Just 15-Minute Meeting: ୨୦୨୭ ୟୁପି ନିର୍ବାଚନ ପାଇଁ କଂଗ୍ରେସ-ସପା ମେଣ୍ଟ ଚୂଡ଼ାନ୍ତ ପର୍ଯ୍ୟାୟରେ, ୮୦ ଆସନ କମାଇଲା କଂଗ୍ରେସ !
ଉତ୍ତରପ୍ରଦେଶରେ ୨୦୨୭ ବିଧାନସଭା ନିର୍ବାଚନକୁ ନେଇ ରାଜନୈତିକ ହଲଚଲ ଜୋରଦାର ହୋଇଛି।
ବିଜେପିକୁ ମୁକାବିଲା କରିବା ପାଇଁ କଂଗ୍ରେସ ଓ ସମାଜବାଦୀ ପାର୍ଟି (ସପା) ମଧ୍ୟରେ ମେଣ୍ଟ ଚୂଡ଼ାନ୍ତ କରିବାକୁ ଆଲୋଚନା ଜାରି ରହିଛି।
ଉଭୟ ଦଳର ନେତାଙ୍କ ବୟାନରୁ ଖୁବ୍ଶୀଘ୍ର ଆସନ ବୁଝାମଣା ଚୂଡ଼ାନ୍ତ ହେବାର ସଙ୍କେତ ମିଳୁଛି।
Advertisment ସୋମବାର ନୂଆଦିଲ୍ଲୀରେ ଉଭୟ ଦଳ ମଧ୍ୟରେ ମେଣ୍ଟ ନେଇ ପ୍ରଥମ ପର୍ଯ୍ୟାୟ ଆଲୋଚନା ହୋଇଥିଲା।
କଂଗ୍ରେସ ରାଜ୍ୟସଭା ସାଂସଦ ପ୍ରମୋଦ ତିୱାରୀଙ୍କ ବାସଭବନରେ ହୋଇଥିବା ଏହି ବୈଠକ ମାତ୍ର ୧୫ ମିନିଟ୍ ଧରି ଚାଲିଥିଲା।
କିନ୍ତୁ ଏହି ଅଳ୍ପ ସମୟର ବୈଠକରେ ଆସନ ବଣ୍ଟନକୁ ନେଇ ଗୁରୁତ୍ୱପୂର୍ଣ୍ଣ ଆଲୋଚନା ହୋଇଥିବା ସୂଚନା ମିଳିଛି।
ସବୁଠାରୁ ବଡ଼ କଥା ହେଉଛି, ଆସନ ଦାବି ତାଲିକାରେ କଂଗ୍ରେସ ବଡ଼ ପରିବର୍ତ୍ତନ କରିଛି।
ପୂର୍ବରୁ ଅଧିକ ଆସନ ପାଇଁ ଦାବି କରୁଥିବା କଂଗ୍ରେସ ଏବେ ପ୍ରାୟ ୧୦୦ରୁ ୧୨୦ଟି ଆସନର ଏକ ସଂଶୋଧିତ ତାଲିକା ସପାକୁ ଦେଇଛି।
ପୂର୍ବ ତାଲିକା ତୁଳନାରେ ଏଥିରେ ୭୦ରୁ ୮୦ଟି ଆସନ କମ୍ ରହିଥିବା କୁହାଯାଉଛି।
Advertisment କେବଳ ଦଳୀୟ ଆସନ ଦାବି ନୁହେଁ, କେଉଁ ପ୍ରାର୍ଥୀ ଜିତିବାର ସମ୍ଭାବନା ଅଧିକ, ତାହାକୁ ମଧ୍ୟ ଗୁରୁତ୍ୱ ଦେବାକୁ ଉଭୟ ପକ୍ଷ ଆଲୋଚନା କରିଛନ୍ତି।
ଅର୍ଥାତ୍ ପ୍ରାର୍ଥୀ କେଉଁ ଦଳର, ତାହା ଅପେକ୍ଷା ତାଙ୍କର ବିଜୟ ସମ୍ଭାବନାକୁ ପ୍ରାଧାନ୍ୟ ଦେବା ଉପରେ ଜୋର୍ ଦିଆଯାଇଛି।
ବୈଠକ ପରେ ସପା ମହାସଚିବ ରାମଗୋପାଳ ଯାଦବ କହିଛନ୍ତି, ଆଲୋଚନା ବେଶ୍ ସୌହାର୍ଦ୍ଦ୍ୟପୂର୍ଣ୍ଣ ପରିବେଶରେ ହୋଇଛି।
ଆସନ୍ତା ଦୁଇରୁ ତିନି ଦିନ ମଧ୍ୟରେ ମେଣ୍ଟ ଚୂଡ଼ାନ୍ତ ହେବ ବୋଲି ସେ ଆଶା ପ୍ରକାଶ କରିଛନ୍ତି।
ମଙ୍ଗଳବାର ଦ୍ୱିତୀୟ ପର୍ଯ୍ୟାୟ ଆଲୋଚନା ହେବ ବୋଲି ମଧ୍ୟ ସେ କହିଛନ୍ତି।
ସେହିପରି ଉତ୍ତରପ୍ରଦେଶ କଂଗ୍ରେସ ପ୍ରଭାରୀ ରାଜେନ୍ଦ୍ର ପାଲ ଗୌତମ ବୈଠକକୁ ସକାରାତ୍ମକ ବୋଲି କହିଛନ୍ତି।
ମେଣ୍ଟ ପ୍ରାୟ ଚୂଡ଼ାନ୍ତ ପର୍ଯ୍ୟାୟରେ ଥିବା ସେ ସଙ୍କେତ ଦେଇଛନ୍ତି।
ଉତ୍ତରପ୍ରଦେଶ କଂଗ୍ରେସ ସଭାପତି ଆରାଧନା ମିଶ୍ରା ମଧ୍ୟ ଆସନ୍ତା ଦୁଇରୁ ଚାରି ଦିନ ମଧ୍ୟରେ ବୁଝାମଣା ଶେଷ ହେବ ବୋଲି ଆଶା ରଖିଛନ୍ତି।
୨୦୨୪ ଲୋକସଭା ନିର୍ବାଚନର ଫଳାଫଳ ଏବଂ ଜାତୀୟ ରାଜନୀତିରେ ରାହୁଲ ଗାନ୍ଧିଙ୍କ ଭୂମିକାକୁ ଆଧାର କରି କଂଗ୍ରେସ ଅଧିକ ଆସନ ଚାହୁଁଥିବା କୁହାଯାଉଛି।
ତେବେ ଉଭୟ ଦଳ ଏଯାଏଁ ଆସନ ସଂଖ୍ୟା କିମ୍ବା ଚୂଡ଼ାନ୍ତ ବଣ୍ଟନ ନେଇ କିଛି ଘୋଷଣା କରିନାହାନ୍ତି।
ଏବେ ସମସ୍ତଙ୍କ ନଜର ଆସନ୍ତା ବୈଠକ ଉପରେ।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।
