GSLV-F18: ‘ଜିଏସ୍ଏଲ୍ଭି-ଏଫ୍୧୮’ର ସଫଳ ଉତ୍କ୍ଷେପଣ: କକ୍ଷପଥରେ ‘ଏନ୍ଭିଏସ୍-୦୩’
ଶ୍ରୀହରିକୋଟା: ଭାରତର ନେଭିଗେସନ୍ ଉପଗ୍ରହ ବ୍ୟବସ୍ଥା ‘ନାଭିକ୍’କୁ ସୁଦୃଢ଼ କରିବା ଲକ୍ଷ୍ୟରେ ଭାରତୀୟ ମହାକାଶ ଗବେଷଣା ସଂସ୍ଥା (ଇସ୍ରୋ) ଆଜି ଏନ୍ଭିଏସ୍-୦୩ ଉପଗ୍ରହର ସଫଳ ଉତ୍କ୍ଷେପଣ କରିଛି। ଶ୍ରୀହରିକୋଟାସ୍ଥିତ ସତୀଶ ଧାୱନ ମହାକାଶ କେନ୍ଦ୍ରରୁ ଇସ୍ରୋ ନିଜର ଶକ୍ତିଶାଳୀ ରକେଟ୍ ‘ଜିଏସ୍ଏଲ୍ଭି-ଏଫ୍୧୮’ର ସଫଳ ଉଡ଼ାଣ ଦ୍ବାରା ମହାକାଶ ବିଜ୍ଞାନ କ୍ଷେତ୍ରରେ ଆଉ ଏକ ମାଇଲଖୁଣ୍ଟ ସ୍ଥାପନ କରିଛି। ଶୁକ୍ରବାର ବିଳମ୍ବିତ ରାତି ୧୧:୫୧ ମିନିଟ୍ ସମୟରେ ଏହି ତିନିସ୍ତରୀୟ ରକେଟ୍ ସ୍ୱଦେଶୀ ନେଭିଗେସନ୍ ଉପଗ୍ରହ ‘ଏନ୍ଭିଏସ୍-୦୩’କୁ ନେଇ ସଫଳତାର ସହ ଆକାଶକୁ ଗତି କରିଥିଲା। ନିର୍ଦ୍ଧାରିତ କକ୍ଷପଥରେ ଏହି ଉପଗ୍ରହର ସଫଳ ସ୍ଥାପନ ପ୍ରକ୍ରିୟା ସଂପୂର୍ଣ୍ଣ ହେବା ସହ ଭାରତର ନେଭିଗେସନ୍ ବ୍ୟବସ୍ଥାକୁ ବଡ଼ ଶକ୍ତି ମିଳିଛି।
ସ୍ୱଦେଶୀ ନେଭିଗେସନ୍ ବ୍ୟବସ୍ଥା ‘ନାଭିକ୍’କୁ ଅଧିକ ସୁଦୃଢ଼ କରିବ
ଇସ୍ରୋର ବରିଷ୍ଠ ବୈଜ୍ଞାନିକମାନଙ୍କ ଉପସ୍ଥିତିରେ ଏହି ଜଟିଳ ଉତ୍କ୍ଷେପଣ ପ୍ରକ୍ରିୟା ସମ୍ପନ୍ନ ହୋଇଛି। ପ୍ରାୟ ୫୦ ମିଟର ଉଚ୍ଚତା ବିଶିଷ୍ଟ ଏହି ବିଶାଳ ରକେଟ୍ରେ ୨,୨୩୨ କିଲୋଗ୍ରାମ ଓଜନର ‘ଏନ୍ଭିଏସ୍-୦୩’ ଉପଗ୍ରହକୁ ସଂଯୋଗ କରାଯାଇଥିଲା। ଉତ୍କ୍ଷେପଣର କିଛି ଘଣ୍ଟା ପୂର୍ବରୁ ରକେଟ୍ର ସମସ୍ତ ସ୍ତରରେ ଇନ୍ଧନ ଭରିବା