Editorial: କନଫୁସିଅସ ଓ ବୃଦ୍ଧ

Sep 04, 2026 - 03:06
Editorial: କନଫୁସିଅସ ଓ ବୃଦ୍ଧ

"ଏବେ ଦେଖିବାକୁ ମିଳୁଛି ଯେ ସେହି "ପ୍ରଗତି"ର ସମ୍ମୋହନ ଭିତରେ ମାନବ ଜାତି (ବୃଦ୍ଧଙ୍କ ନାତି ଭଳି) କେବଳ ତା"ର ସ୍ବାସ୍ଥ୍ୟ ହରାଇ ନାହିଁ, ତାହାର ସମଗ୍ର ଅସ୍ତିତ୍ବ ହରାଇବାକୁ ବସିଲାଣି!

ଏବଂ ପ୍ରଗତିର ଏହି ଜୟଯାତ୍ରାରେ ପରାହତ ଭଳି ପ୍ରତୀତ ହେଉଥିବା ପ୍ରକୃତି ତା" ନିଜ ମାର୍ଗରେ ପ୍ରତିଶୋଧ ନେଇ ପୃଥିବୀକୁ ଟଳମଳ କରି ପକାଇଲାଣି!Advertisment El Nino: ଅତି ଶକ୍ତିଶାଳୀ ହେବ ଏଲ୍‌ ନିନୋ, ଫେବ୍ରୁଆରି ପର୍ଯ୍ୟନ୍ତ ପ୍ରଭାବ କଥିତ ଅଛି ଯେ ମହାନ ଚୀନା ଦାର୍ଶନିକ (ଖ୍ରୀ.ପୂ.

ଷଷ୍ଠ ଶତାବ୍ଦୀ) କନଫୁସିଅସ ଥରେ ଗୋଟିଏ ଗଛ ଛାଇରେ ବସିଥିବା ବେଳେ ଦେଖିଲେ ଯେ ସୁଗଠିତ ଶରୀରଯୁକ୍ତ ଜଣେ ବୃଦ୍ଧ ଓ ଜଣେ ଯୁବକ ପାଳି ପାଳି କାରି ଜୁଆଳି କାନ୍ଧରେ ଧରି ହଳ କରିବାରେ ବ୍ୟାପୃତ।

ସେ ଦୁହେଁ ଥିଲେ ଅଜା ଓ ନାତି।

କିଛି ସମୟ ପରେ କ୍ଳାନ୍ତି ଅପନୋଦନ କରିବା ଲାଗି ଉଭୟ ସେହି ଗଛ ଛାଇକୁ ଆସିଥିବା ବେଳେ କନଫୁସିଅସ ବୃଦ୍ଧଙ୍କୁ ପରାମର୍ଶସୁଲଭ ବାକ୍ୟଟିଏ କହିଥିଲେ, “ପାଖ ରାଜ୍ୟରେ କେତେ ପ୍ରଗତି ହେଲାଣି ଜାଣିନା ବୋଧହୁଏ!

ଲୋକେ ଚାଷ ଲାଗି ଘୋଡ଼ା ବ୍ୟବହାର କଲେଣି!

ତୁମେ ସେଥିରୁ ଗୋଟିଏ ଆଣୁନା?"" ଏହା ଶୁଣି ବୃଦ୍ଧ ଧୀର କଣ୍ଠରେ କହିଥିଲେ, “ମୋ ନାତି ଆପଣଙ୍କ କଥା ନ ଶୁଣୁ!

ନ ହେଲେ ସେ ଘୋଡ଼ାଟିଏ ଲାଗି ଜିଦି କରିବ।

ଆପଣ କ"ଣ ଚାହାନ୍ତି ଯେ ଘୋଡ଼ାର ସ୍ବାସ୍ଥ୍ୟ ଭଲ ରହୁ ଓ ତା" ଦେହ ବିଗିଡ଼ି ଯାଉ?"" କହିବା ଅନାବଶ୍ୟକ ‌େଯ ବୃଦ୍ଧଙ୍କ ଉକ୍ତିରେ ଶ୍ଳେଷ ଥିଲା; କାରଣ ସେ ବୁଝିଥିଲେ ଯେ ଶ୍ରମକୁଣ୍ଠ ବା ଆଳସ୍ୟଜର୍ଜର ହେବାର ଏ ପ୍ରକରଣରେ ବ୍ୟାଧିକୁ ନିମନ୍ତ୍ରଣ କରିବା କେବଳ ସାର ହୋଇଥାଏ!

