India Beat Pakistan by One Wicket: ପାକିସ୍ତାନ ହାତରୁ ଛଡ଼ାଇ ଆଣିଲେ ବିଜୟ, U-19 ଏସିଆ କପ୍ ଚାମ୍ପିଅନ୍ ଭାରତ
କ୍ରିକେଟ୍ ମଇଦାନରେ ରୋମାଞ୍ଚର ସବୁ ସୀମା ଟପିଗଲା।
ଶେଷ ୱିକେଟ୍ରେ ଚାପ, ସାମ୍ନାରେ ବିଶାଳ ଟାର୍ଗେଟ୍ ଏବଂ ବିପକ୍ଷରେ ଚିରପ୍ରତିଦ୍ୱନ୍ଦ୍ୱୀ ପାକିସ୍ତାନ।
ହେଲେ ହାର ମାନିଲାନି ଭାରତୀୟ ଯୁବ ଦଳ।
ଶେଷ ପର୍ଯ୍ୟନ୍ତ ଲଢ଼ି ପାକିସ୍ତାନ ହାତରୁ ବିଜୟ ଛଡ଼ାଇ ଆଣିଲା ଟିମ୍ ଇଣ୍ଡିଆ।
୨୦୨୬ ଅଣ୍ଡର-୧୯ ଏସିଆ କପ୍ ଫାଇନାଲରେ ଗୋଟିଏ ୱିକେଟ୍ରେ ରୋମାଞ୍ଚକର ବିଜୟ ସହ ଚାମ୍ପିଅନ୍ ହୋଇଛି ଭାରତ।
ଏହା ଟୁର୍ଣ୍ଣାମେଣ୍ଟ ଇତିହାସରେ ଭାରତର ଦଶମ ଟାଇଟଲ୍।
Advertisment ଓମାନର ଅଲ୍ ଆମେରାଟ୍ କ୍ରିକେଟ୍ ଗ୍ରାଉଣ୍ଡରେ ଖେଳାଯାଇଥିବା ଫାଇନାଲରେ ପ୍ରଥମେ ବ୍ୟାଟିଂ କରି ପାକିସ୍ତାନ ୫୦ ଓଭରରେ ୯ ୱିକେଟ୍ ହରାଇ ୩୩୭ ରନ୍ କରିଥିଲା।
ପାକିସ୍ତାନ ପକ୍ଷରୁ ଉସମାନ ଖାନ୍ ୧୦୭ ରନ୍ର ଶତକୀୟ ଇନିଂସ ଖେଳିଥିବା ବେଳେ ଅବଦୁଲ କାଦିର ୮୦ ଏବଂ ଅଧିନାୟକ ଫରହାନ ୟୁସୁଫ ୬୩ ରନ୍ କରିଥିଲେ।
ଭାରତ ପାଇଁ କାଭ୍ୟା ପଟେଲ ୪ଟି ଏବଂ ଚିଗୁରୁପତି ଭେଙ୍କଟା ୩ଟି ୱିକେଟ୍ ନେଇଥିଲେ।
୩୩୮ ରନ୍ର ବିଜୟ ଲକ୍ଷ୍ୟ ନେଇ ପଡ଼ିଆକୁ ଓହ୍ଲାଇଥିଲା ଭାରତ।
ଆରମ୍ଭ ଭଲ ହୋଇଥିଲେ ମଧ୍ୟ ମଝି ଓଭରରେ ଲଗାତାର ୱିକେଟ୍ ପତନ ଯୋଗୁଁ ଦଳ ଚାପରେ ପଡ଼ିଥିଲା।
ଆର୍ଯ୍ୟବୀର ସେହୱାଗ ୫୮ ରନ୍ କରିଥିବା ବେଳେ ଅଧିନାୟକ ଲକ୍ଷ୍ୟ ରାଇଚନ୍ଦାନୀ ୮୦ ରନ୍ର ଗୁରୁତ୍ୱପୂର୍ଣ୍ଣ ଇନିଂସ ଖେଳିଥିଲେ।
ତଥାପି ମ୍ୟାଚ୍ର ଶେଷ ଭାଗରେ ଭାରତର ସ୍ଥିତି ଦୋହଲି ଯାଇଥିଲା।
Advertisment ଏଭଳି ସଙ୍କଟ ସମୟରେ ମନଲ ଚୌହାନ ଓ ମୋହିତ ଉଲ୍ୱାଙ୍କ ଲଢ଼ୁଆ ପ୍ରଦର୍ଶନ ଭାରତ ପାଇଁ ନିର୍ଣ୍ଣାୟକ ହୋଇଥିଲା।
ବିଶେଷକରି ମୋହିତ ଶେଷ ପର୍ଯ୍ୟନ୍ତ ଅପରାଜିତ ରହି ୨୬ ବଲ୍ରୁ ୪୯ ରନ୍ କରିଥିଲେ।
ଶେଷ ୱିକେଟ୍ରେ ଚିଗୁରୁପତି ଭେଙ୍କଟାଙ୍କ ସହ ମିଶି ମୋହିତ ଭାରତକୁ ବିଜୟ ଲକ୍ଷ୍ୟ ପାର କରାଇଥିଲେ।
୪୯.୬ ଓଭରରେ ୯ ୱିକେଟ୍ ହରାଇ ୩୩୯ ରନ୍ କରି ଭାରତ ଗୋଟିଏ ୱିକେଟ୍ରେ ମ୍ୟାଚ୍ ଜିତିଥିଲା।
ଏହି ବିଜୟ ସହ ଭାରତ ଗ୍ରୁପ୍ ପର୍ଯ୍ୟାୟରେ ପାକିସ୍ତାନଠାରୁ ମିଳିଥିବା ପରାଜୟର ମଧ୍ୟ ମଧୁର ପ୍ରତିଶୋଧ ନେଇଛି।
ଶେଷ ବଲ୍ ପର୍ଯ୍ୟନ୍ତ ଲଢ଼େଇ କରି ଯୁବ ଭାରତୀୟ ଖେଳାଳି ପ୍ରମାଣ କରିଦେଲେ—ଚାପ ଯେତେ ବି ଥାଉ, ଶେଷ ପର୍ଯ୍ୟନ୍ତ ହାର ମାନିବାର ନାହିଁ!
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।
