Welcome!

Unlock your personalized experience.
Sign Up

Editorial: ଗତାୟୁ ଗୋତି

Jul 28, 2026 - 03:19
Editorial: ଗତାୟୁ ଗୋତି

ଆମ ଦେଶରେ ଇଟାଭାଟିରୁ ଆରମ୍ଭ କରି ଖଣିଖାଦାନ, କୃଷିକ୍ଷେତ୍ର ଓ କେତେକ ବସ୍ତ୍ର ଉତ୍ପାଦନ କେନ୍ଦ୍ରମାନଙ୍କ ପର୍ଯ୍ୟନ୍ତରେ ଶୋଷଣମୂଳକ ଶ୍ରମର ଉପସ୍ଥିତି ବିରୁଦ୍ଧରେ ଅନେକ ସମୟରେ ସ୍ବର ଉତ୍ତୋଳିତ ହେବା ଶୁଣାଯାଇଥାଏ। ଆମେରିକାର ଧାରା-୩୦୧ କାର୍ଯ୍ୟାନୁଷ୍ଠାନ କେତେବେଳେ ସେ ଦିଗରେ ଯେ ନ ମୁହଁାଇବ, କିଏ କହିପାରିବ? ତା’ ପୂର୍ବରୁ ସରକାର ଆବଶ୍ୟକ ସଂସ୍କାର କାର୍ଯ୍ୟକାରୀ କରି ଦେଶରେ ଗୋତି ଶ୍ରମ ଉପସ୍ଥିତିରେ ଅନ୍ତ ଘଟାଇ ଉତ୍ତମ ଶ୍ରମ ମାନ ନିଶ୍ଚିତ କରିବା ଜରୁରି।

Editorial: ଅଘଟଣମୁକ୍ତ, ସୁରକ୍ଷିତ ରଥଯାତ୍ରା: ଜାନକୀଶ ବଡ଼ପଣ୍ଡାଙ୍କ ସମ୍ପାଦକୀୟ ଆଶା ଓ ଆକାଶରେ ପଢ଼ନ୍ତୁ ଏଥର...

ଭାରତ ସରକାର ଜୁଲାଇ ୧୩ ତାରିଖରେ ଏକ ନିର୍ଦ୍ଦିଷ୍ଟ ଉଦ୍ଦେଶ୍ୟ ସାଧନ ନିମିତ୍ତ ଯେଉଁ ଏକ ଗେଜେଟ୍ ବିଜ୍ଞପ୍ତି ଜାରି କରିଥିଲେ, ତାହା ଏବେ ଫଳବତୀ ହୋଇଥିବା ଭଳି ମନେ ହୁଏ। ଏହି ବିଜ୍ଞପ୍ତି ବଳରେ ସରକାର ସେଇ ସମସ୍ତ ଦ୍ରବ୍ୟମାନଙ୍କର ଆମଦାନିକୁ ନିଷିଦ୍ଧ କରିଛନ୍ତି, ଯେଉଁସବୁର ଉତ୍ପାଦନରେ ଗୋତି ଶ୍ରମ (ଫୋର୍ସଡ ଲେବର) ନିୟୋଜିତ ହୋଇଥାଏ। ସରକାରଙ୍କର ଏହି ବିଜ୍ଞପ୍ତି ପ୍ରକୃତରେ ଯାହାର ଦୃଷ୍ଟି ଆକର୍ଷଣ କରିବା ପାଇଁ ଉଦ୍ଦିଷ୍ଟ ଥିଲା, ‌ସିଏ ହେଉଛି ଆମେରିକାର ଟ୍ରମ୍ପ ସରକାର। କାରଣ ଏହାର ଅଳ୍ପ କେତେ ଦିନ ମଧ୍ୟରେ ଆମେରିକାର ବାଣିଜ୍ୟ ପ୍ରତିନିଧି (ୟୁଏସ୍‌ଟିଆର୍) ଜେମିସନ୍ ଗ୍ରିଅର୍ ସେ ଦେଶର ବାଣିଜ୍ୟ ଆଇନର ଧାରା-୩୦୧ ପ୍ରୟୋଗ କରି ଭାରତ ସମେତ ୬୦ଟି ଦେଶ ଉପରେ ପୁଣି ଅତିରିକ୍ତ ଆମଦାନି ଶୁଳ୍‌କ ବା ଟାରିଫ୍ ବସାଇବା ସମ୍ବନ୍ଧରେ ଯେଉଁ ନିଷ୍ପତ୍ତି ଗ୍ରହଣ କରିବାକୁ ଯାଉଥିଲେ, ତାହାର ଏଇ ବିଜ୍ଞପ୍ତିର ବିଷୟବସ୍ତୁ ସହିତ ଘନିଷ୍ଠ ସଂପର୍କ ରହିଛି।
