Bhubaneswar murder ରାଜଧାନୀରେ ପୁଣି ପୁଲିସକୁ ଅପରାଧୀଙ୍କ ଚାଲେଞ୍ଜ: ବାପା, ଭଉଣୀ ଆଗରେ ଯୁବକଙ୍କୁ ଛୁରୀଭୁସି ମାରିଦେଲେ

Jun 29, 2026 - 20:43
Bhubaneswar murder ରାଜଧାନୀରେ ପୁଣି ପୁଲିସକୁ ଅପରାଧୀଙ୍କ ଚାଲେଞ୍ଜ: ବାପା, ଭଉଣୀ ଆଗରେ ଯୁବକଙ୍କୁ ଛୁରୀଭୁସି ମାରିଦେଲେ

"ଭୁବନେଶ୍ବର:  ରବିବାର ବିଳମ୍ବିତ ରାତିରେ ଖଣ୍ଡଗିରି ଥାନା ଅନ୍ତର୍ଗତ କୋଳଥିଆରେ ଏକ ଲୋମଟାଙ୍କୁରା ହତ୍ୟାକାଣ୍ଡ ଘଟିଛି।

ଦୁଇଜଣ ମୁଖାପିନ୍ଧା ଦୁର୍ବୃତ୍ତ ଯୁକ୍ତ ତିନି କଳା ଦ୍ବିତୀୟ ବର୍ଷର ଜଣେ ଛାତ୍ରଙ୍କୁ ତାଙ୍କ ବାପା ଓ ଭଉଣୀଙ୍କ ଆଖି ଆଗରେ ଲୁହାଛଡ଼ରେ ପିଟି ଲହୁଲୁହାଣ କରିବା ସହ ଛୁରୀ ଭୁସି ବୀଭତ୍ସ ଭାବେ ହତ୍ୟା କରିଛନ୍ତି।

ମୃତକ ହେଲେ ଗଞ୍ଜାମ ସୋରଡ଼ା ଅଞ୍ଚଳର ହିମାଂଶୁ ପାଢ଼ୀଙ୍କ ପୁଅ କୃଷ୍ଣ ପାଢ଼ୀ(୨୦)।

କୃଷ୍ଣଙ୍କୁ ବଞ୍ଚାଇବାକୁ ଯାଇ ବାପା ହିମାଂଶୁ ଓ ଭଉଣୀ ତାପସୀ ଦୁର୍ବୃତ୍ତମାନଙ୍କ ଆକ୍ରମଣର ଶିକାର ହୋଇଥିଲେ ଏବଂ ସେମାନେ ଏବେ ଗୁରୁତର ଅବସ୍ଥାରେ ଏମ୍ସରେ ଭର୍ତ୍ତି ହୋଇଛନ୍ତି।

ବାପା ହିମାଂଶୁଙ୍କ ଅବସ୍ଥା ସଂକଟାପନ୍ନ ରହିଛି।

Advertisment ଭୁବନେଶ୍ବର ଡିସିପି ଜଗମୋହନ ମୀନା, ଏସିପି ପ୍ରଶାନ୍ତ କୁମାର ସାହୁ ଓ ଖଣ୍ଡଗିରି ଥାନା ଆଇଆଇସି ଅଭିମନ୍ୟୁ ଦାସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି।

ଘଟଣାସ୍ଥଳରୁ ପୁଲିସ ରକ୍ତଭିଜା ଲୁହାଛଡ଼ ଜବତ କରାଯାଇଛି।

ସାଇଣ୍ଟିଫିକ୍‌ ଟିମ୍‌ ପହଞ୍ଚି ଘଟଣାସ୍ଥଳରୁ ବିଭିନ୍ନ ନମୁନା ସଂଗ୍ରହ କରିଛି।

ହତ୍ୟାକାଣ୍ଡର କାରଣ ସ୍ପଷ୍ଟ ହୋଇପାରିନାହିଁ।

ପୁଲିସ ସବୁ ଦିଗକୁ ନେଇ ତଦନ୍ତ ଚଳାଇଛି।

ତାପସୀଙ୍କ ବୟାନ ଅନୁସାରେ, ଗତକାଲି ରାତି ପ୍ରାୟ ସାଢ଼େ ୧ଟା ସମୟରେ କେହିଜଣେ ଘରର କବାଟ ବାଡ଼େଇବାରୁ କୃଷ୍ଣ ନିଦରୁ ଉଠି କବାଟ ଖୋଲିଥିଲା।

