Mahabharata Story : ସୁନ୍ଦରୀ କନ୍ୟାଙ୍କୁ ଦେଖି ମୋହିତ ହେଲେ ଦୁଇ ଋଷି! ନାରଦଙ୍କୁ ଅଭିଶାପ ଦେଲେ ପର୍ବତ ମୁନି!
ଅଭିମନ୍ୟୁଙ୍କ ମୃତ୍ୟୁକୁ ଯୁଧିଷ୍ଠିର ସହଜରେ ଗ୍ରହଣ କରିପାରୁନଥିଲେ ।
ଶୋକରୁ ବାହାରିବା ପାଇଁ ବ୍ୟାସ ଦେବଙ୍କ କଥା ସେ ଶୁଣୁଥିଲେ କିନ୍ତୁ ତଥାପି ମନ ବୁଝୁନଥିଲା ।
ତାଙ୍କ ଆଗରେ ଜନ୍ମ ନେଇ ବଡ଼ ହୋଇଥିବା ବାଳକ ଅଭିମନ୍ୟୁ ଯେ ଆଉ ଇହଧାମରେ ନାହିଁ ଏହି ସତକଥାକୁ ସେ ଗ୍ରହଣ କରିପାରୁନଥିଲେ ।
Advertisment ଯୁଧିଷ୍ଠିରଙ୍କ ମନର ସ୍ଥିତିକୁ ବୁଝିପାରି ବ୍ୟାସଦେବ ପୁଣି ଏକ ଘଟଣା କହିବାକୁ ଆରମ୍ଭ କରି କହିଲେ, 'ହେ ଧର୍ମରାଜ!
ମୃତ୍ୟୁ ଏ ସଂସାରରେ କିଛି ନୂଆ କଥା ନୁହେଁ ।
ପୁତ୍ର ଶୋକ ପ୍ରଥମଥର ପାଇଁ କେବଳ ତୁମ ଜୀବନରେ ଆସିନାହିଁ ।
ତୁମ ଆଗରୁ ଅନେକ ରାଜା ମହାରାଜା, ମୁନି ଋଷି ଓ ସାଧାରଣ ମଣିଷ ସେ ସତ୍ୟକୁ ସାମ୍ନା କରିଛନ୍ତି ।
ତୁମକୁ ଗୋଟେ ପୁରୁଣା କଥା କହୁଛି ଶୁଣ ।
ଶ୍ୱିତ୍ୟ ରାଜାଙ୍କ ପରେ ତାଙ୍କ ପୁଅ ସୃଞ୍ଜୟ ଦେଶର ରାଜା ହେଇଥାନ୍ତି ।
ରାଜା ସୃଞ୍ଜୟଙ୍କର ନାରଦ ଓ ପର୍ବତ ଋଷିଙ୍କ ସହ ବହୁତ ଭଲ ବନ୍ଧୁତା ଥାଏ ।
ଥରେ ଦୁଇ ଋଷି ରାଜା ସୃଞ୍ଜୟଙ୍କ ଦରବାରକୁ ବୁଲିବାକୁ ଆସିଥାନ୍ତି ।
ରାଜା ସୃଞ୍ଜୟ ଦୁଇ ଋଷିଙ୍କୁ ଯଥାରୀତି ସମ୍ମାନ ଜଣାଇ ପାଛୋଟି ନେଲେ ଓ ଆଦର ଅଭ୍ୟର୍ଥନା କଲେ ।
ରାଜାଙ୍କ ଅନୁରୋଧରେ ଦୁଇ ଋଷି କିଛି ଦିନ ସୃଞ୍ଜୟଙ୍କ ପ୍ରାସାଦରେ ଅଟକିବାକୁ ନିଷ୍ପତ୍ତି ନେଲେ ।
Advertisment ଦିନେ ନାରଦ, ପର୍ବତ ଓ ସୃଞ୍ଜୟ ବସି କଥା ହେଉଥାନ୍ତି।
ସେତିକିବେଳେ ଜଣେ ଅତ୍ୟନ୍ତ ସୁନ୍ଦରୀ ଯୁବତୀ ଆସି ସମସ୍ତଙ୍କୁ ନମସ୍କାର କରି ପାଖରେ ଛିଡ଼ା ହେଲେ ।
ଋଷି ପର୍ବତ ସେ ଝିଅକୁ ଭଲରେ ନିରୀକ୍ଷଣ କରି ରାଜାଙ୍କୁ ପଚାରିଲେ, 'ହେ ରାଜା, ସୁଲକ୍ଷଣ ଥିବା ଏ ଯୁବତୀ ଜଣକ କିଏ?
ଏହା ପାଖରେ ତ ସୂର୍ଯ୍ୟଙ୍କର ଆଭା ଆଉ ଚନ୍ଦ୍ରଙ୍କର କାନ୍ତି ରହିଛି ।
କିଏ ଏହି ଦେବ କନ୍ୟା?' ପର୍ବତ ଋଷିଙ୍କ ପ୍ରଶ୍ନ ଶୁଣି ରାଜା ସୃଞ୍ଜୟ କହିଲେ, 'ହେ ଋଷିବର!
ଏ ସର୍ବଗୁଣ ସମ୍ପନ୍ନା ଯୁବତୀ ଜଣକ ମୋର ଝିଅ।' ସୃଞ୍ଜୟଙ୍କ କଥା ଶେଷ ହେଉ ହେଉ ନାରଦ ସଙ୍ଗେ ସଙ୍ଗେ କହିଲେ, 'ହେ ରାଜା !
ତୁମର କିଛି ଆପତ୍ତି ଯଦି ନଥାଏ, ତେବେ ମୁଁ ତୁମର ଏ ସୁନ୍ଦରୀ ସୁଲକ୍ଷଣା କନ୍ୟାକୁ ବିବାହ କରିବାକୁ ଚାହୁଁଛି ।
ମୋତେ ତୁମର ଏହି କନ୍ୟାକୁ ଦାନ କର ।' ନାରଦଙ୍କ ପ୍ରସ୍ତାବରେ ରାଜା ସୃଞ୍ଜୟ ସଙ୍ଗେ ସଙ୍ଗେ ରାଜି ହେଇଗଲେ ।
ନାରଦଙ୍କ ପରି ଜ୍ୱାଇଁ ପାଇବା ଭାଗ୍ୟର କଥା ।
କିନ୍ତୁ ଏଇଠି କଥା ବିଗିଡ଼ି ଗଲା ।
ନାରଦଙ୍କ ପ୍ରସ୍ତାବ ଓ ରାଜାଙ୍କ ରାଜି ହେବା ଭିତରେ ପର୍ବତ ଋଷି ଭୀଷଣ ଭାବରେ ରାଗି ଗଲେ ।
କଥା ହେଲା ପ୍ରକୃତରେ ପର୍ବତ ଋଷି ଚାହୁଁଥିଲେ ସୃଞ୍ଜୟଙ୍କ ସେ ସୁନ୍ଦରୀ କନ୍ୟାକୁ ବିବାହ କରିଥାନ୍ତେ ।
ପର୍ବତ ରାଗିକରି ନାରଦଙ୍କୁ କହିଲେ, 'ହେ ଋଷିବର, ମୁଁ ଯେଉଁ କନ୍ୟାକୁ ଭାର୍ଯ୍ୟା ଭାବରେ ବରଣ କରିସାରିଥିଲି ତୁମେ ତାକୁ ବରଣ କରିଲ ।
ସେଥିପାଇଁ ମୁଁ ତୁମକୁ ଅଭିଶାପ ଦେଉଛି ଯେ ତୁମେ ଏବେ ଆଉ ତୁମ ଇଚ୍ଛା ଅନୁସାରେ ସ୍ୱର୍ଗକୁ ଫେରିପାରିବନି ।' ପର୍ବତ ଋଷିଙ୍କ ଅଭିଶାପ ଶୁଣି ନାରଦ କହିଲେ, 'ହେ ଋଷିବର!