କିନ୍ତୁ ବୁଝି ହେଉଛି ଯେ ସେହି ସମୟ ବେଳକୁ, ଆପଣା ସ୍ବାର୍ଥ ଓ ସୁବିଧା ଲାଗି ପ୍ରାକୃତିକ ଭାବେ ଉପଲବ୍‌ଧ ‌େଯକୌଣସି ସାଧନ (ସଜୀବ ହେଉ ବା ନିର୍ଜୀବ)ର ଉପଯୋଗ କରି ଜାଣିବାକୁ "ପ୍ରଗତି" ମର୍ମରେ ବୁଝାଯାଉଥିବ, ଯାହା କାଳକ୍ରମେ ଏବର ପ୍ରକୃତିର ଦୋହନରେ ପରିଣତ ହୋଇଛି!

କୁହାଯାଏ ଯେ ଆଧୁନିକ ବୈଜ୍ଞାନିକ ଚିନ୍ତାଧାରାର ବୀଜ ପଡ଼ିଥିଲା କନଫୁସିଅସଙ୍କ ଦର୍ଶନ ଓ ଦୃଷ୍ଟିରୁ, ଯହିଁରେ ମନୁଷ୍ୟ ହୋଇଥାଏ ସୃଷ୍ଟିର କେନ୍ଦ୍ର ଓ ତା"ର ପରାକାଷ୍ଠା ନିହିତ ଥାଏ ପ୍ରକୃତି ଉପରେ ବିଜୟରେ, ଏପରିକି ପ୍ରକୃତିକୁ ଦାସ କରିବାରେ!

ପ୍ରଶ୍ନ ଉଠିପାରେ, ସ୍ତମ୍ଭର ପ୍ରାରମ୍ଭରେ ଏହି ଗଳ୍ପର ଅବତାରଣା ପଛରେ ସଂଦର୍ଭ କ"ଣ?

ଉତ୍ତର ହେଉଛି, ନେପାଳରେ ଘଟିଥିବା ଭୟାବହ ହିମାଳୟୀ ପ୍ରଳୟ ପରିପ୍ରେକ୍ଷୀରେ ବୁଝିବାକୁ ଚେଷ୍ଟା କରିବା ଯେ କିଭଳି ତଥାକଥିତ "ପ୍ରଗତି"ର ମାଦକତା ମନୁଷ୍ୟକୁ ହିତାହିତି ଜ୍ଞାନ ଶୂନ୍ୟ କରିଛି।

ଏହା କ"ଣ ସମ୍ଭବ ଯେ ଚୀନର ବିଚକ୍ଷଣ ବୈଜ୍ଞାନିକ, ଇଂଜିନିଅର ଓ ପରିବେଶବିତ୍‌ମାନଙ୍କୁ ଅଜ୍ଞାତ ଥିବ ଯେ ହିମାଳୟ ଭଳି ଏକ କର୍ଦ୍ଦମ ପର୍ବତରେ ଭିତ୍ତିଭୂମି ସ୍ଥାପନ, ପ୍ରଶସ୍ତ ରାଜପଥ ନିର୍ମାଣ କି ଅତିକାୟ ସୁଡ଼ଙ୍ଗ ଖନନ ଇତ୍ୟାଦି ଭଳି କାର୍ଯ୍ୟ ହିମ ଚଳନ ବା ଅତଡ଼ା ଖସିବା ପରି ବିପର୍ଯ୍ୟୟ ସକାଶେ "ଟ୍ରିଗର୍‌" ଦବାଇବା ଭଳି ହୋଇଥାଏ?

କିନ୍ତୁ, ଚୈତନ୍ୟ ଉଦୟ ହେଉନାହିଁ କାହିଁକି?

ଉଦାହରଣ ସ୍ବରୂପ, ଚୀନର ସର୍ବାଧିକ ମହତ୍ତ୍ବାକାଂକ୍ଷୀ "ବେଲ୍‌ଟ ରୋଡ୍‌ ଇନିସିଏଟିଭ" ପ୍ରକଳ୍ପ ଅଧୀନରେ ତିବ୍ବତକୁ ନେପାଳ ସହିତ ସଂଯୁକ୍ତ କରୁଥିବା ରାଜପଥର ଅଂଶ, ୨୦୧୫ ମସିହାର ନେପାଳ ଭୂମିକଂପରେ ସଂପୂର୍ଣ୍ଣ ଧ୍ବସ୍ତ ହୋଇଯାଇଥିଲା, କିନ୍ତୁ ପୁଣି କିରଂଗ ଠାରୁ କାଠମାଣ୍ଡୁ ପର୍ଯ୍ୟନ୍ତ ଛଅ ଲେନ ବିଶିଷ୍ଟ ବିଶାଳ ରାଜପଥ ସହିତ ରେଳପଥର ନିର୍ମାଣ କାର୍ଯ୍ୟ ଚାଲିଛି।

