Editorial: ଛଳନାର ବିବର୍ତ୍ତନ: ଗୌରଚନ୍ଦ୍ର ତ୍ରିପାଠୀଙ୍କ ସମ୍ପାଦକୀୟ ଆଶାର ଗବାକ୍ଷରେ ପଢ଼ନ୍ତୁ ଏଥର...
"ଛଳନାର ବିବର୍ତ୍ତନ ଗୌରଚନ୍ଦ୍ର ତ୍ରିପାଠୀଆଶାର ଗବାକ୍ଷ ପଞ୍ଚବଟୀର ଘନ ଜଙ୍ଗଲ।
ବନବାସରେ ପ୍ରଭୁ ଶ୍ରୀରାମ।
ରାବଣ ସାଧୁ ବେଶରେ ସୀତାଙ୍କ କୁଟୀର ପାଖକୁ ଆସି କହିଲା: “ମାତା, କ୍ଳାନ୍ତ ଓ ଭୋକିଲା ଏହି ସନ୍ନ୍ୟାସୀକୁ କିଛି ଭିକ୍ଷାଦାନ କରନ୍ତୁ।” ସୀତା ଉତ୍ତର ଦେଲେ: “ହେ ମହାତ୍ମା, ଅବଶ୍ୟ ଦେବି, ଦୟାକରି ନିକଟକୁ ଆସନ୍ତୁ।” ରାବଣ ଲକ୍ଷ୍ମଣ ରେଖା ବାହାରେ ଅଟକି ଯାଇ କହିଲା, “ମୁଁ ଏହି ପବିତ୍ର ସୀମା ଡେଇଁ ପାରିବି ନାହିଁ, ମାତା।
ତେଣୁ ନିଜେ ହିଁ ଆସନ୍ତୁ।” ଛଦ୍ମବେଶକୁ ବିଶ୍ୱାସ କରି ସୀତା ରେଖା ଡେଇଁବା ମାତ୍ରେ, ରାବଣ ନିଜର ପ୍ରକୃତ ରୂପ ପ୍ରକାଶ କରି ସୀତାଙ୍କୁ ଜବରଦସ୍ତି ଉଠାଇ ନେଲା।
ସୀତାଙ୍କୁ ଅପହରଣ କରିବାରେ ରାବଣ ଶକ୍ତିକୁ ନୁହେଁ, ଛଳନାକୁ ହିଁ ମୁଖ୍ୟ ଅସ୍ତ୍ର କରିଥିଲା।
Advertisment ଛଳନା ଆଜି ଆମ ଦୈନନ୍ଦିନ ଜୀବନର ଏକ କଠୋର ବାସ୍ତବତା ପାଲଟିଛି।
ତଥ୍ୟ ଗୋପନ କରିବା ହେଉ କିମ୍ବା ମିଥ୍ୟାର ଆଶ୍ରୟ ହେଉ, ଏହାର ଉଦ୍ଦେଶ୍ୟ ଗୋଟିଏ- ଇଚ୍ଛାକୃତ ଭାବେ ଭ୍ରମ ସୃଷ୍ଟି କରିବା।
ବହୁ ପୂର୍ବରୁ ସେଣ୍ଟ ଅଗଷ୍ଟିନ୍ ଲକ୍ଷ୍ୟ କରିଥିଲେ ଯେ ଛଳନା କେବଳ କଥାରେ ନଥାଏ, କାର୍ଯ୍ୟ ଓ ନିରବତାରେ ମଧ୍ୟ ରହିଥାଏ।
ବିବର୍ତ୍ତନବାଦ ଦୃଷ୍ଟିକୋଣରୁ ଦେଖିଲେ, ଛଳନା ବଞ୍ଚିବାର ଏକ କୌଶଳ ଭାବେ ବିକଶିତ ହୋଇଥିଲା- ଦେହସୁଖ ପାଇଁ ସାଥୀଟେ ପାଇବା, ବିପଦରୁ ବଞ୍ଚିବା ଓ ସାମାଜିକ ସୁବିଧା ହାସଲ କରିବା ପାଇଁ।
ଆହୁରି ପଢ଼ନ୍ତୁ- statewide cyber awareness ସାଇବର ସଚେତନତା ଅଭିଯାନରେ ଯୋଗ ଦେଲେ ୪୦ଲକ୍ଷ ଛାତ୍ରଛାତ୍ରୀ ଛଳନାର ପ୍ରମୁଖ ରୂପ ହେଉଛି ମିଥ୍ୟା।
ମିଥ୍ୟା କହିବା ସ୍ବଭାବ ପିଲାଦିନେ, ଦୁଇ ତିନି ବର୍ଷ ବୟସରୁ ହିଁ ଆରମ୍ଭ ହୋଇଥାଏ।
କିଛି ଗବେଷଣାରେ ବୟସ୍କମାନଙ୍କ ତୁଳନାରେ କଲେଜ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଏହି ହାର ଅଧିକ ଥିବା ଜଣାପଡ଼ିଛି।
ମନସ୍ତାତ୍ତ୍ବିକ ଦୃଷ୍ଟିକୋଣରୁ ମିଥ୍ୟା କହିବାର ଅନେକ କାରଣ ରହିଛି।
ଏହା ସ୍ୱଭାବ, ଆତ୍ମସ୍ବାର୍ଥ, ଅହଂକାର, ଦଣ୍ଡର ଭୟ କିମ୍ବା କଳ୍ପନାରୁ ଜନ୍ମ ହୋଇପାରେ।
ପିଲାମାନେ ଦୋଷରୁ ରକ୍ଷା ପାଇବା ପାଇଁ ମିଥ୍ୟା କୁହନ୍ତି; ବୟସ୍କମାନେ ନିଜର ଦୁର୍ବଳ ଆତ୍ମସମ୍ମାନକୁ ରକ୍ଷା କରିବା ପାଇଁ କିମ୍ବା ନିଜର ଏକ ଆଦର୍ଶ ଛବି ସୃଷ୍ଟି କରିବା ପାଇଁ ସଫଳତାର ମନଗଢ଼ା କାହାଣୀ ଉପସ୍ଥାପନ କରନ୍ତି।
କିନ୍ତୁ ସବୁଠାରୁ ଆତ୍ମଘାତୀ ଆଚରଣ ହେଉଛି ଆତ୍ମ-ପ୍ରତାରଣା, ଯେଉଁଠି ଅନ୍ୟକୁ ଠକିବାକୁ ଯାଇ ଆମେ ଅନେକ ସମୟରେ ନିଜକୁ ହିଁ ଠକି ବସୁ।
ପେଟରେ ବିଷ ରଖି ଭଲେଇ ହେବାର ଛଳନା ପାରିବାରିକ ଓ ସାମାଜିକ ସମ୍ପର୍କରେ ଫାଟ ସୃଷ୍ଟିର ମୁଖ୍ୟ କାରଣ।
ମିଥ୍ୟା- ଅପରାଧବୋଧ ଏବଂ ଧରାପଡ଼ିବାର ଏକ ଦୀର୍ଘସ୍ଥାୟୀ ଭୟ ସୃଷ୍ଟି କରେ।
ଏହି ଗଭୀର ମାନସିକ ଚାପ ବ୍ୟକ୍ତିଗତ ଜୀବନର ଶାନ୍ତିକୁ ନଷ୍ଟ କରିବା ସହ ଅନ୍ୟ ଉପରେ ବିଶ୍ୱାସ ଓ ଭରସା ରଖିବା ମାନସିକତାକୁ ଗଭୀର ଭାବେ କ୍ଷତିଗ୍ରସ୍ତ କରେ।
ବ୍ୟକ୍ତିଗତ ଜୀବନରେ ମିଥ୍ୟା ଗୋଟିଏ ସମ୍ପର୍କକୁ ଭାଙ୍ଗିପାରେ କିନ୍ତୁ ସାର୍ବଜନୀନ ଜୀବନରେ ଏହା ହଜାର ହଜାର ଲୋକଙ୍କ ମତ, ବିଶ୍ୱାସ ଓ ନିଷ୍ପତ୍ତିକୁ ପ୍ରଭାବିତ କରେ।
କିନ୍ତୁ ସବୁ ମିଥ୍ୟା ମନ୍ଦ ନୁହେଁ। "ପ୍ରୋସୋସିଆଲ୍ ଲାଇଜ୍" ବା ସାମାଜିକ ହିତକର ମିଥ୍ୟା, ଅନ୍ୟର ଭାବନାକୁ ଆଘାତରୁ ରକ୍ଷା କରିବା କିମ୍ବା ସାମାଜିକ ସଦ୍ଭାବ ବଜାୟ ରଖିବା ପାଇଁ କୁହାଯାଇଥାଏ।
କିନ୍ତୁ "ଆଣ୍ଟିସୋସିଆଲ୍ ଲାଇଜ୍" ବା ଅସାମାଜିକ ମିଥ୍ୟା, ପ୍ରାୟତଃ କ୍ଷତିକାରକ ହୋଇଥାଏ।
ତେଣୁ ପ୍ରଶ୍ନ କେବଳ ମିଛ କୁହାଗଲା କି ନାହିଁ, ତାହା ନୁହେଁ; ପ୍ରଶ୍ନ ହେଉଛି- କାହିଁକି କୁହାଗଲା, କାହାର ହିତ ପାଇଁ କୁହାଗଲା ଏବଂ ତାହାର ପରିଣାମ କ"ଣ ହେଲା?
