Landslides: ସହଜ ନଥିଲା ବିପତ୍ତିରୁ ସୁରକ୍ଷିତ ସ୍ଥାନ ଖୋଜି ପହଞ୍ଚିବା
ଭଞ୍ଜନଗର,ଘୁ.ଉଦୟଗିରି:ଗଞ୍ଜାମ ଏବଂ କନ୍ଧମାଳ ସୀମାନ୍ତ ଗିଡିପାବାଲିରେ ଛାତିଥରା ଭୂସ୍ଖଳନକୁ ଏହାରି ଭିତରେ ବିତିଗଲାଣି ୯ ଦିନ। ଆଉ ଏତେ ଦିନ ପରେ ସମସ୍ତ ନିଖେଜଙ୍କ ପତ୍ତା ମିଳିନାହିଁ। ଅତ୍ୟାଧୁନିକ ଯନ୍ତ୍ରାଂଶ ଠାରୁ ଆମ୍ଭ କରି ରେଳବାଇର ଇଞ୍ଜିନିୟର, ଏନ୍ଡିଆର୍ଏଫ୍, ଓଡ୍ରାଫ୍, ଅଗ୍ନିଶମ ବାହିନର ଏକାଧିକ ଟିମ୍, ସନ୍ଧାନୀ କୁକୁର ଆଦି ସମସ୍ତଙ୍କୁ ନେଇ ସବୁ ପ୍ରକାର କଳ,ବଳ ପ୍ରୟୋଗ କରାଯାଇଥିଲେ ବି ପ୍ରକୃତିର କରାଳ ରୂପରେ ଖେଳିଥିବା ତାଣ୍ଡବକୁ ମୁକାବିଲା କରିବାରେ ଶତପ୍ରତିଶତ ସଫଳତା ମିଳି ପାରୁନି।
ଗତ ସପ୍ତାହର ଗୁରୁବାର ରାତି ପାହିବା ପୂର୍ବରୁ ଗିଡିପାବାଲି ଗ୍ରାମ ଉପରୁ ପାହାଡ ପଥର ମାଟି ଅତଡା ଖସି ଆସିଥିବା ବେଳେ ଗ୍ରାମର ୧୩ ଜଣ ଏହି ଘଟଣା ପରଠାରୁ ନିଖୋଜ ହୋଇ ରହିଯାଇଥିଲେ। ଏଥିସହ ଗ୍ରାମର ୧୦ ଜଣ ବଣ ପାହାଡ ଅତିକ୍ରମ କରି ସୁରକ୍ଷିତ ସ୍ଥାନକୁ ଯିବାକୁ ବାହାରିଥିଲେ। ବଣ ପାହାଡ ଘେରା ଅଞ୍ଚଳରେ ରହୁଥିଲେ ବି ତାହା ସେମାନଙ୍କ ପାଇଁ ସେହିଦିନ ଏକ ପ୍ରକାର ସହଜ ନଥିଲା। ଗୁରୁବାର ସକାଳ ସମୟରୁ ପାହାଡ ଚଢିବା ଆରମ୍ଭ କରିଥିବା ବେଳେ ଏମାନଙ୍କ ଭିତରେ ପ୍ରାୟ ଦେଢ ବର୍ଷର ଦୁଇଟି ଯାଆଁଳା ଛୁଆ ମଧ୍ୟ ରହିଥିଲେ।
ଆଖିରୁ ନିଦ ହଜିଯାଇଥିଲା
ବର୍ଷା, କେନାଲରେ ପ୍ରବଳ ପାଣି ଅଙ୍କାବଙ୍କା ପାହାଡିଆରେ ରାସ୍ତାରେ ବାଟ ହୁଡି ଚାଲି ଚାଲି ଯାଉଥିବା ବେଳେ ରାତିରେ ଏକ ନିର୍ଜନ ସ୍ଥାନରେ କୁଡିଆ ପାଇ ଅଟକି ଥିଲେ। ଦିନ ସାରା ଭୋକ ଉପାସରେ ରହିଥିବା ବେଳେ ସେଠାରେ କିଛି ଚାଉଳ ଓ ଡେକଚି ପାଇ ରୋଷେଇ କରି ଖାଇଥିଲେ। ଭୂସ୍ଖଳନର ଭୟଙ୍କର ସ୍ଥିତିକୁ ସାମ୍ନା କରି ଅଳ୍ପକେ ବର୍ତ୍ତି ଥିବାରୁ ଆଖିରୁ ନିଦ ହଜିଯାଇଥିଲା ସମସ୍ତଙ୍କ। ପୁଣି ପରଦିନ ସକାଳୁ ଚାଲିଚାଲି ବାହାରିଥିଲେ। ଆଉ କତିଙ୍ଗିଆ ପଞ୍ଚାୟତର କିଲାପାଙ୍ଗା ଆଶ୍ରୟସ୍ଥଳରେ ପହଞ୍ଚିବା ପରେ ଏତେ ବଡ ଘଟଣା ସରକାରଙ୍କ ନଜରକୁ ଆସିଥିଲା ବୋଲି ବର୍ତ୍ତମାନ ଭଞ୍ଜନଗର ବ୍ଳକ ବାଇବାଲି ପଞ୍ଚାୟତର ବଜ୍ରକୋଟ ଆଶ୍ରୟ ସ୍ଥଳକୁ ଅଣାଯାଇଥିବା ମଧୁ ପ୍ରଧାନ ଓ ସୁବଳ ପ୍ରଧାନ କହିଛନ୍ତି। ସେହି କାଳରାତ୍ରୀ ଓ ବଞ୍ଚିବା ପାଇଁ ଜଙ୍ଗଲରେ ଆସିବା କଥା କହିବା ସମୟରେ ଆଖିରୁ ପୁରା ପରିବାରର କେବଳ ଲୁହ ହିଁ ଦେଖିବାକୁ ମିଳିଥିଲା। ବର୍ତ୍ତମାନ କିଲାପାଙ୍ଗା ଆଶ୍ରୟସ୍ଥଳରୁ ମଧୁ ପ୍ରଧାନଙ୍କ ପରିବାରର ୫ ଜଣ ଓ ଅନ୍ୟ ଏକ ପରିବାରର ସୁବଳ ପ୍ରଧାନ ବଜ୍ରକୋଟ ଅଣାଯାଇଥିବା ବେଳେ ଅନ୍ୟ ମାନଙ୍କୁ କିଲାପାଙ୍ଗା ଆଶ୍ରୟସ୍ଥଳରୁ ଘୁ.