Letter: ଚଳନ୍ତିକା: ଏଇଠୁ ଲେଖାଯାଏ ନିଜ ଠିକଣାରେ ନିଜକୁ ଚିଠି
"ଆଜିର ଇଣ୍ଟର୍ନେଟ୍ ଯୁଗରେ ପୋଷ୍ଟକାର୍ଡ, ଇନ୍ଲ୍ୟାଣ୍ଡ୍ ଲେଟର୍ ଅଥବା ଲଫାପାରେ ଚିଠି ଲେଖିବା ଏକ ଧରଣର ପ୍ରାଗ୍-ଐତିହାସିକ କାର୍ଯ୍ୟରୂପେ ପରିଗଣିତ ହେଲାଣି।
କିନ୍ତୁ, ହିମାଚଳ ପ୍ରଦେଶର ସ୍ପିତି ଉପତ୍ୟକାର ଟାଙ୍ଗର ପଥୁରିଆ ଭୂଇଁରେ ଅବସ୍ଥିତ ଗୋଟାଏ ପ୍ରକାଣ୍ଡ ଲାଲ୍ ଚିଠିବାକ୍ସ୍ ଦୈନିକ ଅସଂଖ୍ୟ ଲୋକଙ୍କୁ ଆକର୍ଷିତ କରୁଛି ଏବଂ ଏଇଠାରୁ ଲୋକେ ନିଜ ଠିକଣାରେ ନିଜକୁ ଚିଠି ଲେଖିବାକୁ ସୁଖ ପାଉଛନ୍ତି।Advertisment Protest: ଚମେଲି ଓଝାଙ୍କୁ ନ୍ୟାୟ ଦାବିରେ ସରପଞ୍ଚ ସଂଘର ବିକ୍ଷୋଭ ପ୍ରଦର୍ଶନ ବାସ୍ତବରେ ଏହା ହେଉଛି ଚିଠିବାକ୍ସ ଆକୃତିରେ ନିର୍ମିତ ଗୋଟାଏ ପୋଷ୍ଟ ଅଫିସ୍।
ସମୁଦ୍ର ପତ୍ତନଠାରୁ ୧୪,୫୬୭ ଫୁଟ୍ ଉଚ୍ଚ ହିକ୍କିମ୍ ଗ୍ରାମରେ ଅବସ୍ଥିତ ଏ ପୋଷ୍ଟ୍ ଅଫିସ୍କୁ ବିଶ୍ବର ଉଚ୍ଚତମ ପୋଷ୍ଟ ଅଫିସ୍ ମାନ୍ୟତା ମଧ୍ୟ ଦିଆଯାଏ।
କୌତୂହଳର ବିଷୟ ହେଉଛି, ଏହି ପୋଷ୍ଟ୍ ଅଫିସ୍କୁ ଦେଖିଲାକ୍ଷଣି ଲୋକଙ୍କ ମନରେ ପତ୍ରଲିଖନ ପ୍ରତି ଶ୍ରଦ୍ଧା ଉଦ୍ରେକ ହୁଏ।
ତେଣୁ, ସ୍ପିତି ବୁଲି ଆସିଥିବା ପର୍ଯ୍ୟଟକମାନେ ସେଠାକୁ ଯାଇ ନିଜ ଠିକଣାରେ ଚିଠି ଖଣ୍ଡେ ପଠାଇବାର ଆଗ୍ରହକୁ ଦମନ କରିପାରନ୍ତି ନାହିଁ।
ପୁଣି ଅନେକ ଏଠାରୁ ପ୍ରିୟଜନଙ୍କ ନିକଟକୁ ପତ୍ର ପ୍ରେରଣ କରନ୍ତି।
ହିକ୍କିମ୍ର ପୋଷ୍ଟ୍ମାଷ୍ଟର୍ ରିଞ୍ଚେନ୍ କହନ୍ତି,""ମେ ଓ ଜୁନ୍ ମାସରେ ହଜାର ହଜାର ପର୍ଯ୍ୟଟକ ପୋଷ୍ଟ୍ ଅଫିସ୍କୁ ଆସି ପୋଷ୍ଟ୍କାର୍ଡ, ଲଫାପା ଓ ଇନ୍ଲ୍ୟାଣ୍ଡ୍ ଲେଟର୍ କିଣି ସେମାନଙ୍କ ନିଜ ଠିକଣାରେ, ପରିବାର ଲୋକ ଓ ବନ୍ଧୁବାନ୍ଧବମାନଙ୍କୁ ଚିଠି ଲେଖି ପଠାନ୍ତି।
