Jain Couple Donates Gold Worth Rs 206 Crore: ତିରୁପତି ମନ୍ଦିରକୁ ୨୦୬ କୋଟିର ସୁନା ଦାନ, ୧୨୧ କେଜି ସୁନା ଦେଲେ ଜୈନ ଦମ୍ପତି
ଭଗବାନଙ୍କ ପ୍ରତି ଅଗାଢ଼ ଭକ୍ତି।
ଆଉ ସେହି ଭକ୍ତିର ଏକ ବିରାଟ ଉଦାହରଣ ଦେଖାଇଛନ୍ତି ଚେନ୍ନାଇର ଜୈନ ଦମ୍ପତି।
ତିରୁପତି ମନ୍ଦିରକୁ ଦାନ କରିଛନ୍ତି ୧୨୧ କିଲୋଗ୍ରାମ ଓଜନର ସୁନା ଅଳଙ୍କାର।
ଏହାର ମୂଲ୍ୟ ପ୍ରାୟ ୨୦୬ କୋଟି ଟଙ୍କା।
ହୀରା ଖଚିତ ସୁନା ଅଳଙ୍କାର ସମେତ ଏହି ବିପୁଳ ସମ୍ପତ୍ତିକୁ ଭଗବାନ ଶ୍ରୀ ଭେଙ୍କଟେଶ୍ୱରଙ୍କ ଉଦ୍ଦେଶ୍ୟରେ ଅର୍ପଣ କରିଛନ୍ତି ଦମ୍ପତି।
Advertisment ଚେନ୍ନାଇର ବର୍ଦ୍ଧମାନ ଜୈନ ଓ ରାଧିକା ଜୈନ ନାମକ ଏହି ଦମ୍ପତି ତିରୁମାଲା ତିରୁପତି ଦେବସ୍ଥାନମ୍ (TTD)ର ପୂଜକ ଏବଂ ଅଧିକାରୀଙ୍କୁ ଏହି ଅଳଙ୍କାର ହସ୍ତାନ୍ତର କରିଥିଲେ।
ଦାନ ସାମଗ୍ରୀ ମଧ୍ୟରେ ହୀରା ଖଚିତ ସୁନା ଅଳଙ୍କାର ରହିଛି।
ମନ୍ଦିରକୁ ମିଳିଥିବା ଏହା ଅନ୍ୟତମ ବଡ଼ ଦାନ ବୋଲି କୁହାଯାଉଛି।
ଏହି ଅବସରରେ ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁ ଦମ୍ପତିଙ୍କ ଉଦାରତା ଓ ଭକ୍ତିଭାବକୁ ପ୍ରଶଂସା କରିଥିଲେ।
ସେ କହିଥିଲେ, ୨୦୬ କୋଟି ଟଙ୍କାର ସୁନା ଅଳଙ୍କାର ଦାନ କରିବା ଏକ ଅସାଧାରଣ ଘଟଣା।
ଦମ୍ପତି ଭଗବାନଙ୍କ ପ୍ରତି ଗଭୀର ଆସ୍ଥା ଓ ଭକ୍ତିରୁ ଏଭଳି ନିଷ୍ପତ୍ତି ନେଇଛନ୍ତି।
ଏହି ଐତିହାସିକ ମୁହୂର୍ତ୍ତର ସାକ୍ଷୀ ହୋଇଥିବାରୁ ସେ ନିଜକୁ ଭାଗ୍ୟବାନ ମନେ କରୁଥିବା କହିଥିଲେ।
Advertisment ନାଇଡୁଙ୍କ କହିବା ଅନୁସାରେ, ଦମ୍ପତି ତାଙ୍କୁ କହିଥିଲେ ଯେ ଦିବ୍ୟ ପ୍ରେରଣାରୁ ସେମାନେ ଏହି ଦାନ କରିଛନ୍ତି।
ତିରୁମାଳା କେବଳ ଏକ ମନ୍ଦିର ନୁହେଁ, ଏହା ଆସ୍ଥା, ଭକ୍ତି ଓ ଆଧ୍ୟାତ୍ମିକ ପୂର୍ଣ୍ଣତାର ପ୍ରତୀକ ବୋଲି ସେ କହିଥିଲେ।
ଏହି ଅବସରରେ ମୁଖ୍ୟମନ୍ତ୍ରୀ ନିଜ ଜୀବନର ଏକ ଘଟଣା ମଧ୍ୟ ମନେ ପକାଇଥିଲେ।
ଆଲିପିରି ବୋମା ଆକ୍ରମଣରୁ ବଞ୍ଚିଯିବା ପଛରେ ଭଗବାନ ଭେଙ୍କଟେଶ୍ୱରଙ୍କ ଆଶୀର୍ବାଦ ଥିଲା ବୋଲି ସେ କହିଥିଲେ।
ଏହାସହ ମନ୍ଦିରର ପବିତ୍ରତା ରକ୍ଷା, ଗୋ-ସୁରକ୍ଷା, ବୈଦିକ ପରମ୍ପରା ଓ ପରିବେଶ ସଂରକ୍ଷଣକୁ ଗୁରୁତ୍ୱ ଦେବାକୁ TTDକୁ ଆହ୍ୱାନ ଦେଇଥିଲେ।
ଆନ୍ଧ୍ରପ୍ରଦେଶରେ TTD ସହଯୋଗରେ ୫ ହଜାର ମନ୍ଦିର ନିର୍ମାଣ ଯୋଜନା ଏବଂ 'ବୃକ୍ଷୋ ଗୋବିନ୍ଦମ୍' କାର୍ଯ୍ୟକ୍ରମର ସମ୍ପ୍ରସାରଣ ନେଇ ମଧ୍ୟ ସେ ଘୋଷଣା କରିଥିଲେ।
ଶେଷରେ ଧନୀ ବର୍ଗର ଲୋକଙ୍କୁ ଏହି ଦମ୍ପତିଙ୍କ ଉଦାହରଣ ଅନୁସରଣ କରିବାକୁ ନାଇଡୁ ଅନୁରୋଧ କରିଥିଲେ।
ମାନବ ସେବା ହିଁ ମାଧବ ସେବା ବୋଲି କହିବା ସହ ଧନକୁ ସମାଜ କଲ୍ୟାଣ, ଆଧ୍ୟାତ୍ମିକ କାର୍ଯ୍ୟ ଓ ଗରିବଙ୍କ ସେବାରେ ବିନିଯୋଗ କରିବା ଉଚିତ ବୋଲି ସେ ମତ ଦେଇଥିଲେ।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।
