Students Await Results, Admissions Continue: ଆସିନି +2 ରିଚେକିଂ ଓ ରିଆଡିସନ୍ ରେଜଲ୍ଟ; ଆରମ୍ଭ ହୋଇଗଲାଣି +3 ଆଡମିଶନ
ରେଜଲ୍ଟକୁ ଅନାଇ ବସିଛନ୍ତି ଛାତ୍ରଛାତ୍ରୀ, ଆରମ୍ଭ ହୋଇଗଲାଣି ଆଡମିଶନ। ରାଜ୍ୟରେ ଯୁକ୍ତ ୩ ଆଡମିଶନକୁ ନେଇ ପୁଣି ସାମ୍ନାକୁ ଆସିଛି ବିବାଦ। ପ୍ଲସ୍ ଟୁ ଖାତା ରିଚେକିଂ ଏବଂ ରିଆଡିସନ ରେଜଲ୍ଟ ପ୍ରକାଶ ପାଇବାରେ ବିଳମ୍ବ ଯୋଗୁଁ ହଜାର ହଜାର ମେଧାବୀ ଛାତ୍ରଛାତ୍ରୀ ନିଜ ପସନ୍ଦର କଲେଜରେ ନାମ ଲେଖାଇବାରୁ ବଞ୍ଚିତ ହେବା ଆଶଙ୍କା ଦେଖାଦେଇଛି। ଏନେଇ ଛାତ୍ରଛାତ୍ରୀ ଏବଂ ଅଭିଭାବକଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି। ପ୍ରତିବର୍ଷ ପ୍ରଥମ ମେରିଟ୍ ଲିଷ୍ଟରେ ରେଭେନ୍ସା ଓ ବିଜେବି ଭଳି ପ୍ରମୁଖ ବିଶ୍ୱବିଦ୍ୟାଳୟଗୁଡ଼ିକର କଟ୍-ଅଫ୍ ମାର୍କ ଅଧିକ ରହୁଛି। ଆଉ ରିଚେକିଂ ରେଜଲ୍ଟରେ ଲେଟ୍ ଯୋଗୁଁ ଜଏନ୍ କରିବାରୁ ବାଦ୍ ପଡୁଛନ୍ତି ପିଲା।
ଯୁକ୍ତ ୨ ରେଜଲ୍ଟ ବାହାରିଲା, ମୂଲ୍ୟାୟନ ପ୍ରକ୍ରିୟା ଓ ମାର୍କରେ ସନ୍ତୁଷ୍ଟ ନହୋଇ ପିଲା ରିଚେକିଂ ପାଇଁ ଆବେଦନ ବି କଲେ। ହେଲେ ରିଚେକିଂ ରେଜଲ୍ଟ ଆସିଲା ବେଳକୁ ଆରମ୍ଭ ହୋଇଗଲାଣି ଆଡମିଶନ। ବଡ ବଡ କଲେଜରେ ଫାଷ୍ଟ କଟ୍ ଅଫ୍ ତାଲିକା ବାହାରି ଆଡମିଶନ ଚାଲିଛି। ଏଭଳି ସ୍ଥିତିରେ ପରେ ମାର୍କ ବଢିଲେ ବି ସିଟ୍ ସଂଖ୍ୟା କମିଯାଉଥିବାରୁ ମନ ପସନ୍ଦର କଲେଜରେ ନାମ ଲେଖାଇବା ନେଇ ଛାତ୍ରଛାତ୍ରୀଙ୍କ ଭିତରେ ବଢିଛି ଆଶଙ୍କା। ଭଲ କଲେଜରେ ଚଏସ୍ ଅନର୍ସ ମିଳିବ କି ନାହିଁ ସେନେଇ ବି ଦ୍ବନ୍ଦ୍ବରେ ଛାତ୍ରଛାତ୍ରୀ। ନିୟମ ଅନୁସାରେ, ଯଦି ରିଚେକିଂ ପରେ ଜଣେ ପିଲାର ମାର୍କ ବଢ଼ୁଛି, ତେବେ ସେ ଅଧିକ କଟ୍-ଅଫ୍ ଥିବା ଭଲ କଲେଜରେ ପଢ଼ିବାକୁ ଯୋଗ୍ୟ। ହେଲେ ବିଡ଼ମ୍ବନାର ବିଷୟ ସବୁ ବର୍ଷ ଭଳି ଏଥର ବି ସମାନ ଦଶା ଭୋଗିବାକୁ ଯାଉଛନ୍ତି ଛାତ୍ରଛାତ୍ରୀ। କାରଣ ଏଯାଏଁ ସେମାନଙ୍କୁ ଅନଲାଇନରେ ସବୁ ଉତ୍ତର ଖାତାର ନକଲ ମିଳିନି କି ରିଚେକିଂ ଫଳାଫଳ ବାହାରିନି।
