Human Skeleton: ବାଘମରା ପାହଡରୁ ନର କଙ୍କାଳ ଉଦ୍ଧାର, ମୃତ୍ୟୁର କାରଣ ଅସ୍ପଷ୍ଟ
ଭଞ୍ଜନଗର (ବିଶ୍ବମ୍ବର ଜେନା):ଗଞ୍ଜାମଜିଲ୍ଲା ଭଞ୍ଜନଗର ଥାନା ଅଧୀନ ଦଦରଲୁଣ୍ଡା ପଞ୍ଚାୟତ ଜି.ରମ୍ଭା ନିକଟ ଏକ ଜଙ୍ଗଲର ପାହାଡ ଉପରୁ ଏକ ନର କଙ୍କାଳ ଉଦ୍ଧାର ହୋଇଛି। ଜି.ରମ୍ଭା ମୁଖ୍ୟ ରାସ୍ତାରୁ ପ୍ରାୟ ୩୦୦ ମିଟର ଦୂରରେ ରହିଥିବା ବାଘମରା ଜଙ୍ଗଲରେ ରହିଥିବା ପାହାଡ ଉପରୁ ଉକ୍ତ କଙ୍କାଳଟି ଉଦ୍ଧାର ହୋଇଥିବା ପୁଲିସ ସୂଚନା ଦେଇଛି। ପ୍ରାଥମିକ ସ୍ତରରେ ଏହା ଏକ ପୁରୁଷ ଲୋକର ବୋଲି ପାରିପର୍ଶ୍ବିକ ସ୍ଥିତିରୁ ଅନୁମାନ କରାଯାଉଛି। ପାହଡ ନିକଟରେ ଏକ ଗଛରେ ଗାମୁଛା ବନ୍ଧା ହୋଇଥିବା ବେଳେ ସେଥିରେ କିଛି ଚୁଟି ଓ ଖପୁରୀ ରହିଥିବା ବେଳେ ଶରୀରର ଅନ୍ୟ ଅଂଶ ତଳେ ପଡିଥିବା ଦେଖିବାକୁ ମିଳିଛି। କଙ୍କାଳର ଉପର ପାଖରେ କେବଳ ଚମଡା ରହିଥିବା ଦେଖିବାକୁ ମିଳିଛି।
ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ଏଥିସହ କେସ ନମ୍ବର ୧୬ରେ ଏକ ଅପମୃତ୍ୟୁ ମାମଲା ରୁଜୁ କରି କଙ୍କାଳକୁ ସ୍ଥାନୀୟ ଲୋକଙ୍କ ଉପସ୍ଥିତିରେ ଉଦ୍ଧାର କରି ବ୍ୟବଚ୍ଛେଦ ନିମନ୍ତେ ବ୍ରହ୍ମପୁର ଏଫ୍ଏମ୍ଟିକୁ ପଠାଯାଇଥିବା ଥାନା ଅଧିକାରୀ ଜୀବନାନନ୍ଦ ଜେନା ସୂଚନା ଦେଇଛନ୍ତି। ଉଦ୍ଧାର ହୋଇଥିବା କଙ୍କାଳର ପ୍ରକୃତ ପରିଚୟ ସ୍ପଷ୍ଟ ହୋଇନଥିବା ବେଳେ ଗତ ୧୫ ଦିନ ହେଲା ନିଖୋଜ ହୋଇଥିବା ଜଣେ ବ୍ୟକ୍ତିଙ୍କ ବୋଲି ଅନୁମାନ କରାଯାଉଛି।
Murder: ପ୍ରେମ ବ୍ୟାପାରକୁ ନେଇ ହତ୍ୟାକାଣ୍ଡ; ଘଟଣାର ମାସକ ପରେ ମିଳିଲା ଯୁବତୀର କଙ୍କାଳ ସୂଚନା ଅନୁଯାୟୀ, ଭଞ୍ଜନଗର ଥାନା ବିରିକୋଟ ନିକଟ ମହୁଲପଲ୍ଲୀ ଗ୍ରାମର ମିଶନ ପ୍ରଧାନ(୫୫) ଗତ ୯ ତାରିଖ ଦିନ ପରିବାର ସହ କୌଣସି କାମରୁ ଘରକୁ ଫେରୁଥିବା ବେଳେ ରମ୍ଭା ନିକଟରେ ପରିଶ୍ରା ଯିବାକୁ କହି ଜଙ୍ଗଲ ଆଡକୁ ଦୌଡି ପଳାଇଥିଲେ। ପରିବାର ଲୋକ ଖୋଜି କରିବା ସହ ଘରକୁ ନଫେରିବାରୁ ପରିବାର ଲୋକ ନିଖୋଜ ଅଭିଯୋଗ କରିଥିଲେ। ମିଶନର ମାନସିକ ଅବସ୍ଥା ଠିକ ନଥିବା ସହ ସେ କେଉଁ ଆଡେ ପଳାଇଥିବା ପରିବାର ଲୋକ ଥାନରେ ଲିଖିତ ଅଭିଯୋଗ କରିବା ପରେ ପୁଲିସ କେସ ନମ୍ବର ୪୪ରେ ଏକ ନିଖୋଜ ମାମଲା ରୁଜୁ କରିଥିଲା।
ତେବେ ରମ୍ଭା ନିକଟ ଜଙ୍ଗଲ ଭିତରୁ କଙ୍କାଳ ମିଳିବା ପରେ ତାର ପୋଷକ ଦେଖି ଏହା ମିଶନର ବୋଲି ପରିବାର ଲୋକ ଚିହ୍ନଟ କରିଥିଲେ। ତେଣୁ ପୁଲିସ ଏହା ମିଶନର ମୃତଦେହ ବୋଲି ଅନୁମାନ କରୁଛି। ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ କଙ୍କାଳଟିର ପରିଚୟ ଜଣାପଡିବା ସହ ମୃତ୍ୟୁର କାରଣ ସ୍ପଷ୍ଟ ହେବ ବୋଲି ଥାନା ଅଧିକାରୀ ଶ୍ରୀ ଜେନା ସୂଚନା ଦେଇଛନ୍ତି। ଅନ୍ୟପକ୍ଷେ ସମାନ ଢଙ୍ଗରେ ଗତ ୧୦ ତାରିଖ ଦିନ ମଧ୍ୟ ଭଞ୍ଜନଗର ଥାନା ଅଧୀନ ଡୁମାକୁମ୍ପା ପଞ୍ଚାୟତ ଗୁଡିପଦର ଗ୍ରାମ ନିକଟ ଏକ କେନାଲ ପାଖରୁ ଏକ ନରକଙ୍କାଳ ଉଦ୍ଧାର ହୋଇଥିଲା। ଗୁଡିପଦର ଗ୍ରାମର ସୁନ୍ଦରୀ ନାୟକ(୭୧) ନିଖୋଜ ରହିଥିବା ବେଳେ ପାରିପାର୍ଶ୍ବିକ ସ୍ଥିତିରୁ ସେହି କଙ୍କାଳଟି ନିଖୋଜ ସୁନ୍ଦରୀଙ୍କ ବୋଲି ପୁଳିସ କହିଥିଲା।