23 OCTOBER 2026

Welcome!

Unlock your personalized experience.
Sign Up

Low-pressure area today: ଆଜି ଲଘୁଚାପ: ଗଡ଼ୁଛି ସମୟ, ବଢ଼ୁଛି ଦ୍ବନ୍ଦ୍ବ

Oct 23, 2026 - 04:36
Low-pressure area today: ଆଜି ଲଘୁଚାପ: ଗଡ଼ୁଛି ସମୟ, ବଢ଼ୁଛି ଦ୍ବନ୍ଦ୍ବ
ଭୁବନେଶ୍ବର: ଆଣ୍ଡାମାନ ସାଗର ଉପରେ ସକ୍ରିୟ ଘୂର୍ଣ୍ଣିବଳୟ ପଶ୍ଚିମ-ଉତ୍ତରପଶ୍ଚିମ ଦିଗରେ ଗତି କରୁଛି। ଆଜି ସନ୍ଧ୍ୟା ସୁଦ୍ଧା ଏହା ଦକ୍ଷିଣ-ପୂର୍ବ, ପାର୍ଶ୍ୱବର୍ତ୍ତୀ ପୂର୍ବ-କେନ୍ଦ୍ରୀୟ ବଙ୍ଗୋପସାଗର ଏବଂ ସଂଲଗ୍ନ ଆଣ୍ଡାମାନ ଉପରେ ରହିଛି। ପରବର୍ତ୍ତୀ ସମୟରେ ଏହା ପଶ୍ଚିମ-ଉତ୍ତରପଶ୍ଚିମ ଦିଗକୁ ଗତି କରି ଶୁକ୍ରବାର ଦକ୍ଷିଣ-ପୂର୍ବ ଓ ସଂଲଗ୍ନ ପୂର୍ବ-କେନ୍ଦ୍ରୀୟ ବଙ୍ଗୋପସାଗର ଅଞ୍ଚଳରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବ। ଏହି ଲଘୁଚାପ କ୍ଷେତ୍ର ପଶ୍ଚିମ-ଉତ୍ତରପଶ୍ଚିମ ଦିଗକୁ ଗତି କରିବା ସହ ଅଧିକ ଘନୀଭୂତ ହୋଇ ୨୫ ତାରିଖ ସକାଳ ସୁଦ୍ଧା ଅବପାତର ରୂପ ନେଇପାରେ। ଏହା ପରେ ମଧ୍ୟ ଏହାର ତୀବ୍ରତା ବୃଦ୍ଧି ପାଇବାର ସମ୍ଭାବନା ରହିଥିବା ଭାରତୀୟ ପାଣିପାଗ ବିଭାଗ (ଆଇଏମ୍‌ଡି)ର ସମ୍ପ୍ରସାରିତ ପୂର୍ବାନୁମାନରେ ସ୍ପଷ୍ଟ କରାଯାଇଛି। ଆହୁରି କୁହାଯାଇଛି ଯେ ଲଘୁଚାପ ସୃଷ୍ଟି ହେବା ପରେ ୨୩ ତାରିଖ ସନ୍ଧ୍ୟାରୁ ପୂର୍ବ-କେନ୍ଦ୍ରୀୟ ଓ ସଂଲଗ୍ନ ଦକ୍ଷିଣ-ପୂର୍ବ ବଙ୍ଗୋପସାଗରରେ ପବନର ଘଣ୍ଟାପ୍ରତି ବେଗ ୩୫ରୁ ୪୫ କିଲୋମିଟର (କିମି) ରହିବ। ୨୪ ତାରିଖ ସନ୍ଧ୍ୟା ସୁଦ୍ଧା ପବନର ବେଗ ଘଣ୍ଟାପ୍ରତି ୪୫ରୁ ୫୫ କିମି ଓ ଝଟକା ପବନର ବେଗ ୬୫ କିମି ଏବଂ ୨୫ ତାରିଖ ସନ୍ଧ୍ୟା ସୁଦ୍ଧା ପୂର୍ବ-କେନ୍ଦ୍ରୀୟ, ପଶ୍ଚିମ-କେନ୍ଦ୍ରୀୟ ଓ ଦକ୍ଷିଣ-ପୂର୍ବ ବଙ୍ଗୋପସାଗର ଅଞ୍ଚଳରେ ପବନର ବେଗ ଘଣ୍ଟାପ୍ରତି ୫୦ରୁ ୬୦ କିମି ଓ ଝଟକା ପବନର ବେଗ ୭୦ କିମି ରହିପାରେ। ଅକ୍ଟୋବର ୨୬ରୁ ପଶ୍ଚିମ-କେନ୍ଦ୍ରୀୟ ଓ ସଂଲଗ୍ନ ପୂର୍ବ-କେନ୍ଦ୍ରୀୟ ବଙ୍ଗୋପସାଗରରେ ପବନର ବେଗ ଘଣ୍ଟା ପ୍ରତି ୭୦ରୁ ୮୦ କିମି ଓ ଝଟକା ପବନର ବେଗ ୯୦ କିଲୋମିଟର ଛୁଇଁପାରେ। ୨୮ ତାରିଖ ପର୍ଯ୍ୟନ୍ତ ପବନର ତୀବ୍ରତା ବୃଦ୍ଧି ପାଇବାର ଆଶଙ୍କା ରହିଛି। ସମ୍ଭାବ୍ୟ ପାଣିପାଗ ପରିସ୍ଥିତିକୁ ଦୃଷ୍ଟିରେ ରଖି ଅକ୍ଟୋବର ୨୩ ସନ୍ଧ୍ୟାରୁ ୨୫ ତାରିଖ ଯାଏଁ ପୂର୍ବ-କେନ୍ଦ୍ରୀୟ ଓ ସଂଲଗ୍ନ ଦକ୍ଷିଣ-ପୂର୍ବ ବଙ୍ଗୋପସାଗର ଏବଂ ୨୬ରୁ ୨୮ ତାରିଖ ଯାଏଁ ପଶ୍ଚିମ-କେନ୍ଦ୍ରୀୟ ଓ ସଂଲଗ୍ନ ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗରକୁ ନଯିବାକୁ ମତ୍ସ୍ୟଜୀବୀମାନଙ୍କୁ ପରାମର୍ଶ ଦିଆଯାଇଛି।
ଏହି ସମୟରେ ସମୁଦ୍ର ଅଶାନ୍ତରୁ ଅତ୍ୟନ୍ତ ଅଶାନ୍ତ ରହିବା ସହ ୨୬ରୁ ୨୮ ତାରିଖ ମଧ୍ୟରେ ପଶ୍ଚିମ-କେନ୍ଦ୍ରୀୟ ଓ ସଂଲଗ୍ନ ପୂର୍ବ-କେନ୍ଦ୍ରୀୟ ବଙ୍ଗୋପସାଗରରେ ଉଚ୍ଚ ଜୁଆର ଓ ବଡ଼ ଢେଉ ସୃଷ୍ଟି ହେବାର ଆଶଙ୍କା ରହିଛି। ତେଣୁ ୨୩ରୁ ୨୯ ତାରିଖ ମଧ୍ୟରେ ମତ୍ସ୍ୟଜୀବୀଙ୍କ ଗତିବିଧି, ଜାହାଜ ଚଳାଚଳ, ବନ୍ଦର ଓ ସାମୁଦ୍ରିକ ପର୍ଯ୍ୟଟନ ସମ୍ପର୍କିତ କଟକଣା ପରବର୍ତ୍ତୀ ପାଣିପାଗ ସତର୍କ ସୂଚନା ଆଧାରରେ ନିର୍ଦ୍ଧାରଣ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ସିଷ୍ଟମ୍ କେଉଁ ରୂପରେ ଉପକୂଳକୁ ଆସିବ ଏବଂ କେଉଁଠି ସ୍ଥଳଭାଗ ଛୁଇଁବ ତାହାକୁ ନେଇ ଏବେ ବି ସ୍ପଷ୍ଟତା ଆସି ପାରିନାହିଁ। ତେବେ ୨୬ ତାରିଖଠାରୁ ଓଡ଼ିଶା ଉପକୂଳରେ ପାଗ ବଦଳିବ। ବାଲେଶ୍ବର, ପୁରୀ, ଖୋର୍ଦ୍ଧା, ଗଞ୍ଜାମ, ନୟାଗଡ଼, ଗଜପତି, ମାଲକାନଗିରି, କୋରାପୁଟ, ରାୟଗଡ଼ା, ନବରଙ୍ଗପୁର, ମୟୂରଭଞ୍ଜ, କେନ୍ଦୁଝର ଜିଲ୍ଲାରେ ପ୍ରବଳ ବର୍ଷା ସହ ଘଣ୍ଟାପ୍ରତି ୫୦ରୁ ୬୦ କିମି ବେଗରେ ପବନ ହେବାର ସମ୍ଭାବନା ରହିଥିବାରୁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି।
ପାଣିପାଗ ବିଶେଷଜ୍ଞ ପ୍ରଫେସର ସୁରେନ୍ଦ୍ରନାଥ ପଶୁପାଳକଙ୍କ ଆକଳନ ଅନୁଯାୟୀ ୨୫ ତାରିଖରେ ଅବପାତ ଓ ୨୬ରେ ଗଭୀର ଅବପାତରେ ପରିଣତ ହୋଇପାରେ। ବାତ୍ୟା ପାଇଁ ଏବେ ପାଗ ସମ୍ପୂର୍ଣ୍ଣ ଅନୁକୂଳ ରହିଛି। ଗଭୀର ଅବପାତ ଅଧିକ ଘନୀଭୂତ ହୋଇ ବାତ୍ୟା ରୂପ ନେବାକୁ ସବୁଠାରୁ ଗୁରୁତ୍ବପୂର୍ଣ୍ଣ ଉପାଦାନ ହେଉଛି ଉର୍ଦ୍ଧ୍ବଗାମୀ ବାୟୁର ଘର୍ଷଣ ଶକ୍ତି। ତେଣୁ ମଡେଲ୍‌ଗୁଡ଼ିକ ଭିନ୍ନ ଭିନ୍ନ ଆକଳନ କରିଛନ୍ତି। ତେବେ ୟୁରୋପିଆନ୍‌ ମଡେଲ୍‌ କହୁଛି ଯେ ୨୮ ଓ ୨୯ ତାରିଖ ବେଳକୁ ଘର୍ଷଣ ଶକ୍ତି ୨୦ ନଟ୍‌ (କେଟି)ରୁ କମ୍‌ ରହିବ, ଯାହାକି ବାତ୍ୟା ରୂପ ନେବାରେ ସହାୟକ ହେବ। ଅନ୍ୟ ସମସ୍ତ ମଡେଲ୍‌ରୁ ଜଣାପଡ଼ୁଛି ଉତ୍ତର-ଉତ୍ତରପଶ୍ଚିମ ବାୟୁ ବଙ୍ଗୋପସାଗରକୁ ଆସି ଅବପାତର କେନ୍ଦ୍ରକୁ ଆସିବା ଫଳରେ ଏହା ଗଭୀର ଅବପାତରୁ ଅଧିକ ଘନୀଭୂତ ହେବାକୁ ଦେବ ନାହିଁ। ତେବେ ସମସ୍ତ ମଡେଲ୍‌ରୁ ଜଣାପଡ଼ୁଛି ଯେ ଏସ୍‌ଟିଆର (ସଫ୍ଟ ଟପିକାଲ ରିଜ୍‌) ୨୦ ଡିଗ୍ରି