Literature: ଗଳ୍ପ ଧର୍ମ: ରଞ୍ଜନ ସାହୁଙ୍କ କଲମରୁ ନିଃସୃତ...
"ଧର୍ମ ରଞ୍ଜନ ସାହୁ ଆହତ ଅବସ୍ଥାରେ ଧର୍ମ ଦଉଡ଼ି ଦଉଡ଼ି ଆସୁଥିଲା।
ହାତ ଓ ଗୋଡ଼ରେ କ୍ଷତ।
ମୁହଁରେ ରକ୍ତର ଛିଟା।
ମୁଣ୍ଡରେ ଆଘାତ।
ମୋ ପାଖ ଦେଇ ଯାଉଥିବା ବେଳେ ମୁଁ ଅଟକାଇ ପଚାରିଲି, କ"ଣ ହେଲା?
ଏମିତି ଅତରଛିଆ ଦଉଡୁଛ?
Advertisment ସେ କ୍ଷଣେ ମୋ ମୁହଁକୁ ଚାହିଁଲା।
ବୋଧେ ମୋ ମୁହଁରୁ ସୁରକ୍ଷା ପାଇଁ ଭରସା କିମ୍ବା ସହାୟତା ସକାଶେ ମୁଠାଏ ଆଶ୍ୱାସନା ଖୋଜି ପାଇଲା ନାହିଁ।
ଅଗତ୍ୟା ଉପେକ୍ଷା କରି କରୁଣ ଭାବେ ପୁନରାୟ ଦଉଡ଼ିବାକୁ ଆରମ୍ଭକଲା।
ମୁଁ ସଜୋରେ ପାଦ ପକାଇ ତା"ର ସମୀପସ୍ଥ ହେଲି ଏବଂ ପ୍ରତିଶ୍ରୁତିଭରା ସ୍ୱରରେ କହିଲି, ଡରନାହିଁ।
ମୁଁ ଅଛି।
କ"ଣ ହେଲା?
ଏମିତି ବିବ୍ରତ ହୋଇ ଧାଇଁ ପଳାଉଛ କାହିଁକି?
ଶହ ଶହ ବର୍ଷର ନିକଟସ୍ଥ ମନ୍ଦିର ବେଢ଼ାକୁ ଅଙ୍ଗୁଳି ସୂଚିତ କରି ନିଃସହାୟ ହୋଇ ସେ କହିଲା, “ମୋତେ ସେ ମନ୍ଦିରରେ ସମସ୍ତେ ଘେରିପେରି ମାରୁଛନ୍ତି।
କେହି ରଖେଇ ଦେଉ ନାହାନ୍ତି।
ମୁଁ ଆଉ ଅତ୍ୟାଚାର, ଦୁରାଚାର, ଭ୍ରଷ୍ଟାଚାର ସହିପାରିବି ନାହିଁ।
ମୋ ନିଜ ଘରେ ମୁଁ ସୁରକ୍ଷିତ ନୁହେଁ।” ଦମ୍ଭୋକ୍ତି ପ୍ରଦାନକଲି ମୁଁ, “ଦୁଷ୍ଟମାନଙ୍କ ଯୋଗୁଁ ନିଜ ଘର ଛାଡ଼ିଦେବ?
ଏ କି କଥା?
ମୋ ସାଥିରେ ଆସ।
ଦେଖିବା କିଏ ତମର ଅନିଷ୍ଟ କରିବ?” ମୋର ଗଜପତିୟ ବିବୃତି ଶୁଣି ସେ ପୁନର୍ବାର ମୋ ମୁହଁକୁ ନିରୀକ୍ଷଣ କଲା ଓ ସେଥିରୁ ଆଶ୍ୱାସନାର ଅମୃତ ଧାରାଟିଏ ଖୋଜିଲା।
ମୁଁ ଆଉ ଥରେ ତା" ପିଠିରେ ହାତ ମାରି ସାନ୍ତ୍ୱନା ଦେଲି ଏବଂ ଡାକିଲି ଘରକୁ ଫେରିଯିବାକୁ।
ଆହୁରି ପଢ଼ନ୍ତୁ- Khamenei: ଖେମିନିଙ୍କ ଅନ୍ତିମ ସଂସ୍କାରରେ ଯୋଗଦେବ ଭାରତ: ବିହାର ରାଜ୍ୟପାଳ ଓ ବିଦେଶ ରାଷ୍ଟ୍ରମନ୍ତ୍ରୀ ଭାରତ ପକ୍ଷରୁ ପ୍ରତିନିଧିତ୍ବ କରିବେ “ତମେ କିଏ?
