Literature: ଗଳ୍ପ ବୋଉର ପାନଡାଲା: ଘନବିହାରୀ ମହାରଣାଙ୍କ କଲମରୁ ନିଃସୃତ...

Aug 14, 2026 - 18:21
Literature: ଗଳ୍ପ ବୋଉର ପାନଡାଲା: ଘନବିହାରୀ ମହାରଣାଙ୍କ କଲମରୁ ନିଃସୃତ...

"ବୋଉର ପାନଡାଲା ଘନବିହାରୀ ମହାରଣା ""ଏଇ ଗୁଣ୍ଡ ଗୁଆଗୁରା ଆଣିବୁନି ଆଉ।

ଭୁଷା ଚୋବେଇଲାମିତି ପାଟିକୁ ନାଗୁଚି।

ବାଲି ରଚରଚ ଯେ କାହିଁରେ କ"ଣ।

ଦାନ୍ତ ନାଇଁ ବେଲି କ"ଣ ଜିଭ ନାଇଁ ମୋର""!

ବୋଉ ମତେ ତାଗିଦ କଲା।

ଥୁ ଥୁ କରି ପାନ କାଢ଼ିପକେଇ, ପାଣି ଦି" ଢୋକ ପିଇଲା ବୋତଲ ଟେକି।

ପାନ ଆମ ବୋଉର ମୁଖ୍ୟ ଖାଦ୍ୟ କେବଳ ନୁହଁ, ଖାଦ୍ୟପ୍ରାଣ ବି।

ଇଂରାଜୀରେ ଯାହାକୁ ଭିଟାମିନ୍ କୁହାଯାଏ।

ଭାତ, ରୁଟି ପଛକେ ନହେଲେ ନାଇଁ, ପାନ ନହେଲେ ବୋଉର ମଗଜ କାମ କରେନି।

ନିମିଷେ ବି ହାତଛଡ଼ା କରେନି ପାନଡାଲାକୁ।

Advertisment ଡାଲା ବୋଇଲେ, ବେତ କି ବାଉଁଶର ନୁହେଁ।

କାଠର ଛୋଟ ବାକ୍ସଟିଏ।

ଉପରେ ଲାଗିଛି ପଟା, ଗୋଟେ କଡ଼କୁ ଟାଣି ଦେଲେ ଖୋଲିଯାଏ।

ପୁଲ୍ ଆଉଟ୍ ସଟର୍, କୁହା ଯାଇପାରିବ ଆଜିକାଲିକା ଭାଷାରେ।

କଡ଼ରେ କାଠ ଖଣ୍ଡେ ଲାଗିଛି, ବାଁକୁ ମୋଡ଼ିଦେଲେ ଚାବି ପଡ଼ିଯାଏ, ଡାହାଣକୁ ମୋଡ଼ିଲେ ଖୋଲିଯାଏ।

ଛୋଟ ଛୋଟ ଚକ ଲାଗିଛି ଚାରିଟି।

ଗଡ଼େଇ ଗଡ଼େଇ ନେଇହେବ।

ଆମ ଝିଅ, ପୁଅ କୁନି ପିଲା ବେଳେ, ସୂତା ବାନ୍ଧି, ଗାଡ଼ି କରି ଗଡ଼େଇକି କେତେ ଖେଳିଛନ୍ତି ଘର ଭିତରେ।