କେବଳ କଥାରେ କଥାରେ ମନ ଭିତରେ ଭାବିଦେଲେ କ'ଣ ବିବାହ ହୋଇଯାଏ କି?
ସେଥିପାଇଁ ଅନେକ ପ୍ରକାରର ବିବାହ କର୍ମ, ବିଧି ଓ ବିଧାନ ରହିଛି ।
ସେଥିପାଇଁ ଉପଯୁକ୍ତ ମନ୍ତ୍ର ମଧ୍ୟ ଉଚ୍ଚାରଣ ହୁଏ ।
ସବୁ ପରେ ବର କନ୍ୟା ସାଙ୍ଗ ହୋଇ ସାତ ପାଦ ଚାଲିବାର ବିଧି ମଧ୍ୟ ରହିଛି ।
ତୁମର ଏହି କନ୍ୟା ସହିତ ବିବାହର କିଛି ବିଧି ବିଧାନ ସମ୍ପନ୍ନ ହୋଇନାହିଁ ।
ତୁମେ ମୋତେ ଅକାରଣରେ ରାଗିକରି ହିତାହତ ଜ୍ଞାନ ଭୁଲି ଅଭିଶାପ ଦେଇଦେଲ ।
ଏବେ ମୁଁ ମଧ୍ୟ ତୁମକୁ ଅଭିଶାପ ଦେଉଛି ଯେ ମୁଁ ସ୍ୱର୍ଗକୁ ନଯିବା ପର୍ଯ୍ୟନ୍ତ ତୁମେ ବି ସ୍ୱର୍ଗକୁ ଫେରି ପାରିବନି ।' ଏମିତି ଦୁଇ ଋଷି ପରସ୍ପରକୁ ଅଭିଶାପ ଦେଇ ସୃଞ୍ଜୟଙ୍କ ଘରେ ରହିଲେ ।
କେହି ଆଉ ସ୍ୱର୍ଗକୁ ଫେରି ପାରିଲେନି ।
ରାଜା ସୃଞ୍ଜୟଙ୍କର କୌଣସି ପୁଅ ନଥିଲେ ।
ଦିନେ ବ୍ରାହ୍ମଣମାନେ ଦେବର୍ଷି ନାରଦଙ୍କୁ କହିଲେ ରାଜାଙ୍କର ପୁଅଟିଏ ପାଇଁ କିଛି ବ୍ୟବସ୍ଥା କରନ୍ତୁ ।
ନାରଦ ସୃଞ୍ଜୟଙ୍କୁ ପଚାରିଲେ, 'ହେ ରାଜା!
