Family killed in house collapse accident: ମୁହୂର୍ତ୍ତକରେ ଉଜୁଡ଼ିଗଲା ସଂସାର! ୧୦୦ ବର୍ଷ ପୁରୁଣା ଘର ଭୁଶୁଡ଼ି ୬ ଜଣଙ୍କ ମୃତ୍ୟୁ

Aug 06, 2026 - 11:33
Family killed in house collapse accident: ମୁହୂର୍ତ୍ତକରେ ଉଜୁଡ଼ିଗଲା ସଂସାର! ୧୦୦ ବର୍ଷ ପୁରୁଣା ଘର ଭୁଶୁଡ଼ି ୬ ଜଣଙ୍କ ମୃତ୍ୟୁ

୧୦୦ ବର୍ଷ ପୁରୁଣା ଏକ ଜରାଜୀର୍ଣ୍ଣ କୋଠା ଭୁଶୁଡ଼ି ପଡ଼ିବାରୁ ଗୋଟିଏ ପରିବାରର ୬ ଜଣଙ୍କର ମୃତ୍ୟୁ ଘଟିଛି। ଘର ଭିତରେ ଶୋଇଥିବା ସମୟରେ ସମସ୍ତେ ମାଟିତଳେ ଚାପି ହୋଇଯାଇଛନ୍ତି। ତେବେ ପରିବାରର ଜଣେ ଯୁବକ ଅଳ୍ପକେ ବର୍ତ୍ତି ଯାଇଛନ୍ତି।

ଉତ୍ତର ପ୍ରଦେଶର ପ୍ରତାପଗଡ଼ରେ ପ୍ରବଳ ବର୍ଷା ମଧ୍ୟରେ ଘଟିଛି ଏକ ହୃଦୟବିଦାରକ ଦୁର୍ଘଟଣା। ମହୁଲୀ ଗାଁର ବାସିନ୍ଦା ପ୍ରମୋଦ ଶ୍ରୀବାସ୍ତବଙ୍କ ଘରଟି ଦୀର୍ଘ ଦିନ ଧରି ଜରାଜୀର୍ଣ୍ଣ ଅବସ୍ଥାରେ ଥିଲା। ଗୁରୁବାର ବିଳମ୍ବିତ ରାତି ପ୍ରାୟ ୨ଟା ସମୟରେ ସମସ୍ତେ ଗଭୀର ନିଦ୍ରାରେ ଶୋଇଥିବା ବେଳେ ହଠାତ୍ ଘରଟି ସମ୍ପୂର୍ଣ୍ଣ ଭୁଶୁଡ଼ି ପଡ଼ିଥିଲା। ଚିତ୍କାର ଶୁଣି ସ୍ଥାନୀୟ ଲୋକ ଘଟଣାସ୍ଥଳକୁ ଧାଇଁ ଆସି ପୁଲିସ ଓ ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ।

ସ୍ଥାନୀୟ ଲୋକ ଓ ଉଦ୍ଧାରକାରୀ ଦଳ ମିଳିତ ଭାବେ ମାଟିତଳୁ ସମସ୍ତଙ୍କୁ ବାହାର କରି ହସ୍ପିଟାଲକୁ ପଠାଇଥିଲେ। ହେଲେ ଡାକ୍ତର ୬ ଜଣଙ୍କୁ ମୃତ ଘୋଷଣା କରିଥିଲେ। 

ମୃତକମାନେ ହେଲେ ପ୍ରମୋଦ ଶ୍ରୀବାସ୍ତବ, ରୀତା, ନିତିନ, ମାଧୁରୀ, ମାଧବ ଓ ଅଦ୍ୱିକ। ସେମାନଙ୍କ ମଧ୍ୟରେ ଦମ୍ପତି, ସେମାନଙ୍କ ପୁଅ, ବୋହୂ ଏବଂ ଦୁଇ ଶିଶୁ ଥିଲେ। ଅନ୍ୟପଟେ, ପ୍ରମୋଦଙ୍କ ୨୮ ବର୍ଷୀୟ ପୁଅ ଅମନ ଏହି ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଯାଇଛନ୍ତି। ତାଙ୍କ ସ୍ୱାସ୍ଥ୍ୟାବସ୍ଥା ସ୍ଥିର ଥିବା ସୂଚନା ମିଳିଛି।

ପ୍ରବଳ ବର୍ଷା ଯୋଗୁଁ ଜରାଜୀର୍ଣ୍ଣ ଘରଟି ଭୁଶୁଡ଼ି ପଡ଼ିଥିବା ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି। ଘଟଣା ପରେ ପ୍ରଶାସନ ପକ୍ଷରୁ ଉଦ୍ଧାର କାର୍ଯ୍ୟ ସହ ପରିସ୍ଥିତିର ଯାଞ୍ଚ ଜାରି ରହିଛି। ଏହି ହୃଦୟବିଦାରକ ଘଟଣା ସମଗ୍ର ଅଞ୍ଚଳରେ ଶୋକର ଛାୟା ଖେଳାଇ ଦେଇଛି।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।