Capital Hospital: କ୍ୟାପିଟାଲ୍ ହସ୍ପିଟାଲ୍ରେ ରାତିର ବିକଳ ଚିତ୍ର
ଭୁବନେଶ୍ବର: ରାଜଧାନୀ ସମେତ ପୁରୀ, ଖୋର୍ଦ୍ଧା, ଜଟଣୀ ଆଦି ଅଞ୍ଚଳର ଲକ୍ଷ ଲକ୍ଷ ଲୋକଙ୍କ ସ୍ବାସ୍ଥ୍ୟସେବା ପାଇଁ ଭରସାର କେନ୍ଦ୍ର କ୍ୟାପିଟାଲ୍ ହସ୍ପିଟାଲ୍। ଜରୁରୀକାଳୀନ ସ୍ବାସ୍ଥ୍ୟସେବା ପାଇଁ ରାତି ଅଧରେ ଲୋକେ ଏଠାକୁ ଧାଇଁଆସନ୍ତି। ସଡ଼କ ଦୁର୍ଘଟଣାରୁ ଆରମ୍ଭ କରି ଗର୍ଭ ଯନ୍ତ୍ରଣା ଭୋଗୁଥିବା ରୋଗୀମାନେ ରାତି ଅଧରେ ଏହି ସରକାରୀ ମେଡିକାଲକୁ ଆସିବାକୁ ପସନ୍ଦ କରନ୍ତି। କିନ୍ତୁ ବିଳମ୍ବିତ ରାତିରେ ଏଠି ତତ୍କାଳ ଆସୁଥିବା ରୋଗୀଙ୍କୁ ଆଶାନୁରୂପ ସେବା ମିଳେ ନାହିଁ ବୋଲି ଅଭିଯୋଗ ହୋଇଆସୁଛି। ତେଣୁ ଏହି ଅଭିଯୋଗର ସତ ପରଖିବାକୁ ଗୁରୁବାର ରାତି ୧୧ଟା ପରେ ‘ସମ୍ବାଦ’ ଟିମ୍ ହସ୍ପିଟାଲ୍ରେ ପହଞ୍ଚିଥିଲା। ସତକୁ ସତ ଦେଖିବାକୁ ମିଳିଥିଲା ରାଜଧାନୀର ସବୁଠୁ ବଡ଼ ସରକାରୀ ହସ୍ପିଟାଲ୍ରେ ରାତିର ବିକଳ ଚିତ୍ର।
ଫଟୋଗ୍ରାଫର୍ ବିଭୂତି
Mou: ୯୦୦୦ ଠିକା କର୍ମଚାରୀଙ୍କ କଲ୍ୟାଣ ପାଇଁ ଏସ୍ବିଆଇ ସହ ନାଲ୍କୋର ଏମ୍ଓୟୁ
ଦେୟମୁକ୍ତ ଶୌଚାଳୟର ତାଲା
ବିଭିନ୍ନ ବିଭାଗର ୱାର୍ଡ ରାତିରେ ସଫାସୁତରା ନଥିବା ଦେଖାଯାଇଥିଲା। ଜରୁରୀକାଳୀନ ଶୌଚଳୟ ଅବସ୍ଥା ନ କହିବା ଭଲ। ପାଖରେ ଠିଆ ହେବାକୁ ହେଲେ ନାକରେ ରୁମାଲ ବାନ୍ଧିବାକୁ ପଡ଼ୁଥିଲା। ସ୍ତ୍ରୀ ରୋଗ ଓ ପ୍ରସୂତି ବିଭାଗ ନିକଟରେ ଥିବା ଦେୟମୁକ୍ତ ଶୌଚାଳୟରେ ତାଲା ଝୁଲୁଥିଲା। ତେଣୁ ଲୋକେ ଶୌଚ ହେବା ପାଇଁ ସମସ୍ୟାରେ ପଡ଼ୁଥିଲେ। କିଛି ଲୋକ ଏଠି ସେଠି ପରିସ୍ରା କରୁଥିଲେ।
ଫ୍ୟାନ୍ ତଳେ ଶୋଇବାକୁ ପ୍ରତିଯୋଗିତା
ରୋଗୀ ସମ୍ପର୍କୀୟମାନଙ୍କ ପାଇଁ ଶୋଇବା ଲାଗି ସ୍ବତନ୍ତ୍ର ଜାଗା ନାହିଁ। ନିରାମୟ ଓ ପଞ୍ଜୀକରଣ କେନ୍ଦ୍ରରେ ପଙ୍ଖା ଲାଗିଥିବାରୁ ସେଠି ଶୋଇବାକୁ ପ୍ରତିଯୋଗିତା ଲାଗୁଥିଲା। ବିଶେଷକରି ଠିକ୍ ପଙ୍ଖା ତଳେ ଜାଗା ପାଇବାକୁ ଭିଡ଼ାଟଣା ସ୍ଥିତି। ଜଣେ ପରିସ୍ରା କରିବାକୁ ଯାଇଥିବା ବେଳେ ତାଙ୍କ ସ୍ଥାନରେ ଆଉ ଜଣେ ଶୋଇ ପଡ଼ିବାରୁ କଳି ଲାଗିଲା। ଦୁଇଜଣଙ୍କ ମଧ୍ୟରେ ପ୍ରବଳ ବଚସା ହେଲା ଏବଂ ହାତ ଉଠାଉଠି ପର୍ଯ୍ୟନ୍ତ କଥା ଗଲା।
ଶଯ୍ୟାରେ ରୋଗୀ, ସମ୍ପର୍କୀୟଙ୍କ ହାତରେ ସାଲାଇନ