କହିବାର ତାତ୍ପର୍ଯ୍ୟ ହେଲା, ନେପାଳର ପ୍ରଳୟଙ୍କରୀ ଭୂମିକଂପକୁ ଯଦି ପ୍ରକୃତିର ଚେତାବନୀ ବୋଲି କୁହାଯାଏ, ତେବେ ତାକୁ ଯେ କର୍ଣ୍ଣପାତ କରାଯାଇନାହିଁ, ତାହା ସୁସ୍ପଷ୍ଟ।

କେବଳ ସେତିକି ନୁହେଁ, ତିବ୍ବତରେ ଚୀନ ପକ୍ଷରୁ ନିର୍ମିତ ହେଲାଣି ୩୦୦ରୁ ଅଧିକ ନଦୀ ବନ୍ଧ, ଯହିଁରୁ ଅନେକ ହେଉଛନ୍ତି ଅତ୍ୟନ୍ତ ବିଶାଳ।

ବ୍ରହ୍ମପୁତ୍ର ନଦୀ ଉପରେ ନିର୍ମାଣ କରାଯାଉଥିବା ନଦୀବନ୍ଧକୁ ତ ପୃଥିବୀର ଅନ୍ୟତମ ବୃହତ୍ତମ ନଦୀବନ୍ଧ ପ୍ରକଳ୍ପ ବୋଲି ଅଭିହିତ କରାଯାଉଛି!

ପୃଥିବୀର ଅଧିକାଂଶ ପରିବେଶବିତ୍‌, ଏପରିକି ଚୀନା ପରିବେଶବିତ୍‌ମାନେ ମଧ୍ୟ, ମତ ପୋଷଣ କରିଥାଆନ୍ତି ଯେ ଭୂମିର ଫାଟ ଦେଇ ଯଦି ଜଳ ଧାର ଭୂଗର୍ଭସ୍ଥ "ସିସ୍‌ମିକ୍‌ ଜୋନ୍‌" ବା "କଂପନ ସୃଷ୍ଟିକାରୀ ସ୍ତର"ରେ ପହଞ୍ଚେ, ତେବେ ଭୂମିକଂପ ହେବାର ବାଟ ଫିଟିଯାଏ।

ଏବଂ ବିପୁଳ ପରିମାଣରେ ଜଳ ଠୁଳ କରୁଥିବା ହେତୁ କୃତ୍ରିମ ଜଳଭଣ୍ଡାରଗୁଡ଼ିକ ଦ୍ବାରା ସେହି ଆଶଙ୍କା ଅଧିକ ବୃଦ୍ଧି ପାଇଥାଏ।

ସେମାନେ କହିଥାଆନ୍ତି ଯେ ପୂର୍ବରୁ ହିମାଳୟ ପାର୍ବତ୍ୟାଞ୍ଚଳରେ ବର୍ଷକୁ ଦୁଇ ବା ତିନି ଥର ଭୂକଂପର ଦୃଷ୍ଟାନ୍ତ ମିଳୁଥିବା ବେଳେ ସଂପ୍ରତି ସେହି ସଂଖ୍ୟା ବାର୍ଷିକ ହାରାହାରି ପନ୍ଦରରେ ପହଞ୍ଚିଲାଣି, ଯହିଁରେ ନେପାଳ, ଭୁଟାନ, ଭାରତର ସିକିମ ଓ ଆଫଗାନିସ୍ତାନ ପର୍ଯ୍ୟନ୍ତ ଅନେକ କ୍ଷତି ସହିଛନ୍ତି।

ଚୀନ ସରକାର କ"ଣ ଏ ନେଇ ଅଜ୍ଞ ଥିବେ?

ସୁନିଶ୍ଚିତ ଭାବେ "ନା"!

