Editorial: କେତେ ‌େଯ କିଡ୍‌ନି!

Aug 18, 2026 - 04:18
Editorial: କେତେ ‌େଯ କିଡ୍‌ନି!

"ଅନେକ ସମୟରେ ଦେଖାଯାଇଥାଏ, ବିଧିସମ୍ମତ "ଡୋନର୍" ଉପଲବ୍‌ଧ ‌ଥିଲେ ମଧ୍ୟ ଦାତା ଓ ଗ୍ରହୀତାଙ୍କ କିଡ୍‌ନି ଯଦି ମେଳ ଖାଇ ନ ଥାଏ, ତେବେ ପ୍ରତିରୋପଣ ସମ୍ଭବ ହୋଇ ନ ଥାଏ।

ସମସ୍ତ ସମ୍ଭାବ୍ୟ ଦାତା ଓ ଗ୍ରହୀତାମାନେ ପଞ୍ଜୀକୃତ ହୋଇଥିବା ଏକ ଏକ୍‌ସଚେଞ୍ଜରେ ଉପଯୁକ୍ତ ଦାତା ଓ ଗ୍ରହୀତାମାନଙ୍କ ମଧ୍ୟରେ ସଂଯୋଗ ସ୍ଥାପନ କରାଯାଇ ଏଇ ଅମେଳ ଦୂର କରାଯାଇ ପାରିବ ଓ ଅନେକାଂଶରେ ସମସ୍ୟାର ସମାଧାନ ହୋଇପାରିବ ବୋଲି ରଥ୍ ଯୁକ୍ତି କରିଥିଲେ।Advertisment ଊନବିଂଶ ଶତାବ୍ଦୀର ସ୍କଟିସ୍ ଦାର୍ଶନିକ ଥମାସ୍ କାର୍ଲାଇଲ୍ ଅର୍ଥଶାସ୍ତ୍ରଠାରେ ଏଇ କଳଙ୍କ ଲେପନ କରିବା ପରଠାରୁ ମନୁଷ୍ୟର ଅର୍ଥନୈତିକ ଆଚରଣ ଉପରେ ପ୍ରତିଷ୍ଠିତ ଏଇ ଶାସ୍ତ୍ର ଅନେକଙ୍କ ଦୃଷ୍ଟିରେ ସେବେଠାରୁ ଏକ "ବିଷାଦ ବିଜ୍ଞାନ" ରୂପେ ବିବେଚିତ ହୋଇଆସିଛି।

କିନ୍ତୁ ଅର୍ଥଶାସ୍ତ୍ର ଯେ ପ୍ରକୃତରେ ଏଇ ଦୁଃଖମୟ ସଂସାରରେ ମନୁଷ୍ୟକୁ ବିଷାଦଗ୍ରସ୍ତ କରୁଥିବା ଅସୁମାରି କାରଣମାନ ଦୂର କରିବା ପାଇଁ ସର୍ବଦା ଚେଷ୍ଟା କରିଥାଏ, ତାହାର ଏକ ବଳିଷ୍ଠ ପ୍ରମାଣ ସ୍ବରୂପ ବେଳେବେଳେ ରାଷ୍ଟ୍ର ଅବଲମ୍ବନ କରୁଥିବା କୌଣସି କୌଣସି ଜନମଙ୍ଗଳକାରୀ ନୀତି ଅର୍ଥନୀତିଜ୍ଞମାନେ ସେମାନଙ୍କର ଅନୁଶୀଳନ ବା ଗବେଷଣା ଭିତ୍ତିରେ ପ୍ରଦାନ କରୁଥିବା ଉପଦେଶ ଦ୍ବାରା ପ୍ରଭାବିତ ହୋଇ ରୂପ ପରିଗ୍ରହଣ କରିବା ଦେଖାଯାଇଥାଏ।ଅନେକ ସମୟରେ ଅବଶ୍ୟ ଏଭଳି ଉପଦେଶ ନୈତିକତା ଦୃଷ୍ଟିରୁ ବା ରାଜନୈତିକ ଦୃଷ୍ଟିରୁ ସରକାରଙ୍କ ପାଇଁ ଗ୍ରହଣଯୋଗ୍ୟ ହୋଇ ନ ଥାଏ; କିନ୍ତୁ ସେଇଭଳି ମଧ୍ୟ ଅନେକ ସମୟରେ ରାଷ୍ଟ୍ର ଦ୍ବାରା ଅନୁସୃତ ନୀତିରେ ଅର୍ଥନୀତିଜ୍ଞମାନଙ୍କର କୌଣସି ଆବିଷ୍କାର କିମ୍ବା ଉପଦେଶର ପ୍ରତ୍ୟକ୍ଷ କିମ୍ବା ପ୍ରଚ୍ଛନ୍ନ ପ୍ରଭାବ ପ୍ରତିଫଳିତ ହେବା ପରିଦୃଷ୍ଟ ହୋଇଥାଏ।