ଏଇ ଆଇନ ଅନୁସାରେ ଆମେରିକା ବିଦେଶରୁ ଆମଦାନି କରୁଥିବା ଯେଉଁ ଦ୍ରବ୍ୟ ଉତ୍ପାଦନରେ ବ୍ୟବହୃତ କଞ୍ଚାମାଲ ଏଭଳି କୌଣସି ଦେଶରୁ ଆମଦାନି ହୋଇଥିବ ଯେଉଁଠି ଏହାର ଉତ୍ପାଦନରେ ଗୋତି ଶ୍ରମ ବ୍ୟବହୃତ ହୋଇଥିବ, ଆମେରିକା ସେଭଳି ଆମଦାନି ଉପରେ ଅତିରିକ୍ତ ଟାରିଫ୍ ବସାଇ ପାରିବ। ଆମେରିକାର ଆଇନରେ ରହିଥିବା ଏହି ବ୍ୟବସ୍ଥା ପଛରେ ନିହିତ ଥିବା ଯୁକ୍ତି ହେଉଛି ସରଳ: ଆମେରିକା ଆମଦାନି କରୁଥିବା ଦ୍ରବ୍ୟ ଯଦି ଗୋତି ଶ୍ରମଭିତ୍ତିକ ଉପାଦାନ ବ୍ୟବହାର ଯୋଗୁଁ ଅପେକ୍ଷାକୃତ ଶସ୍ତାରେ ଉତ୍ପାଦିତ ହୋଇଥିବ, ଆମେରିକାର ଘରୋଇ ଉତ୍ପାଦନକାରୀମାନେ ନିଜ ଦେଶର ବଜାରରେ ତା’ ସହିତ ପ୍ରତିଯୋଗିତା କରିବାକୁ ସକ୍ଷମ ହେବେ ନାହିଁ।
ନୀତିଗତ ଦୃଷ୍ଟିକୋଣରୁ ଯଦି ଦେଖାଯାଏ, ତେବେ ଗୋତି ଶ୍ରମଭିତ୍ତିକ ଶସ୍ତା ଉପାଦାନ ବ୍ୟବହାର ଯୋଗୁଁ କୌଣସି ଦ୍ରବ୍ୟର ଉତ୍ପାଦନ ଖର୍ଚ୍ଚରେ ଯେଉଁ କୃତ୍ରିମ ହ୍ରାସ ଘଟିଥାଏ, ତାହାକୁ ବସ୍ତୁତଃ ସେ ଦେଶର ସରକାରଙ୍କ ଦ୍ବାରା ପ୍ରଦତ୍ତ ରପ୍ତାନି ରିହାତି (ଏକ୍ସପୋର୍ଟ ସବ୍‌ସିଡି) ରୂପେ ଅଭିହିତ କରାଯାଇପାରିବ। ଏଭଳି ପରୋକ୍ଷ ସବ୍‌ସିଡି ପ୍ରଦାନ ଆମେରିକା ପାଇଁ ଏମିତିରେ ଗ୍ରହଣୀୟ ହୋଇ ନ ଥିବା ବେଳେ ଏହାର ଅନ୍ତର୍ନିହିତ ନିଷ୍ଠୁର ଦିଗଟି ଏହାକୁ ବିଶେଷ ଭାବରେ ଅବାଞ୍ଛିତ କରିଥାଏ: ଏଇ ସବ୍‌ସିଡିର ବୋଝ ବାସ୍ତବରେ ବହନ କରିଥାନ୍ତି ସଂପୃକ୍ତ ଦେଶର ଗୋତି ଶ୍ରମିକମାନେ।