ବାକ୍ସର କଭର୍ ପଟା ଉପରେ ସୂକ୍ଷ୍ମ ହତିଆରରେ ସୁନ୍ଦର ଖୋଦେଇ ହୋଇଛି ଲକ୍ଷ୍ମୀଙ୍କ ମୂର୍ତ୍ତି।

ଦୁଇ କଡ଼ରେ, ହାତୀ ଶୁଣ୍ଢ ଟେକି ଫୁଲ ବିଞ୍ଚୁଛନ୍ତି ଠାକୁରାଣୀଙ୍କ ଉପରେ।

ପାକଳ ହାତର କାଠକାମ।

ବାକ୍ସ ଭିତରେ ପାଞ୍ଚଟି ଖୋପ।

ଗୋଟେ ବଡ଼, ପାନ ପତ୍ର ରଖିବାକୁ।

ପିତ୍ତଳ ଚାଦର ପିଟା ହେଇଛି ଚାରିକଡ଼, ପାଣି ଲାଗିବନି କାଠରେ।

ଆଉ ଚାରୋଟିରେ ରହେ ଫାଳଗୁଆ, ଖଇର, ଗୁଣ୍ଡି, କେବେ କେମିତି ଲବଙ୍ଗ, ଅଳେଇଚ ଆଦି ମସଲା।

ଅନେକ ବର୍ଷ ତଳେ, ବାକ୍ସ ଖୋଲା ହେଲେ ମହକି ଯାଉଥିଲା, ଘରତିଆରି ଚୁଆ ମିଶା କଡ଼ା ଗୁଣ୍ଡି, କିଆ ଖଇର।

ଏବେ ତ ଆଉ ନାଇଁ ସେ ଚିଜ।

ବୋଉ ଚଳେଇ ନେଲାଣି ବଜାର କିଣା ପାନ ମସଲା।

ବାକ୍ସର ଲମ୍ୱ ପଟରେ ଜାଗା କରାଯାଇଛି ଗୁଆକାତି ରଖିବାକୁ।

କେବଳ ଚୂନଘଡ଼ିଟି ରହେ ଅଲଗା, ବାହାରେ।

ଡାଲା ଉପର କଳାରଙ୍ଗ କସରା ପଡିଗଲାଣି। ""ମଳି ବସିବସି ଏମିତି ହେଇଗଲାଣି ବୋଧେ"", ଏ ପଦକ ଯଦି ବାହାରିପଡିଲା କାହା ପାଟିରୁ, ବୋଉ ମାଡ଼ିବସିବ କଥା। ""ମଳି ନା ଆଉରି କିଛି?

ବଢ଼େଇ ଶାଳରେ ବସିକି, ମଞ୍ଜ ଶିଶୁ କାଠରେ ମୋ" ଭାଇ ଗଢ଼େଇକି ଦେଇଥେଲା ୟାକୁ, ମୁଁ ଶାଶୂଘରକୁ ଆଇଲା ବେଳେ।

ଏତେ ବରଷ ହେଲାଣି, ସେଇମିତି ଅଛି।

କହିଲା କ"ଣ ନା ମଳି!

ହେଃ!

ଆମ ଘର ଜିନିଷକୁ ବାରିବ?

ଆହୁରି ପଢ଼ନ୍ତୁ- Government: ସବୁ ତୈଳ କମ୍ପାନିକୁ ନିଜର ପ୍ରତି ତୃତୀୟ ପେଟ୍ରୋଲ୍‌ପମ୍ପରେ ବିକଳ୍ପ ଇନ୍ଧନର ବ୍ୟବସ୍ଥା କରିବାକୁ ପରାମର୍ଶ ଦେଲେ କେନ୍ଦ୍ର ସରକାର ଭଗବାନ ଝିଅଙ୍କ ମନ ଏମିତି ସୁନ୍ଦର କରି ଗଢ଼ିଛନ୍ତି, ଏତେ ବର୍ଷ ପରେ ବି ବାପଘରଟି "ଆମ ଘର"!""ଦଉନ ବୋଉ, ଧୋଇଦବା ପାନଡାଲାଟା"", କେତେଥର କହିଥିବ।

କଥା ପଡ଼ିଥିବ ଶାଶୂ ବୋହୂଙ୍କ ଭିତରେ।""ନାଇଁ ନାଇଁ, ପାଣି ଖାଇଯିବ କାଠ, ଖାଲି ପୋଛିଦେ" ଟିକେ କନାରେ।

ଚୂନ ହାତ ନେସା ହେଇ ଏମିତି ମଳିଛିଆ ଦୁଶୁଥବ।

ପାନରେ ଚୂନ ନଗେଇଲା ବେଳେ, ବେଳେବେଳେ ଆଙ୍ଗୁଠି ନେସି ଦିଏ ଡାଲାରେ!"" ସବୁଘରେ ପାନ ଭାଙ୍ଗିବା ଲୋକଙ୍କ ଅଭ୍ୟାସ ବୋଧେ ଏଇଆ।

