06 JUNE 2026

Welcome!

Unlock your personalized experience.
Sign Up

Kendu Leaf: ଉତ୍ପାଦନ ହେଉଛି ୧୬,୦୧୮ କ୍ବିଣ୍ଟାଲ କେନ୍ଦୁପତ୍ର

Jun 03, 2026 - 23:18
Kendu Leaf: ଉତ୍ପାଦନ ହେଉଛି ୧୬,୦୧୮ କ୍ବିଣ୍ଟାଲ କେନ୍ଦୁପତ୍ର

ରାଉରକେଲା: ସୁନ୍ଦରଗଡ଼ ଜିଲ୍ଲାର ଗ୍ରାମାଞ୍ଚଳ ଓ ଜଙ୍ଗଲ ନିକଟରେ ରହୁଥିବା ଗରିବ ଲୋକଙ୍କ ପାଇଁ କେନ୍ଦୁପତ୍ର ଏକ ପ୍ରମୁଖ ରୋଜଗାରର ମାଧ୍ୟମ ପାଲଟିଛି। ଖରାଦିନେ ଚାଷକାର୍ଯ୍ୟ ବନ୍ଦ ରହୁଥିବାବେଳେ କେନ୍ଦୁପତ୍ର ହିଁ ଗରିବ ତଥା ଆଦିବାସୀ ପରିବାରଙ୍କୁ ଆର୍ଥିକ ସ୍ଵାବଲମ୍ବୀ କରିବାରେ ସହାୟକ ହୋଇଛି।

ବେସରକାରୀ ତଥ୍ୟ ଅନୁଯାୟୀ, ଜିଲ୍ଲାରେ ପ୍ରାୟ ୫୦-୫୫ ହଜାର କେନ୍ଦୁପତ୍ର ତୋଳାଳି ଓ ବନ୍ଧାଳି ପଞ୍ଜିକୃତ ହୋଇଛନ୍ତି। ତେବେ ଏଥିମଧ୍ୟରୁ ପ୍ରାୟ ୮୫ ପ୍ରତିଶତ ହିତାଧିକାରୀ ହେଉଛନ୍ତି ମହିଳା। ଏମାନେ ପ୍ରତ୍ୟକ୍ଷ ଭାବେ ଏଥିରୁ ଜୀବିକା ନିର୍ବାହ କରୁଛନ୍ତି। ବୁଶ କଟିଂ ଠାରୁ ଆରମ୍ଭ କରି ପତ୍ର ତୋଳିବା, କେନ୍ଦୁପତ୍ର ଖଳାରେ ବିଡ଼ା ବାନ୍ଧିବା କାର୍ଯ୍ୟରେ ନିୟୋଜିତ ହେଉଛନ୍ତି। ଏହି ବ୍ୟବସାୟ ଜିଲ୍ଲାର ଅର୍ଥନୀତିକୁ ସୁଦୃଢ଼ କରିବା ସହ ଜଙ୍ଗଲ ଉପରେ ନିର୍ଭର କରୁଥିବା ଆଦିବାସୀମାନଙ୍କ ସାମାଜିକ ସୁରକ୍ଷାକୁ ସୁନିଶ୍ଚିତ କରିଛି।

ଆହୁରି ପଢ଼ନ୍ତୁ: Kendu Leaf: ଦଲାଲଙ୍କ ହାବୁଡରେ ପଡି କ୍ଷତିରେ ବିକ୍ରି କରୁଛନ୍ତି କେନ୍ଦୁପତ୍ର ତୋଳାଳୀ