ଗତ ମେ ମାସରେ ୨,୦୮,୫୦୦ ଟଙ୍କାର ଡାକ ଟିେକଟ୍ ବିକ୍ରୟ ହୋଇଥିବା ବେଳେ ଜୁନ୍ ମାସ ପ୍ରଥମାର୍ଦ୍ଧ ସୁଦ୍ଧା ୧,୮୩,୦୦୦ ଟଙ୍କାର ଡାକ ଟିକେଟ୍ ବିକ୍ରି ସରିଲାଣି।
ଡାକ ଟିକେଟ୍ କିଣିବାକୁ ପର୍ଯ୍ୟଟକମାନେ ଲମ୍ବାଧାଡ଼ି ବାନ୍ଧି ଅପେକ୍ଷା କରୁଥିବାରୁ ଆଜିକାଲି ସନ୍ଧ୍ୟା ପର୍ଯ୍ୟନ୍ତ ପୋଷ୍ଟ୍ ଅଫିସ୍ ଖୋଲା ରଖିବାକୁ ପଡୁଛି।"" ସମ୍ପ୍ରତି ହିକ୍କିମ୍ ପୋଷ୍ଟ୍ ଅଫିସ୍ ସ୍ପିତି ଉପତ୍ୟକାର ଅନ୍ୟତମ ପର୍ଯ୍ୟଟନସ୍ଥଳୀ ପାଲଟି ଯାଇଛି।
ରାମପୁର ବୁଶହର୍ ପୋଷ୍ଟାଲ୍ ଡିଭିଜନ୍ର ସୁପରିଣ୍ଟେଣ୍ଡେଣ୍ଟ୍ ଦିନେଶ ପ୍ରକାଶ କହନ୍ତି, ""ଏ ପୋଷ୍ଟ୍ ଅଫିସ୍ରେ ଜୁନ୍ ମାସର ମାତ୍ର ଚାରିଦିନରେ ୯୮୦୦୦ରୁ ଅଧିକ ଟଙ୍କାର ଡାକ ଟିକେଟ୍ ବିକ୍ରୟ ହୋଇଛି।
୧୯୮୩ ନଭେମ୍ବର ୫ ତାରିଖରେ ହିକ୍କିମ୍ ପୋଷ୍ଟ୍ ଅଫିସ୍ ସ୍ଥାପିତ ହୋଇଥିଲା।
କିନ୍ତୁ, ୨୦୨୨ରେ ସେ ପୁରାତନ ପୋଷ୍ଟ୍ ଅଫିସ୍ କୋଠାଟିକୁ ନବୀକୃତ କରାଯାଇ ପ୍ରକାଣ୍ଡ ଚିଠିବାକ୍ସ ଆକୃତି କରାଯିବାରୁ ତାହା ଖୁବ୍ ଆକର୍ଷଣୀୟ ଦିଶିଲା।
ସେବେଠାରୁ ଏଠାକୁ ପର୍ଯ୍ୟଟକମାନଙ୍କ ସୁଅ ଛୁଟୁଛି।"" ଏଠାରେ ଖଣ୍ଡିଏ ପୋଷ୍ଟ୍କାର୍ଡର ମୂଲ୍ୟ ୧୫ ଟଙ୍କା।
ଏହି ପୋଷ୍ଟକାର୍ଡରେ ଛାପା ଯାଇଛି ହିକ୍କିମ୍ ପୋଷ୍ଟ୍ ଅଫିସ୍ର ଫଟୋ ଏବଂ ଲାଗିଛି ୬ ଟଙ୍କାର ଡାକ ଟିକେଟ୍।
ଅନେକ ପର୍ଯ୍ୟଟକ ଥରକେ ୧୦ଟିରୁ ଅଧିକ ପୋଷ୍ଟ୍କାର୍ଡ କ୍ରୟ କରି ତାହାକୁ ପଠାଉଛନ୍ତି।
ପୁଣି ଏତେ ସଂଖ୍ୟକ ଚିଠି ସେଠାରୁ ଯାଏ କେମିତି?
