Jharsuguda Politics Heats Up: କିଶୋର ମହାନ୍ତି ବନାମ ନବ ଦାସ ପରିବାର, ରାଜନୈତିକ ଝଡ଼ରେ କମ୍ପୁଛି ଝାରସୁଗୁଡ଼ା
ଝାରସୁଗୁଡ଼ା ପାଲଟିଛି ପଲିଟିକାଲ୍ ହଟ୍ ସ୍ପଟ୍। ବହୁଛି ରାଜନୈତିକ ଝଡ଼। ଚରମରେ ଗୋଷ୍ଠୀ କନ୍ଦଳ। ଶାସକ ବିଜେପି ହେଉ କି ବିଜେଡି ଉଭୟ ଦଳରେ ନେତା-ନେତାଙ୍କ ଭିତରେ ପଡୁନି। ଝାରସୁଗୁଡ଼ା ଓ ପଡୋଶୀ ବ୍ରଜରାଜନଗର ନିର୍ବାଚନ ମଣ୍ଡଳୀ ନେତାଙ୍କ ଭିତରେ ପତିଆରା ପାଇଁ ଚାଲିଛି ପ୍ରତିଯୋଗିତା। ବ୍ରଜରାଜନଗର ବିଧାୟକ ତଥା ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀଙ୍କ ସହ ଝାରସୁଗୁଡ଼ା ବିଧାୟକ ଟଙ୍କଧର ତ୍ରିପାଠୀଙ୍କର ପଡୁନଥିବା ଚର୍ଚ୍ଚା। ଗତକାଲି ଝାରସୁଗୁଡା ଗସ୍ତ ସମୟରେ ମନ୍ତ୍ରୀକୁ ଜୋରଦାର ବିରୋଧ କରିଥିଲେ ଟଙ୍କଧରଙ୍କ ସମର୍ଥକ।
ସେହିପରି ବିଜେଡି ଗୋଷ୍ଠୀ କନ୍ଦଳ ଦାଣ୍ଡରେ ପଡି ହାଟରେ ଗଡୁଛି। ସ୍ବର୍ଗତ କିଶୋର ମହାନ୍ତି ଓ ସ୍ବର୍ଗତ ନବ ଦାସଙ୍କ ପରିବାର ଭିତରେ ଚାଲିଛି ପତିଆରା ଲଢେଇ। ଦୀପାଳି ଝାରସୁଗୁଡାରୁ ଲଢି ପରାଜିତ ହୋଇଥିଲେ ବି ବ୍ରଜରାଜନଗର ନିର୍ବାଚନ ମଣ୍ଡଳୀ ଯାଇ ସମାନ୍ତରାଳ ସଂଗଠନ କରୁଛନ୍ତି। ଯାହାକୁ ବିରୋଧ କରି ଆସୁଛନ୍ତି ପୂର୍ବତନ ବିଜେଡି ବିଧାୟିକା ଅଳକା ମହାନ୍ତିଙ୍କ ସମର୍ଥକ। କିଛି ଦିନ ତଳେ ଝାରସୁଗୁଡାରେ ବିଜେଡି ଏକ ପ୍ରତିବାଦ ସଭାରେ ସ୍ବର୍ଗତ କିଶୋର ମହାନ୍ତିଙ୍କୁ ଉଚିତ ସମ୍ମାନ ମିଳିନଥିବା ଦର୍ଶାଇ ସୋସିଆଲ୍ ମିଡିଆରେ ଦଳ ଉପରେ ବର୍ଷିଥିଲେ ପୁଅ ପୁରୁଷୋତ୍ତମ ମହାନ୍ତି। ପରେ ଅବଶ୍ୟ ସୋସିଆଲ୍ ମିଡିଆ ପୋଷ୍ଟକୁ ସେ ଡିଲିଟ୍ କରିଦେଇଥିଲେ। କିନ୍ତୁ ଅଳକା-ଦୀପାଳି କଳି ନବୀନ ନିବାସରେ ପହଞ୍ଚିଥିଲା। ଅଳକା ନିଜ ସମର୍ଥକଙ୍କ ସହ ଗତକାଲି ନବୀନ ନିବାସରେ ପହଞ୍ଚି ପାୱାର ସୋ କରିଥିଲେ।
୨୦୨୪ ସାଧାରଣ ନିର୍ବାଚନ ପରଠାରୁ ବିଜେଡିର ଝାରସୁଗୁଡା କନ୍ଦଳ ତୀବ୍ର ରୂପ ଧାରଣ କରିଛି। ଅଳକା ଓ ଦୀପାଳିଙ୍କ ଭିତରେ ବଢିଛି ଦୂରତା। ସେହିପରି ସୁରେଶ ଓ ଟଙ୍କଧରଙ୍କ ଭିତରେ ମଧ୍ୟ ପତିଆରା ପଲିଟିକ୍ସ ଜୋର୍। ଝାରସୁଗୁଡା ବିଧାୟକଙ୍କୁ ନଜଣାଇ ମନ୍ତ୍ରୀଙ୍କ ବିଭିନ୍ନ ସମୀକ୍ଷାକୁ ଟଙ୍କଧରଙ୍କ ସମର୍ଥକ ପୂର୍ବରୁ ବିରୋଧ କରିଥିବା ଦେଖିବାକୁ ମିଳିଥିଲା। ସେପଟେ ବିଜେପି ରାଜ୍ୟ ସଭାପତି କହିଛନ୍ତି, ଦଳରେ କୌଣସି କନ୍ଦଳ କି ବିବାଦ ନାହିଁ। ସେହିପରି ବିଜେଡି ଗୋଷ୍ଠୀ କନ୍ଦଳକୁ ପରୋକ୍ଷରେ ସ୍ବୀକାର କରିଥିଲେ ବି ନବୀନଙ୍କ ନେତୃତ୍ବରେ ସମସ୍ତେ ଏକ ବୋଲି କହିଛନ୍ତି ବିଜେଡି ନେତ୍ରୀ ଟୁକୁନି ସାହୁ। ରାଜନୈତିକ ସମୀକ୍ଷକଙ୍କ ମତ ହେଲା, ଯେହେତୁ ଝାରସୁଗୁଡା ହେଉଛି ଶିଳ୍ପ ସମୃଦ୍ଧ, ତେଣୁ ରାଜନୈତିକ ଫାଇଦା ପାଇଁ ନେତା ମାନେ ଦବଦବା ଜାହିର କରୁଛନ୍ତି।
ତେବେ ଗୋଷ୍ଠୀ କନ୍ଦଳ ଅଭିଯୋଗ ନେଇ ଦୀପାଳି, ସୁରେଶ କିମ୍ବା ଟଙ୍କଧରଙ୍କ ପ୍ରତିକ୍ରିୟା ମିଳିପାରି ନାହିଁ। ଏବେ ଦେଖିବାର କଥା ଶାସକ ଓ ପ୍ରମୁଖ ବିରୋଧୀ ବିଜେଡିର ଝାରସୁଗୁଡା ଗୋଷ୍ଠୀ କନ୍ଦଳ ପ୍ରଭାବ ଆସନ୍ତା ପଞ୍ଚାୟତ ଓ ପୌର ନିର୍ବାଚନ ଉପରେ କି ପ୍ରଭାବ ପକାଉଛି।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।