Income Tax: ଆୟକର ବିଭାଗର ଟିକସଦାତା ହବ୍-୨୦୨୬ ଆରମ୍ଭ
ଭୁବନେଶ୍ବର: ଓଡ଼ିଶା ଆୟକର ବିଭାଗର ତିନିଦିନିଆ 'ଟିକସଦାତା ହବ୍-୨୦୨୬' କାର୍ଯ୍ୟକ୍ରମ ଆଜିଠାରୁ ଓଡ଼ିଶା ପ୍ରେସ୍ କ୍ଲବ୍ରେ ବୁଧବାର ଉଦ୍ଘାଟିତ ହୋଇଛି।
ଉଦ୍ଘାଟନୀ ସମାରୋହରେ ମୁଖ୍ୟ ଅତିଥି ଭାବେ ଓଡ଼ିଶା ତଥା ପଶ୍ଚିମବଙ୍ଗ ଓ ସିକ୍କିମ୍ର ଆୟକର ପ୍ରଧାନ ମୁଖ୍ୟ ଆୟୁକ୍ତ ସୁରଭି ବର୍ମା ଗର୍ଗ ଯୋଗଦେଇଥିଲେ।
ସମ୍ବଲପୁର ଓ କଟକର ଆୟକର ମୁଖ୍ୟ ଆୟୁକ୍ତ ସରୋଜ କୁମାର ମହାପାତ୍ର, ଭୁବନେଶ୍ୱରର ଆୟକର ତଦନ୍ତ ପ୍ରଧାନ ନିର୍ଦ୍ଦେଶକ ଡ.
ସନ୍ଦୀପ ଗୋଏଲ, ଅଭିନେତା ଅନୁଭବ ମହାନ୍ତି ଓ ଜାତୀୟ ହକି ତାରକା ଅମିତ ରୋହିଦାସ ସମ୍ମାନିତ ଅତିଥି ଭାବେ ଯୋଗଦେଇଥିଲେ।
ମୁଖ୍ୟ ଅତିଥି ଶ୍ରୀମତୀ ଗର୍ଗ ସେବା କିଓସ୍କଗୁଡ଼ିକର ଉଦ୍ଘାଟନ କରିବା ସହ ଅତିଥିମାନଙ୍କ ସହ ମିଶି ବିଭିନ୍ନ ଷ୍ଟଲ୍ ଓ ଲାଉଞ୍ଜ ପରିଦର୍ଶନ କରିଥିଲେ।
ଷ୍ଟଲ୍ଗୁଡ଼ିକରେ ପାନ୍, ଟାନ୍ ସମ୍ବନ୍ଧୀୟ ସେବା, ଇ-ଫାଇଲିଂ, ଟିଡିଏସ୍ ଓ ଅନ୍ୟାନ୍ୟ ଡିଜିଟାଲ୍ କରଦାତା ସେବା ସମ୍ପର୍କରେ ସହାୟତା ଓ ମାର୍ଗଦର୍ଶନ ଯୋଗାଇ ଦିଆଯାଉଛି।
Advertisment ଆୟକର ସାକ୍ଷରତା ବୃଦ୍ଧି, କର ସମ୍ପର୍କିତ ସଚେତନତା ସୃଷ୍ଟି ଏବଂ ସ୍ୱେଚ୍ଛାକୃତ ଭାବେ କର ପରିପାଳନକୁ ଉତ୍ସାହିତ କରିବା ଉଦ୍ଦେଶ୍ୟରେ ଏହି କାର୍ଯ୍ୟକ୍ରମ ଆୟୋଜନ କରାଯାଇଛି।
ଏହି କାର୍ଯ୍ୟକ୍ରମରେ କରଦାତା, କର ପରାମର୍ଶଦାତା, ପେସାଦାର ବ୍ୟକ୍ତିବିଶେଷ, ଛାତ୍ରଛାତ୍ରୀ ଓ ସାଧାରଣ ନାଗରିକମାନେ ଆୟକର ବିଭାଗ ସହ ସିଧାସଳଖ ଭାବେ ଭାବ ବିନିମୟ କରିବାର ସୁଯୋଗ ପାଇଛନ୍ତି।
କାର୍ଯ୍ୟକ୍ରମର ଉଦ୍ଘାଟନୀ ଅଧିବେଶନରେ ସମାଜ ପ୍ରତି ଉଲ୍ଲେଖନୀୟ ଅବଦାନ ନିମନ୍ତେ ବିଶିଷ୍ଟ ଡାକ୍ତର, ସମାଜସେବୀ, ଷ୍ଟାର୍ଟଅପ୍ ଉଦ୍ୟୋଗୀ, କଳାକାର ଓ ବରିଷ୍ଠ କରଦାତାମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା।
ପ୍ରଥମ ଦିନର କାର୍ଯ୍ୟକ୍ରମରେ ଗଣନାୟକ ଓଡ଼ିଶୀ ନୃତ୍ୟ ପରିବେଷଣ, ଯାଦୁ ପ୍ରଦର୍ଶନ, ନୁକ୍କଡ଼ ନାଟକ ଓ ବିଶିଷ୍ଟ ଚାର୍ଟାର୍ଡ ଆକାଉଣ୍ଟାଣ୍ଟ ଡଃ ମନୋଜ ଫୋଗଲାଙ୍କ ଦ୍ୱାରା 'କର ଛାଡ଼' ବିଷୟ ଉପରେ ଏକ ବୈଷୟିକ ଆଲୋଚନାଚକ୍ର ଆୟୋଜିତ ହୋଇଥିଲା।
ଏହି ତିନିଦିନିଆ କାର୍ଯ୍ୟକ୍ରମର ଦ୍ୱିତୀୟ ଦିନରେ ଏଫ୍ଏଏସ୍ଟି-ଡିଏସ୍, ଟିଡିଏସ୍ ଓ ଷ୍ଟାର୍ଟଅପ୍ ସମ୍ପର୍କିତ ବିଷୟ ଉପରେ ବୈଷୟିକ ଆଲୋଚନାଚକ୍ର ଆୟୋଜିତ ହେବ।
ଶେଷ ଦିନରେ ବିଦ୍ୟାଳୟ ଓ ମହାବିଦ୍ୟାଳୟ ସ୍ତରର ଛାତ୍ରଛାତ୍ରୀମାନଙ୍କ ପାଇଁ ଚିତ୍ରାଙ୍କନ, କୁଇଜ୍ ଓ ବିତର୍କ ପ୍ରତିଯୋଗିତା ଆୟୋଜିତ ହେବ।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।