ଯେମିତି ଭାରତରେ ବର୍ତ୍ତମାନ "ନେସନାଲ୍ ଅର୍ଗାନ୍ ଆଣ୍ଡ୍ ଟିସୁ ଟ୍ରାନ୍‌ସପ୍ଲାଣ୍ଟ ଅର୍ଗାନାଇଜେସନ୍" ("‌େନାଟୋ") ଦ୍ବାରା ଏକ "ରିଅଲ୍ ଟାଇମ୍" ବା ତତ୍‌କ୍ଷଣାତ୍ କାର୍ଯ୍ୟ କରୁଥିବା ଜାତୀୟ ଅଙ୍ଗପ୍ରତ୍ୟଙ୍ଗ ପ୍ରତିରୋପଣ ପୋର୍ଟାଲ୍ ସ୍ଥାପନ ପଛରେ ନୋବେଲ୍ ପୁରସ୍କାରପ୍ରାପ୍ତ ଅର୍ଥନୀତିଜ୍ଞ ଆଲ୍‌ଭିନ୍ ରଥ୍‌ଙ୍କର ଏକ ବୈପ୍ଳବିକ ଚିନ୍ତାଧାରାର ଛାପ ସ୍ପଷ୍ଟ ରୂପେ ଦୃଶ୍ୟମାନ ହୋଇଥାଏ।ତେବେ ଏ ସମ୍ବନ୍ଧରେ ଅଧିକ କିଛି କହିବା ପୂର୍ବରୁ ପ୍ରଥମେ ସେଇ ଇଲାକାରେ ପ୍ରୟୋଗଯୋଗ୍ୟ ବିବେଚିତ ହେଉ ନ ଥିବା କାରଣରୁ ପ୍ରତ୍ୟାଖ୍ୟାତ ହୋଇ ଆସିଥିବା ଆଉ ଜଣେ ନୋବେଲ୍ ପୁରସ୍କାରପ୍ରାପ୍ତ ଅର୍ଥନୀତିଜ୍ଞଙ୍କ ପ୍ରସ୍ତାବ ସମ୍ବନ୍ଧରେ ଚୁମ୍ବକରେ ଉଲ୍ଲେଖ କରିବା ପ୍ରୟୋଜନ ମନେ ହୁଏ।

ଆମେ ଜାଣୁ ଭାରତରେ ୧୯୯୪ରେ ପ୍ରଣୀତ "ଟ୍ରାନ୍‌ସ‌ପ୍ଲାଣ୍ଟେସନ୍ ଅଫ୍ ହ୍ୟୁମାନ୍ ଅର୍ଗାନ୍‌ସ ଆଣ୍ଡ୍ ଟିସୁଜ୍ ଆକ୍ଟ" ("ଥୋଟା") ବଳରେ ଏଠାରେ କିଡ୍‌ନି ବା ଅନ୍ୟ କୌଣସି ମାନବ ଅଙ୍ଗପ୍ରତ୍ୟଙ୍ଗ ବିକ୍ରୟ କଡ଼ାକଡ଼ି ଭାବରେ ନିଷିଦ୍ଧ ହୋଇଥିବା ଭଳି ପୃଥିବୀରେ କେବଳ ଇରାନକୁ ଛାଡ଼ି ଅନ୍ୟ ସମସ୍ତ ଦେଶରେ ଅନୁରୂପ ନିଷେଧାଦେଶ କାର୍ଯ୍ୟ କରିଥାଏ।

