Editorial: ସ୍ମୃତିର କାରାଗାର
ନ୍ୟାୟିକ ରେକର୍ଡମାନ ଚିର କାଳ ପାଇଁ ଇଣ୍ଟରନେଟରେ ଉପଲବ୍ଧ ହେବା ଦ୍ବାରା ଚିର କାଳ ଧରି ବ୍ୟକ୍ତିର ସମ୍ମାନ ଆହତ ହେବ ବୋଲି ମତ ପ୍ରକାଶ କରି ମାନ୍ୟବର ଅଦାଲତ ଯେଉଁ ମାମଲାମାନଙ୍କରେ ଅଭିଯୁକ୍ତ ଜଣକ ନିର୍ଦ୍ଦୋଷ ସାବ୍ୟସ୍ତ ହୋଇଥିବେ, କିମ୍ବା ଖଲାସ ହୋଇଥିବେ, କିମ୍ବା ବୁଝାମଣା ହୋଇଥିବ, କିମ୍ବା ମାମଲା ରଦ୍ଦ ହୋଇଥିବ କିମ୍ବା ତାହା ଏକାନ୍ତ ବ୍ୟକ୍ତିଗତ କିସମର ହୋଇଥିବ, ସେପରି ସ୍ଥଳେ ଇଣ୍ଟରନେଟରେ ତା’ର ଚିହ୍ନବର୍ଣ୍ଣ ନ ରହିବା ପାଇଁ ଉପରୋକ୍ତ ପଦକ୍ଷେପମାନ ନିଆଯିବ ବୋଲି ନିର୍ଦ୍ଦେଶ ଦେଇଛନ୍ତି।
ଭାରତୀୟ ସଂବିଧାନର ଧାରା-୨୧ ବ୍ୟକ୍ତିର ଯେଉଁ ମୌଳିକ ଅଧିକାର ସୁରକ୍ଷିତ ରଖିବା ଉଦ୍ଦେଶ୍ୟରେ କଳ୍ପନା କରାଯାଇଥିଲା, ତାହା ହେଲା ତା’ର ବଞ୍ଚିବାର ଅଧିକାର ଓ ବ୍ୟକ୍ତିଗତ ସ୍ବାଧୀନତା ଅକ୍ଷୁଣ୍ଣ ରହିବାର ଅଧିକାର। ସମୟ କ୍ରମେ କିନ୍ତୁ ଅଦାଲତୀ ତର୍ଜମା ବଳରେ ଏହି ଧାରାର ପ୍ରୟୋଗ ପରିସରରେ ଯେଉଁଭଳି ନିୟମିତ ସଂପ୍ରସାରଣ ଘଟିଚାଲିଛି, ତାହା ଅନ୍ତହୀନ ଭଳି ମନେ ହୋଇଥାଏ। ଉଦାହରଣ ସ୍ବରୂପ ଗୋପନୀୟତାର ଅଧିକାରରୁ ସୁସ୍ଥ ପରିବେଶ, ଜୀବିକାର୍ଜନ, ଶିକ୍ଷା ଓ ସ୍ବାସ୍ଥ୍ୟ, ସଡ଼କ ନିରାପତ୍ତା ପର୍ଯ୍ୟନ୍ତ ବିଭିନ୍ନ ସମୟରେ ପ୍ରଦାନ କରାଯାଇଥିବା ଐତିହାସିକ ଅଦାଲତୀ ରାୟମାନଙ୍କ ବଳରେ ଆଜି ଧାରା-୨୧ ପରିସରଭୁକ୍ତ ମୌଳିକ ଅଧିକାରରେ ପରିଣତ ହୋଇସାରିଛନ୍ତି।
ଏଇ ସଂପ୍ରସାରଣର ଅଂଶ ସ୍ବରୂପ ପ୍ରାୟ ଦୁଇ ମାସ ତଳେ ଦିଲ୍ଲୀ ହାଇକୋର୍ଟ ଜୁନ୍ ପହିଲା ତାରିଖରେ ପ୍ରଦାନ କରିଥିବା ଏକ ରାୟ ଯେଉଁ ଏକ ଅଧିକାରକୁ ଧାରା-୨୧ ସମ୍ମତ ମୌଳିକ ଅଧିକାରର ମାନ୍ୟତା ପ୍ରଦାନ କରିଛି, ତାହା ଯେତିକି ଅଭାବିତ, ସେତିକି ଯୁକ୍ତିସଂଗତ ମନେ ହୋଇଥାଏ। ଏଇ ନୂତନ ମୌଳିକ ଅଧିକାରଟି ହେଉଛି- ବ୍ୟକ୍ତିର ବିସ୍ମୃତ ହେବାର ଅଧିକାର (ରାଇଟ୍ ଟୁ ବି ଫର୍ଗଟ୍ନ- ‘ଆର୍ଟିବିଏଫ୍’)। ଲକ୍ଷ ବୀର ସିଂହ ଯାଦବ ବନାମ ୟୁନିଅନ୍ ଅଫ୍ ଇଣ୍ଡିଆ ମାମଲାରେ ପ୍ରଦାନ କରିଥିବା ଏଇ ରାୟରେ ଅଦାଲତ ଆଜିର ଡିଜିଟାଲ ଯୁଗରେ ଆବିର୍ଭୂତ ହୋଇଥିବା ଏକ ଅନନ୍ୟ ଦ୍ବନ୍ଦ୍ବର ସାମନା କରିଛନ୍ତି: ଯେତେବେଳେ ଇଣ୍ଟରନେଟ କୌଣସି କଥା ଭୁଲିଯାଏ ନାହିଁ, ସେତେବେଳେ ଜଣେ ବ୍ୟକ୍ତି କେବେହେଲେ ତା’ର ଅତୀତକୁ ଅତିକ୍ରମ କରି ଆଗକୁ ଯାଇପାରିବ କି?
ଡିଜିଟାଲ ଯୁଗର ଆରମ୍ଭ ପର୍ଯ୍ୟନ୍ତ ମାନବ ଇତିହାସ ସାରା ସମାଜରେ ବିସ୍ମରଣ ଥିଲା ଏକ ସାଧାରଣ ସ୍ଥିତି; ସ୍ମୃତିର ପରିଧି ଥିଲା ସ୍ଥାନୀୟ, ବିଷୟବସ୍ତୁ ଥିଲା ଇଚ୍ଛାମୂଳକ, ଅବଧି ଥିଲା କ୍ଷଣସ୍ଥାୟୀ। କୌଣସି ଯୁବସୁଲଭ ଅପରିପକ୍ବ ଧୃଷ୍ଟତା, ଶେଷରେ ଅପ୍ରମାଣିତ ହୋଇଥିବା କୌଣସି ଅାପରାଧିକ ଅଭିଯୋଗ କିମ୍ବା ଜଣେ ବ୍ୟକ୍ତି ଏକଦା ସମ୍ମୁଖୀନ ହୋଇଥିବା କୌଣସି ସର୍ବସାଧାରଣ ଅପମାନ... ସମୟ କ୍ରମେ ସାମୂହିକ ସ୍ମୃତିପଟରୁ ସଂପୂର୍ଣ୍ଣ ରୂପେ ନିଶ୍ଚିହ୍ନ ହୋଇଯାଉଥିଲା। ବିସ୍ମୃତି ଥିଲା ସମୟ ଦ୍ବାରା ପ୍ରଦର୍ଶିତ ଏକ ବିଶେଷ କରୁଣା। ଇଣ୍ଟରନେଟର ଆଗମନ ସେଇ କରୁଣାକୁ ହରଣ କରିନେଇଛି। ‘ଏଆଇ’ର ଆବିର୍ଭାବ ସେଇ ହରଣଚାଳକୁ ସଂପୂର୍ଣ୍ଣ କରିଛି।
ଆଜି ଏକ ସର୍ଚ୍ଚ ଇଞ୍ଜିନ୍ରେ କୌଣସି ଜଣେ ବ୍ୟକ୍ତିଙ୍କର ନାମ ଟାଇପ୍ କରିଦେଲେ ଆଖି ପିଛୁଳାକେ କାହିଁ କେଉଁ ଅତୀତରେ ସେ ଛନ୍ଦି ହୋଇଥିବା କୌଣସି ନ୍ୟାୟିକ ମାମଲା ସମ୍ବନ୍ଧରେ, ତାଙ୍କ ସଂପର୍କରେ ପ୍ରକାଶ ପାଇଥିବା କୌଣସି ଅରୁଚିକର ଖବର ସମ୍ବନ୍ଧରେ, କିମ୍ବା ତାଙ୍କ ବିରୁଦ୍ଧରେ ହୋଇଥିବା କୌଣସି ଅସ୍ବସ୍ତିକର ଅଭିଯୋଗ ସମ୍ବନ୍ଧରେ ବିବରଣୀମାନ ପୁନର୍ଜୀବନ ଲାଭ କରି ଆତ୍ମପ୍ରକାଶ କରିବେ। ବ୍ୟକ୍ତି