ତୁମେ କେମତିକା ପୁଅ ଚାହୁଁଛ କୁହ ।' ସୃଞ୍ଜୟ କହିଲେ ଜଣେ ଗୁଣବାନ, ତେଜସ୍ୱୀ, ଯଶସ୍ୱୀ ଓ କୀର୍ତ୍ତିବାନ ପୁଅଟିଏ ଦରକାର ।
ନାରଦଙ୍କ ଆଶୀର୍ବାଦରେ ରାଜା ସୃଞ୍ଜୟଙ୍କର ଯଥା ସମୟରେ ପୁଅଟିଏ ହେଲା ।
ଏମିତିକା ପୁଅଟିଏ ହେଲା ଯେ ତା' ଦେହରୁ ମଳ ମୁତ୍ର ଝାଳ ଯାହା ବି ବାହାରିଲା ସବୁ ସୁନା ହେଇଗଲା ।
ଏମିତିକା ଅଦ୍ଭୁତ ପୁଅର ନାମ ଦିଆଗଲା 'ସୁବର୍ଣ୍ଣଷ୍ଠୀବି' ।
ସେଇ ପୁଅ ପାଇଁ ରାଜାଙ୍କର ସମ୍ପତ୍ତି ବଢ଼ିବାକୁ ଲାଗିଲା ।
ପୁଅର ଐଶ୍ୱରିକ ଗୁଣରେ କ୍ରମେ ରାଜାଙ୍କର ସବୁକିଛି ସୁନା ହେଇଗଲା ।
ରାଜପ୍ରାସାଦ, ସିଂହାସନ, ପଲଙ୍କ, କବାଟ, ଝରକା, ରଥ, ବାସନ କୁସନ ସବୁକିଛି ସୁନା ହେଇଗଲା ।
ଏ ଖବର ଆଉ ବେଶିଦିନ କେବଳ ରାଜପ୍ରାସାଦ ଭିତରେ ଲୁଚି ରହିଲାନି ।
ଏକଥା ବଣରେ ରହୁଥିବା ଦସ୍ୟୁମାନଙ୍କ ପାଖରେ ବି ପହଞ୍ଚିଲା ।
ଦସ୍ୟୁମାନେ ଚିନ୍ତାକଲେ ରାଜାଙ୍କ ପାଖରେ ଏତେ ସୁନା ଯେ ତା'ର ଆଉ ହିସାବ ନାହିଁ ।
ଚାଲ ସେଇ ସୁନାରୁ କିଛି ଚୋରି କରି ଆଣିବା ।
କେହି ଦସ୍ୟୁ କହିଲେ କିଛି ସୁନା ଆଣିବା ଦରକାର ନାହିଁ ।
ଚାଲ ସିଧା ସେ ରାଜକୁମାରକୁ ଚୋରେଇ ଆଣିବା ।
ସେ ହିଁ ଏତେ ସୁନାର କାରଣ ।
ତାକୁ ଧରି ଆଣିଲେ ଆମର ଆଉ କିଛି ଅଭାବ ରହିବନି ।
ଶେଷରେ ଦସ୍ୟୁମାନେ ସେଇଆ ହିଁ କଲେ ।
ଦିନେ ସୁବିଧା ସୁଯୋଗ ଦେଖି ରାଜପ୍ରାସାଦ ଭିତରେ ପଶି ବଳପୂର୍ବକ ରାଜକୁମାର ସୁବର୍ଣ୍ଣଷ୍ଠୀବୀକୁ ହରଣ କରି ଜଙ୍ଗଲକୁ ପଳେଇଲେ ।
କିନ୍ତୁ ରାଜକୁମାର କେମିତି ସୁନା କରୁଛନ୍ତି ସେ ବିଷୟରେ ସେମାନଙ୍କର କୌଣସି ଧାରଣା ନଥିଲା ।
ତେଣୁ ରାଜକୁମାରଙ୍କ ଭିତରେ ସୁନା ଅଛି ବୋଲି ଧାରଣା କରି ରାଜକୁମାରଙ୍କୁ ସେଇ ଜଙ୍ଗଲ ଭିତରେ ଟିକି ଟିକି କରି କାଟି ଦେଇ ସୁନା ଖୋଜିଲେ ।
ଏମିତି ସେ ରାଜକୁମାରଙ୍କର ଜୀବନର ଅନ୍ତ ବଡ଼ ଅସହାୟ ଅବସ୍ଥାରେ ହେଲା ।
