History in mirror: ଇତିହାସ ଆଇନାରେ: ଓଡ଼ିଶାର ସଂଗ୍ରାମୀ, ବିହାରର ‘ମାଆଜୀ’

Jun 21, 2026 - 06:20
History in mirror: ଇତିହାସ ଆଇନାରେ: ଓଡ଼ିଶାର ସଂଗ୍ରାମୀ,  ବିହାରର ‘ମାଆଜୀ’

"ରାଜେଶ ଅଗ୍ରୱାଲ୍‌ ମହାତ୍ମା ଗାନ୍ଧୀଙ୍କ ସହଧର୍ମିଣୀ କସ୍ତୁର ବେନ୍‌, "କସ୍ତୁରବା" ନାମରେ ସର୍ବତ୍ର ସୁପରିଚିତ ଥିଲେ, କାରଣ ସମସ୍ତେ ତାଙ୍କୁ "ମାଆ" ବୋଲି ସମ୍ବୋଧନ କରୁଥିଲେ।

ଉଲ୍ଳେଖଯୋଗ୍ୟ, ଗୁଜରାଟୀ ଭାଷାରେ "ବା"ର ଅର୍ଥ ହେଲା ମାଆ।

ଠିକ୍‌ ସେହିପରି ଏକଦା ବିହାରରେ "ମାଆଜୀ" ନାମରେ ବେଶ୍‌ ପ୍ରସିଦ୍ଧ ଥିଲେ ଜଣେ ଓଡ଼ିଆ ସ୍ବାଧୀନତା ସଂଗ୍ରାମୀ।

ନାଁ ତାଙ୍କର ଜମ୍ବୁବତୀ ପଟ୍ଟନାୟକ।

୧୮୮୬ ମସିହା ନଭେମ୍ବର ୯ ତାରିଖରେ ସୋନପୁର ଜିଲ୍ଲା ବିନ୍‌କାରେ ଜନ୍ମିତ ଜମ୍ବୁବତୀ ସ୍ବାଧୀନତା ସଂଗ୍ରାମରେ ଝାସଦେଇ ବହୁବାର ଗିରଫ ହୋଇ ସମ୍ବଲପୁର, ଭାଗଲପୁର (ବିହାର) ଓ ଦୁମକା (ବିହାର, ଏବେ ଝାଡ଼ଖଣ୍ଡ) ଜେଲ୍‌ରେ ବନ୍ଦୀ ହୋଇଥିଲେ।

ପଶ୍ଚିମ ଓଡ଼ିଶାର ପ୍ରଥମ ନାରୀ ସତ୍ୟାଗ୍ରହୀ ଭାବେ ପରିଚିତା ଜମ୍ବୁବତୀ ବରଗଡ଼ ଜିଲ୍ଲାର ଜଣାଶୁଣା ସ୍ବାଧୀନତା ସଂଗ୍ରାମୀ ଭାଗିରଥୀ ପଟ୍ଟନାୟକଙ୍କୁ ବିବାହ କରିଥିଲେ।

କେବଳ ସେତିକି ନୁହେଁ, ଭାଗିରଥୀ ଓ ଜମ୍ବୁବତୀଙ୍କ ଏକମାତ୍ର ପୁତ୍ର ପ୍ରଫୁଲ୍ଲ ପଟ୍ଟନାୟକ ମଧ୍ୟ ସ୍ବାଧୀନତା ସଂଗ୍ରାମରେ ସକ୍ରିୟ ଭୂମିକା ନିର୍ବାହ କରିଥିଲେ।ଭାଗିରଥୀ ପଟ୍ଟନାୟକ (୯ ନଭେମ୍ବର ୧୮୮୪- ୯ ଜୁଲାଇ ୧୯୮୦) ଛାତ୍ରାବସ୍ଥାରୁ କଂଗ୍ରେସରେ ଯୋଗଦେଇ ଥିଲେ।

ସେ ଜିଲ୍ଲା କଂଗ୍ରେସର ବରିଷ୍ଠ କର୍ମକର୍ତ୍ତା ଥିଲେ।

ସେ ଗାନ୍ଧୀଜୀଙ୍କ ଆହ୍ବାନରେ ସ୍ବାଧୀନତା ସଂଗ୍ରାମରେ ଯୋଗଦେଇ ୧୯୩୧, ୧୯୩୨, ୧୯୩୩ ଓ ୧୯୪୨ ମସିହାରେ ଗିରଫ ହୋଇ ମୋଟ୍‌ ସାଢ଼େ ତିନିବର୍ଷ ଜେଲ୍‌ଦଣ୍ଡ ଭୋଗିଥିଲେ।