ଜଣକ ଅଦାଲତରେ ନିର୍ଦ୍ଦୋଷ ସାବ୍ୟସ୍ତ ହୋଇଥିଲେ ହେଁ ଏହାଦ୍ବାରା ଡିଜିଟାଲ ଦୁନିଆରେ ସେ ପୁନରାୟ ଦଣ୍ଡିତ ହୋଇଥାନ୍ତି। ଦିଲ୍ଲୀ ହାଇକୋର୍ଟ ତାଙ୍କର ରାୟରେ ଆଶଙ୍କା ପ୍ରକାଶ କରିଥିବା ଭଳି: ‘‘ଅନୁସନ୍ଧାନକ୍ଷମ ସ୍ମୃତିର ଯୁଗରେ ଏକ ନାମ ପରିଣତ ହୋଇଯାଇ ପାରିବ ଏକ ଆଜୀବନ ଦଣ୍ଡରେ।’’
ମାନ୍ୟବର ଅଦାଲତଙ୍କର ଏହି ମନ୍ତବ୍ୟ ଅତିରିକ୍ତ ସ୍ମୃତିର ବୋଝ ସଂପର୍କରେ ମହାନ ଜର୍ମାନ୍ ଦାର୍ଶନିକ ଫ୍ରେଡେରିକ୍ ନିଚା ତାଙ୍କର ୧୮୭୪ରେ ପ୍ରକାଶିତ ପ୍ରବନ୍ଧ ‘ଅନ୍ ଦି ଆଡ୍ଭାଣ୍ଟେଜ୍ ଆଣ୍ଡ୍ ଡିସ୍ଆଡ୍ଭାଣ୍ଟେଜ୍ ଅଫ୍ ହିଷ୍ଟ୍ରି ଫର୍ ଲାଇଫ୍’ରେ ଶୁଣାଇଥିବା ସତର୍କବାଣୀର ପ୍ରତିଧ୍ବନି ପରି ମନେ ହୋଇଥାଏ। ନିଚା ସେଥିରେ ଯୁକ୍ତି କରିଥିଲେ, ଯେଉଁ ବ୍ୟକ୍ତି ପାସୋରିବାକୁ ସକ୍ଷମ ହୋଇ ନ ଥାଏ, ସେ ଇତିହାସର ବନ୍ଦୀରେ ପରିଣତ ହୋଇଥାଏ ଏବଂ ନିଜର ନବୀକରଣର କ୍ଷମତା ହରାଇ ବସିଥାଏ। ଡିଜିଟାଲ ପ୍ରବିଧି ଏବେ ସେଇ ନିଚାବର୍ଣ୍ଣିତ କାରାଗାର ସୃଷ୍ଟି କରିଛି କହିଲେ ଅତ୍ୟୁକ୍ତି ହେବ ନାହିଁ। ଅନୁସନ୍ଧାନର ଦାୟିତ୍ବ ନ୍ୟସ୍ତ କରାଯାଇଥିବା ଆଲ୍ଗୋରିଦ୍ମ ଜଣେ ଅଭିଯୁକ୍ତ ଓ ଜଣେ ଦୋଷୀ ସାବ୍ୟସ୍ତଙ୍କ ମଧ୍ୟରେ ଥିବା ପାର୍ଥକ୍ୟକୁ ଆବଶ୍ୟକ ଗୁରୁତ୍ବ ପ୍ରଦାନ କରି ନ ଥାଏ; ଜଣେ କୋଡ଼ିଏ ବର୍ଷ ବୟସରେ କରିଥିବା ଏକ ଭୁଲ୍ ଓ ତାଙ୍କୁ ଚାଳିଶ ବର୍ଷ ବୟସ ହେବା ବେଳକୁ ତା’ଠାରେ ଘଟିଥିବା ରୂପାନ୍ତର ମଧ୍ୟରେ କୌଣସି ଫରକ ଦେଖି ପାରି ନ ଥାଏ। କିନ୍ତୁ ଏହାର ଅର୍ଥ କ’ଣ ବ୍ୟକ୍ତିକୁ ସ୍ମୃତିର କାରାଗାରରୁ ମୁକ୍ତି ପ୍ରଦାନ କରିବା ପାଇଁ କାଗଜରେ ଟଣା ହୋଇଥିବା ପେନ୍ସିଲ ଗାରକୁ ରବର୍ ଘଷି ଲିଭାଇ ଦିଆଯିବା ଭଳି ତା’ର ଅତୀତକୁ ପୂରାପୂରି ଲିଭାଇ ଦେଇ ତା’ର ବର୍ତ୍ତମାନ ଠାରୁ ବିଚ୍ଛିନ୍ନ କରି ଦିଆଯାଇ ପାରିବ?
