Prabhat Biswal Joins BJP: କଡ଼ ଲେଉଟେଇଲା କଟକ ପଲିଟିକ୍ସ, ସମର୍ଥକଙ୍କ ସହ ପଦ୍ମ ଧରିଲେ ପ୍ରଭାତ ବିଶ୍ବାଳ

Jul 12, 2026 - 20:05
Prabhat Biswal Joins BJP: କଡ଼ ଲେଉଟେଇଲା କଟକ ପଲିଟିକ୍ସ, ସମର୍ଥକଙ୍କ ସହ ପଦ୍ମ ଧରିଲେ ପ୍ରଭାତ ବିଶ୍ବାଳ

ମୁଣ୍ଡରେ ଗେରୁଆ ଟୋପି, କାନ୍ଧରେ ଗେରୁଆ ଉତ୍ତରୀୟ। ହାତରେ ପଦ୍ମ, ମୁହଁରେ ହସ। ପଦ୍ମ ଶିବିରରେ ପ୍ରଭାତ। ଦୁଇ ଦଶନ୍ଧିର ବିଜେଡି ସହ ସମ୍ପର୍କ କାଟି ପଦ୍ମ ପୋଖରୀରେ ଡିଆଁ ମାରିଛନ୍ତି କଟକ-ଚୌଦ୍ବାରର ତିନି ତିନି ଥରର ବିଧାୟକ ପ୍ରଭାତ ବିଶ୍ବାଳ। ଶହ ଶହ ସମର୍ଥକଙ୍କ ସହ ରାଜ୍ୟ ବିଜେପି ମୁଖ୍ୟ କାର୍ଯ୍ୟାଳୟରେ ପହଞ୍ଚିଥିଲେ ପ୍ରଭାତ। ଏହାପରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ, ରାଜ୍ୟ ସଭାପତି ମନମୋହନ ସାମଲ ଏବଂ ଅନ୍ୟ ପଦାଧିକାରୀଙ୍କ ଉପସ୍ଥିତିରେ ଧରିଛନ୍ତି ପଦ୍ମ। ପ୍ରଭାତଙ୍କ ସହ ଚୌଦ୍ବାର-କଟକର ଅନେକ ବିଜେଡି ନେତା ସାମିଲ ହୋଇଛନ୍ତି ବିଜେପିରେ। 

ପ୍ରଶ୍ନ ଉଠୁଛି, କାହିଁକି ବିଜେପିରେ ମିଶିଲେ ପ୍ରଭାତ ? ବାଧ୍ୟବାଧକତା ନା ରାଜନୈତିକ ଆବଶ୍ୟକତା? ବିଜେଡିରୁ ବହିଷ୍କାର- ରାଜ୍ୟସଭା ନିର୍ବାଚନ ବେଳେ ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କ ରାଜନୈତିକ ସଚିବ ସଂତୃପ୍ତ ମିଶ୍ରଙ୍କ ପ୍ରାର୍ଥିତ୍ୱକୁ ଖୋଲାଖୋଲି ବିରୋଧ କରିଥିଲେ ପ୍ରଭାତ। ଦଳ ବିରୋଧୀ କାର୍ଯ୍ୟ ଏବଂ ଶୃଙ୍ଖଳା ଭଙ୍ଗ ଅଭିଯୋଗରେ ବିଜେଡି ତାଙ୍କୁ ଦଳରୁ ବହିଷ୍କାର କରିଥିଲା। ଏହାପରେ ପଡିଥିଲା ପୁଅ ସୌଭିକଙ୍କ ପାଳି। 

ପୁଅ ସୌଭିକଙ୍କୁ ସସପେଣ୍ଡ- ରାଜ୍ୟସଭା ନିର୍ବାଚନରେ ପ୍ରଭାତଙ୍କ ପୁଅ ତଥା ଚୌଦ୍ୱାର-କଟକର  ବିଧାୟକ ସୌଭିକ ବିଶ୍ୱାଳ ସ୍ୱାଧୀନ ପ୍ରାର୍ଥୀ ଦିଲ୍ଲୀପ ରାୟଙ୍କୁ ଭୋଟ ଦେଇଥିଲେ। ରାଗ ଗର ଗର ବିଜେଡି ତାଙ୍କୁ ଦଳରୁ ସସପେଣ୍ଡ କରିଥିଲା। ଏହାପରେ ପୁରା ବିଶ୍ବାଳ ପରିବାରର ବିଜେଡି ସହ ତୁଟିଯାଇଥିଲା ସମ୍ପର୍କ। 

ପାଣ୍ଡିଆନଙ୍କୁ ବିରୋଧ- ବିଧାନସଭା ନିର୍ବାଚନରେ ବିଜେଡିର ପରାଜୟ ପରେ ପ୍ରଭାତ ବିଶ୍ୱାଳ ଦଳର ରଣନୀତିକାର ଏବଂ ସେତେବେଳେ ଦ୍ୱିତୀୟ କ୍ଷମତା କେନ୍ଦ୍ର ଭାବେ ପରିଚିତ ଭିକେ ପାଣ୍ଡିଆନଙ୍କୁ ଖୋଲାଖୋଲି ସମାଲୋଚନା କରିଥିଲେ। ଟିକେଟ୍ ବଣ୍ଟନରୁ ନିର୍ବାଚନ ପରିଚାଳନା ଯାଏଁ, ବିଜେଡି ଉପରେ ଝାଡିଥିଲେ ଅସନ୍ତୋଷ। 