ମୋ ପାଇଁ କାହିଁକି ବିପଦକୁ ବରଣ କରିବ?” ସେ ଅନ୍ୟମନସ୍କତାରେ ପଚାରିଦେଲା।“ମୁଁ ଆଇନ।
ମୋତେ ଏ ଦେଶରେ ସମସ୍ତେ ମାନନ୍ତି।
ମୋ ପାଖରେ ସମସ୍ତେ କରଯୋଡ଼ ହୋଇ ରହନ୍ତି।
ମୁଁ ଜନ୍ମରୁ ସମସ୍ତଙ୍କୁ ସୁରକ୍ଷା ଦେବା ପାଇଁ ପ୍ରତିଶ୍ରୁତିବଦ୍ଧ।”“ତମ ଘର କେଉଁଠି?”“ସ୍ଥାୟୀ ଠିକଣା ପାର୍ଲାମେଣ୍ଟ।
ଆଜିକାଲି ସୁପ୍ରିମ୍କୋର୍ଟରେ ରହୁଛି।
ମୁଁ ହାଲି ହାଲି ସେଇଠୁ ଆସିଛି।”“ଠିକ୍ ଅଛି।
ତମେ ଆଗେ ଆଗେ ଚାଲ।
ମୁଁ ପଛେ ପଛେ ଯାଉଛି।” ଶିକ୍ଷାନବିସଟିଏ ପରି ଅନୁଗତ ସ୍ୱରରେ ଧର୍ମ କହିଲା।
ମୁଁ ସମ୍ମୁଖରେ ଚାଲି ଚାଲି ତାକୁ ବାଟ କଢ଼ାଇଲି।
ସେ ସାମାନ୍ୟ ଆଶ୍ୱସ୍ତ ହୋଇ ଅନୁସରଣ କଲା।
ଦିଲ୍ଲୀ ସୁଲ୍ତାନ୍ ପରି ମୁଁ ଚାଲୁଥାଏ।
ଗୋଡ଼କୁ ଫର୍କଟେଇ, ବାହାକୁ ଦୋହଲେଇ, ଛାତିକୁ ଫୁଲେଇ ମୁଁ ଗମନ କରୁଥାଏ।
ଲାଗୁଥାଏ, ସଚରାଚରରେ ମୋର ସମସ୍ତେ ଅନୁଚର ଓ ଆଜ୍ଞାବହ।
ମନ୍ଦିର ପାଖରେ ପହଞ୍ଚି ମୁଁ ବିସ୍ମିତ ହେଲି।
ଉତ୍ତ୍ୟକ୍ତ ଲୋକେ ନାରଖାର କରିବାରେ ଲିପ୍ତ।
କୋଳାହଳ, ମାଡ଼ଗୋଳ, ଭଙ୍ଗାରୁଜା କରିବାରେ ସମସ୍ତେ ବ୍ୟସ୍ତ।
ସ୍ୱେଚ୍ଛାଚାର ଚାରିଆଡ଼େ ରାଜୁତି କରୁଛି।
କେହି କାହାକୁ ମାନିବାରେ ବା ଶୁଣିବାରେ ନାହାନ୍ତି।
ନୂଆ ନିୟମକୁ ବିରୋଧ କରି ବିଦ୍ରୋହ ଚାଲିଛି।
ଅନତିଦୂରରେ ପୋଲିସ୍ ଠେଙ୍ଗା ଧରି ଦାଣ୍ଡିଆ ନୃତ୍ୟକରିବା ଭଙ୍ଗୀରେ ଛିଡ଼ାହୋଇଛନ୍ତି।
ମୁଁ ପହଞ୍ଚିବା ପରେ ମଧ୍ୟ କେହି ସ୍ଥିର, ଶାନ୍ତ, ନିରବ ହେଉନାହାନ୍ତି।