୧୯୨୨ରେ ଗୟା, ୧୯୨୩ରେ କାକିନାଡ଼ା ଓ ୧୯୨୪ରେ ବେଲଗଁାଠାରେ ଅନୁଷ୍ଠିତ କଂଗ୍ରେସ ଅଧିବେଶନରେ ଓଡ଼ିଶାର ପ୍ରତିନିଧି ଭାବରେ ଯୋଗଦେଇଥିଲେ।

ଏପରିକି ଅର୍ଥ ଅଭାବରୁ କାକିନାଡ଼ା କଂଗ୍ରେସ ଅଧିବେଶନକୁ ସେ ଚାଲି ଚାଲି ଯାଇଥିଲେ।Advertisment Weekly Horoscope 2026 June 21 to 27: ଜାଣନ୍ତୁ ଏ ସପ୍ତାହର ରାଶିଫଳ ଭାଗିରଥୀ ୧୯୨୪ ବେଲଗଁା କଂଗ୍ରେସ ଅଧିବେଶନକୁ ଯାଇ ଫେରିବା ବେଳେ ହାତରେ ପଇସାଟିଏ ନଥିଲା।

ସେ ୧୯୨୫ ଜାନୁଆରି ପହିଲା ଦିନ ବମ୍ବେରେ ବଲ୍ଲଭ ଭାଇ ପଟେଲଙ୍କ ବଡ଼ଭାଇ ଜେ.ବି.

ପଟେଲଙ୍କୁ ସାକ୍ଷାତ କରିବାରୁ ସେ ୬ ପଇସା ଦେଇ କହିଲେ, ""ଏ ପଇସାରେ ପିଜୁଳି ଖାଇ ୩୯୫-କାଲବା ରୋଡ୍‌ରେ ଥିବା ସେଠ୍ ଜମୁନାଲାଲ୍‌ ବଜାଜ୍‌ଙ୍କ ଘରକୁ ଯାଅ।"" ବଜାଜ୍‌କୁ ସାକ୍ଷାତ କରିବାରୁ ସେ ଖାଇବାକୁ ଦେଇ ୧୨ ଟଙ୍କା ଆଠଅଣା ଧରାଇ ନାଗପୁର ଷ୍ଟେସନ ପର୍ଯ୍ୟନ୍ତ ରେଳ ଟିକେଟ୍ କରାଇଦେଲେ।

ସେଠୁ ଭାଗିରଥୀ ନାଗପୁର ଆସି ଭେଟିଲେ ମହାତ୍ମା ଭଗବାନ ଦୀନଙ୍କୁ।

ମହାତ୍ମା ଦୀନଙ୍କ ଉପଦେଶ ଥିଲା, ""ଚାନ୍ଦା ମାଗି ଆଉ କଂଗ୍ରେସ ଅଧିବେଶନକୁ ଯାଅନାହିଁ, ଲୋକେ ଭାବିବେ ମାଗିଖିଆ ସନ୍ନ୍ୟାସୀ ପରି ଏମାନେ ମଧ୍ୟ ଜଣେ ଜଣେ ବସ୍ତୁହରା।

