From engineer: ଇଞ୍ଜିନିୟରରୁ କ୍ରାଫ୍ଟ ଚକୋଲେଟ୍ର ନିର୍ମାତା
"ଭଲ ଦରମାର ଚାକିରି ହେଉ କି ଉଜ୍ଜ୍ୱଳ କ୍ୟାରିୟର୍ ଅନେକ ଏହାକୁ ଜୀବନର ସବୁଠୁ ବଡ଼ ସଫଳତା ବୋଲି ଭାବନ୍ତି।
କିନ୍ତୁ କିଛି ଲୋକ ନିଜ ସ୍ୱପ୍ନକୁ ପୂରା କରିବା ପାଇଁ ସୁରକ୍ଷିତ ଜୀବନକୁ ଛାଡ଼ି ସମ୍ପୂର୍ଣ୍ଣ ନୂଆ ରାସ୍ତା ବାଛନ୍ତି।
ସେହି ସାହସ ହିଁ ତାଙ୍କୁ ଅନ୍ୟମାନଙ୍କଠାରୁ ସ୍ୱତନ୍ତ୍ର ପରିଚୟ ଦେଇଥାଏ।
ଗୋଆର ଅଲ୍ଭିନିଆ ଡି"ସୋଜାଙ୍କ କାହାଣୀ ଠିକ୍ ସେହିଭଳି।
ସେ ଇଞ୍ଜିନିୟରରୁ ସଫଳ ଚକୋଲେଟ୍ ଉଦ୍ୟୋଗୀ ପାଲଟିଥିବା ଜଣେ ଅନନ୍ୟ ମହିଳା।Advertisment Debasnana Purnima 2026: ମହାପ୍ରଭୁଙ୍କ ସ୍ନାନଯାତ୍ରା, ଜାଣନ୍ତୁ ସମ୍ପୂର୍ଣ୍ଣ ନୀତି ନିର୍ଘଣ୍ଟ ଓ ହାତୀବେଶ ସମୟ ଗୋଆର ବାସିନ୍ଦା ଅଲଭିନିଆ ଡି"ସୋଜା ପେସାରେ ଜଣେ ଫାର୍ମାସ୍ୟୁଟିକାଲ୍ ଇଞ୍ଜିନିୟର ଥିଲେ।
ପାଠପଢ଼ା ଶେଷ କରି ସେ ପରିବାରର ବ୍ୟବସାୟରେ ଯୋଗ ଦେଇଥିଲେ।
କିନ୍ତୁ ତାଙ୍କ ମନ ସବୁବେଳେ ବେକିଂ ଏବଂ ଚକୋଲେଟ୍ ତିଆରି କଳା ପ୍ରତି ଆକର୍ଷିତ ହେଉଥିଲା।
ନିଜର ଏହି ସଉକକୁ କେବଳ ରୁଚିରେ ସୀମିତ ନରଖି ସେ ଏହାକୁ ପେସାରେ ପରିଣତ କରିବାକୁ ସ୍ଥିର କରିଥିଲେ।
ଏହି ସ୍ୱପ୍ନକୁ ସାକାର କରିବା ପାଇଁ ସେ ସ୍ୱିଜରଲ୍ୟାଣ୍ଡ ଯାଇ ପେଷ୍ଟ୍ରି ଓ ଚକୋଲେଟ୍ ତିଆରିରେ ବିଶେଷ ପ୍ରଶିକ୍ଷଣ ନେଇଥିଲେ।
ସେଠାରେ ପ୍ରାୟ ପାଞ୍ଚ ବର୍ଷ ଧରି ପେସାଦାର ଚକୋଲେଟିଅର୍ ଭାବେ କାମ କରି ବିଶ୍ୱସ୍ତରୀୟ ଚକୋଲେଟ୍ ପ୍ରସ୍ତୁତିର ସମସ୍ତ କୌଶଳ ହାସଲ କରିଥିଲେ।
ତେବେ ତାଙ୍କ ମନରେ ଏକ ସ୍ୱପ୍ନ ସବୁବେଳେ ଥିଲା କେବଳ ଚକୋଲେଟ୍ ତିଆରି ନୁହେଁ ବରଂ ନିଜେ କୋକୋ ଚାଷ କରି ସେଥିରୁ ଉତ୍କୃଷ୍ଟ ଚକୋଲେଟ୍ ପ୍ରସ୍ତୁତ କରିବେ।
Debasnana Purnima 2026: ମହାପ୍ରଭୁଙ୍କ ସ୍ନାନଯାତ୍ରା, ଜାଣନ୍ତୁ ସମ୍ପୂର୍ଣ୍ଣ ନୀତି ନିର୍ଘଣ୍ଟ ଓ ହାତୀବେଶ ସମୟ ଏହି ସ୍ୱପ୍ନକୁ ସତ କରିବା ପାଇଁ ସେ ଭାରତ ଫେରିଥିଲେ।
ଗୋଆ-ମହାରାଷ୍ଟ୍ର ସୀମାରେ ପ୍ରାୟ ୧୦ ଏକର ଜମି କିଣିଥିଲେ।