ଆମେରିକା ତରଫରୁ ସୂଚନା ପ୍ରସାର କରାଯାଇଥିଲା ଯେ ‌େଯଉଁ ଦେଶମାନେ ଗୋତି ଶ୍ରମଭିତ୍ତିକ ଆମଦାନି ବିରୋଧରେ ପଦକ୍ଷେପ ଗ୍ରହଣ କରିଥିବେ ସେମାନଙ୍କ ପ୍ରତି ଏକ ଅପେକ୍ଷାକୃତ ନୀଚା ୧୦ ଶତାଂଶ ହାରରେ ଟାରିଫ୍ ଲାଗୁ କରାଯିବାକୁ ପ୍ରସ୍ତାବ ରହିଥିବା ବେଳେ, ଯେଉଁ ଦେଶମା‌େ‌ନ ଏଭଳି କୌଣସି ପଦକ୍ଷେପ ଗ୍ରହଣ କରି ନ ଥିବେ, ସେମାନଙ୍କ ପ୍ରତି ଏକ ଉଚ୍ଚତର ୧୨.୫ ଶତାଂଶ ହାରରେ ଟାରିଫ୍ ଲାଗୁ କରାଯିବ। ସୂଚନାଯୋଗ୍ୟ, ଏଇ ନିୟମ ଅନୁସାରେ ପାକିସ୍ତାନ, ଇଣ୍ଡୋନେସିଆ, କାନାଡା, ମେକ୍‌ସିକୋ ଓ ଇଉରୋପିଆନ ୟୁନିଅନ ପରି ଦେଶ ଓ ଗୋଷ୍ଠୀମାନେ ଉପରୋକ୍ତ ନିମ୍ନତର ଟାରିଫ୍ ପାଇଁ ଯୋଗ୍ୟ ବିବେଚିତ ହେଉଥିବା ବେଳେ, ଭାରତ ଉକ୍ତ ଉଚ୍ଚତର ଟାରିଫ୍‌ର ସମ୍ମୁଖୀନ ହେବାକୁ ଯାଉଥିଲା।
ହୁଏତ ହାଲୁକା ଭାବରେ ଦେଖିଲେ ଏଇ ଦୁଇ ଟାରିଫ୍ ହାର ମଧ୍ୟରେ ଥିବା ୨.୫ ପଏଣ୍ଟ ତଫାତ୍ ଏକ ନଗଣ୍ୟ ତଫାତ୍ ପରି ମନେ ହୋଇପାରେ; କିନ୍ତୁ ଭାରତ ପାଇଁ ଏହା ଘୋର ଚିନ୍ତାଜନକ ହୋଇଥାଏ। ଏହାର କାରଣ ହେଲା ଆମେରିକା ହେଉଛି ଭାରତର ବୃହତ୍ତମ ରପ୍ତାନି ବଜାର, ଯାହା ବସ୍ତ୍ର, ଔଷଧପତ୍ର, ରତ୍ନପଥର, ଇଞ୍ଜିନିଅରିଙ୍ଗ ପଦାର୍ଥ ଆଦି ଭଳି ଆମର ପ୍ରମୁଖ ରପ୍ତାନି ଦ୍ରବ୍ୟମାନଙ୍କର ମୁଖ୍ୟ ଗନ୍ତବ୍ୟ ସ୍ଥଳୀ ହୋଇଥାଏ। ଜଣାଶୁଣା ଭାବରେ ଏଇ ସମସ୍ତ କ୍ଷେତ୍ରରେ ପ୍ରତିଯୋଗିତା ତୀବ୍ର ହୋଇଥିବାରୁ ଏଥିରେ ଉତ୍ପାଦନ ଖର୍ଚ୍ଚ ଓ ବିକ୍ରୟ ମୂଲ୍ୟ ମଧ୍ୟରେ ତଫାତ୍ ବା ଲାଭ ମାର୍ଜିନ ଅତ୍ୟନ୍ତ କ୍ଷୀଣ ହୋଇଥାଏ। ଏଣୁ ୨.୫ ଶତାଂଶ ଅଧିକ ଟାରିଫ୍ ହାରକୁ ଭରଣା କରି ଆମଦାନିକାରୀମାନଙ୍କୁ ବିମୁଖ ନ କରିବା ପାଇଁ ଭାରତୀୟ ରପ୍ତାନିକାରୀମାନେ ସେମାନଙ୍କର ରପ୍ତାନି ମୂଲ୍ୟରେ ଅନୁରୂପ ହ୍ରାସ ଘଟାଇବା କାଠିକର ପାଠ ହୁଅନ୍ତା। ଆଉ ଯଦି ଭାରତୀୟ ରପ୍ତାନି ମୂଲ୍ୟ ଅପରିବର୍ତ୍ତିତ ରଖାଯାଏ, ତେବେ ଆମେରିକୀୟ ଅାମଦାନିକାରୀମାନେ ୨.