ଆହୁରି ପଢ଼ନ୍ତୁ- Rajasthan Police: ଜୟପୁରରେ ସ୍କୁଲ କ୍ୟାଣ୍ଟିନରୁ ବାସି ଆଳୁ ପେଟିସ୍ ଖାଇବା ପରେ କିଶୋରଙ୍କ ମୃତ୍ୟୁ ଆମ ଭାରତୀୟ ସାଂସ୍କୃତିକ ଚେତନା ସହ ଛଳନା ଗଭୀର ଭାବେ ଜଡ଼ିତ।
ମହାଭାରତର ଶକୁନିର କପଟ ପଶାଖେଳ, ବାଳୁତ କୃଷ୍ଣଙ୍କୁ ମାରିବା ପାଇଁ କଂସର କ୍ରମାଗତ ପ୍ରୟାସ ଏବଂ ଇନ୍ଦ୍ରଙ୍କ ଛଳନାର ଶିକାର ଅହଲ୍ୟାଙ୍କ କାହାଣୀ ଏହାର ଉଦାହରଣ।
ଗ୍ରୀକ୍ ପୁରାଣର "ଟ୍ରୋଜାନ୍ ହର୍ସ"ଠାରୁ ଆଧୁନିକ ଇତିହାସର ନାଜି ପ୍ରଚାର, ରାଷ୍ଟ୍ରମୁଖ୍ୟମାନଙ୍କ ପ୍ରତାରଣା, ଗୁପ୍ତଚର ବୃତ୍ତି ଓ ଭୂ-ରାଜନୈତିକ ଷଡ୍ଯନ୍ତ୍ରର ଛଳନା ମାନବ ସଭ୍ୟତାର ଦୀର୍ଘ ଇତିହାସର କିଛି ଅନ୍ଧକାର ଅଧ୍ୟାୟ।
ସମସାମୟିକ ଜୀବନରେ ମିଥ୍ୟା ରାଜନୈତିକ ପ୍ରତିଶ୍ରୁତି, ବିଭ୍ରାନ୍ତିକର ବିଜ୍ଞାପନ, ବିକୃତ ପରିସଂଖ୍ୟାନ, ମିଥ୍ୟା ଖବର, ଆର୍ଥିକ ଦୁର୍ନୀତି ଓ ସାଇବର ଅପରାଧ ଭଳି ଛଳନା କିଭଳି ବ୍ୟକ୍ତି ଓ ଅନୁଷ୍ଠାନକୁ କ୍ଷତି ପହଞ୍ଚାଇପାରେ, ତା"ର ପ୍ରମାଣ ଦିଏ।
ପ୍ରଯୁକ୍ତିବିଦ୍ୟା ଛଳନାକୁ ଆହୁରି ଦ୍ରୁତ ଓ ଅଧିକ ବିଶ୍ୱାସଯୋଗ୍ୟ କରିଛି।
କୃତ୍ରିମ ବୁଦ୍ଧିମତ୍ତା ଦ୍ୱାରା ସ୍ୱର କ୍ଲୋନିଂ, ବାସ୍ତବଧର୍ମୀ ଚିତ୍ର ଓ ଡିପ୍-ଫେକ୍ ଭିଡିଓ ତିଆରିର ପ୍ରଯୁକ୍ତି ଛଳନାକୁ ବିନାଶକାରୀ ଶକ୍ତି ପ୍ରଦାନ କରିଛି।
ଆମେ ଏମିତି ଏକ ଡିଜିଟାଲ୍ ଯୁଗରେ ପହଞ୍ଚିଛୁ, ଯେଉଁଠି ଦେଖିବା ମାନେ ସତ୍ୟ ଦେଖିବା ନୁହେଁ, ଶୁଣିବା ମାନେ ସତ୍ୟ ଶୁଣିବା ନୁହେଁ।
କୃତ୍ରିମ ବୁଦ୍ଧିମତ୍ତା ଓ ଡିଜିଟାଲ୍ କପଟାଚାରର ଏହି ଯୁଗରେ, ମାନବଜାତିର ସବୁଠୁ ବଡ଼ ସୁରକ୍ଷା କବଚ ହେଉଛି ବିବେକବୋଧ।
ସତ୍ୟର ଗତି ହୁଏତ ଧୀର ହୋଇପାରେ, କିନ୍ତୁ ଛଳନା ପରି ଏହା କେବେ ବି ନିଜ ଗନ୍ତବ୍ୟ ପଥରୁ ବିଚ୍ୟୁତ ହୁଏ ନାହିଁ।
ତେଣୁ ଆମେ ସୁବିଧା ଅପେକ୍ଷା ସତ୍ୟକୁ, ତତ୍କାଳୀନ ଲାଭ ଅପେକ୍ଷା ସାଧୁତାକୁ ଏବଂ ଚତୁରତା ଅପେକ୍ଷା ଚରିତ୍ରକୁ ବାଛିବା ଉଚିତ।
ଆଜିର ଛଳନାମୟ ଓ ବସ୍ତୁବାଦୀ ଦୁନିଆରେ "ସତ୍ୟମେବ ଜୟତେ"ର ପ୍ରାସଙ୍ଗିକତା ଆହୁରି ବଢ଼ିଯାଇଛି।
ତେଣୁ ଆସନ୍ତୁ, ବିବେକ କ"ଣ କହୁଛି ଶୁଣିବା ଏବଂ ସତ୍ୟକୁ ହିଁ ଆପଣେଇବା, ଛଳନାକୁ ନୁହେଁ।(ମତାମତ ଲେଖକଙ୍କ ନିଜସ୍ବ) ମୋ: ୯୯୩୭୦୪୨୫୨୭ ଅଧିକ ଦେଖନ୍ତୁ- "
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।
