Ketan death case: କେତେନ ହତ୍ୟାକାଣ୍ଡରେ ନୂଆ ଖୁଲାସା; ରାଜା ରଘୁବଂଶୀ ଘଟଣା ଗୁଗଲ୍ କରିଥିଲେ ସିୟା, ହାଜତରେ ପିଟାଯାଏ କି ନାହିଁ ଜାଣିଥିଲେ
ନୂଆଦିଲ୍ଲୀ,୦୭/୦୭; ପୁନେର କେତନ ଅଗ୍ରୱାଲ ହତ୍ୟା ମାମଲାକୁ ନେଇ ନୂଆ ଘଟଣା ସାମ୍ନାକୁ ଆସିଛି । ମୁଖ୍ୟ ଅଭିଯୁକ୍ତ ସିୟା ଗୋୟଲ କେତନଙ୍କୁ ମାରିବା ପୂର୍ବରୁ ଇନ୍ଦୋରର ରାଜା ରଘୁବଂଶୀ ହତ୍ୟା ମାମଲାର ପୂରା କାହାଣୀ ପଢ଼ିଥିଲେ । ଏମିତି କି ଗିରଫ ପରେ ହାଜତରେ ମହିଳାଙ୍କୁ ମାର୍ପିଟ କରାଯାଏ କି ନାହିଁ, ତାହା ବି ଇଣ୍ଟରନେଟରୁ ପଢ଼ି ଜାଣିଥିଲେ । ତାଙ୍କର ଦୁଇଟି ମୋବାଇଲ ଫୋନର ଇଣ୍ଟରନେଟ ହିଷ୍ଟ୍ରିରୁ ପୁଲିସ ଏହା ଜାଣିବାକୁ ପାଇଛି ।
ଉଲ୍ଲେଖଥାଉ କି ଇନ୍ଦୋର ବ୍ୟବସାୟୀ ରାଜା ରଘୁବଂଶୀଙ୍କୁ ତାଙ୍କ ନବବିବାହିତା ପତ୍ନୀ ସୋନମ ପ୍ରେମିକ ରାଜ କୁଶୱାହ ଓ ଅନ୍ୟମାନଙ୍କ ମିଶି ହତ୍ୟା କରିଥିଲେ । କେତନ ହତ୍ୟା ମାମଲାରେ ପୁଲିସ ଦୁଇଦିନ ତଳେ ସିୟାଙ୍କୁ ତାଙ୍କ ଘରକୁ ନେଇଯାଇଥିଲା । ସେଠାରେ ତାଙ୍କ ବେଡ୍ରୁମ୍ରୁ ଆଉ ଏକ ମୋବାଇଲ ଫୋନ ଜବତ କରିଥିଲା । ହତ୍ୟା ଘଟଣାର କିଛି ପ୍ରତ୍ୟକ୍ଷଦର୍ଶୀଙ୍କୁ ବି ଭେଟିଥିଲା ପୁଲିସ । ସେମାନଙ୍କ ବୟାନ ରେକର୍ଡ କରାଯାଇଛି, ଯାହା କି ତଦନ୍ତରେ ବଡ଼ ସହଯୋଗ କରିବ । ଗତ ମାସ ୧୮ ତାରିଖରେ ସିୟା ଓ ତାଙ୍କ ପ୍ରେମିକ ଚେତନ ଚୌଧୁରୀ କେତନଙ୍କୁ ପୁନେର ଲୋହାଗଡ଼ କିଲ୍ଲାରୁ ୪୦୦ ଫୁଟ ଉଚ୍ଚତାରୁ ଏକ ଖାଇକୁ ଧକ୍କା ଦେଇଥିଲେ । ଏଥିରେ ତାଙ୍କର ମୃତ୍ୟୁ ହୋଇଥିଲା । ଉଭୟ ଅଭିଯୁକ୍ତ ଜୁଲାଇ ୧୬ ପର୍ଯ୍ୟନ୍ତ ବିଚାର ବିଭାଗୀୟ ହାଜତରେ ରହିବେ ।
ଏହା ବି ପଢନ୍ତୁ...ଶୋଇଥିଲେ ସ୍ବାମୀ, ପେଟ୍ରୋଲ ଢ଼ାଳି ଜାଳିଦେଲା ସ୍ତ୍ରୀ: ମହିଳା କହିଲେ ହତ୍ୟାର କାରଣ...
ଅନ୍ୟପକ୍ଷରେ ହତ୍ୟା ଘଟଣା ସିନ୍ ରିକ୍ରିଏସନ ବେଳେ ସିୟା ଗଣମାଧ୍ୟମ ଆଡ଼କୁ ଅଶ୍ଳୀଳ ଇଙ୍ଗିତ କରିବା ନେଇ ଅଭିଯୋଗ ହୋଇଛି । କିନ୍ତୁ ସିୟା ଏହାକୁ ଖଣ୍ଡନ କରିଛନ୍ତି । କହିଛନ୍ତି ଯେ ଭାଇରାଲ ଭିଡିଓର ଭୁଲ ଅର୍ଥ ବାହାର କରାଯାଉଛି । ଆଇନଗତ ଔପଚାରିକତା ପାଇଁ ପୁଲିସ ତାଙ୍କୁ ଘରକୁ ନେଇଯାଉଥିବା ବେଳେ ତାଙ୍କର ଦୁଇ ଅଙ୍ଗୁଳି କାର୍ ଡୋର ସହ ବାଜିବାରୁ ଆଘାତ ଲାଗିଥିଲା । ସେ ସେହି ଆଘାତକୁ ଦେଖାଇବାକୁ ଚେଷ୍ଟା କରୁଥିଲେ । ଉଲ୍ଲେଖଯୋଗ୍ୟ, ଫେବ୍ରୁଆରୀ ୧୧ରେ କେତନ ଓ ସିୟାଙ୍କର ନିର୍ବନ୍ଧ ହୋଇଥିଲା । ସିୟା କିନ୍ତୁ କେତନଙ୍କୁ ବିବାହ କରିବାକୁ ଚାହୁଁ ନ ଥିଲେ । ତେଣୁ ପ୍ରେମିକ ଚେତନଙ୍କ ସହ ମିଶି ତାଙ୍କୁ ରାସ୍ତାରୁ ହଟାଇବାକୁ ଷଡ଼ଯନ୍ତ୍ର ରଚିଥିଲେ । ଜୁନ ୧୯ରେ ସିୟା ଓ ଚେତନ ମିଶି କେତନଙ୍କୁ ପାହାଡ଼ରୁ ଠେଲି ମାରିଥିଲେ ।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ PRAMEYA - ପ୍ରମେୟ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।