Jagannath Prasad Das: ଆରପାରିରେ ସୃଜନର ସମ୍ରାଟ ଜେପି: ଏମ୍ସକୁ ପ୍ରଦାନ କରାଗଲା ମରଶରୀର
ଭୁବନେଶ୍ବର: କବିତା, ଉପନ୍ୟାସ, ନାଟକ, ଅନୁବାଦ, ସମାଲୋଚନା, ଇତିହାସଠାରୁ ଆରମ୍ଭ କରି ପଟ୍ଟଚିତ୍ର ଓ ତାଳପତ୍ର ଚିତ୍ରକଳାକୁ ଲେଖନୀ ମୁନରେ କାଗଜରେ ଉତ୍ତାରିବାରେ ସିଦ୍ଧହସ୍ତ ସମ୍ରାଟ ଜଗନ୍ନାଥ ପ୍ରସାଦ ଦାସ ଆଉ ନାହାନ୍ତି। ବୁଧବାର ବିଳମ୍ବିତ ରାତିରେ ଭୁବନେଶ୍ୱରସ୍ଥିତ ବାସଭବନରେ ତାଙ୍କର ପରଲୋକ ଘଟିଛି। ତାଙ୍କୁ ୯୦ ବର୍ଷ ହୋଇଥିଲା। ପୂର୍ବରୁ ସେ ଏମ୍ସକୁ ଶରୀର ଦାନ କରିବା ନିମନ୍ତେ ପଞ୍ଜୀକରଣ କରିଥିଲେ। ଏହିକ୍ରମରେ ଆଜି ତାଙ୍କ ମରଶରୀରକୁ ଭୁବନେଶ୍ବର ଏମ୍ସର ମେଡିକାଲ୍ ସୁପରିନ୍ଟେଣ୍ଡେଣ୍ଟ୍ ପ୍ରଭାସ ରଞ୍ଜନ ତ୍ରିପାଠୀ ଓ ସ୍ବର୍ଗତ ଦାସଙ୍କ ପରିବାର ଲୋକଙ୍କ ଉପସ୍ଥିତିରେ ଦାନ କରାଯାଇଛି। ସ୍ବର୍ଗତ ଦାସଙ୍କ ବିୟୋଗରେ ଓଡ଼ିଆ ସାହିତ୍ୟ, ନାଟ୍ୟ ଓ ସାଂସ୍କୃତିକ ଜଗତରେ ଶୋକର ଛାୟା ଖେଳିଯାଇଛି। ବହୁ ସାହିତ୍ୟିକ, କଳାକାର, ବୁଦ୍ଧିଜୀବୀ ଓ ରାଜନେତା ଗଭୀର ଶୋକ ପ୍ରକାଶ କରିଛନ୍ତି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ବିରୋଧୀ ଦଳନେତା ନବୀନ ପଟ୍ଟନାୟକ ଶୋକପ୍ରକାଶ କରିଛନ୍ତି।
KIIT: ଆଜିଠାରୁ କିଟ୍ରେ ସର୍ବଭାରତୀୟ ଜେକେଏ ପ୍ରତିଯୋଗିତା
ଏମ୍ସକୁ ପ୍ରଦାନ କରାଗଲା ମରଶରୀର
ସାରସ୍ବତ ଜଗତରେ ଶୋକର ଛାୟା
ମୁଖ୍ୟମନ୍ତ୍ରୀ, କେନ୍ଦ୍ରମନ୍ତ୍ରୀ ଓ ବିରୋଧୀ ଦଳ ନେତାଙ୍କ ଶୋକ ପ୍ରକାଶ
ଜେ ପି ଦାସ ୧୯୩୬ ମସିହା ଏପ୍ରିଲ ୨୬ରେ ପୁରୀ ଜିଲ୍ଲାରେ ଜନ୍ମଗ୍ରହଣ କରିଥିଲେ। ରେଭେନ୍ସା କଲେଜରେ ପାଠପଢ଼ା ପରେ ସେ ଆଲ୍ହାବାଦ ବିଶ୍ୱବିଦ୍ୟାଳୟରେ ଉଚ୍ଚଶିକ୍ଷା ଲାଭ କରିଥିଲେ। ୧୯୫୮ ମସିହାରେ ଭାରତୀୟ ପ୍ରଶାସନିକ ସେବାରେ ଯୋଗ ଦେଇଥିଲେ। ସରକାରୀ ଚାକିରିର ବ୍ୟସ୍ତତା ମଧ୍ୟରେ ମଧ୍ୟ ସାହିତ୍ୟକୁ ଅଣଦେଖା କରିନଥିଲେ। ୧୯୬୫-୧୯୬୬ ମସିହାରେ କଳାହାଣ୍ଡି ଜିଲ୍ଲାପାଳ ଥିବା ସମୟରେ ଦୁର୍ଭିକ୍ଷ ପରିସ୍ଥିତି ମୁକାବିଲାରେ ତାଙ୍କ ପରିଚାଳନା ଦକ୍ଷତା ସମସ୍ତଙ୍କ ପାଇଁ ଅବିସ୍ମରଣୀୟ ହୋଇ ରହିବ। ୧୯୮୪ ମସିହାରେ ସ୍ୱେଚ୍ଛାକୃତ ଅବସର ନେବା ପରେ ସେ ସମ୍ପୂର୍ଣ୍ଣ ଭାବେ ସାହିତ୍ୟ, କଳା ଓ ସଂସ୍କୃତି ଚର୍ଚ୍ଚାରେ ନିଜକୁ ନିୟୋଜିତ କରିଥିଲେ। ଜେ ପି ଦାସଙ୍କ ରଚିତ ‘ପ୍ରଥମ ପୁରୁଷ’, ‘ଆହ୍ନିକ’, ‘ପରିକ୍ରମା’, ‘ଦେଶ କାଳ ପାତ୍ର’ ତାଙ୍କୁ ସାରସ୍ବତ ଜଗତରେ ସ୍ୱତନ୍ତ୍ର ପରିଚୟ ଦେଇଥିଲା। ‘ସୂର୍ଯ୍ୟାସ୍ତ ପୂର୍ବରୁ’ ଓ ‘ସୁନ୍ଦର ଦାସ’ ପରି ନୂତନ ଧାରାର ନାଟକ ମାଧ୍ୟମରେ ସେ ଓଡ଼ିଆ ରଙ୍ଗମଞ୍ଚକୁ ଏକ ନୂଆ ଦିଗ ପ୍ରଦାନ କରିଥିଲେ।
ତାଙ୍କ ପ୍ରୟାସରେ ଓଡ଼ିଆ ସାହିତ୍ୟ ଓ ସଂସ୍କୃତିର ବହୁ ମୂଲ୍ୟବାନ ସୃଷ୍ଟି ସ୍ୱିଡିସ୍, ଉର୍ଦ୍ଦୁ, ଫରାସୀ ଓ ଇଂରାଜୀ ଭଳି ବିଭିନ୍ନ ଭାଷାର ପାଠକଙ୍କ ନିକଟରେ ପହଞ୍ଚିପାରିଥିଲା।
Mou: ୯୦୦୦ ଠିକା କର୍ମଚାରୀଙ୍କ କଲ୍ୟାଣ ପାଇଁ ଏସ୍ବିଆଇ ସହ ନାଲ୍କୋର ଏମ୍ଓୟୁ
ଏହା ମାଧ୍ୟମରେ ସେ ଓଡ଼ିଶାର ସାହିତ୍ୟିକ ଓ ସାଂସ୍କୃତିକ ଐତିହ୍ୟକୁ ଆନ୍ତର୍ଜାତିକ ସ୍ତରରେ ପରିଚିତ କରାଇବାରେ ସଫଳ ହୋଇଥିଲେ। ‘ଆହ୍ନିକ’ କୃତି ପାଇଁ ସେ ସାହିତ୍ୟ ଏକାଡେମି ପୁରସ୍କାର ପାଇଁ ମନୋନୀତ ହୋଇଥିଲେ। ପରେ ‘ପରିକ୍ରମା’ ପାଇଁ ଦେଶର ଅନ୍ୟତମ ମର୍ଯ୍ୟାଦାଜନକ ‘ସରସ୍ୱତୀ ସମ୍ମାନ’ ପାଇଥିଲେ। ସାହିତ୍ୟ ସହିତ ଓଡ଼ିଶାର ଚିତ୍ରକଳା ଓ ଲୋକକଳା ଐତିହ୍ୟ ଉପରେ ମଧ୍ୟ ତାଙ୍କର ଗଭୀର ଗବେଷଣା ଥିଲା। ‘ପୁରୀ ପେଣ୍ଟିଂସ୍’ ଓ ‘ପାମ୍-ଲିଫ୍ ମିନିଏଚର୍ସ’ ଭଳି ତାଙ୍କର ଗବେଷଣାଧର୍ମୀ ପୁସ୍ତକଗୁଡ଼ିକ ଓଡ଼ିଶାର ପଟ୍ଟଚିତ୍ର ଓ ତାଳପତ୍ର ଚିତ୍ରକଳା ପରମ୍ପରାକୁ ଦଲିଲଭୁକ୍ତ କରିବା ସହ ଏହାର ଐତିହାସିକ ଓ କଳାତ୍ମକ ମୂଲ୍ୟକୁ ବିଶ୍ୱ ସମ୍ମୁଖରେ ଉପସ୍ଥାପନ କରିଥିଲା।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।