ପିଲାଦିନେ ମୁଁ ଦେଖିଛି, ଘରେ ପାନ ଡାଲା ରଖା ହେଇଥାଏ ଆଲମିରା ତଳେ।

ଆଲମିରା ବି ସେଇ ଶିଶୁକାଠର।

ବୋଉର ଚୂନ ଆଙ୍ଗୁଠି ଲାଗିଲାଗି, ଆଲମିରାର କୁନ୍ଦା ଗୋଡ଼, ଆଉ ଡାଳିକଟା କବାଟ ସାରା ଛିଟ।

ବାପା ଚିଡ଼ନ୍ତି।

ବୋଉ ହାତରୁ ପାନବଟା ନେଲା ବେଳେ କହନ୍ତି, କାଇଁକି ଏମିତି ଧଳା ଚିତା ପକଉଛୁ ଆଲମାରି ସାରା?

ହସିକି ବୋଉ କହେ, ""ମୁଁ କାଳେ ଆଗ ଚାଲିଯିବି, ତମେ ତ ସବୁବେଳେ ଆଲମାରି ଫିଟେଇବ, ତମ ପୋଥି ପୁରାଣ ପେଇଁ।

ଧଳା ଦାଗ ଦେଖିଦେଖି ମନେରଖିବ, ମୋ" ପୁଅ ପାଇଁ ସଫା ବୋହୂଟିଏ ଆଣିବ ଯେ ଆଗକୁ ଆମ ବଉଁଶର ରଙ୍ଗ ଆଉ ଟିକେ ଫିଟିବ।"" ଅଧା ସତ ହେଲା ବୋଉ କଥା, ବାପା ଚାଲିଗଲେ, ବୋହୂ ଦେଖିବା ଆଗରୁ।

ମୁଁ ଚାକିରି କଲା ଦିନଠୁଁ ବୋଉ ମୋ" ସାଙ୍ଗରେ।

ଆମଠୁଁ ପୁରୁଣା କଥାସବୁ ଶୁଣନ୍ତି ପିଲାମାନେ।

ଆମ ଝିଅ ମଜାରେ ଏବେ ବୋଉକୁ କହେ, ""ତମେ କୁଆଡେ ସମସ୍ତଙ୍କୁ "ଚୂନ ଲଗଉଥିଲ", ଜେଜୀ""?

ଏବେକା ପରିଭାଷାରେ ""ଚୂନ ଲଗେଇବା""ର ଅର୍ଥ ବୁଝିପାରେନି ବୋଉ।

କହେ ""ହଁ ଲୋ!

ସବୁଆଡ଼େ ଚୂନ ନଗଉଥେଲି ବେଲି ତୁ ଧୋବଲୀ ହେଇଚୁ, ଖାଲି ଦେଖିବାକୁ ବାକି ଅଛି, କୋଉ ରଜାପୁଅ ଘୋଡ଼ା ଚଢ଼ିଆସିବ""।

ଆହୁରି ପଢ଼ନ୍ତୁ- CM"s Public Grievance ଅଗଷ୍ଟ ୧୭ରେ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠ ବନ୍ଦ ରହିବ ଜେଜୀର ଆବେଗ, ତା" କଥାର ମର୍ମ ବୁଝିପାରେନି ନାତୁଣୀ।

ପିଢ଼ି ପରେ ପିଢ଼ି, ଭାବନା ବଦଳିଛି, ବଦଳି ବି ଯାଇଛି ଶବ୍ଦ ବ୍ୟବହାରର ଧାରା।ଏବେ ସିନା ବହୁତ କଥା ମନେରହୁନି ବୋଉର।

ପାଞ୍ଚ ସାତ ବର୍ଷ ତଳେ ଏମିତି ଅବସ୍ଥା ନଥିଲା ତା"ର।

ଆମ ପୁଅ ଝିଅ, ଆଉ ମୋ" ଦୁଇ ଭଉଣୀଙ୍କ ପିଲାମାନେ, ଏବେ କିଛି କିଛି ବୃତ୍ତି ଆଦରି ନେଲେଣି, ସେତେବେଳେ ପଢ଼ାପଢ଼ି କରୁଥିଲେ।