ଉତ୍ତରରେ କାନ୍ଥ ଭଳି ରହିବ, ଯାହାକି ସିଷ୍ଟମ୍‌କୁ ଆଗକୁ ଯିବାକୁ ଦେବ ନାହିଁ। ଏହା ଦକ୍ଷିଣ ଓଡ଼ିଶା ଉପକୂଳ କିମ୍ବା ସଂଲଗ୍ନ ଉତ୍ତର ଆନ୍ଧ୍ର ଉପକୂଳରେ ସ୍ଥଳଭାଗ ଛୁଇଁବ। ସମ୍ଭାବ୍ୟ ଗତିପଥ ବିଶାଖାପାଟଣାରୁ ପାରାଦୀପ ମଧ୍ୟରେ ରହିପାରେ।  
ଆଇଏମ୍‌ଡି ତଥ୍ୟ ଅନୁଯାୟୀ, ୧୯୮୫ରୁ ୨୦୧୨ ମଧ୍ୟରେ ମୌସୁମୀ ପରବର୍ତ୍ତୀ ଋତୁରେ ବଙ୍ଗୋପସାଗରରେ ସୃଷ୍ଟି ହେଉଥିବା ବାତ୍ୟାଗୁଡ଼ିକର ଗତିପଥକୁ ବିଶ୍ଳେଷଣ କଲେ ଜଣାପଡ଼େ ଯେ ଲା-ନିନା ବର୍ଷଗୁଡ଼ିକରେ ଅକ୍ଟୋବର ମାସରେ ସୃଷ୍ଟି ବାତ୍ୟା ସାଧାରଣତଃ ଓଡ଼ିଶା ଓ ପଶ୍ଚିମବଙ୍ଗମୁହାଁ ହୋଇଥାଏ। ତେବେ ଏଲ୍‌-ନିନୋ ବର୍ଷଗୁଡ଼ିକରେ ଅକ୍ଟୋବର ମାସରେ ଏହା ସାଧାରଣତଃ ଆନ୍ଧ୍ରପ୍ରଦେଶ କିମ୍ୱା ତାମିଲନାଡୁମୁହାଁ ହୁଏ। ନଭେମ୍ବର ମାସରେ ଲା-ନିନା ବର୍ଷଗୁଡ଼ିକରେ ଏହା ପୂର୍ବ ଉପକୂଳର କେଉଁ ବି ଅଞ୍ଚଳମୁହାଁ ହେବାର ନଜିର ରହିଛି। ଡିସେମ୍ବର ମାସରେ କେବେ ବି ଓଡ଼ିଶାମୁହାଁ ହୁଏ ନାହିଁ।
ସେପଟେ ସମ୍ଭାବ୍ୟ ସିଷ୍ଟମ୍‌କୁ ନେଇ ରାଜ୍ୟ ସରକାର ପ୍ରସ୍ତୁତ ରହିଥିବା ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ କହିଛନ୍ତି। ୟୁରୋପୀୟ ମଡେଲ୍‌ ଆକଳନ ଅନୁଯାୟୀ ଆମେ ପ୍ରସ୍ତୁତ ହେଉଛୁ। ପାଣିପାଗ ବିଭାଗ ସହ ନିରନ୍ତର ଯୋଗାଯୋଗରେ ରହିଛୁ। ଆସନ୍ତାକାଲି ସୁଦ୍ଧା ସ୍ପଷ୍ଟ ସୂଚନା ମିଳିଯିବ। ଓଡ଼ିଶାବାସୀ ବିଚଳିତ ହୁଅନ୍ତୁ ନାହିଁ। ରାଜ୍ୟ ସରକାର ପ୍ରସ୍ତୁତ ରହିଛନ୍ତି ବୋଲି ଶ୍ରୀ ପୂଜାରୀ କହିଛନ୍ତି।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)