ପ୍ରତିଦିନ ସକାଳେ ଗୋଟାଏ ପୋଷ୍ଟାଲ୍ ଟିମ୍ ହିକ୍କିମ୍ ଅଭିମୁଖେ ବାହାରନ୍ତି।
ସେମାନେ ୧୫ କିଲୋମିଟର୍ ଦୀର୍ଘ ବିପଦସଙ୍କୁଳ ପାର୍ବତ୍ୟ ପଥ ଅତିକ୍ରମ କରି ସେଠାରେ ପହଞ୍ଚନ୍ତି।
ହିକ୍କିମ୍ରୁ ଚିଠିପତ୍ର ସବୁ ସଂଗ୍ରହ କରି ଫେରନ୍ତି।
ତାହାକୁ ବସ୍ ଓ ଅନ୍ୟାନ୍ୟ ଯାନ ଦ୍ବାରା ଭାରତ ଓ ବିଦେଶରେ ଥିବା ସେମାନଙ୍କ ଗନ୍ତବ୍ୟ ସ୍ଥାନ ଅଭିମୁଖେ ପଠାଯାଏ।
ଯେତେବେଳେ ସେଠାରେ ତାପମାତ୍ରା ବିଯୁକ୍ତ ୨୫ ଡିଗ୍ରି ସେଲ୍ସିୟସ୍ ହୁଏ ଏବଂ ବାଟଘାଟରେ ୬ ଫୁଟ୍ ଉଚ୍ଚ ବହଳ ତୁଷାର ଜମିଥାଏ, ସେତେବେଳେ ମଧ୍ୟ ଡାକ ବିଭାଗ କର୍ମଚାରୀମାନେ ଚାଲି ଚାଲି ଚିଠିପତ୍ର ଡେଲିଭରି ଦିଅନ୍ତି।
International Yoga Day: ସୁସ୍ଥ ଜୀବନ ପାଇଁ ଯୋଗ ରାମପୁର ପୋଷ୍ଟାଲ୍ ଡିଭିଜନ୍ରେ କାର୍ଯ୍ୟରତ ଅଶୋକ କହନ୍ତି, ""କେବଳମାତ୍ର ବିଶ୍ବର ଉଚ୍ଚତମ ପୋଷ୍ଟ୍ ଅଫିସ୍ ମୋହର ବାଜିଥିବା ପୋଷ୍ଟ୍କାର୍ଡ ଖଣ୍ଡିଏ ପାଇବା ଆଶାରେ ଅନେକ ପର୍ଯ୍ୟଟକ ହିକ୍କିମ୍ ପୋଷ୍ଟ୍ ଅଫିସ୍କୁ ଆସନ୍ତି।
ଅଧିକାଂଶ ଲୋକ ଆମକୁ କହନ୍ତି ଯେ ସେମାନେ ଏଠାରୁ ନିଜେ ନିଜ ନିକଟକୁ ଚିଠି ଲେଖନ୍ତି।
ତେଣୁ, ବୁଲାବୁଲି ଉପରାନ୍ତେ ଘରେ ପହଞ୍ଚିଲା ବେଳକୁ ହିକ୍କିମ୍ ପୋଷ୍ଟ୍ ଅଫିସ୍ର ମୋହର ଲାଗିଥିବା ସେ ପୋଷ୍ଟ୍କାର୍ଡଖଣ୍ଡିକ ଯାଇ ସେମାନଙ୍କ ଘରେ ପହଞ୍ଚିଯାଇଥାଏ।"" ପତ୍ରଲିଖନ କ୍ରମେ ଅପସରି ଯାଉଥିବା ଏବଂ ଯୋଗାଯୋଗ କ୍ଷେତ୍ରରେ ଡିଜିଟାଲ୍ ପ୍ଲାଟ୍ଫର୍ମ ପ୍ରାଧନ୍ୟ ବିସ୍ତାର କରିସାରିଥିବା ବେଳେ ହିକ୍କିମ୍ ପୋଷ୍ଟ୍ ଅଫିସ୍ ପର୍ଯ୍ୟଟକମାନଙ୍କୁ ପୁରୁଣା ମାଧ୍ୟମର ସାନ୍ନିଧ୍ୟ ଦେଉଛି।
ଆଜିର ଏ ଆଧୁନିକ ଯୁଗରେ ଏ ସ୍ଥାନରୁ ଚିଠିଖଣ୍ଡେ ପଠାଇବା ତାଙ୍କ ସକାଶେ ଚିରସ୍ମରଣୀୟ ଅନୁଭୂତି ହୋଇ ରହିବ ବୋଲି କହନ୍ତି ପର୍ଯ୍ୟଟକ ଜିତେଶ କୁମାର।
ହିକ୍କିମ୍ ପୋଷ୍ଟ୍ ଅଫିସ୍କୁ ଯିବା ଗୋଟାଏ ଆଡ୍ଭେଞ୍ଚର୍ ଠାରୁ କୌଣସି ଗୁଣରେ କମ୍ ନୁହେଁ।
ଏତେ ଉଚ୍ଚରେ ଅବସ୍ଥିତ ହୋଇଥିବାରୁ ସେଠାରେ ଅମ୍ଳଜାନ ସ୍ତର କମ୍।
ତରବର ହୋଇ କେଇ ପାହୁଣ୍ଡ ଉପରକୁ ଉଠିଗଲେ ବହୁ ପର୍ଯ୍ୟଟକ ଅଣନିଃଶ୍ବାସୀ ହୋଇଯାଆନ୍ତି ଓ କେତେକଙ୍କ ମୁଣ୍ଡ ବୁଲାଇଦିଏ।
ତେଣୁ, କିଛି ପର୍ଯ୍ୟଟକ ସାଥିରେ ଅକ୍ସିଜେନ୍ ସିଲିଣ୍ଡର୍ ଆଣିଥାଆନ୍ତି।
ସେମାନଙ୍କର ଆଶା ଯେତେ କଷ୍ଟ ହେଉପଛେ ହିକ୍କିମ୍ ପୋଷ୍ଟ୍ ଅଫିସ୍କୁ ଯାଇ ଚିଠି ଖଣ୍ଡିଏ ପକାଇ ଆସିବେ।
"