ଖରା ଛୁଟି ହେଲେ, ପ୍ରାୟ ରଜ ବେଳକୁ ଏକାଠି ହୁଅନ୍ତି ଆମର ଏଇ ଫ୍ଲାଟ୍‌ରେ।

କିଏ ଜେଜୀ, କିଏ ଆଈ ଡାକ ଛାଡୁଥାନ୍ତି।

କିଲିବିଲି କରିପକାନ୍ତି ବୋଉକୁ।

ହୋ ହା ଭିତରେ ଭଙ୍ଗାଚାଲେ ରଜ ପାନ।

ସେଇ ପୁରୁଣା ପ୍ରଶ୍ନ ପଚାରି ଦିଅନ୍ତି କେହି। ""ଆର ବର୍ଷକୁ ପୁଣି ଭାଙ୍ଗିବ ନା ରଜ ପାନ?

ତମକୁ କେତେ ବର୍ଷ ହେଲା?""ବୋଉ ଭାଙ୍ଗୁଥାଏ ପାନ।

କହୁଥାଏ, ""ପଞ୍ଚାବନ ସାଲ ବଢ଼ିରେ ତ ସବୁ ଧୋଇଗଲା।

ପେଟରାରେ ଥେଲା କୋଉଠି ଖଣ୍ଡେ ତାଳପତ୍ର ଗୁଜା।

ମୋର ଜନମ ରାଶି ହେରିକା ନେଖି ରଖିଥେଲେ ୟା" ବାପା, ଭାସିଗଲା ସବୁ।"" କହିସାରି ପାନ ଖଣ୍ଡେ ଖିଲ କରି କଳରେ ଗୁଞ୍ଜି ଦିଏ, ସାଦା ମିଠା ପାନ ଖଣ୍ଡେଖଣ୍ଡେ ବଢ଼ାଏ ସମସ୍ତଙ୍କୁ।""ଆଉ ଏ ବକ୍ସଟା, ମାନେ ତମର ଏ ପାନଡାଲାଟା କେମିତି ରହିଗଲା ବନ୍ୟାବେଳେ?"" ""ଏଇଟାକୁ ପା" ଗୋଟେ ନୁଗାରେ ପିଠି ଓପେରେ ବାନ୍ଧିଥେଲି, ଅଣ୍ଟାଏ ପାଣିରେ ପଶି ବନ୍ଧକୁ ଉଠିଗଲା ବେଳେ।"" ଆମ ଭାଣିଜୀ- ଡାକ୍ତର ହେଲାଣି ଏବେ, ମେଡିକାଲ୍ କଲେଜରେ ପଢୁଥିଲା ସେତେବେଳେ- ପଚାରେ, ""ଆଈ, ତମେ ସିନା ଖାଉଥିଲ ଗୁଣ୍ଡି ପାନ, ମାମୁଙ୍କୁ କାହିଁ ଏ ବଦଭ୍ୟାସ କରେଇଲ।"" ""ଆଲୋ, ଏଇଟା ଛୁଆ ବେଳେ ଖାଲି ମାଟି ଗୋଡ଼ି ପୂରେଇଲା ପାଟିରେ।

ୟା" ତା"ଠୁଁ ଶୁଣି, କେତେ ଗଛ ପତର ଚେଛିକି ରସ ପେଇଲି, ଛାଡ଼ିଲାନି ସେ ଅବିଗୁଣ।

କିଏ କହିଲା, ତା" ପାଟିରେ ପାନ ଟିକେ ଟିକେ ନଗେଇ ଦିଅ, ଛାଡିଦବ।

ସତକୁ ସତ ସେଇଆ ହେଲା।

ଏବେ ଖାଉଚି ଖଣ୍ଡେ ଖଣ୍ଡେ, ଖାଉଥାଉ।

ମୋ" ମନକଥା ଜାଣି, କେତେ କିସମର ମସଲା ଘିନିକି ଆଉଚି ହାଟ ବଜାରରୁ।

ତମେ ସବୁ ପାରିବ?"" ""ପାନ ଖାଇଲେ କେତେ ଡେଞ୍ଜର୍‌ସ ରୋଗ ହଉଛି, ଆଈ।""""କି "ଡେଙ୍ଗ" ରୋଗ କଇଲୁ?

ଖାଲି ପାନ ଖାଇଲେ ରୋଗ ବଇରାଗ ହଉଚି?