ତାହା ହେଲେ ପୁଣି କାହିଁକି ଏଭଳି ଜଳଭଣ୍ଡାରମାନ ନିର୍ମାଣ କରି ଜୀବନ୍ତ ଟାଇମ ବୋମାମାନ ଖଞ୍ଜି ଦେଉଛନ୍ତି, ଯେଉଁଗୁଡ଼ିକ ପ୍ରଳୟ ସୃଷ୍ଟି ଲାଗି କେବଳ ଏକ ନିର୍ଦ୍ଦିଷ୍ଟ ଓ ନିର୍ଣ୍ଣାୟକ ମୁହୂର୍ତ୍ତକୁ ଅପେକ୍ଷା କରି ରହିଛନ୍ତି ଯାହା?

ଏହାର ଉତ୍ତର ମଧ୍ୟ ହେଉଛି ସେହି ତଥାକଥିତ "ପ୍ରଗତି" ନାମରେ ଚାଲିଥିବା ଅନ୍ଧ ପ୍ରତିଦ୍ବନ୍ଦ୍ବିତା। "ଏ.ଆଇ."ର ବିକାଶ କ୍ଷେତ୍ରରେ, ଯୁକ୍ତରାଷ୍ଟ୍ର ଆମେରିକାକୁ ଅତିକ୍ରମ କରିବା ଲାଗି ଚୀନ ପକ୍ଷରୁ ଯେଉଁ ଉଦ୍ୟମ ଚାଲିଛି, ତାହାର ନିଦର୍ଶନ ହେଉଛନ୍ତି ଅତିକାୟ "ଡେଟା ସେଣ୍ଟର"ମାନ, ଯାହା ବିପୁଳ ପରିମାଣରେ ବିଦ୍ୟୁତ୍‌ ଶକ୍ତି ଲୋଡ଼ି ଥାଆନ୍ତି, ଯେଉଁ କାରଣରୁ ନଦନଦୀ ସମୃଦ୍ଧ ତିବ୍ବତ ଏତେ ସଂଖ୍ୟକ ବିଶାଳ ନଦୀବନ୍ଧ ଓ ଜଳବିଦ୍ୟୁତ୍‌ ପ୍ରକଳ୍ପମାନ ଦେଖୁଛି।

କହିବା ବାହୁଲ୍ୟ ‌େଯ ଏହା ଚୀନର ଚରମ ସ୍ବାର୍ଥ-ସର୍ବସ୍ବ ମନୋଭାବର ପରିଚାୟକ, ଯାହା ସଂପ୍ରତି ସମାଲୋଚନାର ଶରବ୍ୟ ହେଉଛି।

କିନ୍ତୁ ଚୀନ ତା"ର ସ୍ବଭାବସୁଲଭ ଢଙ୍ଗରେ ପଶ୍ଚାତ୍ତାପ କରିବାକୁ ପଶ୍ଚାତ୍‌ପଦ।

ଜାତିସଂଘ ଦ୍ବାରା, ୧୯୯୭ ମସିହାରେ ଗୃହୀତ ଆନ୍ତର୍ଜାତିକ ନଦୀ ଜଳ ବଣ୍ଟନ ଚୁକ୍ତିିନାମାରେ ସ୍ବାକ୍ଷର କରି ନ ଥିବା ହେତୁ, ଅନେକ ବିଶାଳ ଓ ଚିରସ୍ରୋତା ନଦୀର ଉପର ମୁଣ୍ଡରେ ଅବସ୍ଥିତ ଥିଲେ ହେଁ ତଳ ମୁଣ୍ଡର ରାଷ୍ଟ୍ରଗୁଡ଼ିକ ଲାଗି ଚୀନ କୌଣସି ଦାୟିତ୍ବ ସ୍ବୀକାର କରି ନ ଥାଏ।

ବରଂ ଏହି ଦୁର୍ବିପାକ ପରେ ଦେଖିବାକୁ ମିଳିଛି ଯେ ବିଦେଶୀ ସାମ୍ବାଦିକଙ୍କ ତିବ୍ବତ ପ୍ରବେଶକୁ ଚୀନ ପକ୍ଷରୁ ନିଷେଧ କରାଯାଇଛି ଏବଂ ସାମାଜିକ ଗଣମାଧ୍ୟମରେ ଚୀନ ସରକାରଙ୍କୁ ଅପଦସ୍ଥ କଲା ଭଳି ତଥ୍ୟର ପ୍ରସାରଣକୁ କଠୋର ଭାବେ ଦଣ୍ଡନୀୟ କରାଯାଇଛ‌ି, ଯେଉଁ କାରଣରୁ ଏହି ଦୁର୍ବିପାକରେ କେବଳ ତିବ୍ବତରୁ ନିରୁଦ୍ଦିଷ୍ଟ ଓ ମୃତକଙ୍କ ସଂଖ୍ୟା ୭୦୦ରୁ ଅଧିକ ବୋଲି ଆକଳନ କରାଯାଉଥିବା ବେଳେ ଚୀନ ପକ୍ଷରୁ ତାହାକୁ ମାତ୍ର ୧୬‌ରେ ସୀମିତ କରି ରଖାଯାଇଛି।

ଏହା ହିଁ ଦୁର୍ଭାଗ୍ୟ!