ଏଭଳି ଆଇନ ଅନୁସାରେ କେବଳ ନିକଟ ସଂପର୍କୀୟ କିମ୍ବା ଏକ ଅଧିକାରପ୍ରାପ୍ତ କମିଟି ଦ୍ବାରା ଅନୁମୋଦିତ ଦାତା (ଡୋନର୍)ମାନେ ହିଁ ପ୍ରତିରୋପଣ ପାଇଁ ଅଙ୍ଗଦାନ କରିପାରିଥାନ୍ତି।ସ୍ବାଭାବିକ ଭାବରେ ଏତାଦୃଶ କଟକଣାର ଫଳସ୍ବରୂପ ସଂପୃକ୍ତ ଦେଶମାନଙ୍କରେ ପ୍ରତିରୋପଣ ନିମିତ୍ତ ଉପଲବ୍‌ଧ ଅଙ୍ଗପ୍ରତ୍ୟଙ୍ଗର ଚାହିଦା ଓ ଯୋଗାଣ ମଧ୍ୟରେ ଘୋର ଅସମତୁଲ ଅବସ୍ଥା ସୃଷ୍ଟି ହୋଇଥାଏ।

ଚାହିଦା ତୁଳନାରେ ଯୋଗାଣ ବହୁତ ପଛରେ ପଡ଼ିଥାଏ।

ଏହାର ଏକ ଉଦାହରଣ ସ୍ବରୂପ ୨୦୨୫ରେ ଭାରତରେ ୨୦,୧୩୮ଟି ଅଙ୍ଗ ପ୍ରତିରୋପଣ ସଂଘଟିତ ହୋଇ ଏକ ନୂତନ ରେକର୍ଡ ସ୍ଥାପିତ ହୋଇଥିଲେ ହେଁ ଏଠାରେ ଏଥିପାଇଁ ଅପେକ୍ଷାରତ ଧାଡ଼ିରେ ପ୍ରତି ବର୍ଷ ଯୋଗଦେଉଥିବା ନୂତନ ରୋଗୀମାନଙ୍କର ଆନୁମାନିକ ସଂଖ୍ୟା ହେଉଛି ନିମ୍ନୋକ୍ତ ପରି: କିଡ୍‌ନି- ଦୁଇ ଲକ୍ଷ, ଲିଭର୍- ୫୦,୦୦୦, ହୃତ୍‌ପିଣ୍ଡ- ୫୦,୦୦୦ ସରିକି।ଭାରତ ପରି ଆମେରିକାରେ ମଧ୍ୟ କିଡ୍‌ନି ପ୍ରତିରୋପଣ ନିମିତ୍ତ ଚାହିଦା ସର୍ବାଧିକ ହୋଇଥାଏ ଓ ତାହା ତୁଳନାରେ ଯୋଗାଣ ଅତ୍ୟନ୍ତ ନଗଣ୍ୟ ହୋଇଥାଏ।

ସେଠାରେ ଏ‌ହି ଭୀଷଣ ସଂକଟର ସମାଧାନର ଉପାୟ ସ୍ବରୂପ ୨୦୦୭ରେ ପ୍ରକାଶିତ ସେମାନଙ୍କର ଏକ ଗବେଷଣା ପତ୍ରରେ ଅନ୍ୟ ଜଣେ ନୋବେଲ୍ ପୁରସ୍କାରପ୍ରାପ୍ତ ଅର୍ଥନୀତିଜ୍ଞ ଗ୍ୟାରି ବେକର୍ ଓ ତାଙ୍କର ଛାତ୍ର ଜୁଲିଓ ଇଲାୟାସ୍ ଏଥିପାଇଁ ଏକ ମୌଳିକ ବଜାର ସୂତ୍ରର ପ୍ରୟୋଗ ସପକ୍ଷରେ ଦୃଢ଼ ଯୁକ୍ତି ଉପସ୍ଥାପିତ କରିଥିଲେ।

ସେମାନଙ୍କର ଯୁକ୍ତି ଅନୁସାରେ ଉପରୋକ୍ତ ଆଇନର ଉଚ୍ଛେଦ ସାଧନ କରି (ଆମେରିକାରେ ବଳବତ୍ତର ଥିବା ଏହି ଆଇନ ହେଉଛି "ନେସନାଲ୍ ଅର୍ଗାନ୍ ଟ୍ରାନ୍‌ସପ୍ଲାଣ୍ଟ ଆକ୍ଟ" ବା "ନୋଟା", ୧୯୮୪) ‌"ଡୋନର୍‌"ମାନଙ୍କୁ ନିଜର କିଡ୍‌ନି ବିକ୍ରି କରିବା ପାଇଁ ଆଇନଗତ ଅଧିକାର ପ୍ରଦାନ କରାଯିବା ଉଚିତ।