ଏବେ ତ ସବୁ ସାରଦିଆ ଧାନ ଚାଉଳ, କେତେ ବିଷ ଓଷଦ ପଡୁଛି ପନିପରିବାରେ।

ସେଗୁରା ଖାଇଲେ ରୋଗ ହଉନି?

ହାଟ ବଜାରରୁ ଯୋଉ ଆବୁରୁ ଜାବୁରୁ କିଣି ଖାଇ ଯାଉଛ, ସେଗୁରାକରେ ରୋଗ ନାଇଁ?

ବୋଉ ପୁଣି ହାତ ବଢ଼ାଏ ତା" ଡାଲା ଆଡ଼କୁ।

ଇଞ୍ଜିନିୟର ନାତି କହେ, ""ଜେଜୀ ଜାଣିଛ, ଆଉ ପାନ ମିଳିବନି ଆଗକୁ।

ପାନ ବରଜ ସବୁ ଭଙ୍ଗାହେଇ ଇଣ୍ଡଷ୍ଟ୍ରି ହେବ!""""ହଁ, ଇନ୍ଦ୍ର କୋଉ ଆଗ ଭଳିଆ ପାଳୁଛି କି?

ବରଷେ ଉଠିଆ ହେଲେ, ବରଷେ ପଡ଼ିଆ!""""ଇନ୍ଦ୍ର ନୁହେଁ, ଇଣ୍ଡଷ୍ଟ୍ରି!

ମାନେ, କଳ କାରଖାନା ହେବ।""""କେତେ କଳ ବସେଇବ ବସା, ଘୋ" ଘା" ହବ ଚାରିଆଡ଼େ, କାନ ଅତଡ଼ା ପଡ଼ିବ।

ଶାନ୍ତ ଶୀତଳରେ ରହି ହବ ଆଉ!

ସବୁ ତ କଳରେ ହବ, ମଣିଷଙ୍କ ହାତ ଗୋଡ଼ ସବୁ ଅକାମି ହେଇଯିବେ!"" ଆହୁରି ପଢ଼ନ୍ତୁ- Government: ସବୁ ତୈଳ କମ୍ପାନିକୁ ନିଜର ପ୍ରତି ତୃତୀୟ ପେଟ୍ରୋଲ୍‌ପମ୍ପରେ ବିକଳ୍ପ ଇନ୍ଧନର ବ୍ୟବସ୍ଥା କରିବାକୁ ପରାମର୍ଶ ଦେଲେ କେନ୍ଦ୍ର ସରକାର ବୋଉ ଥାଏ ତା" ନିଜ ଦୁନିଆରେ।

ନାତି, ନାତୁଣୀଙ୍କ କଥା ତା" ପାଇଁ ଗେଲ, ଥଟ୍ଟା ତାମସା।ବୋଉ ପାନଡାଲାର ମହିମା, ତା" ହାତ ଭଙ୍ଗା ପାନର ଖ୍ୟାତି ଆମ ଘର ଡେଇଁ, ମାଡ଼ି ଯାଇଛି କୁଆଡ଼େ କୁଆଡ଼େ।

ନିଜେ କହେ ବୋଉ, ମୋ" ଶ୍ବଶୁର କାଳେ ପୁଅ ଘର ଦେଖି ଆସିବା ଦିନ, ସବୁ ଦେଖା ଶୁଣା ସାରି ମନ ବୁଝିଲା ପରେ କହିଦେଇ ଯାଇଥିଲେ ବୋଉକୁ, ""ସମୁଦୁଣୀ, ଖା"ସେ ତମ ହାତ ଭଙ୍ଗା ପାନ ପାଇଁ ଝୁଅଟି ତମ ଘରେ ଦେବି।"" ଆହୁରି ମନେଅଛି ମୋର, ଗାଁ ରେ, ସାଇ ପଡିଶାରେ ବାହା ନିମତା ହେଲେ, ଆଉ ଯିଏ ଯାହାକରୁ ଚଳିବ, ହେଲେ ପାନଡାଲା ପାଖରେ ବସିବ କେବଳ ବୋଉ।ଏମିତି କେତେ ଅଛି ବୋଉର ପାନ କାହାଣୀ, ପାନଡାଲା ଗାଥା।