୫ ଶତାଂଶ ଅତିରିକ୍ତ ଟାରିଫ୍ ଏଡ଼ାଇବା ପାଇଁ ଭାରତରୁ ଆମଦାନି ନ କରି ତା’ର ପ୍ରତିଦ୍ବନ୍ଦ୍ବୀ ଦେଶମାନଙ୍କ ଆଡ଼େ ମୁହଁାନ୍ତେ। ଏ ଦୁଇଟିଯାକ ବିକଳ୍ପ ହେଉଛନ୍ତି ଭାରତ ପାଇଁ ଗୋ-ହତ୍ୟା, ବ୍ରହ୍ମହତ୍ୟା ଭଳି- ଏଥିରୁ କେଉଁଟି ହେଲେ ଗ୍ରହଣୀୟ ନୁହେଁ। ଭାରତ ସମ୍ମୁଖରେ ତେଣୁ ଯେଉଁ ଏକମାତ୍ର ଗ୍ରହଣୀୟ ବିକଳ୍ପ ଉପଲବ୍‌ଧ ଥିଲା, ତାହା ହେଲା ଉପରୋକ୍ତ ତୃତୀୟ ବିକଳ୍ପ- ୧୩ ଜୁଲାଇରେ ଜାରି କରାଯାଇଥିବା ସେଇ ଗୋତି ଶ୍ରମଭିତ୍ତିକ ଆମଦାନି ସଂକ୍ରାନ୍ତୀୟ ବିଜ୍ଞପ୍ତି।
ଏଇ ବିଜ୍ଞପ୍ତି ପ୍ରକାଶ ପାଇବା ପରେ ଇତିମଧ୍ୟରେ ଆବଶ୍ୟକ ଅନୁସନ୍ଧାନ, ଜନଶୁଣାଣି ଓ ସଂପୃକ୍ତ ଦେଶମାନଙ୍କ ସହିତ ଆଲୋଚନା ପରେ ରାଷ୍ଟ୍ରପତି ଟ୍ରମ୍ପଙ୍କ ନିର୍ଦ୍ଦେଶରେ ‘ୟୁଏସ୍‌ଟିଆର୍’ ଗ୍ରିଅର୍ ବିଭିନ୍ନ ଦେଶମାନଙ୍କ ପ୍ରତି ଧାରା-୩୦୧ ଅନୁଯାୟୀ ଲାଗୁ କରାଯାଇଥିବା ନୂତନ ଟାରିଫ୍ ହାରମାନ ଘୋଷଣା କରିଛନ୍ତି। ଏହା ଅନୁସାରେ ଭାରତ ୧୨.୫ ଶତାଂଶ ଟାରିଫ୍ ହାର ମାଡ଼ ଏଡ଼ାଇବାରେ ସଫଳ ହୋଇଥିବା ଜଣାପଡ଼ିଛି। ଆର୍ଜେଣ୍ଟିନା, ବାଂଲାଦେଶ, କାମ୍ବୋଡିଆ, କାନାଡା, ଇକୁଏଡର, ଏଲସାଲ୍‌ଭାଡର୍, ଗୁଆଟେମାଲା, ହଣ୍ଡୁରାସ, ଇଣ୍ଡୋନେସିଆ, ଜର୍ଡାନ୍, ‌ମାଲେସିଆ, ମେକ୍‌ସିକୋ, ପାକିସ୍ତାନ, ଶ୍ରୀଲଙ୍କା, ଟ୍ରିନିଡାଡ୍ ଆଣ୍ଡ୍ ଟବାଗୋ ଓ ୟୁକେ ସହିତ ଭାରତ ପ୍ରତି ୧୦ ପ୍ରତିଶତ ହାରରେ ଏଇ ନୂତନ ଟାରିଫ୍ ଲାଗୁ ହେବ ବୋଲି ଆମେରିକାର ବାଣିଜ୍ୟ ପ୍ରତିନିଧି ପ୍ରକାଶ କରିଛନ୍ତି।

Niladri Bije 2026: ନୀଳକନ୍ଦରକୁ ବାହୁଡ଼ିବେ ମହାପ୍ରଭୁ; ଗୋଟି ପହଣ୍ଡି ଜାରି