ପ୍ରକ୍ରିୟା ଶେଷ ହେବା ସହ କାଉଣ୍ଟଡାଉନର ଚୂଡ଼ାନ୍ତ ପର୍ଯ୍ୟାୟରେ ଏହା ସଫଳତାର ସହ ମହାକାଶ ଅଭିମୁଖେ ଯାତ୍ରା ଆରମ୍ଭ କରିଥିଲା। ପ୍ରାରମ୍ଭିକ ପର୍ଯ୍ୟାୟରେ ଏହି ତିନିସ୍ତରୀୟ ରକେଟ୍ ନିଜର ସଲିଡ୍-ଇନ୍ଧନ କୋର୍ ଷ୍ଟେଜ୍ ଏବଂ ଚାରୋଟି ଲିକ୍ୱିଡ୍-ଇନ୍ଧନ ଷ୍ଟ୍ରାପ୍-ଅନ୍ ବୁଷ୍ଟର ସହାୟତାରେ ଲଞ୍ଚ ପ୍ୟାଡ୍ରୁ ଉପରକୁ ଉଠିଥିଲା। ପ୍ରଥମସ୍ତରର କାର୍ଯ୍ୟ ଶେଷ ହେବା ପରେ ବୁଷ୍ଟରଗୁଡ଼ିକ ରକେଟ୍ରୁ ସଫଳତାପୂର୍ବକ ପୃଥକ ହୋଇଥିଲେ ଏବଂ ଦ୍ୱିତୀୟସ୍ତରର ତରଳ ଇନ୍ଧନ ଚାଳିତ ଇଞ୍ଜିନ ନିଜର କାର୍ଯ୍ୟ ଆରମ୍ଭ କରିଥିଲା। ଏହାପରେ ରକେଟ୍ ନିଜର ଚୂଡ଼ାନ୍ତ ପର୍ଯ୍ୟାୟରେ ପ୍ରବେଶ କରି ତରଳ ହାଇଡ୍ରୋଜେନ୍ ଏବଂ ତରଳ ଅକ୍ସିଜେନ୍ ଦ୍ୱାରା ଚାଳିତ କ୍ରାୟୋଜେନିକ୍ ଅପର ଷ୍ଟେଜ୍ ସହାୟତାରେ ଉପଗ୍ରହକୁ ନିର୍ଦ୍ଧାରିତ କକ୍ଷପଥକୁ ନେଇଥିଲା।
ଇସ୍ରୋ ବୈଜ୍ଞାନିକମାନଙ୍କ ସୂଚନା ଅନୁଯାୟୀ, କ୍ରାୟୋଜେନିକ୍ ସ୍ତରର ଶକ୍ତିଶାଳୀ ପ୍ରଭାବରେ ‘ଏନ୍ଭିଏସ୍-୦୩’ ଉପଗ୍ରହ ନିର୍ଦ୍ଧାରିତ କକ୍ଷପଥରେ ପହଞ୍ଚିବା ପରେ ରକେଟ୍ରୁ ସଫଳତାର ସହ ପୃଥକ ହୋଇଥିଲା। ସୂଚନାଯୋଗ୍ୟ, ଏହି ଉପଗ୍ରହରେ ସ୍ୱଦେଶୀ ଆଣବିକ ଘଣ୍ଟା ପ୍ରଯୁକ୍ତି ରହିଛି। ଭାରତର ନିଜସ୍ୱ ଅବସ୍ଥାନ ନିର୍ଣ୍ଣୟ, ନେଭିଗେସନ୍ ଓ ସମୟ ନିର୍ଦ୍ଧାରଣ ବ୍ୟବସ୍ଥାକୁ ଅଧିକ ସୁଦୃଢ଼ କରିବାରେ ଏହା ସହାୟକ ହେବ।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।