ଏପରି ମାଗିବା ଦ୍ବାରା କଂଗ୍ରେସ ଶ୍ରୀହୀନ ହେବ, ଅପଯଶ ବଢ଼ିବ।

ପରିବାରର ସମସ୍ତଙ୍କୁ ସୂତାକଟା ଶିଖାଅ ଓ ସେଥିରୁ ଯାହା ଉପାର୍ଜନ ହେବ ସେତିକିରେ ପରିବାର ପୋଷ।

ମୁଁ ସୂତାକଟାରୁ ପ୍ରତିଦିନ ଗୋଟାଏ ପଇସା ଉପାର୍ଜନ କରି ସେଥିରେ ମୋର କାମ ଚଳାଏ।

ତମେ ଚାନ୍ଦା ମାଗି କପଡ଼ା ସଫେଇରେ ୩ ପଇସା ଖର୍ଚ୍ଚ କରୁଛ।

ଏହା ଅନ୍ୟାୟ ଅଟେ।

ମାଗ ନାହିଁ।

ସମାଜକୁ ଯାହା ଦେଇପାରୁଛ ଦେଇଯାଅ।

ତମର ସୌଭାଗ୍ୟ ଯେ, ତୁମ ପରିବାରରେ ସ୍ତ୍ରୀ ଓ ପୁଅ ଅଛନ୍ତି।

ଅନ୍ୟ କଥା ନ ଭାବି ସପରିବାର କଂଗ୍ରେସ ସଂଗଠନ ପାଇଁ ଲାଗିପଡ଼ x x x।"" ଘରକୁ ଫେରି ଭାଗିରଥୀ ସ୍ତ୍ରୀଙ୍କୁ ସବୁକଥା କହିଲେ।

ଏହା ଶୁଣି ଜମ୍ବୁବତୀ କଂଗ୍ରେସ ଆନ୍ଦୋଳନରେ ଯୋଗଦେବା ପାଇଁ ବାହାରି ପଡ଼ିଲେ।

୧୯୩୧ ଜାନୁଆରିରେ ରମା ଦେବୀ ସମ୍ବଲପୁର ଆସିଥିବା ବେଳେ ସେ ପ୍ରଥମେ ରମାଦେବୀଙ୍କୁ ସାକ୍ଷାତ କରିଥିଲେ ଏବଂ ପରବର୍ତ୍ତୀ ସମୟରେ ବରପାଲି, ବରଗଡ଼, ସମ୍ବଲପୁର ଓ ପୁରୀ ଆଦି ସ୍ଥାନ‌େର ଆନ୍ଦୋଳନରେ ସାମିଲ ହୋଇ ବାରମ୍ବାର ଜେଲ୍‌ଦଣ୍ଡ ଭୋଗିଥିଲେ।

୧୯୩୪ ଜାନୁଆରି ୧୫ରେ ବିହାରରେ ପ୍ରଳୟଙ୍କରୀ ଭୂମିକମ୍ପ ହେଲା।

ସେଠାରେ ସେ ପହଞ୍ଚି ନିଜକୁ ସେବାରେ ଉତ୍ସର୍ଗ କଲେ।

ମୁଙ୍ଗେରଠାରେ ଗାନ୍ଧୀ ଓ ନେହରୁଙ୍କୁ ସାକ୍ଷାତ କରି ତାଙ୍କ ସହିତ ଭାଗଲପୁର ଗଲେ ଓ ବିହାରର କ୍ରାନ୍ତିକାରୀ ନେତା ଦୀପ ନାରାୟଣ ସିଂହଙ୍କ ଘରେ ଆତିଥ୍ୟ ଗ୍ରହଣ କଲେ।

୧୯୩୪ ମଇରେ ଗାନ୍ଧୀଜୀଙ୍କ ସମ୍ବଲପୁରରେ ରହଣି ସମୟରେ ସେ ସେଠା‌ରେ ଅବସ୍ଥାନ କରି ସେବା ଶୁଶ୍ରୂଷା କରିଥିଲେ।

ପରବର୍ତ୍ତୀ ସମୟରେ ୧୯୪୦ ମସିହା ଠକ୍‌କର ବାପାଙ୍କ ଆଗ୍ରହରେ ଜମ୍ବୁବତୀ ବିହାରର ସାନ୍ତାଳ ପ୍ରଗଣାରେ ରହି ଆଦିବାସୀ ଓ ହରିଜନଙ୍କ ସେବାରେ ନିଜକୁ ନିୟୋଜିତ କଲେ।

ଜମ୍ବୁବତୀଙ୍କ କାର୍ଯ୍ୟରେ ମୁଗ୍‌ଧ ହୋଇ ଯାଇଥିଲେ ଠକ୍‌କର ବାପା, ପଣ୍ଡିତ ବିନୋଦାନନ୍ଦ ଝା, ମୋତିଲାଲ କେଜରିୱାଲ୍‌ ଆଦି ନେତାଗଣ।