ଏଠାରେ ସ୍ମରଣଯୋଗ୍ୟ ଯେ ଯେଉଁ ସମୟରେ ଆମେରିକା ଏହି ନୂତନ ଟାରିଫ୍ ଲାଗୁ କରିବା ଘୋଷଣା କରିଛି, ସେଇ ସମୟରେ ଭାରତ ଓ ଆମେରିକା ମଧ୍ୟରେ ଏକ ବ୍ୟାପକ ଦ୍ବିପାକ୍ଷିକ ବାଣିଜ୍ୟ ରାଜିନାମା ସଂପାଦନ ନିମିତ୍ତ କଥାବାର୍ତ୍ତା ମଧ୍ୟ ଚାଲୁ ରହିଛି। ଆମେରିକା ଧାରା-୩୦୧ ଅନୁସାରେ ଏବେ ଯେଉଁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି, ତାହାର ସେଇ କଥାବାର୍ତ୍ତା ସହିତ କୌଣସି ସଂପର୍କ ନାହିଁ। ଏଇ କାର୍ଯ୍ୟାନୁଷ୍ଠାନ ଅାମେରିକାର ବାଣିଜ୍ୟ ନୀତିରେ ଶ୍ରମ ମାନ (ଲେବର ଷ୍ଟାଣ୍ଡାର୍ଡସ)ର ବର୍ଦ୍ଧିଷ୍ଣୁ ଗୁରୁତ୍ବ ଓ ଯୋଗାଣ ଶୃଙ୍ଖଳରେ ତାହାର ଅନୁପାଳନର ଆବଶ୍ୟକତା ପ୍ରତି ଅଙ୍ଗୁଳି ନିର୍ଦ୍ଦେଶ କରିଥାଏ। ଆମେରିକା ଭଳି ଏକ ଗୁରୁତ୍ବପୂର୍ଣ୍ଣ ରପ୍ତାନି ବଜାର ସହିତ ସଂପର୍କ ଅତୁଟ ରଖିବାକୁ ହେଲେ ଭାରତକୁ ଏଥିପ୍ରତି ମଧ୍ୟ ଧ୍ୟାନ ଦେବାକୁ ହେବ।
ଏହା ମଧ୍ୟ ଦେଶ ଭିତରେ ଯୋଗାଣ ଶୃଙ୍ଖଳରେ ଗୋତି ଶ୍ରମର ଉପସ୍ଥିତି ସମ୍ବନ୍ଧରେ ସଚେତନ ହୋଇ ତାହାର ଦୂରୀକରଣ ନିମିତ୍ତ ପଦକ୍ଷେପ ନେବା ଲାଗି ଭାରତ ପାଇଁ ଏକ ସତର୍କଘଣ୍ଟି ସଦୃଶ ହୋଇଥାଏ। ଆମ ଦେଶରେ ଇଟାଭାଟିରୁ ଆରମ୍ଭ କରି ଖଣିଖାଦାନ, କୃଷିକ୍ଷେତ୍ର ଓ କେତେକ ବସ୍ତ୍ର ଉତ୍ପାଦନ କେନ୍ଦ୍ରମାନଙ୍କ ପର୍ଯ୍ୟନ୍ତରେ ଶୋଷଣମୂଳକ ଶ୍ରମର ଉପସ୍ଥିତି ବିରୁଦ୍ଧରେ ଅନେକ ସମୟରେ ସ୍ବର ଉତ୍ତୋଳିତ ହେବା ଶୁଣାଯାଇଥାଏ। ଆମେରିକାର ଧାରା-୩୦୧ କାର୍ଯ୍ୟାନୁଷ୍ଠାନ କେତେବେଳେ ସେ ଦିଗରେ ଯେ ନ ମୁହଁାଇବ, କିଏ କହିପାରିବ? ତା’ ପୂର୍ବରୁ ସରକାର ଆବଶ୍ୟକ ସଂସ୍କାର କାର୍ଯ୍ୟକାରୀ କରି ଦେଶରେ ଗୋତି ଶ୍ରମ ଉପସ୍ଥିତିରେ ଅନ୍ତ ଘଟାଇ ଉତ୍ତମ ଶ୍ରମ ମାନ ନିଶ୍ଚିତ କରିବା ଜରୁରି। ଦେଶରୁ ଏହି ମାନବାଧିକାର-ଉଲ୍ଲଂଘନକାରୀ ଲଜ୍ଜାଜନକ ବ୍ୟବସ୍ଥାର ମୂଳୋତ୍ପାଟନ କରି ଗୋତିର ଗତାୟୁ କରିବା ପାଇଁ ଏହା ହେଉଛି ଏକ ବାଧ୍ୟବାଧକତାଜନିତ ସୁଯୋଗ।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।