Textbook errors: ପାଠ୍ୟପୁସ୍ତକ ତ୍ରୁଟି ୨ ହଜାର ପାର: ଅଷ୍ଟମ ଶ୍ରେଣୀରେ ୮୩୯, ସପ୍ତମରେ ୫୭୪, ସଂସ୍କୃତରେ ୨୦୦
ଭୁବନେଶ୍ବର: ପ୍ରଥମରୁ ଅଷ୍ଟମ ଶ୍ରେଣୀରେ ପାଠ୍ୟପୁସ୍ତକରେ ୧,୬୭୮ ନୁହେଁ, ବରଂ ୨,୧୨୫ଟି ତ୍ରୁଟି ସାମନାକୁ ଆସିଛି। ଶିକ୍ଷକ ଶିକ୍ଷା ନିର୍ଦ୍ଦେଶାଳୟ ଏବଂ ରାଜ୍ୟ ଶିକ୍ଷା ଗବେଷଣା ଓ ପ୍ରଶିକ୍ଷଣ ପରିଷଦ (ଏସ୍ସିଇଆରଟି) ଅଧିକାରୀମାନେ ୧,୬୭୮ଟି ତ୍ରୁଟି ଚିହ୍ନଟ କରିଥିଲେ। ତାହାକୁ ସଂଶୋଧନ କରି ପଢ଼ାଇବାକୁ ଏସ୍ସିଇଆରଟି ପକ୍ଷରୁ ଜୁନ୍ ୨ରେ ଓସେପାକୁ କୁହାଯାଇଥିଲା। ସେହି ଅନୁଯାୟୀ ଓସେପା ପକ୍ଷରୁ ଜୁନ୍ ୮ରେ ୧୨୨ ପୃଷ୍ଠାର ଏକ ସଂଶୋଧିତ ତାଲିକା ସମସ୍ତ ଜିଲ୍ଲା ଶିକ୍ଷା ଅଧିକାରୀ (ଡିଇଓ)ଙ୍କୁ ପଠାଇଥିଲେ ଏବଂ ତାହାକୁ ସଂଶୋଧନ କରି ପଢ଼ାଇବାକୁ ନିର୍ଦ୍ଦେଶ ଦେଇଥିଲେ। ଡିଇଓମାନେ ଇତିମଧ୍ୟରେ ବିଦ୍ୟାଳୟଗୁଡ଼ିକୁ ଚିଠି ଲେଖି ଏଦିଗରେ ପଦକ୍ଷେପ ନେବାକୁ କହିବା ପରେ ଶିକ୍ଷକମାନେ ତ୍ରୁଟି ଖୋଜା ଆରମ୍ଭ କରିଛନ୍ତି। ଏସ୍ସିଇଆରଟି ଦ୍ବାରା ଜାରି ହୋଇଥିବା ତ୍ରୁଟି ତାଲିକା ବ୍ୟତୀତ ଆହୁରି ପ୍ରାୟ ୪୪୭ଟି ତ୍ରୁଟି ନଜରକୁ ଆସିଛି। ବାକ୍ୟ ଗଠନ କଥା ନ କହିବା ଭଲ। କେଉଁଠି ଅଧାଗଢ଼ା ବାକ୍ୟ ତ ଆଉ କେଉଁଠି ଗୋଟିଏ ବାକ୍ୟ ସହ ପରବର୍ତ୍ତୀ ବାକ୍ୟ ମେଳ ଖାଉ ନାହିଁ। ଗ୍ରୀଷ୍ମ ଛୁଟି ପରେ ସ୍କୁଲ ଖୋଲିଥିବାରୁ ଶିକ୍ଷକମାନେ ଶ୍ରେଣୀଗୃହରେ ପିଲାଙ୍କୁ ଶିକ୍ଷାଦାନ କରୁଛନ୍ତି। ଏଥିସହ ତାଲିକା ମଧ୍ୟ ବଢ଼ିଚାଲିଛି।
ଛୋଟ ପିଲା ବୁଝି ପାରୁନାହାନ୍ତି ତ୍ରୁଟି ସଂଶୋଧନ