୧୯୪୨ ଜୁଲାଇ ୯ ତାରିଖରେ ଭାରତଛାଡ଼ ଆନ୍ଦୋଳନରେ ଯୋଗଦେବାକୁ ଜମ୍ବୁବତୀ ବାହାରି ପଡ଼ିଲେ।

ଅଗଷ୍ଟ ୧୭ ଦିନ ସେ ଦୁମକା ନଗର କଂଗ୍ରେସର ଜିଲ୍ଲାକୋର୍ଟ ଦଖଲ ଆନ୍ଦୋଳନର ନେତୃତ୍ବ ନେଇ ଆଗେ ଆଗେ ଝଣ୍ଡା ଧରି ଚାଲିଥିଲେ ଜମ୍ବୁବତୀ।

ସେ ବେଳକୁ ପଣ୍ଡିତ ବିନୋଦାନନ୍ଦ ଝା (ବିହାରର ମନ୍ତ୍ରୀ / ପରେ ମୁଖ୍ୟମନ୍ତ୍ରୀ)ଙ୍କ ଘରେ ରହୁଥିଲେ।

ଜଜ୍‌କୋର୍ଟ ଦଖଲ ଆନ୍ଦୋଳନରେ ସେ ଗିରଫ ହୋଇ ଖଲାସ ହେବା ପରେ ବିନୋଦାନନ୍ଦ ଝାଙ୍କ ଦେଓଘରସ୍ଥିତ ବାସଭବନରେ ରହିଲେ।

୧୯୪୩ ଜୁଲାଇ ୧୫ ତାରିଖ ଦିନ ମଧ୍ୟାହ୍ନ ଭୋଜନ ପରେ ଛାତିରେ କଷ୍ଟ ଅନୁଭବ କରିବା ପ‌ରେ ବିନୋଦାନନ୍ଦ ଝାଙ୍କ ପତ୍ନୀ ପ୍ରମିଳା ଝାଙ୍କ କୋଳରେ ପ୍ରାଣ ହରାଇଲେ।

ସ୍ବାମୀ ଭାଗିରଥୀ ଓ ପୁତ୍ର ପ୍ରଫୁଲ୍ଲ ସେ ବେଳକୁ ଆନ୍ଦୋଳନ ଯୋଗୁଁ ବିଭିନ୍ନ ଜେଲ୍‌ରେ ବନ୍ଦୀ ଥିବାରୁ ବୈଦ୍ୟନାଥ ଧାମର ପଣ୍ଡା ପୁରୋହିତଙ୍କ କାନ୍ଧରେ ମରଶରୀର ଶ୍ମଶାନକୁ ‌ନିଆଯାଇଥିଲା।

ବିହାରର ସ୍ବାଧୀନତା ସଂଗ୍ରାମୀ ଓ କଂଗ୍ରେସ ନେତା ଅଯୋଧ୍ୟା ମିଶ୍ର ଜମ୍ବୁବତୀଙ୍କ ମରଶରୀରରେ ମୁଖାଗ୍ନି ଦେଇଥିଲେ।

ଚଉଦିଗ "ମାଆଜୀ" ଅମର ରହେ ଧ୍ବନିରେ ପ୍ରକମ୍ପିତ ହୋଇଥିଲା।

ଜମ୍ବୁବତୀଙ୍କ ଏକମାତ୍ର ପୁତ୍ର ପ୍ରଫୁଲ୍ଲ ଚନ୍ଦ୍ର ପଟ୍ଟନାୟକ (୧ ଜାନୁଅାରି ୧୯୧୭ - ୧୪ ଜାନୁଆରି ୨୦୦୩) ସ୍କୁଲ୍‌ ତ୍ୟାଗ କରି ୧୧ ବର୍ଷ ବୟସରେ କଂଗ୍ରେସ ସଭାମାନଙ୍କରେ ଯୋଗ ଦେଇଥିଲେ।

ସେ ବାପାଙ୍କ ସହ ବୁଲି କଂଗ୍ରେସ ବାର୍ତ୍ତା ପ୍ରଚାର କରୁଥିଲେ।

୧୪ ବର୍ଷ ବୟସରେ ସେ ଗିରଫ ହୋଇ କଟକରେ ୧୦ ବେତ୍ରାଘାତ ଦଣ୍ଡ ଭୋଗିଥିଲେ।

୧୯୩୨ ଜାନୁଆରି ୨୬ ଦିନ ବରଗଡ଼ରେ ଗିରଫ ହୋଇ ୬ ମାସ ସମ୍ବଲପୁର ଜେଲ୍‌ରେ ରହିବା ପରେ ପୁଣି ଗିରଫ ହୋଇ ପାଟନା କ୍ୟାମ୍ପ ଜେଲ୍‌ (ବିହାର)ରେ ବନ୍ଦୀ ହୋଇଥିଲେ।

ପୁଣି ଥରେ ୧୯୩୩ରେ ବ୍ୟକ୍ତିଗତ ସତ୍ୟାଗ୍ରହ କରି ବରଗଡ଼ରେ ଗିରଫ ହୋଇ ପାଟନା କ୍ୟାମ୍ପ ଜେଲ୍‌ରେ ୫ ମାସ ରହିଥିଲେ।

Letter: ଚଳନ୍ତିକା: ଏଇଠୁ ଲେଖାଯାଏ ନିଜ ଠିକଣାରେ ନିଜକୁ ଚିଠି ୧୯୪୨ ନଭେମ୍ବର ୬ ତାରିଖରେ ସେ ଦୁମକା (ଝାଡ଼ଖଣ୍ଡ)ରେ ବିଭିନ୍ନ ଆନ୍ଦୋଳନରେ ଯୋଗଦେଇ ଗିରଫ ହୋଇ ଭାଗଲପୁର ଜେଲ୍‌ରେ ବନ୍ଦୀ ହୋଇଥିଲେ।

ନେତାଜୀ ସୁଭାଷ ବୋଷଙ୍କ ନେତୃତ୍ବାଧୀନ ଆଜାଦ ହିନ୍ଦ୍‌ ଫୌଜର କମାଣ୍ଡର୍‌ କହି ତାଙ୍କୁ ଫାଶୀ ଦେବାର ମସୁଧା କଲା ଇଂରେଜ୍‌ ସରକାର।

ତେବେ ଘଟଣା ସଂପର୍କରେ ଜାଣିପାରି ବିହାରର ମଧ୍ୟବର୍ତ୍ତୀ ସରକାରଙ୍କ ପ୍ରଧାନମନ୍ତ୍ରୀ ଡ.

କୃ‌ଷ୍ଣ ସିଂହ ଏହାର ପ୍ରତିବାଦ କଲେ।

ମାତ୍ର ବିହାରର ମିଲିଟାରି ଗଭର୍ଣ୍ଣର୍‌ ରଦର୍‌ଫୋର୍ଡ କର୍ଣ୍ଣପାତ ନ କରିବାରୁ ପ୍ରଧାନମନ୍ତ୍ରୀ ସିଂହ ଇସ୍ତଫାପତ୍ର ବଢ଼ାଇ ଦେଇଥିଲେ।

ଫଳରେ ସେ ଚାପରେ ଆସି ସାଢ଼େ ତିନିବର୍ଷ କାରାବାସ ପରେ ୧୯୪୬ ଜାନୁଆରି ୨୯ରେ ପ୍ରଫୁଲ୍ଲଙ୍କୁ ମୁକ୍ତ କରିଥିଲେ।

ପ୍ରଫୁଲ୍ଲ ଜଣେ ସୁ-ଲେଖକ ଥିଲେ।

ସେ ଓଡ଼ିଆ, ହିନ୍ଦୀ, ସାନ୍ତାଳୀ ଭାଷାରେ ବହୁ ପୁସ୍ତକର ରଚୟିତା।

ଶେଷ ସମୟରେ ‌େସ ସଂପୂର୍ଣ୍ଣ ଦୃଷ୍ଟିଶକ୍ତି ହରାଇଥିଲେ ମଧ୍ୟ କେତେକ ପୁସ୍ତକ ରଚନା କରିଥିଲେ।

ସେ ମଧ୍ୟରେ ପଦ୍ମଶ୍ରୀ କୃତାର୍ଥ ଆଚାର୍ଯ୍ୟଙ୍କ ଜୀବନୀ ଅନ୍ୟତମ।

ତେବେ ଜମ୍ବୁବତୀଙ୍କୁ ଓଡ଼ିଶାରେ ଯେତେ ସମ୍ମାନ ମିଳିବା କଥା ମିଳିନାହିଁ।

କୁହାଯାଏ, ସ୍ବାମୀ ଭାଗିରଥୀ ଓ ପୁତ୍ର ପ୍ରଫୁଲ୍ଲ ପରବର୍ତ୍ତୀ କାଳରେ କମ୍ୟୁନିଷ୍ଟ ‌େହାଇ ଯାଇଥିବା ଯୋଗୁଁ ଏପରି ହୋଇଥିଲା।

"