ବିଜୁ ଟ୍ରଷ୍ଟ ଓ ଦିଲ୍ଲୀ ଲିଙ୍କ୍- ବିଜେଡିର କୋଟି କୋଟି ଟଙ୍କାର ପାର୍ଟି ଫଣ୍ଡ ପରିଚାଳନା ଉପରେ ବି ପ୍ରଶ୍ନ ଉଠାଇଥିଲେ ପ୍ରଭାତ। ଦିଲ୍ଲୀରେ ବିଜୁ-ନବୀନ ଇନ୍ସପିରେସନାଲ୍ ଫାଉଣ୍ଡେସନ୍ ନାଁରେ ଏକ ଆକାଉଣ୍ଟ ଖୋଲାଯାଇଥିବା ଏବଂ ପାଣ୍ଡିଆନ ଏହାର ପରିଚାଳନା କରୁଥିବା ଅଭିଯୋଗ ଆଣିଥିଲେ। ଯାହାକୁ ନେଇ ଓଡ଼ିଶା ରାଜନୀତିରେ ହୋଇଥିଲା ବଡ ହଲଚଲ। 
ରାଜନୈତିକ ଭବିଷ୍ୟତ ସୁରକ୍ଷା- କଟକ ଓ ଚୌଦ୍ୱାର ଅଞ୍ଚଳରେ ନିଜର ଏବଂ ନିଜ ସମର୍ଥକମାନଙ୍କ ରାଜନୈତିକ ଅସ୍ତିତ୍ୱ ତଥା ଭବିଷ୍ୟତକୁ ସୁରକ୍ଷିତ ରଖିବା ପାଇଁ ଶାସକ ଦଳ ବିଜେପି ହିଁ ତାଙ୍କ ପାଇଁ ଥିଲା ଶ୍ରେଷ୍ଠ ବିକଳ୍ପ। ଯାହାକୁ ହାତଛଡା କରିନାହାଁନ୍ତି ପ୍ରଭାତ

ପ୍ରଥମେ ଦେବାଶିଷ ସାମନ୍ତରାୟ ଆଉ ଏବେ ପ୍ରଭାତ ବିଶ୍ବାଳ। ବିଜେଡିର ଦୁଇ ହେଭିୱେଟ୍ ବିଜେପି ଶିବିରରେ ଯୋଗ ଦେବାପରେ ଓଲଟପାଲଟ ହେଇଯାଇଛି କଟକ ଅଙ୍କ। ମୁରବୀଶୂନ୍ୟ ହୋଇପଡିଛି ବିଜେଡି। ଦୁଇ ଦଶନ୍ଧି ଧରି ନିଜ ନିର୍ବାଚନ ମଣ୍ଡଳୀ ସହ ପାଖ ଜିଲ୍ଲାରେ ପ୍ରଭାବ ବିସ୍ତାର କରିଛନ୍ତି ପ୍ରଭାତ। ପ୍ରଥମେ ୨୦୦୦ ମସିହାରେ ସ୍ବାଧୀନ ବିଧାୟକ ଏବଂ ପରେ ୨୦୦୯ ଓ ୨୦୧୪ରେ ଚୌଦ୍ବାର କଟକରୁ ଦୁଇ ଥର ବିଜେଡି ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ। ଚିଟଫଣ୍ଡ ମାମଲାରେ ପ୍ରଭାତ ଛନ୍ଦି ହେବାପରେ ପୁଅ ସୌଭିକ ବିଶ୍ବାଳଙ୍କୁ ଟିକେଟ୍ ଦେଇଥିଲା ବିଜେଡି। ୨୦୧୯ ଏବଂ ୨୦୨୪ରେ ଦୁଇ ଦୁଇ ଥର ବିଧାୟକ ବନିଛନ୍ତି ସୌଭିକ। ଏବେ ପ୍ରଭାତ ବିଶ୍ବାଳ ବିଜେପିରେ ମିଶିବା ପରେ ତେଜିଛି ରାଜନୀତି। ବିଜେଡି କହିଛି, ପ୍ରଭାତ ପୋକା ବାଇଗଣ। ବିଜେଡିକୁ କେତେ ଆସିବେ, କେତେ ଯିବେ, କିଛି ବି ପ୍ରଭାବ ପଡ଼ିବନି। ବିଜେପି କହିଛି, ସେହି ପୋକା ବାଇଗଣକୁ ନେଇ ଆମେ ଆମ ଦଳକୁ ଠିକ୍ ଭାବରେ ଗଢିବୁ ସେହି ବିଶ୍ବାସ ଆମର ଅଛି।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।