ହଠାତ୍‌ କୃଷ୍ଣର ଚିତ୍କାର ଶୁଣି ହିମାଂଶୁ ଓ ସେ ଉଠି ଆସିଥିଲେ।

ସେତେବେଳକୁ ୨ଜଣ ମୁଖାପିନ୍ଧା ଦୁର୍ବୃତ୍ତ କୃଷ୍ଣଙ୍କୁ ରଡ୍‌ରେ ପିଟିପିଟି ତଳେ ପକାଇଦେଇଥିଲେ।

କୃଷ୍ଣକୁ ବଞ୍ଚାଇବା ହିମାଂଶୁ ଓ ତାପସୀ ଦୁଇ ଦୁର୍ବୃତ୍ତକୁ ପ୍ରତିରୋଧ କରିବାକୁ ଚେଷ୍ଟା କରିଥିଲେ।

ଏତିକିବେଳେ ଜଣେ ଦୁର୍ବୃତ୍ତ ହିମାଂଶୁଙ୍କ ମୁଣ୍ଡକୁ ରଡ୍‌ରେ ପିଟି ଦେଇଥିଲା।

ସେ ମଧ୍ୟ ତଳେ ପଡ଼ିଯାଇଥିଲେ।

ଏହାପରେ ତାପସୀଙ୍କୁ ମଧ୍ୟ ଲୁହାଛଡ଼ରେ ପିଟି ପକାଇଥିଲେ।

ବାପା ଓ ଭାଇ ତଳେ ପଡ଼ି ଛଟପଟ ହେଉଥିବା ବେଳେ ତାପସୀ ଚିତ୍କାର କରିଥିଲେ।

ହଠାତ୍‌ ଜଣେ ଦୁର୍ବୃତ୍ତ ଛୁରି ବାହାର କରି କୃଷ୍ଣଙ୍କ ପେଟ ଓ ଛାତିକୁ ଭୁସି ଦେଇଥିଲେ।

ଏହାପରେ ସେମାନେ ପାଚେରି ଡେଇଁ ପଳାଇଥିଲେ।

ତାପସୀଙ୍କ ପାଟି ଶୁଣି ପାଖ ଲୋକମାନେ ଧାଇଁ ଆସିଥିଲେ ଏବଂ ଘଟଣା ଦେଖିବା ପରେ ପୁଲିସକୁ ଜଣାଇଥିଲେ।

ପୁଲିସ ବାପା, ପୁଅ ଓ ଝିଅଙ୍କୁ ତୁରନ୍ତ ଏମ୍‌ସକୁ ପଠାଇଥିଲା।

ସେଠାରେ ଡାକ୍ତର କୃଷ୍ଣଙ୍କୁ ମୃତ ଘୋଷଣା କରିଥିଲେ।

ହତ୍ୟା କାରଣର ଖିଅ ଖୋଜୁଛି ପୁଲିସ ହିମାଂଶୁ ରହୁଥିବା ପ୍ଲଟ୍‌ଟି ତାଙ୍କ ସମ୍ପର୍କୀୟ ଭିଣୋଇ ଲକ୍ଷ୍ମୀନାରାୟଣ ପଣ୍ଡାଙ୍କର।

ହିମାଂଶୁ ବହୁ ବର୍ଷ ହେଲା ସେହି ପ୍ଲଟ୍‌ରେ ଏକ ଟିଣ ଛପର ଆଜ୍‌ବେଷ୍ଟସ୍‌ ଘରେ ରହୁଥିଲେ ଏବଂ ପ୍ଲଟ୍‌ର କେୟାର୍‌ଟେକର ଭାବେ ଥିଲେ।

ଏହାବାଦ୍‌ ସେ ସ୍ଥାନୀୟ ଅଞ୍ଚଳରେ ପୂଜାପାଠ କରି ପରିବାର ଗୁଜାରଣ ମେଣ୍ଟାଉଥିଲେ।

ତେଣୁ ତାଙ୍କର କାହା ସହ ଶତ୍ରୁତା ନଥିଲା ବୋଲି ତାପସୀ ପୁଲିସକୁ କହିଛନ୍ତି।

ଏହି ଦାମୀ ପ୍ଲଟ୍‌କୁ ନେଇ ମଧ୍ୟ କୌଣସି ବିବାଦ ନଥିବା ହିମାଂଶୁଙ୍କ ସମ୍ପର୍କୀୟମାନେ କହିଛନ୍ତି।

ତେଣୁ ରାତି ଅଧରେ ଦୁର୍ବୃତ୍ତମାନେ କଣ ପାଇଁ କୃଷ୍ଣଙ୍କୁ ପ୍ରାଣାନ୍ତକ ଆକ୍ରମଣ କଲେ, ତାହାର କାରଣ ଜାଣିବାକୁ ପୁଲିସ ବିଭିନ୍ନ ଦିଗରୁ ଖିଅ ‌ଖୋଜିବା ଆରମ୍ଭ କରିଛି।

ଜଣେ କଲେଜ ଛାତ୍ର ଉପରେ ଏଭଳି ଭୟଙ୍କର ରାଗର କାରଣ କ"ଣ ହୋଇପାରେ, ତାହା ପ୍ରଶ୍ନବାଚୀ ହୋଇ ରହିଛି।

"