ୍ରମେୟ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।