ଅକାରଣେ ଆତଙ୍କରାଜ ସୃଷ୍ଟି କରିଚାଲିଛନ୍ତି।
ଦୁର୍ବୃତ୍ତମାନେ ନିରୀହ ପରିଦର୍ଶକଙ୍କୁ ଘଉଡ଼ାଇ ଦେଉଛନ୍ତି।
ଶାବଳ, ହାତୁଡ଼ି, ଖଣ୍ଡାରେ ବାଡ଼ ଭାଙ୍ଗିଦେଉଛନ୍ତି।
ଟେକା ପଥର ଫିଙ୍ଗି ଲୋକଙ୍କୁ କ୍ଷତାକ୍ତ କରୁଛନ୍ତି।
ଚତୁଃପାର୍ଶ୍ବରେ ଉତ୍ତେଜନାର ବାତାବରଣ।
କରୁଣାକ୍ତ ମଣିଷ ଏଣେତେଣେ ଆର୍ତ୍ତ ଚିତ୍କାର କରି ଧାଉଁଛନ୍ତି।
ନିକଟସ୍ଥ ଦୋକାନ ବଜାର ବନ୍ଦ।
ଭକ୍ତମାନେ ଛତ୍ରଭଙ୍ଗ ଦେଇ ପଳାଇବା ପାଇଁ ବ୍ୟଗ୍ର।
ମୁଁ କ"ଣ କରିବି ଚିନ୍ତା କରିପାରିଲିନାହିଁ।
ମୋର ନିଜର କାୟା ନିଷ୍କ୍ରିୟ।
ମୋତେ ସକ୍ରିୟ କରିବା ପାଇଁ ଯେଉଁମାନେ ଉଦ୍ଦିଷ୍ଟ ସେମାନେ ପୋଲିସ୍ ପୋଷାକରେ ଅସହାୟ ମୁଦ୍ରାରେ ମଲାକଙ୍କଡ଼ା ପରି ଚାହିଁଛନ୍ତି।
ପଙ୍ଗୁଟିଏ ପରି ଦୁଃସ୍ଥିତିରୁ ମୁକୁଳିବା ସକାଶେ ମୁଁ ନିକଟସ୍ଥ କଳ୍ପବଟ ଆଡ଼କୁ ଚାଲିଗଲି।
ସେଠାରେ ନିରବରେ ଚାହିଁଲି ଉଦ୍ଦଣ୍ଡ, ଅତ୍ୟାଚାରୀଗୁଡ଼ାଙ୍କୁ।
ଦଙ୍ଗା ହଙ୍ଗାମା କରୁଥିବା କେତେକ ଇତର ଗୋଷ୍ଠୀ ସାମୟିକ ମଦମତ୍ତ ହୋଇ ଅନ୍ଧଭାବେ ଆଚରଣ କରୁଥାଆନ୍ତି।
ଶକ୍ତି ପ୍ରୟୋଗ କରି ଉନ୍ମତ୍ତ କାଣ୍ଡ ଭିଆଇ ଚାଲିଥା"ନ୍ତି।
ଗୋଟିଏ ଅର୍ବାଚୀନ ଯୁବକ ଭାଙ୍ଗ ନିଶାରେ ମୋତେ ଲକ୍ଷ୍ୟ କରି ପରିହାସପୂର୍ଣ୍ଣ ଟିପ୍ପଣୀ କଲା, “ହୋ ..ଅ ..
ଟ୍ରାଜିକ ଫିଲ୍ମର ଓଲ୍ଡମ୍ୟାନ୍, କ"ଣ ମୁହଁ ଶୁଖେଇ ଛିଡ଼ା ହେଇଛ?
ଅବଢ଼ା ଖାଇଥାଆନ୍ତ କି?