ଦସ୍ୟୁମାନେ ସେମାନଙ୍କ ଯୋଜନା ସୁଫଳ ନହେବାରୁ ସେମାନେ ପରସ୍ପରଙ୍କୁ ଦୋଷାରୋପ କରି ମରାମରି ହେଇ ମରି ନର୍କଗାମୀ ହେଲେ ।
ଦୌବୀକୃପାରୁ ଜନ୍ମ ହୋଇଥିବା ପୁଅର ଏପରି ଭାବରେ ଅସହାୟ ମରଣରେ ରାଜା ବି ଦୁଃଖରେ ମ୍ରିୟମାଣ ହେଇ ବିଳାପ କରିବାକୁ ଲାଗିଲେ ।
ରାଜାଙ୍କ ଦୁଃଖ ଦେଖି ନାରଦ ତାଙ୍କ ପାଖକୁ ଆସି ବୁଝାଇ ରାଜା ସୃଞ୍ଜୟଙ୍କୁ ଅତୀତର ଅନେକ ରାଜାଙ୍କ ପୁତ୍ର ଶୋକ ବିଷୟରେ କାହାଣୀସବୁ କହିବାକୁ ଲାଗିଲେ ।
ନାରଦ ଅବିକ୍ଷିତଙ୍କ ପୁଅ ମରୁତ ରାଜା, ସୁହୋତ୍ର ରାଜା, ରାଜା ପୌରବ, ଉଶୀନରଙ୍କ ପୁଅ ଶିବି ରାଜା, ଦଶରଥଙ୍କ ପୁଅ ରାମଚନ୍ଦ୍ର, ଗଙ୍ଗାଙ୍କୁ ମର୍ତ୍ତ୍ୟକୁ ଆଣିଥିବା ଭଗୀରଥ, ରାଜା ଦିଲ୍ଲୀପ, ରାଜା ମାନ୍ଧାତା, ନହୁଷଙ୍କ ପୁଅ ରାଜା ଯଯାତି, ଦୁଷ୍ୟନ୍ତଙ୍କ ପୁଅ ଭରତ, ବେଣ ରାଜାଙ୍କ ପୁଅ ପୃଥୁ ଆଦିଙ୍କ ଗପ କହିଲେ ।
କହିଲେ ଏ ସମସ୍ତ ରାଜା ପୂଣ୍ୟବନ୍ତ ଓ ପ୍ରବଳ ପ୍ରତାପୀ ଥିଲେ ।
ତଥାପି କେହି ବି ଜଣେ ମୃତ୍ୟୁ ହାତରୁ ବର୍ତ୍ତି ପାରିନାହାନ୍ତି ।
ସମସ୍ତଙ୍କର ମରଣ ହେଇସାରିଛି ।
ତେଣୁ ପୁତ୍ର ଶୋକରେ ଏପରି ଅଧିର ହୁଅନି ।
ଯେଉଁ ମହାନ ରାଜାଙ୍କର ମୃତ୍ୟୁ ହେଇସାରିଛି ସେମାନେ ସମସ୍ତେ ମହାନ ବାପାମାନଙ୍କର ଜଣେ ଜଣେ ପୁଅ ବି ଥିଲେ ।
ରାଜା ସୃଞ୍ଜୟ କିନ୍ତୁ ନାରଦ ମୁନିଙ୍କ ପାଖରୁ ଏତେ କଥା ଶୁଣିଲା ପରେ ବି କିଛି ନକହି ଚୁପ ହୋଇ ରହିଲେ ।
ରାଜାଙ୍କୁ ମୌନ ହେବା ଦେଖି ନାରଦ ପଚାରିଲେ, 'ହେ ସୃଞ୍ଜୟ !
ତୁମକୁ ମୁଁ ଏତେ କଥା କହିଲି, ତୁମ ଉପରେ ସେ କଥାର କିଛି ପ୍ରଭାବ ପଡ଼ିଲା ନା ନାହିଁ?
ରାଜା ସୃଞ୍ଜୟ ମୌନ ଥିଲେ, କାରଣ ନାରଦମୁନିଙ୍କ କଥାରେ ସେ ଦୁଃଖ ଓ ଶୋକରୁ ମୁକ୍ତ ହୋଇ ସାରିଥିଲେ ।
ନାରଦ ପୁଣି ଥରେ ରାଜାଙ୍କୁ କିଛି ମାଗିବାକୁ କହିବାରୁ ରାଜା ସୃଞ୍ଜୟ କହିଲେ, ଋଷିବର!