ଜରୁରୀକାଳୀନ ବିଭାଗରେ ପ୍ରବଳ ଭିଡ଼ ଦେଖିବାକୁ ମିଳିଥିଲା। ଶଯ୍ୟାଟିଏ ମିଳିବା କଷ୍ଟକର ଥିଲା। କେହି ରୋଗୀ ଶଯ୍ୟା ଛାଡ଼ିଲେ ତ ବେଡ୍ସିଟ୍ ବଦଳିବା ପୂର୍ବରୁ ଆଉ ଜଣେ ରୋଗୀଙ୍କୁ ଶୁଆଇ ଦିଆଯାଉଥିଲା। କିଛି ରୋଗୀ ବାରଣ୍ଡାରେ ତଳେ ଗଡ଼ୁଥିବା ଦେଖିବାକୁ ମିଳିଥିଲା। କିଛି ରୋଗୀଙ୍କୁ ଷ୍ଟ୍ରେଚର୍ରେ ଶୁଆଇ ବାରଣ୍ଡାରେ ରୋଗୀ ଚିକିତ୍ସିତ ହେଉଛନ୍ତି। ଅନ୍ୟ ଏକ ବିଚିତ୍ର ଦୃଶ୍ୟ ଏତେ ବଡ଼ ହସ୍ପିଟାଲ୍ର ଦୟନୀୟ ସ୍ଥିତିକୁ ଜଳଜଳ ଦେଖାଉଥିଲା। ରୋଗୀ ଶଯ୍ୟାରେ ପଡ଼ିଥିଲେ ଏବଂ ସମ୍ପର୍କୀୟ ସାଲାଇଲ ଧରି ଶଯ୍ୟା ପାଖରେ ଠିଆ ହୋଇ ରହିଥିଲେ। କାରଣ ସାଲାଇନ ଷ୍ଟାଣ୍ଡ୍ ମିଳିନଥିଲା।
Education: ସିଇଇ ଅନଲାଇନ୍ ଆବେଦନର ଶେଷ ତାରିଖ ୭ ଜୁନ୍ ପର୍ଯ୍ୟନ୍ତ ବୃଦ୍ଧି
ସବୁଠି କୁକୁର ରାଜ୍
ରାତିରେ ପ୍ରାୟ ସବୁଠି ବୁଲା କୁକୁର ଥିଲେ। ସବୁ ୱାର୍ଡ ସମ୍ମୁଖରେ ରୋଗୀଙ୍କ ସମ୍ପର୍କୀୟ ଶୋଇଥିବା ଜାଗା ପାଖରେ କୁକୁର ବୁଲୁଥିଲେ ଏବଂ ମନ ହେଲେ ଭୁକୁଥିଲେ। ସେମାନଙ୍କୁ ତଡ଼ିବାକୁ କେହି ନାହିଁ। କୁକୁର ଭୁକିବାରୁ ରୋଗୀମାନେ ବି ଭଲରେ ଶୋଇପାରୁନାହାନ୍ତି ବୋଲି କିଛି ଲୋକ କହିଥିଲେ।
ଶିଶୁ ବିଭାଗରେ ନଥିଲେ ସୁରକ୍ଷାକର୍ମୀ
ଶିଶୁରୋଗ ବିଭାଗରେ ସୁରକ୍ଷାକର୍ମୀ ନଥିଲେ। ତେଣୁ ସେହି ୱାର୍ଡକୁ କିଏ ଯାଉଛି, କିଏ ଫେରୁଛି, ତା’ର ତନଖି କରିବାକୁ କେହି ନଥିଲେ। ଚଟାଣରେ ରୋଗୀଙ୍କ ସମ୍ପର୍କୀୟ ଶୋଇଥିଲେ। କେହି ଦୁର୍ବୃତ୍ତ କୌଣସି ରୋଗୀ ସମ୍ପର୍କୀୟଙ୍କର କିିଛି ଚୋରି କରିନେଲେ ବି ଜଗିବାକୁ କେହି ନାହିଁ।
ଷ୍ଟ୍ରେଚର୍, ହୁଇଲ୍ଚେୟାର ପାଇଁ ହନ୍ତସନ୍ତ
ଜରୁରୀକାଳୀନ ବିଭାଗ ପାଖରୁ ପ୍ରାୟ ୨୦୦ ମିଟର ଦୂରରେ ଏକ୍ସ-ରେ ଓ ସିଟି ସ୍କାନ୍ କେନ୍ଦ୍ର ରହିଛି। ତେଣୁ କୌଣସି ପରୀକ୍ଷା କରାଇବାକୁ ସେତିକି ଦୂର ପର୍ଯ୍ୟନ୍ତ ଷ୍ଟ୍ରେଚର୍ କିମ୍ବା ହୁଇଲ୍ ଚେୟାର୍ ଦରକାର। ମାତ୍ର ଯଥେଷ୍ଟ ସଂଖ୍ୟକ ଷ୍ଟ୍ରେଚର୍, ହୁଇଲ୍ ଚେୟାର୍ ନଥିବାରୁ ସମ୍ପର୍କୀୟମାନେ ରୋଗୀଙ୍କୁ ଟେକି ଟେକି ନେବାକୁ ପଡ଼ୁଥିବା ଦେଖିବାକୁ ମିଳିଥିଲା।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।