କିନ୍ତୁ ଜମିଟି ଅନୁର୍ବର ଥିଲା ଏବଂ ପୂର୍ବରୁ ଜଙ୍ଗଲ ନିଆଁରେ କ୍ଷତିଗ୍ରସ୍ତ ହୋଇଥିଲା।
ତଥାପି ସେ ହାର ମାନି ନଥିଲେ।
ଜୈବିକ ଚାଷ ଓ ପର୍ମାକଲ୍ଚର୍ ପଦ୍ଧତିକୁ ଆପଣାଇ ଧୀରେ ଧୀରେ ଜମିର ଉର୍ବରତା ଫେରାଇ ଆଣିଥିଲେ।
୨୦୨୧ ମସିହାରେ ସେ ପ୍ରାୟ ୪୦୦ଟି କୋକୋ ଗଛ ଲଗାଇଥିଲେ।
କୋକୋ ଗଛରୁ ଫଳ ମିଳିବାକୁ କିଛିବର୍ଷ ସମୟ ଲାଗେ।
ସେଥିପାଇଁ ସେ ଧୈର୍ଯ୍ୟର ସହ ଅପେକ୍ଷା କରିଥିଲେ।
ଶେଷରେ ୨୦୨୫ ମସିହାରେ ପ୍ରଥମ ବଡ଼ ଅମଳ ମିଳିବା ପରେ ତାଙ୍କ ସ୍ୱପ୍ନ ସାକାର ହୋଇଥିଲା।ଏହାପରେ ସେ ଡୋଡା ନାମରେ ନିଜର କ୍ରାଫ୍ଟ ଚକୋଲେଟ୍ ବ୍ରାଣ୍ଡ ଆରମ୍ଭ କରିଥିଲେ।
ତାଙ୍କ ବିଶେଷତା ହେଉଛି କୋକୋ ଚାଷଠାରୁ ଆରମ୍ଭ କରି ବିନ୍ ସଂଗ୍ରହ, ଫର୍ମେଣ୍ଟେସନ୍, ଶୁଖାଇବା, ରୋଷ୍ଟିଂ, ଗ୍ରାଇଣ୍ଡିଂ ଏବଂ ଶେଷରେ ଚକୋଲେଟ୍ ବାର୍ ପ୍ରସ୍ତୁତି ପର୍ଯ୍ୟନ୍ତ ସମସ୍ତ କାମ ନିଜେ ତଦାରଖ କରନ୍ତି।
ଏହି କାରଣରୁ ତାଙ୍କ ଚକୋଲେଟ୍ର ସ୍ୱାଦ ଓ ଗୁଣବତ୍ତା ଅନ୍ୟଠାରୁ ଭିନ୍ନ ହୋଇଥାଏ।
ଆଜି ତାଙ୍କ କାଫେରେ ନିଜ ଫାର୍ମରେ ଉତ୍ପାଦିତ କୋକୋରୁ ତିଆରି ଚକୋଲେଟ୍ ବାର୍, କେକ୍, ପେଷ୍ଟ୍ରି, ହଟ୍ ଚକୋଲେଟ୍, ଚକୋଲେଟ୍ ଟି ଏବଂ ବିଭିନ୍ନ ଡେଜର୍ଟ ଗ୍ରାହକଙ୍କୁ ପରିବେଷଣ କରାଯାଉଛି।
ସେ ସ୍ଥାନୀୟ ଫଳ ଓ ମସଲାକୁ ବ୍ୟବହାର କରି ମ୍ୟାଙ୍ଗୋ ଚିଲି, ସି ସଲ୍ଟ, କଫି ଓ ଅନ୍ୟାନ୍ୟ ସ୍ୱାଦର ଚକୋଲେଟ୍ ମଧ୍ୟ ପ୍ରସ୍ତୁତ କରୁଛନ୍ତି।
ଏହି ନୂଆ ସ୍ୱାଦ ଗ୍ରାହକଙ୍କ ମଧ୍ୟରେ ବେଶ୍ ଲୋକପ୍ରିୟ ହୋଇପାରିଛି।
ଅଲ୍ଭିନିଆ କେବଳ ଜଣେ ସଫଳ ଉଦ୍ୟୋଗୀ ନୁହନ୍ତି, ସେ ଜୈବିକ ଚାଷ ଓ ପରିବେଶ ଅନୁକୂଳ କୃଷିର ଜଣେ ସମର୍ଥକ ମଧ୍ୟ।
ତାଙ୍କ ବିଶ୍ୱାସ, ଭଲ ମାଟି, ଶୁଦ୍ଧ କଞ୍ଚାମାଲ ଓ ପ୍ରକୃତି ପ୍ରତି ସମ୍ମାନ ହିଁ ଉତ୍କୃଷ୍ଟ ଖାଦ୍ୟର ମୂଳ ଆଧାର।
ନିଜର ଆଗ୍ରହ ଓ ସ୍ୱପ୍ନକୁ ଯଦି ଦୃଢ଼ ଇଚ୍ଛାଶକ୍ତି, ପରିଶ୍ରମ ଓ ଧୈର୍ଯ୍ୟ ସହ ଅନୁସରଣ କରାଯାଏ ତେବେ ଯେକୌଣସି କ୍ଷେତ୍ରରେ ସଫଳତା ହାସଲ କରିହେବ।
ତାଙ୍କ କାହାଣୀ ଆଜି ଅନେକ ଯୁବକଯୁବତୀଙ୍କୁ ନିଜ ସ୍ୱପ୍ନ ପୂରଣ କରିବା ପାଇଁ ସାହସ ଯୋଗାଉଛି।"