ତା"ହେଲେ ଅବିଳମ୍ବେ କିଡ୍‌ନି ଯୋଗାଣରେ ଉଲ୍ଲେଖନୀୟ ବୃଦ୍ଧି ଘଟି ଚାହିଦା ଓ ଯୋଗାଣ ମଧ୍ୟରେ ଥିବା ତଫାତ୍ ସଂପୂର୍ଣ୍ଣ ରୂପେ ଦୂର ହୋଇଯିବ ବୋଲି ବେକର୍ ଦାବି କରିଥିଲେ (ଏ ସଂପର୍କରେ ବିତର୍କରେ ଅଂଶଗ୍ରହଣ ଅବସରରେ ସେ ଅନେକ ସମୟରେ କହିବା ଦେଖାଯାଇଥାଏ: ""କିଡ୍‌ନିର କୌଣସି ଅଭାବ ନାହିଁ, ବରଂ ବଳକା ଅଛି: ପ୍ରତ୍ୟେକଙ୍କର ଦୁଇ ଦୁଇଟି ଅଛି!"")।କିନ୍ତୁ ଯେଉଁ ସମୟରେ ବେକର୍ ଓ ଇଲାୟାସ୍‌ଙ୍କର ଏଇ ଗବେଷଣା ପତ୍ର ପ୍ରକାଶ ପାଇଲା, ସେଇ ସମୟରେ ଏଭଳି ପ୍ରସ୍ତାବରେ ରହିଥିବା ଏକ ଅନ୍ତର୍ନିହିତ ପ୍ରତିବନ୍ଧକ ପ୍ରତି ଦୃଷ୍ଟି ଆକର୍ଷଣ କରି ଆଲ୍‌ଭିନ୍ ରଥ୍‌ଙ୍କର ଅନ୍ୟ ଏକ ଗବେଷଣା ପତ୍ର ପ୍ରକାଶ ପାଇଲା।

ପ୍ରତିବନ୍ଧକଟିର ନାମ ହେଲା: "ରିପଗ୍‌ନାନ୍‌ସ" ବା ଘୃଣ୍ୟତା।

ସିଧାସଳଖ କହିଲେ ସମାଜ ଦୃଷ୍ଟିରେ ଅଙ୍ଗପ୍ରତ୍ୟଙ୍ଗ କ୍ରୟବିକ୍ରୟ ଏପରି ଘୃଣ୍ୟ ବିବେଚିତ ହୋଇଥାଏ ଯେ ଏହାକୁ କେବେହେଲେ ଆଇନଗତ ଅନୁମୋଦନ ପ୍ରଦାନ କରାଯାଇ ପାରିବ ନାହିଁ।

ରଥ୍ ତେଣୁ ଏହାର ଏକ ବିକଳ୍ପ ଯୋଜନା କାର୍ଯ୍ୟକାରୀ କରାଯିବା ପାଇଁ ପ୍ରସ୍ତାବ ଦେଇଥିଲେ, ଯାହାଦ୍ବାରା କିଡ୍‌ନିର ଅଭାବ ପୂରାପୂରି ଦୂର ‌େହାଇଯିବ ନାହିଁ, କିନ୍ତୁ ତାହା ଅନେକାଂଶରେ ଲାଘବ ହୋଇପାରିବ।

ଏଇ ଯୋଜନାଟି ହେଲା- ଏକ କିଡ୍‌ନି ଏକ୍‌ସଚେଞ୍ଜ ସ୍ଥାପନ।ଅନେକ ସମୟରେ ଦେଖାଯାଇଥାଏ, ବିଧିସମ୍ମତ "ଡୋନର୍" ଉପଲବ୍‌ଧ ‌ଥିଲେ ମଧ୍ୟ ଦାତା ଓ ଗ୍ରହୀତାଙ୍କ କିଡ୍‌ନି ଯଦି ମେଳ ଖାଇ ନ ଥାଏ, ତେବେ ପ୍ରତିରୋପଣ ସମ୍ଭବ ହୋଇ ନ ଥାଏ।