ବଖାଣି ବସିଲେ, ରାତି ପାହିଯିବ।

ଗଡ଼ିଆସିଲାଣି ଗୁଡ଼ାଏ ବର୍ଷ।

ବୋଉ ତା" ବାପଘର ଗାଁର ଯୋଉମାନଙ୍କୁ ମନେପକାଏ, ସେମାନଙ୍କ ବୟସରୁ ହିସାବ ଧରିଲେ, ବୋଉର ବୟସ ସତାନବେ, ଅଠାନବେ ଛୁଇଁବ।

ଏବେ ହାତ ଧରିକି ନ ନେଲେ ଚାଲି ପାରୁନି।

ବେଶି ଅସୁସ୍ଥ ହେଲେ ହୁଇଲ୍ ଚେୟାର।

ଖାଇବା କମିଗଲାଣି ବହୁତ।

ହେଲେ, ପାନ ଟିକେ ସବୁବେଳେ ରହିଥିବ ପାଟିରେ।

ଆଉ ବଡ଼ ଖିଲ ନାଇଁ, ମନ୍ଦାର କଢ଼ି ଭଳିଆ ଏଡ଼େ ଟିକେ ଟିକେ।

ତା" ଖଟ ଉପରେ, ହାତ ପାଖରେ ରଖିବାକୁ ପଡୁଛି ସବୁ ଜିନିଷ।

କିଛି ଥାଉ କି ନଥାଉ, ପାନ ଡାଲାଟା ରହିବା ଥୟ।

ବସିଲା ବେଳେ, ଗୁଆକାତି ଠୁକୁଠୁକୁ କରି ଭାଙ୍ଗୁଥିବ ଗୁଆ।

ସବୁ ରହିବ ସାଇଜ ହୋଇ, ସିଧାସଳଖ।

ହାତପାଆନ୍ତାରେ ପ୍ଲାଷ୍ଟିକ ମଗ୍।

ତା"ରି ଭିତରକୁ କାଢୁଥିବ ପାନ ଗର୍ଦ୍ଦା।

ଖାଇବାକୁ ଦେଲା ବେଳେ ତା ବୋହୂକୁ କହିବ, ""ମତେ ଭାତ ପାଣି ଦେଲା ବେଳେ ମନେକରି ପାନ ଦଉଥବଲୋ, ଏଇ ଡାଲାରୁ।"" ""କାଇଁକି ସେ କଥାଗୁଡ଼ା ଗପୁଚ ବୋଉ, ଖାଅ, ମୁଁ ଆମ୍ବ କାଟିକି ଆଣୁଛି।""ଏବେ ନାତୁଣୀ ଜଣେ ଖୋଲା ପାନଡାଲା ସହିତ ବୋଉର ଫଟୋ ପୋଷ୍ଟ କରିଦେଲା ଫେସବୁକ୍‌ରେ, କ୍ୟାପ୍ସନ୍ ଦେଇଥିଲା "ଦ ହେରିଟେଜ୍, ଏଭର୍ ଗ୍ରୀନ୍!" ମାଡ଼ିଆସିଲା, ଲାଇକ୍, କମେଣ୍ଟ, କେତେ ପ୍ରକାର ଇମୋଜି।

ଖାଲି ଫଟୋରେ ପିଲାଙ୍କ ମନ ମାନିଲାନି ଯେ, ରିଲ୍ କରାଗଲା ଭିଡିଓ କରି, ପୋଷ୍ଟ ହେଲା ଇନ୍‌ଷ୍ଟାରେ!

ସେ ସବୁ ଯାହାହେଉ ପଛକେ, ମୋର ଖାଲି ପ୍ରଭୁଙ୍କୁ ଏତିକି ପ୍ରାର୍ଥନା, ଖୋଲା ଥାଉ ସେ ପାନଡାଲା, ବୋଉ ବସିକି ଭାଙ୍ଗୁଥାଉ ପାନ, ଆହୁରି ଅନେକ ଅନେକ ଦିନ ଯାଏ।ଫଟୋରେ ନୁହେଁ, ଖଟରେ।

ମୋ: ୯୪୩୭୩ ୦୪୫୦୩ ଅଧିକ ଦେଖନ୍ତୁ- "

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media