ତୁମେ ମୋ ଉପରେ ପ୍ରସନ୍ନ ହୋଇଛ ମାନେ ମୋ ପାଇଁ କିଛି ବି ଆଉ ଦୁର୍ଲଭ ନାହିଁ ।
ତାପରେ ନାରଦ ଦସ୍ୟୁମାନଙ୍କ ହାତରେ ମରିଯାଇଥିବା ରାଜା ସୃଞ୍ଜୟଙ୍କ ପୁଅକୁ ମୃତ୍ୟୁଲୋକରୁ ଫେରାଇ ଆଣିଲେ ।
ବ୍ୟାସଙ୍କ ପାଖରୁ ସୃଞ୍ଜୟଙ୍କ ପୁଅର ପୁର୍ନଜୀବନ କଥା ଶୁଣି ଯୁଧିଷ୍ଠିର ଅଭିମନ୍ୟୁଙ୍କ ଫେରି ଆସିବା ନେଇ ଆଶାବାଦୀ ହେବାରୁ ବ୍ୟାସ କହିଲେ, ନା ମହାରାଜ ତୁମ ପୁତ୍ର ଅଭିମନ୍ୟୁ କିନ୍ତୁ ଆଉ ଫେରିଆସିପାରିବନି।
ସୃଞ୍ଜୟଙ୍କ ପୁଅକୁ ଦସ୍ୟୁମାନେ ଅକାରଣରେ ହତ୍ୟା କରିଥିଲେ ।
ସେ ନରକରେ ଥିଲେ ।
ସେଉଠୁ ତାଙ୍କୁ ନାରଦ ଉଦ୍ଧାର କରି ଆଣିଥିଲେ ।
ଅଭିମନ୍ୟୁ କିନ୍ତୁ ବୀର ଯୋଦ୍ଧା ଥିଲେ ।
ଜଣେ କ୍ଷତ୍ରୀୟ ବୀର ଭାବରେ ଯୁଦ୍ଧ କରି ଶତ୍ରୁଙ୍କ ହାତରେ ସେ ନିହତ ହୋଇଛନ୍ତି ।
ବ୍ରହ୍ମଚର୍ଯ୍ୟ, ପ୍ରଜ୍ଞା, ବେଦ ଅଧ୍ୟୟନ ଓ ଯଜ୍ଞ କଲାପରେ ଯେଉଁ ପୂଣ୍ୟ ବଳରେ ଜଣେ ସ୍ୱର୍ଗକୁ ଯାଏ, ଅଭିମନ୍ୟୁ ସେଇପରି ଧର୍ମବଳରେ ସ୍ୱର୍ଗକୁ ଯାଇଛନ୍ତି ।
ସ୍ୱର୍ଗବାସୀମାନେ ଆଉ ଥରେ ଇହଲୋକକୁ ଆସିବାକୁ ଇଚ୍ଛା କରନ୍ତନି ।
ସ୍ୱର୍ଗଲାଭ କରିଥିବା ବୀରଙ୍କ ପାଇଁ ଶୋକ କରିବା ଅନୁଚିତ ।
ଚିନ୍ତା କଲେ ଶୋକ ବଢ଼େ ।
ଜୀବନ ଓ ମରଣ ବିଷୟରେ ମୁଁ ତୁମକୁ ଅନେକ କଥା କହିସାରିଲିଣି ।
ତେଣୁ ଯଥା ଶୀଘ୍ର ଶୋକ ଛାଡ଼ି ନିଜର ଭବିଷ୍ୟତ କର୍ମପନ୍ଥା ପ୍ରତି ମନୋନିବେଶ କର ।
ଏତିକି କହି ବ୍ୟାସଦେବ ସେଠାରୁ ଉଠି ଚାଲିଗଲେ ।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।