ରାଜ୍ୟର ୧୫ଟି ଜିଲ୍ଲାରେ କେନ୍ଦୁପତ୍ର ଉତ୍ପାଦିତ ହେଉଛି। ଏଥିମଧ୍ୟରୁ ପଶ୍ଚିମ ଓଡ଼ିଶାର ୮ଟି ଜିଲ୍ଲା, ଯଥା- ସୁନ୍ଦରଗଡ଼, ବୌଦ୍ଧ, ସମ୍ବଲପୁର, ଝାରସୁଗୁଡ଼ା, ଦେବଗଡ଼, ବଲାଙ୍ଗୀର, କଳାହାଣ୍ଡି ଓ ନୂଆପଡ଼ା ଜିଲ୍ଲାରେ ଅଧିକ ପରିମାଣରେ କେନ୍ଦୁପତ୍ର ଉତ୍ପାଦନ ଅଧିକ। ତେବେ ରାଜ୍ୟର ଅନ୍ୟାନ୍ୟ ଜିଲ୍ଲା ତୁଳନାରେ ବଲାଙ୍ଗୀର ଜିଲ୍ଲାରେ ଉତ୍ପାଦନ ସର୍ବାଧିକ। ଗତ ୨୦୨୫ କେନ୍ଦୁପତ୍ର ଶସ୍ୟ ବର୍ଷରେ, ଏହି ୮ଟି ଜିଲ୍ଲାରୁ ମୋଟ୍‌ ୧,୬୦,୮୬୭.୭୭ କ୍ବିଣ୍ଟାଲ କେନ୍ଦୁପତ୍ର ଉତ୍ପାଦିତ ହୋଇଥିଲା। ଏଥିମଧ୍ୟରୁ ସୁନ୍ଦରଗଡ଼ ଜିଲ୍ଲାରେ ୧୬,୦୧୮.୨୦ କ୍ବିଣ୍ଟାଲ ଉତ୍ପାଦନ ହୋଇଥିଲା।

ସେହିଭଳି ବଲାଙ୍ଗୀର ଜିଲ୍ଲାରେ ୪୧,୪୨୭.୬୦ କ୍ବିଣ୍ଟାଲ ଉତ୍ପାଦିତ ହୋଇଥିବାବେଳେ ବୌଦ୍ଧରେ ୨୦,୧୮୪.୬୦ କ୍ବିଣ୍ଟାଲ, ସମ୍ବଲପୁରରେ ୩୫, ୯୨୮.୮୦ କ୍ବିଣ୍ଟାଲ, ଦେବଗଡ଼ରେ ୧୨,୬୩୨.୪୦ କ୍ବିଣ୍ଟାଲ, ଝାରସୁଗୁଡ଼ାରେ ୭୦୪୭ କ୍ବିଣ୍ଟାଲ, କଳାହାଣ୍ଡିରେ ୧୧,୮୦୮ କ୍ବିଣ୍ଟାଲ ଓ ନୂଆପଡ଼ା ଜିଲ୍ଲାରେ ୧୫,୮୦୧.୩୭ କ୍ବିଣ୍ଟାଲ କେନ୍ଦୁପତ୍ର ଉତ୍ପାଦିତ ହୋଇଥିଲା। ଉଲ୍ଲେଖଯୋଗ୍ୟ, ଏହି କ୍ଷେତ୍ରରେ କାର୍ଯ୍ୟରତ ଶ୍ରମିକମାନଙ୍କୁ ମୁଖ୍ୟତଃ ତିନିଟି ବର୍ଗରେ ବିଭକ୍ତ କରାଯାଇଛି। ପ୍ରଥମ ବର୍ଗରେ ଅଛନ୍ତି ତୋଳାଳି। ଏହି ବର୍ଗରେ ଜିଲ୍ଲାରେ ପ୍ରାୟ ୪୫ ହଜାରରୁ ଅଧିକ ତୋଳାଳି ଅଛନ୍ତି। ଏମାନେ ପ୍ରତିଦିନ ସକାଳୁ ଜଙ୍ଗଲରୁ କଞ୍ଚା ପତ୍ର ସଂଗ୍ରହ କରିଥାନ୍ତି। ଦ୍ୱିତୀୟ ବର୍ଗରେ ବନ୍ଧାଳି ଓ ତୃତୀୟ ବର୍ଗରେ ଋତୁକାଳୀନ ଅସ୍ଥାୟୀ କର୍ମଚାରୀ, ଯଥା- ଚେକର୍‌, ଲୋଡିଂ ଶ୍ରମିକ ଆଦି ନିୟୋଜିତ ଅଛନ୍ତି, ଯେଉଁମାନେ ସଂଗ୍ରହ କେନ୍ଦ୍ର ବା ‘ଫଡ଼ି’ ଗୁଡ଼ିକରେ ପତ୍ର ଶୁଖାଇବା, ବାଛିବା, ବାନ୍ଧିବା ଆଦି କାର୍ଯ୍ୟ କରିଥାନ୍ତି। 

ଆହୁରି ଦେଖନ୍ତୁ...

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।