ଆଉ ଜଣେ ପ୍ରସିଦ୍ଧ ଦାର୍ଶନିକ ହେନ୍ରି ବର୍ଗସନ୍ ତ ଏହାର ଠିକ୍ ବିପରୀତ ଚିନ୍ତାଧାରାର ପ୍ରସାର କରିବା ଦେଖାଯାଇଛି। ପରବର୍ତ୍ତୀ ସମୟରେ ସାହିତ୍ୟରେ ନୋବେଲ ପୁରସ୍କାର ପାଇଥିବା ଏହି ଫରାସୀ ଦାର୍ଶନିକ ୧୮୮୯ରେ ପ୍ରକାଶିତ ତାଙ୍କର ଗବେଷଣା ନିବନ୍ଧ ‘ଟାଇମ୍ ଆଣ୍ଡ୍ ଫ୍ରି ୱିଲ୍’ (‘ସମୟ ଓ ସ୍ବାଧୀନ ଇଚ୍ଛା’)ରେ ବ୍ୟାଖ୍ୟା କରିଥିବା ତାଙ୍କର ଏଇ ପ୍ରଭାବଶାଳୀ ବୈପ୍ଳବିକ ତତ୍ତ୍ବ ଅନୁସାରେ ସମୟର ପ୍ରବାହରେ ଭାସମାନ ଅତୀତ ସର୍ବଦା ବର୍ତ୍ତମାନ ସହିତ ଛନ୍ଦି ହୋଇ ରହିଥାଏ; ସେମାନଙ୍କୁ ପରସ୍ପର ଠାରୁ ବିଚ୍ଛିନ୍ନ କରିବା ସମ୍ଭବ ନୁହେଁ।
ଦିଲ୍ଲୀ ହାଇକୋର୍ଟଙ୍କର ରାୟ ଏଇ ଦୁଇ ଶକ୍ତିଶାଳୀ ପରସ୍ପରବିରୋଧୀ ଚିନ୍ତାଧାରା ମଧ୍ୟଦେଇ ଏକ ସନ୍ତୁଳିତ ମାର୍ଗ ଆବିଷ୍କାର କରିବାକୁ ଚେଷ୍ଟା କରିଛି ବୋଲି କୁହାଯାଇପାରେ। ଅଦାଲତ ତାଙ୍କର ରାୟରେ ବ୍ୟକ୍ତିର ବିସ୍ମୃତ ହେବାର ଅଧିକାରକୁ ଧାରା-୨୧ ଅନ୍ତର୍ଗତ ତା’ର ଗୋପନୀୟତାର ଅଧିକାର ସହିତ ସଂଯୁକ୍ତ କରି ଆବଶ୍ୟକ ସ୍ଥଳେ ଉପଯୁକ୍ତ ମାମଲାମାନଙ୍କରେ ସଂପୃକ୍ତ ବ୍ୟକ୍ତି ସଂପର୍କରେ ଥିବା ଅଦାଲତୀ ରେକର୍ଡ ସବୁକୁ ସୂଚୀପତ୍ରରୁ ହଟାଇ ଦିଆଯିବା ପାଇଁ ଏବଂ ତାଙ୍କୁ ଚିହ୍ନଟ କରିବା ପାଇଁ ଉପଲବ୍ଧ ସମସ୍ତ ସୂତ୍ରମାନଙ୍କୁ ଅପହଞ୍ଚ କରିବାକୁ ଘୋଡ଼ାଇ ଦିଆଯିବା ଲାଗି ଏକ କାର୍ଯ୍ୟବିଧି ବା ଫ୍ରେମ୍ୱର୍କ ପ୍ରଦାନ କରିଛନ୍ତି। ନ୍ୟାୟିକ ରେକର୍ଡମାନ ଚିର କାଳ ପାଇଁ ଇଣ୍ଟରନେଟରେ ଉପଲବ୍ଧ ହେବା ଦ୍ବାରା ଚିର କାଳ ଧରି ବ୍ୟକ୍ତିର ସମ୍ମାନ ଆହତ ହେବ ବୋଲି ମତ ପ୍ରକାଶ କରି ମାନ୍ୟବର ଅଦାଲତ ଯେଉଁ ମାମଲାମାନଙ୍କରେ ଅଭିଯୁକ୍ତ ଜଣକ ନିର୍ଦ୍ଦୋଷ ସାବ୍ୟସ୍ତ ହୋଇଥିବେ, କିମ୍ବା ଖଲାସ ହୋଇଥିବେ, କିମ୍ବା ବୁଝାମଣା ହୋଇଥିବ, କିମ୍ବା ମାମଲା ରଦ୍ଦ ହୋଇଥିବ କିମ୍ବା ତାହା ଏକାନ୍ତ ବ୍ୟକ୍ତିଗତ କିସମର ହୋଇଥିବ, ସେପରି ସ୍ଥଳେ ଇଣ୍ଟରନେଟରେ ତା’ର ଚିହ୍ନବର୍ଣ୍ଣ ନ ରହିବା ପାଇଁ ଉପରୋକ୍ତ ପଦକ୍ଷେପମାନ ନିଆଯିବ ବୋଲି ନିର୍ଦ୍ଦେଶ ଦେଇଛନ୍ତି।
କିନ୍ତୁ ଜନସ୍ବାର୍ଥ ସୁରକ୍ଷା ଦୃଷ୍ଟିରୁ ଯଦି ଆବଶ୍ୟକ ହୁଏ, ତେବେ ଏଥିରେ ବ୍ୟତିକ୍ରମ ଘଟିବ ବୋଲି ମଧ୍ୟ ଅଦାଲତ ସ୍ପଷ୍ଟ କରିଦେଇଛନ୍ତି। ଉଦାହରଣ ସ୍ବରୂପ ଯେଉଁସବୁ ମାମଲା ମହିଳା ଓ ଶିଶୁମାନଙ୍କ ପ୍ରତି ଅପରାଧ, କିମ୍ବା ସାର୍ବଜନୀନ ବିଶ୍ବାସଭଙ୍ଗ କିମ୍ବା ଅନ୍ୟ କୌଣସି ଗୁରୁତ୍ବପୂର୍ଣ୍ଣ ଜନସ୍ବାର୍ଥ ପ୍ରସଙ୍ଗ ସହିତ ଜଡ଼ିତ, ସେଠାରେ ବିସ୍ମୃତିର ଅଧିକାର ଜାହିର କରିବା ନିମିତ୍ତ ଧାରା-୨୧ର ପ୍ରୟୋଗ କରାଯାଇ ପାରିବ ନାହିଁ। ଏହାର ଅର୍ଥ ଏଣିକି ବ୍ୟକ୍ତି ସଂପର୍କିତ ଯେଉଁସବୁ ନ୍ୟାୟିକ ସ୍ମୃତିର ସଂରକ୍ଷଣ ନ୍ୟାୟ ପ୍ରଦାନ ପାଇଁ ଆବଶ୍ୟକ ହୋଇଥାଏ, ସେଗୁଡ଼ିକୁ ଚିର କାଳ ପାଇଁ ସାଇତି ରଖାଯିବ; କିନ୍ତୁ ଯେଉଁସବୁ ସ୍ମୃତିର କେବଳ ବ୍ୟକ୍ତି ଠାରେ ଲାଗିଥିବା କଳଙ୍କକୁ ଚିରସ୍ଥାୟୀ କରିବା ବ୍ୟତୀତ ଅନ୍ୟ କୌଣସି ନ୍ୟାୟିକ ଉପଯୋଗିତା ନାହିଁ, ସେଗୁଡ଼ିକୁ ପୋଛି ସଫା କରିଦିଆଯିବ।
ଏ ଦୁଇ କିସମର ସ୍ମୃତିକୁ ଠିକ୍ ଭାବରେ ଚିହ୍ନଟ କରି ନିର୍ଭୁଲ୍ ଭାବରେ ବିସ୍ମୃତିର ଅଧିକାରର ପ୍ରୟୋଗ କରିବା ବର୍ତ୍ତମାନ ଆମର ନ୍ୟାୟପାଳିକା ସମ୍ମୁଖରେ ଏକ ଗୁରୁତ୍ବପୂର୍ଣ୍ଣ ଅାହ୍ବାନ ହୋଇ ଉଭା ହେବାକୁ ଯାଉଛି।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।