Fitness Equipment to Your Wall: ଘରର କାନ୍ଥରେ ଲାଗିବ ଜିମ୍! ୪ ଆଇଆଇଟି ଛାତ୍ରଙ୍କ ଅଦ୍ଭୁତ ଉଦ୍ଭାବନ ଦେଖି ଚକିତ ଆନନ୍ଦ ମହିନ୍ଦ୍ରା
ଘରେ ଜିମ୍ କରିବାକୁ ଇଚ୍ଛା ଅଛି, ହେଲେ ଜାଗାର ଅଭାବ ବଡ଼ ସମସ୍ୟା।
ରହୁଥିବା ଘର ଛୋଟ ହୋଇଥିବାରୁ ଅନେକ ଲୋକ ଜିମ୍ ମେସିନ୍ କିଣିବାକୁ ଚାହିଁଲେ ବି ପଛଘୁଞ୍ଚା ଦେଇଥାନ୍ତି।
ହେଲେ ଏବେ ଏହି ସମସ୍ୟାର ଏକ ନିଆରା ସମାଧାନ ଖୋଜି ବାହାର କରିଛନ୍ତି ୪ ଆଇଆଇଟି ଗ୍ରାଜୁଏଟ୍।
ଏମିତି ଏକ ଜିମ୍ ମେସିନ୍ ତିଆରି କରିଛନ୍ତି, ଯାହାକୁ ଘରର କାନ୍ଥରେ ଲଗାଇ ଆପଣ ବ୍ୟାୟାମ କରିପାରିବେ।
ଏହି ଅଭିନବ ଉଦ୍ଭାବନ ଦେଖି ଶିଳ୍ପପତି ଆନନ୍ଦ ମହିନ୍ଦ୍ରା ମଧ୍ୟ ପ୍ରଶଂସା କରିଛନ୍ତି।
Advertisment ଏହି ଅତ୍ୟାଧୁନିକ ମେସିନ୍ର ନାଁ ହେଉଛି 'ଆରୋଲିପ୍ ଏକ୍ସ' (Aroleap X)।
ଏହାକୁ ତିଆରି କରିଛନ୍ତି ଆଇଆଇଟି ଦିଲ୍ଲୀର ୪ ଜଣ ପୂର୍ବତନ ଛାତ୍ର ଅମନ ରାୟ, ଅନୁରାଗ ଦାନୀ, ରୋହିତ ପଟେଲ ଓ ଅମଲ ଜର୍ଜ।
୨୦୧୯ ମସିହାରେ ଏହି ୪ ସାଙ୍ଗ ନିଜ ଫିଟନେସ୍ ସମସ୍ୟାକୁ ନେଇ ଆଲୋଚନା କରୁଥିବା ବେଳେ ଏଭଳି ଏକ ମେସିନ୍ ତିଆରି କରିବାର ଚିନ୍ତା ଆସିଥିଲା।
ବେଙ୍ଗାଲୁରୁରେ ଚାକିରି କରୁଥିବା ଅମନଙ୍କ ପାଇଁ ନିୟମିତ ଜିମ୍ ଯିବା ଓ ଘରେ ଜିମ୍ ଉପକରଣ ରଖିବା କଷ୍ଟକର ହେଉଥିଲା।
ଅନ୍ୟ ସାଙ୍ଗମାନେ ମଧ୍ୟ ସମାନ ସମସ୍ୟାର ସାମ୍ନା କରୁଥିଲେ।
ତେଣୁ ସେମାନେ ପାରମ୍ପରିକ ଓଜନ ବଦଳରେ ମୋଟର ଜରିଆରେ ପ୍ରତିରୋଧ ସୃଷ୍ଟି କରୁଥିବା ଏକ ମେସିନ୍ ତିଆରି କରିବାକୁ ଯୋଜନା କଲେ।
Advertisment ହେଲେ ଏହି ସ୍ୱପ୍ନ ପୂରଣ କରିବା ଏତେ ସହଜ ନଥିଲା।
ପ୍ରାୟ ୧୫ଟି ପ୍ରୋଟୋଟାଇପ୍ ତିଆରି କରିବା ସହ ନିଜ ପକେଟରୁ ପ୍ରାୟ ୨୫ ଲକ୍ଷ ଟଙ୍କା ଖର୍ଚ୍ଚ କରିଥିଲେ ୪ ସାଙ୍ଗ।
୨୦୨୦ରେ ଆରୋଲିପ୍ ଫିଟନେସ୍ ପ୍ରାଇଭେଟ୍ ଲିମିଟେଡ୍ ଆରମ୍ଭ କରିଥିଲେ।
ପରେ ଜେରୋଧା ସହ-ପ୍ରତିଷ୍ଠାତା ନିତିନ କାମଥ୍ ମେସିନ୍ଟିକୁ ପରୀକ୍ଷା କରି ପ୍ରଥମ ଆଞ୍ଜେଲ୍ ଇନଭେଷ୍ଟର ହୋଇଥିଲେ।
୨୦୨୨ ମେ'ରେ ଏହା ବଜାରକୁ ଆସିଥିଲା।
ମାତ୍ର ୪ ଫୁଟ୍ ଲମ୍ବ ଓ ୨ ଫୁଟ୍ ଚଉଡ଼ା କାନ୍ଥ ଜାଗାରେ ଏହାକୁ ଲଗାଯାଇପାରିବ।
ପରେ 'ଶାର୍କ ଟ୍ୟାଙ୍କ ଇଣ୍ଡିଆ'ରେ ମଧ୍ୟ ଏହାକୁ ଉପସ୍ଥାପନ କରିଥିଲେ ଉଦ୍ୟୋଗୀମାନେ।
ଆନନ୍ଦ ମହିନ୍ଦ୍ରା ଏହାର ଭିଡିଓ ସେୟାର କରି ବିଶ୍ୱ ବଜାରରେ ଏହାର ବଡ଼ ସମ୍ଭାବନା ଥିବା କହିଥିଲେ।
ତାଙ୍କ ମତରେ, ଛୋଟ ଆପାର୍ଟମେଣ୍ଟଠାରୁ ଆରମ୍ଭ କରି ବିଜନେସ୍ ହୋଟେଲ ପର୍ଯ୍ୟନ୍ତ ଏହା ବେଶ୍ ଉପଯୋଗୀ ହୋଇପାରିବ।
ରିପୋର୍ଟ ଅନୁସାରେ, ୨୦୨୩-୨୪ରେ କମ୍ପାନୀ ୨୦ଟି ସହରରେ ୩୦୦ରୁ ଅଧିକ ମେସିନ୍ ବିକ୍ରି କରି ୩.୫ କୋଟି ଟଙ୍କାର କାରବାର କରିଥିଲା।
ଏବେ ଦେଖିବାର କଥା, ୪ ସାଙ୍ଗଙ୍କ ଏହି ନିଆରା ଉଦ୍ଭାବନ କେତେ ଦୂର ବିଶ୍ୱ ବଜାରରେ ନିଜର ପରିଚୟ ସୃଷ୍ଟି କରୁଛି!
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।
