Lord Jagannath: ପାରଳାଖେମୁଣ୍ଡିରେ ସ୍ନାନଯାତ୍ରା, ଭକ୍ତଙ୍କ ଅପାର ସମାଗମ
"ପାରଳାଖେମୁଣ୍ଡି (ସୁଜିତ ବିଷୋୟୀ): ଉପାନ୍ତ ଶ୍ରୀକ୍ଷେତ୍ର ପାରଳାଖେମୁଣ୍ଡିସ୍ଥିତ ଶ୍ରୀଜଗନ୍ନାଥ ମନ୍ଦିରରେ ପବିତ୍ର ଦେବସ୍ନାନ ପୂର୍ଣ୍ଣିମା ଅବସରରେ ଚତୁର୍ଦ୍ଧାମୂର୍ତ୍ତିଙ୍କ ଦିବ୍ୟ ସ୍ନାନଯାତ୍ରା ଅତ୍ୟନ୍ତ ଭକ୍ତିମୟ ଓ ଆଧ୍ୟାତ୍ମିକ ପରିବେଶ ମଧ୍ୟରେ ସମ୍ପନ୍ନ ହୋଇଛି।
ପାରମ୍ପରିକ ବିଧିବିଧାନ ଅନୁଯାୟୀ ଆୟୋଜିତ ଏହି ମହାନ ଉତ୍ସବରେ ସହର ତଥା ଆଖପାଖ ଅଞ୍ଚଳରୁ ହଜାର ହଜାର ଶ୍ରଦ୍ଧାଳୁ ଭକ୍ତଙ୍କ ସମାଗମ ଦେଖିବାକୁ ମିଳିଥିଲା।
Advertisment ପୂର୍ବାହ୍ନରେ ମନ୍ଦିରରେ ଚତୁର୍ଦ୍ଧାମୂର୍ତ୍ତିଙ୍କ ନିତ୍ୟ ପୂଜାନୀତି ସମ୍ପନ୍ନ ହେବା ପରେ ସେନାପଟା ଲାଗି ଅନୁଷ୍ଠିତ ହୋଇଥିଲା।
ପରବର୍ତ୍ତୀ ସମୟରେ ଶ୍ରୀବିଗ୍ରହମାନଙ୍କୁ ପାରମ୍ପରିକ ପହଣ୍ଡି ବିଜେରେ ମନ୍ଦିରରୁ ସ୍ନାନମଣ୍ଡପକୁ ଆଣାଯାଇଥିଲା। "ହରିବୋଲ" ଓ "ଜୟ ଜଗନ୍ନାଥ" ଧ୍ୱନିରେ ସମଗ୍ର ପରିବେଶ ମୁଖରିତ ହୋଇଉଠିଥିଲା।
ସ୍ନାନମଣ୍ଡପରେ ପ୍ରଥମେ ବଡ଼ଠାକୁରଙ୍କ ଦକ୍ଷିଣ ଆଳତି ଅନୁଷ୍ଠିତ ହେବା ପରେ ସୁଗନ୍ଧିତ ଚନ୍ଦନ ଜଳରେ ଦେବଦେବୀଙ୍କୁ ସ୍ନାନ କରାଯାଇଥିଲା।
ପରେ ପବିତ୍ର ୧୦୮ଟି ମାଟି କଳସୀର ପଇଡ଼ ଜଳରେ ଚତୁର୍ଦ୍ଧାମୂରତିଙ୍କ ମହାସ୍ନାନ ସମ୍ପନ୍ନ ହୋଇଥିଲା।
ମନ୍ଦିରର ସମସ୍ତ ସେବାୟତଙ୍କ ସହଯୋଗରେ ଏହି ପବିତ୍ର ନୀତି ସୁଚାରୁ ଭାବେ ସମ୍ପାଦିତ ହୋଇଥିଲା।
ସ୍ନାନ ପରେ ଚନ୍ଦନ ଲାଗି, ବସ୍ତ୍ରଲାଗି ଓ ଅନ୍ୟାନ୍ୟ ନୀତି ସମ୍ପନ୍ନ ହେବା ପରେ ମଧ୍ୟାହ୍ନରେ ପୂଜକ ସଞ୍ଜୟ କୁମାର ପାଢୀଙ୍କ ତତ୍ତ୍ୱାବଧାନରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କୁ ଆକର୍ଷଣୀୟ ଗଜାନନ ବେଶରେ ସଜ୍ଜିତ କରାଯାଇଥିଲା।
ବର୍ଷକୁ ମାତ୍ର ଥରେ ହେଉଥିବା ଏହି ଅନନ୍ୟ ବେଶ ଦର୍ଶନ ପାଇଁ ଶ୍ରଦ୍ଧାଳୁଙ୍କ ମଧ୍ୟରେ ଅପାର ଉତ୍ସାହ ଦେଖାଯାଇଥିଲା।
ଦେବସ୍ନାନ ପରେ ପାରମ୍ପରିକ ବିଶ୍ୱାସ ଅନୁସାରେ ମହାପ୍ରଭୁ ଜ୍ୱରାକ୍ରାନ୍ତ ହୁଅନ୍ତି।
ତେଣୁ ଏହାପରେ ଅଣସର ନୀତି ଆରମ୍ଭ ହୋଇଥାଏ।
ଏହି ସମୟରେ ଶ୍ରୀବିଗ୍ରହମାନଙ୍କ ଗୁପ୍ତ ସେବା ଓ ଔଷଧ ସେବା କରାଯାଇଥାଏ।
Debasnana Purnima 2026: ମହାପ୍ରଭୁଙ୍କ ସ୍ନାନଯାତ୍ରା: ଗଜପତି ମହାରାଜାଙ୍କୁ ଭେଟିଲେ ମୁଖ୍ୟମନ୍ତ୍ରୀ, ହାତୀବେଶରେ ଦର୍ଶନ ଦେଲେ ମହାପ୍ରଭୁ ଅଣସର ଶେଷ ହେବା ପରେ ମହାପ୍ରଭୁ ନବଯୌବନ ବେଶରେ ଭକ୍ତଙ୍କୁ ଦର୍ଶନ ଦେଇ ରଥଯାତ୍ରାରେ ରଥାରୂଢ଼ ହୋଇ ଜନ୍ମବେଦୀ ଅଭିମୁଖେ ଯାତ୍ରା କରିବେ।
ଦେବସ୍ନାନ ପୂର୍ଣ୍ଣିମା ଅବସରରେ ଜିଲ୍ଲା ପ୍ରଶାସନର ବରିଷ୍ଠ ଅଧିକାରୀ, ବିଭିନ୍ନ ଜନପ୍ରତିନିଧି, ବିଶିଷ୍ଟ ବ୍ୟକ୍ତିବର୍ଗ ଓ ସହର ସମେତ ଆଖପାଖ ଅଞ୍ଚଳର ଅସଂଖ୍ୟ ଶ୍ରଦ୍ଧାଳୁ ଉପସ୍ଥିତ ରହି ମହାପ୍ରଭୁଙ୍କ ଦିବ୍ୟ ସ୍ନାନଲୀଳା ଓ ଗଜାନନ ବେଶ ଦର୍ଶନ କରି ନିଜକୁ ଧନ୍ୟ ମନେ କରିଥିଲେ।
ମନ୍ଦିର ପରିସର ସାରାଦିନ ଭକ୍ତି, ଶ୍ରଦ୍ଧା ଓ ଆଧ୍ୟାତ୍ମିକତାର ଏକ ଅପୂର୍ବ ପରିବେଶରେ ମୁଖରିତ ହୋଇଉଠିଥିଲା।
"