ସମସ୍ତ ସମ୍ଭାବ୍ୟ ଦାତା ଓ ଗ୍ରହୀତାମାନେ ପଞ୍ଜୀକୃତ ହୋଇଥିବା ଏକ ଏକ୍‌ସଚେଞ୍ଜରେ ଉପଯୁକ୍ତ ଦାତା ଓ ଗ୍ରହୀତାମାନଙ୍କ ମଧ୍ୟରେ ସଂଯୋଗ ସ୍ଥାପନ କରାଯାଇ ଏଇ ଅମେଳ ଦୂର କରାଯାଇ ପାରିବ ଓ ଅନେକାଂଶରେ ସମସ୍ୟାର ସମାଧାନ ହୋଇପାରିବ ବୋଲି ରଥ୍ ଯୁକ୍ତି କରିଥିଲେ।"ନୋଟୋ" ଦ୍ବାରା ଆରମ୍ଭ କରାଯାଇଥିବା ଉପରୋକ୍ତ ପୋର୍ଟାଲ୍ ଭାରତରେ ଏବେ ଠିକ୍ ତାହା ହିଁ କରିବ ବୋଲି ଆଶା କରାଯାଉଛି।

ଏକ ଅର୍ଗାନ୍ ଏକ୍‌ସଚେଞ୍ଜ ରୂପେ କାର୍ଯ୍ୟ କରିବାକୁ ଯାଉଥିବା ଏଇ ପୋର୍ଟାଲ୍‌ରେ ଯାହାସବୁ ସ୍ଥାନ ପାଇବ, ସେଥିରେ ଅନ୍ତର୍ଭୁକ୍ତ ହେବ: ଏକ ଏକୀକୃତ ଜାତୀୟ ଅପେକ୍ଷାରତ ତାଲିକା ବା "ୱେଟିଙ୍ଗ ଲିଷ୍ଟ", ସ୍ବଚ୍ଛ ଆବଣ୍ଟନ, ଦାତା ଗ୍ରହୀତାଙ୍କ ମଧ୍ୟରେ ଜାତୀୟସ୍ତରୀୟ ମେଳକ ଅନୁସନ୍ଧାନ, "ଆଧାର"-ସଂଯୁକ୍ତ ଡୋନର୍ ପ୍ରତିଶ୍ରୁତି ଏବଂ ପ୍ରତିରୋପଣର ଫଳାଫଳ ଅନୁସରଣ।

ହସ୍‌ପିଟାଲମାନେ ଅତ୍ୟନ୍ତ ଜରୁରି କେସ୍‌ମାନଙ୍କ ସମ୍ବନ୍ଧରେ ପୋର୍ଟାଲ୍‌ରେ ତତ୍‌କ୍ଷଣାତ୍ ସୂଚନା ପ୍ରସାର କରି ଅଗ୍ରାଧିକାର ଭିତ୍ତିରେ ଅଙ୍ଗପ୍ରତ୍ୟଙ୍ଗ ଯୋଗାଣ ପାଇଁ ଅନୁରୋଧ କରିପାରିବେ।ଅନ୍ୟ ଭାବରେ କହିଲେ, ପ୍ରତିରୋପଣ ପାଇଁ ଆବଶ୍ୟକ ଅଙ୍ଗପ୍ରତ୍ୟଙ୍ଗ ଯୋଗାଣରେ ଅଭାବକୁ ଯାହା ଆହୁରି ଉତ୍କଟ କରିଥାଏ, ତାହା ହେଉଛି ଠିକଣା ସମୟରେ ଠିକଣା ଶରୀରରେ ଠିକଣା ଅଙ୍ଗପ୍ରତ୍ୟଙ୍ଗ ପ୍ରତିରୋପଣ ପାଇଁ ଆବଶ୍ୟକ ସୂଚନାରେ ଅଭାବ। "ନୋଟୋ" ପୋର୍ଟାଲ୍ ଏବେ ସାରା ଦେଶର ଏ ସଂପର୍କିତ ସମସ୍ତ ଆବଶ୍ୟକ ସୂଚନା ସବୁକୁ ତତ୍‌କ୍ଷଣାତ୍ ଏକାଠି ଗୋଟିଏ ଡିଜିଟାଲ୍ ପ୍ଲାଟ୍‌ଫର୍ମରେ ଉପଲବ୍‌ଧ କରି ସେଇ ଅଭାବକୁ ଦୂର କରିବ, ଯାହା ଅନେକ ଅମୂଲ୍ୟ ଜୀବନକୁ ଅକଳା ମୃତ୍ୟୁରୁ ଉଦ୍ଧାର କରିବ।ଏଥିରେ ଏକ ବିଶେଷ ଅବଦାନ ଥିବା ଅର୍ଥଶାସ୍ତ୍ରକୁ ଆମେ କ"ଣ ତଥାପି ଏକ "ବିଷାଦ ବିଜ୍ଞାନ" ବୋଲି କହିବା?"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media