Jalchand jewellers: ଲାଲ୍‌ଚନ୍ଦ୍‌ର ପାର୍ବଣ ଭେଟି: "ଆପଣଙ୍କ ଟଙ୍କାରେ ଅଧିକ ସୁନା" କନଫୁସିଅସ ହେଉଛନ୍ତି ଚୀନର ସର୍ବାଧିକ ମୂଲ୍ୟବାନ ବୌଦ୍ଧିକ ସଂପଦ।

ତେଣୁ ବୋଧହୁଏ କନଫୁସିଅସଙ୍କ ମତବାଦ ଅନୁସାରୀ "ପ୍ରଗତି"ର ଅନ୍ଧ ସ୍ତାବକ ହେଉଛି ଏହି ଦେଶ।

ସେଦିନ ସେହି ଅନାମଧ୍ୟେୟ ଓ ଖୁବ୍‌ ସମ୍ଭବ ଅଶିକ୍ଷିତ ବୃଦ୍ଧ ତାଙ୍କ ଉକ୍ତିରେ ଯେଉଁ ପ୍ରଜ୍ଞାର ଝଲକ ଦେଖାଇଥିଲେ, ତାହା କନଫୁସିଅସଙ୍କ ବୌଦ୍ଧିକ ଦୃଷ୍ଟିର ଦୂରତାକୁ ମଧ୍ୟ ଅତିକ୍ରମ କରି ଯା‌ଇଥିଲା।

ସେ ଦିନ ବୃଦ୍ଧ ତାଙ୍କ ନାତିର ସ୍ବାସ୍ଥ୍ୟକୁ ନେଇ ଚିନ୍ତିତ ହୋଇ ଉଠିଥିଲେ!

ଅବଶ୍ୟ, ତରୁଣ ନାତିଟି, ଦିନେ, ଘୋଡ଼ାଟିଏ ବନ୍ଦୋବସ୍ତ କରି ଜମି ଚାଷ କରିବା ଆରମ୍ଭ କରିଥିବ ଏବଂ ବୃଦ୍ଧ ରହି ଯାଇଥିବେ ପ୍ରକୃତିର ଆଶୀର୍ବାଦକୁ ଜୀବନର କେନ୍ଦ୍ର କରି ବଞ୍ଚୁଥିବା ଅପାଙ୍‌କ୍ତେୟ ପିଢ଼ିଗୁଡ଼ିକର ଜଣେ ପ୍ରତିନିଧି ହୋଇ!

ଇତିମଧ୍ୟରେ, ଏହି ଘଟଣାର ପ୍ରାୟ ତିନି ହଜାର ବର୍ଷ ବିତି ସାରିଲାଣି।

ଏବେ ଦେଖିବାକୁ ମିଳୁଛି ଯେ ସେହି "ପ୍ରଗତି"ର ସମ୍ମୋହନ ଭିତରେ ମାନବ ଜାତି (ବୃଦ୍ଧଙ୍କ ନାତି ଭଳି) କେବଳ ତା"ର ସ୍ବାସ୍ଥ୍ୟ ହରାଇ ନାହିଁ, ତାହାର ସମଗ୍ର ଅସ୍ତିତ୍ବ ହରାଇବାକୁ ବସିଲାଣି!

ଏବଂ ପ୍ରଗତିର ଏହି ଜୟଯାତ୍ରାରେ ପରାହତ ଭଳି ପ୍ରତୀତ ହେଉଥିବା ପ୍ରକୃତି ତା" ନିଜ ମାର୍ଗରେ ପ୍ରତିଶୋଧ ନେଇ ପୃଥିବୀକୁ ଟଳମଳ କରି ପକାଇଲାଣି!

ଏ କଥା କିନ୍ତୁ ସେ ଦିନ ଦାର୍ଶନିକ କନଫୁସିଅସ କି ଦୂରଦ୍ରଷ୍ଟା ସେହି ବୃଦ୍ଧ; କାହାକୁ ହେଲେ ଦିଶି ନ ଥିଲା।"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)