ଭୋକ ଲାଗୁଛି?” ଆହୁରି ପଢ଼ନ୍ତୁ- British American: ସିଗାରେଟ୍ କମ୍ପାନି "ବିଏଟି" ୯୦୦୦ କର୍ମଚାରୀ ଛଟେଇ କରିବ ସେ କହି କହି ଅପସରି ଯାଉଥାଏ।
ହଠାତ୍ କେଉଁଆଡୁ କେଜାଣି ବଡ଼ ଇଟା ଖଣ୍ଡେ ସାଏଁ କରି ଆସି ମୋ ମୁଣ୍ଡରେ ବାଜିଲା।
କପାଳ ଆବୁ ଭଳି ଫୁଲିଗଲା।
ମୁଁ ବିକଳରେ ଆଣ୍ଠେଇପଡ଼ିଲି।
ଦେଖିଲି ମୋର ବି ସ୍ଥିତି ଅତି ନଗଣ୍ୟ।
ଯେଉଁ ଦମ୍ଭ, ବଡ଼ିମା, ଅହଂକାର ନେଇ ଆଗେଇଆସିଥିଲି ସେସବୁ ସାରୁପତ୍ରରୁ ପାଣି ଖସିବା ପରି ଖସିପଡ଼ିଲାଣି।
ଅନୁଭବ କଲି, ଭ୍ରଷ୍ଟାଚାରୀ, ଦୁରାଚାରୀ, ହିଂସ୍ର ମଣିଷ ମୋତେ ଖାତିର କରୁନାହାନ୍ତି।
ମୋ ପ୍ରତି ସେମାନଙ୍କର ତିଳେମାତ୍ର ଆନୁଗତ୍ୟ ନାହିଁ କି ଭୟ ନାହିଁ।
ଅସହାୟ ମୁଦ୍ରାରେ ଚାହିଁଲି ଇତସ୍ତତଃ।
ଧର୍ମ କାହିଁ?
ତା" କଥା ସଂପୂର୍ଣ୍ଣ ଭୁଲିଯାଇଥିଲି।
ଖୋଜିଲି।
ପାଇଲି ନାହିଁ।
ସେ ବୋଧେ ଜୀବନ ବିକଳରେ କେଉଁଆଡ଼େ ଲୁଚି ପଳେଇଛି।
ମୁଁ ବେଢ଼ା ମଧ୍ୟରୁ ନିଷ୍କ୍ରାନ୍ତ ହୋଇ ରାସ୍ତା ଉପରକୁ ଆସିଲି।
ହଠାତ୍ ଚମକି ପଡ଼ିଲି।
ଦେଖିଲି ଧର୍ମକୁ ପଲେ ନ୍ୟସ୍ତସ୍ୱାର୍ଥପର, ଦୁର୍ଦ୍ଧର୍ଷ, ବିଧର୍ମୀ ଗୋଡ଼େଇ ଗୋଡ଼େଇ ପିଟୁଛନ୍ତି।
ସେ ବିଚରା "ରକ୍ଷାକର ରକ୍ଷାକର" କହି ବିକଳରେ ଧାଉଁଛି।
ମୁଁ ବି ଦଉଡ଼ିବାକୁ ଲାଗିଲି।
ତା" ପାଖରେ ପହଞ୍ଚି କହିଲି, ଚଞ୍ଚଳ ପଳେଇଆସ, ମାରିପକେଇବେ।
ତମେ କେତେବେଳେ ଖସିଆସିଲ?
କହିଲନି?
ଧଇଁସଇଁ ହୋଇ ସେ କହିଲା, “କ"ଣ କହିବି?
ତମ ଅବସ୍ଥା ଦେଖି ମୋ ହୋସ୍ ବୁଡ଼ିଗଲା।
ତମେ ଏତେ ଦୁର୍ବଳ ବୋଲି ଆଗରୁ ଜାଣିଥିଲେ ତମକୁ ବିଶ୍ୱାସକରି ସାଙ୍ଗରେ ଜମା ଆସିନଥାଆନ୍ତି।
ସତରେ ଏଠି କାହାର ନିସ୍ତାର ନାହିଁ।
ଉଗ୍ର, ମୂର୍ଖ ଆତଙ୍କବାଦୀଙ୍କ ପାଖରେ ସବୁ ମୂଲ୍ୟହୀନ।
ଏଠୁ ପଳାଇବା ବରଂ ଭଲ।
ଯଃ ପଳାୟତି ସଃ ଜୀବତି।
ହଉ ଆସ ଆସ ଶୀଘ୍ର।
ତମ ମୁଣ୍ଡ କ"ଣ ଫୁଲିଯାଇଛି!
କେଉଁଠି ପଡ଼ିଗଲକି?
ନା କିଏ ବାଡ଼େଇପକେଇଲା?
ଛାଡ଼- ପଛରେ କଥା ହେବା।
ମୋ ଭଳିଆ ଟିକେ ଜୋରେ ଦଉଡ଼।
ଏ ନାଳଟା ପାରି ହୋଇଗଲେ ସେପଟେ ବସି ଦୁଃଖସୁଖ ହେବା।” ମୋ: ୯୮୬୧୦୬୦୮୦୩ ଅଧିକ ଦେଖନ୍ତୁ- "