ସେପଟେ CHSE ପରୀକ୍ଷା ନିୟନ୍ତ୍ରକ କହିଛନ୍ତି, ଅଧିକ ସଂଖ୍ୟାରେ ଆବେଦନ ଯୋଗୁଁ କିଛିଟା ସମସ୍ୟା ଦେଖାଦେଇଛି, ଆସନ୍ତାକାଲି ସକାଳ ସୁଦ୍ଧା ସମସ୍ତଙ୍କୁ ଉତ୍ତର ଖାତା ଯୋଗାଇ ଦିଆଯିବ। ପିଲାମାନେ ବର୍ତ୍ତମାନ ରଖିଥିବା ନମ୍ବର ଅନୁସାରେ କଲେଜରେ ଆଡମିଶନ କରନ୍ତୁ। ରିଚେକିଂ ପରେ ରିଆଡିସନ ନମ୍ବର ସହ ୬୦ ଦିନ ଭିତରେ ସାମ୍ସ ପୋର୍ଟାଲରେ ମାର୍କ ଯୋଗାଇ ଦିଆଯିବ। ଯଦି ନମ୍ବର ବଢେ ତେବେ ଛାତ୍ରଛାତ୍ରୀ ବର୍ଦ୍ଧିତ ନମ୍ବର ସହ ପୁଣିଥରେ ଦ୍ବିତୀୟ, ତୃତୀୟ କିମ୍ବା ଫ୍ରେସ ସିଲେକ୍ସନରେ ଆବେଦନ କରିପାରିବେ। ରାଜ୍ୟର ସବୁ କଲେଜରେ ପ୍ରାୟ ୧୦ ପ୍ରତିଶତ ସିଟ୍ ଖାଲି ରହୁଥିବାରୁ ପରେ ଆଡମିଶନ କରିବାରେ କିଛି ସମସ୍ୟା ନାହିଁ ବୋଲି କହିଛନ୍ତି ପରୀକ୍ଷା ନିୟନ୍ତ୍ରକ। ଏହାରି ଭିତରେ ପ୍ଲସ ଟୁ ରିଚେକିଂ ଓ ରିଆଡିସନ୍ ଆବେଦନ ତାରିଖକୁ ଜୁଲାଇ ୪ ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି।
ପ୍ରତିବର୍ଷ ଆଡମିଶନ ପୂର୍ବରୁ ଦେଖାଦେଉଥିବା ଏହି ବିବାଦର ସମାଧାନ ପାଇଁ ଉଚ୍ଚଶିକ୍ଷା ବିଭାଗ ଓ CHSE ମଧ୍ୟରେ ସମନ୍ୱୟ ରହିବା ଜରୁରୀ। ଯୁକ୍ତ ୩ ଆଡମିଶନର ଚୂଡ଼ାନ୍ତ ପର୍ଯ୍ୟାୟ ପୂର୍ବରୁ ସମସ୍ତ ରିଚେକିଂ ରେଜଲ୍ଟ ପ୍ରକାଶ କରି SAMS ଡାଟାବେସରେ ଅପଡେଟ୍ କରାଯିବା ଉଚିତ ବୋଲି ମତ ପ୍ରକାଶ ପାଇଛି।
- ଆସିନି +2 ରିଚେକିଂ ଓ ରିଆଡିସନ୍ ରେଜଲ୍ଟ
- ଆରମ୍ଭ ହୋଇଗଲାଣି +3 ଆଡମିଶନ
- ମନ ପସନ୍ଦ କଲେଜରେ ନାମ ଲେଖାରୁ ଛାତ୍ରଛାତ୍ରୀ ବଞ୍ଚିତ
- ନୂଆ ବିବାଦ ସୃଷ୍ଟି କଲେ CHSE କର୍ତ୍ତୃପକ୍ଷ
- `ମୂଳ ରେଜଲ୍ଟ ଆଧାରରେ ଆଡମିଶନ ହେବ'