Hanuman: ମଞ୍ଚରେ ଟଳିପଡ଼ିଲେ 'ହନୁମାନ'
ପାଟପୁର: ମଞ୍ଚ ଉପରେ ହନୁମାନ ବେଶରେ ଅଭିନୟ କରୁଥିଲେ।
ହାତରେ ଗଦା ଧରି ଦର୍ଶକଙ୍କୁ ମନୋରଞ୍ଜନ କରୁଥିଲେ।
ନାଟକର ଆହୁରି ଅନେକ ଦୃଶ୍ୟ ବାକି ଥିଲା।
ହେଲେ ଅଧାରୁ ରହିଗଲା ଅଭିନୟ ।
ମଞ୍ଚ ଉପରେ ହଠାତ୍ ଅସୁସ୍ଥ ହୋଇ ଟଳିପଡ଼ିଲେ କଳାକାର।
ଡାକ୍ତରଖାନାରେ ପହଞ୍ଚିବା ପରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।
ଏଭଳି ଏକ ଦୁଃଖଦ ଘଟଣା ଗଞ୍ଜାମ ଜିଲ୍ଲା ସାନଖେମୁଣ୍ଡି ବ୍ଲକ କଉଡ଼ିଆ ଗ୍ରାମରେ ଘଟିଛି।
ମୃତ କଳାକାର ହେଉଛନ୍ତି ଗ୍ରାମର ମିଥୁନ ପ୍ରଧାନ।
Advertisment ଆହୁରି ପଢନ୍ତୁ: CBI: ସିବିଆଇର ବଡ଼ କାର୍ଯ୍ୟାନୁଷ୍ଠାନ: ୨୦୦୮ ହତ୍ୟା ମାମଲାରେ ୱାଣ୍ଟେଡ୍ ସୁଜିତ କୁମାରଙ୍କୁ ୟୁଏଇରୁ ଭାରତ ଅଣାଗଲା ସୂଚନା ଅନୁଯାୟୀ, କାର୍ତ୍ତିକ ପୂର୍ଣ୍ଣିମା ଅବସରରେ କଉଡ଼ିଆ ଗ୍ରାମରେ ରାମାୟଣ ନାଟକ ମଞ୍ଚସ୍ଥ ହେଉଥିଲା।
ହନୁମାନ ଭୂମିକାରେ ଅଭିନୟ କରୁଥିଲେ ମିଥୁନ।
ବାଳୀ ଓ ହନୁମାନ ଭୂମିକାରେ ନିଖୁଣ ଅଭିନୟ ପାଇଁ ସେ ଗଞ୍ଜାମ ଜିଲ୍ଲାରେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଥିଲେ।
ନାଟକର କିଛି ଦୃଶ୍ୟ ଶେଷ ହୋଇଥିଲା।
ମଞ୍ଚ ଉପରେ ଗଦା ବୁଲାଉଥିବା ବେଳେ ହଠାତ୍ ମିଥୁନ ଅସୁସ୍ଥ ହୋଇପଡ଼ିଥିଲେ।
ଉପସ୍ଥିତ ଲୋକେ ତାଙ୍କୁ ତୁରନ୍ତ ଆଡ଼ପଡ଼ା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ନେଇଥିଲେ।
ହେଲେ ଡାକ୍ତର ତାଙ୍କୁ ବଞ୍ଚାଇ ପାରି ନଥିଲେ।
ହୃଦ୍ଘାତ ଯୋଗୁଁ ତାଙ୍କର ମୃତ୍ୟୁ ହୋଇଥାଇପାରେ ବୋଲି ଅନୁମାନ କରାଯାଉଛି।
ମିଥୁନଙ୍କ ଅକାଳ ବିୟୋଗରେ ଗାଁରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଥିଲା।
ଗ୍ରାମ ଶ୍ମଶାନରେ ତାଙ୍କର ଶେଷକୃତ୍ୟ ସମ୍ପନ୍ନ ହୋଇଛି।
ଗଞ୍ଜାମ ଜିଲ୍ଲା ନାଟ୍ୟ ନିର୍ଦ୍ଦେଶକ ସଂଘର ସଭାପତି ରାଜଗୋପାଳ ପାଢ଼ୀ ମିଥୁନଙ୍କ ବିୟୋଗରେ ଶୋକ ପ୍ରକାଶ କରିବା ସହ ତାଙ୍କ ପରିବାରକୁ ସଂସ୍କୃତି ବିଭାଗ ପକ୍ଷରୁ ସରକାରୀ ସହାୟତା ଯୋଗାଇ ଦେବାକୁ ଅନୁରୋଧ କରିଛନ୍ତି।
ଜିଲ୍ଲାର ବିଭିନ୍ନ ଅଞ୍ଚଳର କଳାକାରମାନେ ମଧ୍ୟ ମିଥୁନଙ୍କ ମୃତ୍ୟୁରେ ଗଭୀର ଶୋକବ୍ୟକ୍ତ କରିଛନ୍ତି।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।