ଉଦୟଗିରି କଲ୍ୟାଣ ମଣ୍ଡପକୁ ସ୍ଥାନାନ୍ତର କରାଯାଇଥିବା ଜଣାପଡିଛି।
Landslides: ଗିଡିପାବାଲି ଭୂସ୍ଖଳନ ଘଟଣା; ୫ ମୃତଦେହ ଉଦ୍ଧାର, ଏକାଠି ଜଳିଲା ଚିତା
ପ୍ରତୀକାତ୍ମକ ସତ୍କାର
ଅନ୍ୟପଟେ ମଝିରେ ଉଦ୍ଧାରକାର୍ଯ୍ୟ ସ୍ଥଗିତ ରଖିବାକୁ ନିଷ୍ପତ୍ତି ନିଆଯାଇଥିବା ବେଳେ ପ୍ରତୀକାତ୍ମକ ସତ୍କାର ପାଇଁ ମଧ୍ୟ ଗ୍ରାମବାସୀ ସହମତି ଜଣାଇଥିଲେ। କିନ୍ତୁ ବୁଧବାର ସତ୍କାର କରିବା ପାଇଁ ଘଟଣାସ୍ଥଳରେ ପହଞ୍ଚିବା ପରେ ପରିବାର ଲୋକ ଏଥିରେ ରାଜି ନହୋଇ ପୁଣି ଖୋଜିବା ପାଇଁ ନିବେଦନ କରିବା ପରେ ଗୁରବାର ସନ୍ଧାନ ପ୍ରକ୍ରିୟା ପୁଣି ଆରମ୍ଭ ହୋଇଥିଲା। ଆଉ ଏଥିରେ ବଡ ସଫଳତା ମଧ୍ୟ ମିଳିଥିଲା। ଏଥିରେ ବିଜୟ ପ୍ରଧାନଙ୍କ ପରିବାରର ୫ ଜଣ ସଦସ୍ୟଙ୍କ ମୃତଦେହ ମିଳିଥିଲା। ଅତ୍ୟାଧୁନିକ ଯନ୍ତ୍ରାଂଶ ଠାରୁ ଆରମ୍ଭ କରି ଶତାଧିକ ଉଦ୍ଧାରକାରୀ ଦଳ ପୂର୍ବରୁ ସାମିଲ ହେଉଥିଲେ ବି ଏତେ ଅଧିକ ମୃତଦେହ କେବେ ଠାବ ହୋଇନଥିଲା।
ପୁଣି କାଲି ଅଭିଯାନ...
ତେବେ ଗୁରବାର ଉଦ୍ଧାରକାରୀ ଦଳ ସହ ଯାଇଥିବା ପରିବାର ସଦସ୍ୟ ମାଟି ଅତଡା ତଳେ ନିଖୋଜ ଲୋକଙ୍କ ରହିଥିବା ଘରର ନିର୍ଦ୍ଧିଷ୍ଟ ସ୍ଥାନ ଚିହ୍ନଟ କରି ପାଣି ମଟର ଲଗାଇ ସେଠାରେ ଖୋଳିବା ପରେ ମାଟି ତଳେ ଘର ଭିତରୁ ମୃତଦେହକୁ ଠାବ କରିବା ସହଜ ହୋଇଥିବା କୁହାଯାଉଛି। ତେବେ ସେହିକ୍ରମରେ ଆଜି ଓଡ୍ରାଫ୍ର ୨ଟି ଟିମ, ଅଗ୍ନିଶମ ବାହିନୀ, ଗ୍ରାମବାସୀ ଘଟଣାସ୍ଥଳକୁ ଯାଇଥିଲେ। ଘର ରହିଥିବା ସ୍ଥାନକୁ ଅନୁମାନ କରି ଖୋଳିବା କାର୍ଯ୍ୟ କରାଯାଇଥିବା ବେଳେ ଆଜି କୌଣସି ମୃତଦେହ କିମ୍ବା ନିଖୋଜ ଲୋକଙ୍କ ସନ୍ଧାନ ମିଳି ପାରିନଥିବା ଜଣାପଡିଛି। ଦିନ ତମାମ ଖୋଜା ଖୋଜି ପରେ ଉଦ୍ଧାରକାରୀ ଦଳ ଫେରିଥିବା ବେଳେ ୬ ଜଣ ନିଖୋଜ ବ୍ୟକ୍ତିଙ୍କ ସନ୍ଧାନ ନେଇ ଶନିବାର ପୁଣି ସନ୍ଧାନ କାର୍ଯ୍ୟ ଜାରି ରହିବ ବୋଲି ଜଣାପଡିଛି।
ରିପୋର୍ଟ: ବିଶ୍ବମ୍ବର ଜେନା/ସମୀର କୁମାର ପାଢ଼ୀ
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।