ଶିକ୍ଷକ, ଶିକ୍ଷୟିତ୍ରୀଙ୍କ ଉପରେ ବଢ଼ୁଛି ଡିଇଓଙ୍କ ଚାପ
‘ସମ୍ବାଦ’ର ହସ୍ତଗତ ହୋଇଥିବା ତଥ୍ୟ ଅନୁଯାୟୀ ୮ମ ଶ୍ରେଣୀର ୧୧ଟି ପାଠ୍ୟପୁସ୍ତକରେ ସର୍ବାଧିକ ୮୩୯ଟି ତ୍ରୁଟି ଧରାପଡ଼ିଛି। ସଂସ୍କୃତ କଳିକା ପୁସ୍ତକରେ କେବଳ ୨୫୧ଟି ତ୍ରୁଟି ରହିଛି। ଯେତେବେଳେ ଜିଜ୍ଞାସା ପୁସ୍ତକରେ ୨୨୮ଟି, ଖେଳ ଶିକ୍ଷାରେ ୧୦୧, ତଲାସ୍ (ଉର୍ଦ୍ଧୁ)ରେ ୫୫, କୌଶଳ ବୋଧରେ ୪୩, ସାହିତ୍ୟ ସୁରଭିରେ ୪୨, ହିନ୍ଦୀ କଳିକାରେ ୩୫, ସାମାଜିକ ବିଜ୍ଞାନ ଅଧ୍ୟୟନରେ ୨୫, କୃତି (କଳାଶିକ୍ଷା)ରେ ୨୪, ଇଂରାଜୀ(ଜସ୍ମିନ୍)ରେ ୨୨, ଗଣିତ ପ୍ରକାଶରେ ୧୩ଟି ତ୍ରୁଟି ରହିଛି। ଅନୁରୂପ ଭାବେ ୭ମ ଶ୍ରେଣୀ ୧୦ଟି ପୁସ୍ତକରେ ୫୭୪ଟି ତ୍ରୁଟି ରହିଛି। ସେଥିମଧ୍ୟରୁ କେବଳ ସଂସ୍କୃତ କଳିକାରେ ୨୪୫ଟି ରହିଥିବା ବେଳେ ତଲାସ (ଉର୍ଦ୍ଧୁ)ରେ ୧୨୧, ସାମାଜିକ ବିଜ୍ଞାନ ଅଧ୍ୟୟନରେ ୫୫, ହିନ୍ଦୀ କଳିକାରେ ୫୧, କଳାଶିକ୍ଷାରେ ୨୮, କୌଶଳ ବୋଧରେ ୨୩, ଖେଳ ଶିକ୍ଷାରେ ୨୨, ଜିଜ୍ଞାସାରେ ୧୨, ଇଂରାଜୀ (ଜସ୍ମିନ୍)ରେ ୧୧, ଗଣିତ ପ୍ରକାଶରେ ୬ଟି ଭୁଲ୍ ରହିଛି। ଏହାବ୍ୟତୀତ ୬ଷ୍ଠ ଶ୍ରେଣୀରେ ୩୩୯, ୫ମ ଶ୍ରେଣୀରେ ୮୭, ୪ର୍ଥ ଶ୍ରେଣୀରେ ୧୫୧, ତୃତୀୟ ଶ୍ରେଣୀରେ ୧୧୫, ଦ୍ବିତୀୟ ଶ୍ରେଣୀରେ ୧୨ ଓ ପ୍ରଥମ ଶ୍ରେଣୀର ଝୁଲଣା-୧ ବହିରେ ୮ଟି ଭୁଲ୍ ରହିଥିବା ନଜରକୁ ଆସିଛି। ତେବେ ନୂତନ ଭାବେ ପ୍ରକାଶିତ ୫୫ଟି ପାଠ୍ୟପୁସ୍ତକ ମଧ୍ୟରୁ ୫ଟିରେ ଆଦୌ ଭୁଲ୍ ନ ଥିବା ଜଣାପଡ଼ିଛି। ଏହାର ସମ୍ପାଦନା ମଣ୍ଡଳୀ ଅତି ସତର୍କତାର ସହ ପାଠ୍ୟପୁସ୍ତକ ପ୍ରସ୍ତୁତ କରିଛନ୍ତି। ଏହାରି ଭିତରେ ବିଦ୍ୟାଳୟରେ ପାଠ୍ୟପୁସ୍ତକ ପହଞ୍ଚିବା ପରେ ଶିକ୍ଷକ, ଶିକ୍ଷୟିତ୍ରୀ ତାହାକୁ ସଂଶୋଧନ କରି ପିଲାଙ୍କୁ ପଢ଼ାଉଛନ୍ତି। ତେବେ ତିନି ଦିନ ହେଲା ରାଜ୍ୟର ବିଭିନ୍ନ ଜିଲ୍ଲାରେ ପାଠପଢ଼ା ହୋଇଥିଲେ ମଧ୍ୟ ସଂଶୋଧନ କରି ପଢ଼ାଇବା ଆଦୌ ସମ୍ଭବପର ହେଉ ନାହିଁ। ସଂଶୋଧିତ ବହି ହାତରେ ଧରି କ୍ଲାସ୍ରୁମ୍ରେ ପିଲାଙ୍କୁ ପଢ଼ାଇବାକୁ ଡିଇଓମାନେ ବିଦ୍ୟାଳୟକୁ ନିର୍ଦ୍ଦେଶ ଦେଇଛନ୍ତି। ସେହି ଅନୁଯାୟୀ କେତେକ ବିଦ୍ୟାଳୟର ଶିକ୍ଷକ ୧୨୨ ପୃଷ୍ଠାର ଜେରକ୍ସ କପି ଧରି କ୍ଲାସ୍ରୁମ୍କୁ ଯାଉଛନ୍ତି।
ହେଲେ ଶ୍ରେଣୀଗୃହରେ ଥିବା ଛୋଟ ଛୋଟ ପିଲା ତାହାକୁ ସଂଶୋଧନ କରିବାରେ ଅସମର୍ଥ ହେଉଛନ୍ତି। ଯେଉଁ ପ୍ରାଥମିକ ବିଦ୍ୟାଳୟରେ ପ୍ରଥମରୁ ୫ମ ଶ୍ରେଣୀ ପର୍ଯ୍ୟନ୍ତ ଦୁଇ ଜଣ ଶିକ୍ଷକ, ଶିକ୍ଷୟିତ୍ରୀ ରହିଛନ୍ତି ସେମାନେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ପ୍ରାଥମିକ ବିଦ୍ୟାଳୟ ଶିକ୍ଷକ ସଂଘ ସଭାପତି ବ୍ରହ୍ମାନନ୍ଦ ମହାରଣା କହିଛନ୍ତି ଯେ ଜେରକ୍ସ କପି ଧରି ପିଲାଙ୍କୁ ପଢ଼ାଇବାକୁ ଆଦୌ ସମ୍ଭବପର ନୁହେଁ। ଏଭଳି କରିବା ବଦଳରେ ରାଜ୍ୟ ସରକାର ଯୁଦ୍ଧକାଳୀନ ଭିତ୍ତିରେ ପୁଣିଥରେ ସଂଶୋଧିତ ପାଠ୍ୟପୁସ୍ତକ ଛପାଇ ପିଲାଙ୍କୁ ଯୋଗାଇ ଦିଅନ୍ତୁ। ଯେଉଁ ବହି ପିଲାଙ୍କୁ ଦିଆଯାଇଛି ତାହାକୁ ଫେରାଇ ନିଅନ୍ତୁ। ଏକ ଲକ୍ଷରୁ ଅଧିକ ଶିକ୍ଷକ ପଦବି ଖାଲି ପଡ଼ିଥିବାରୁ ସଂଶୋଧିତ କରି ପଢ଼ାଇବା ସମ୍ଭବପର ହେବ ନାହିଁ ବୋଲି ସେ କହିଛନ୍ତି।