Editorial: ଫୁଟବଲର ଇନ୍ଦ୍ରଜାଲ
"ପ୍ରକୃତରେ ଫୁଟବଲ କାହାକୁ ହେଲେ "ଆଉଟ୍ସାଇଡର" କରି ନ ଥାଏ।
ଦରିଆ ଏ ପଟେ ରହି ଟେଲିଭିଜନ ପରଦାରେ ଖେଳ ଦେଖୁଥିଲେ ହେଁ ପ୍ରଶଂସକମାନେ ତହିଁରେ ଦ୍ରବୀଭୂତ ହୋଇଯାଆନ୍ତି; ଏପରିକି ଭାରତର କୌଣସି ସଂପର୍କ ନ ଥିଲେ ସୁଦ୍ଧା ଆର୍ଜେଣ୍ଟିନା ପରାସ୍ତ ହୋଇଗଲେ କୋଲକତା ମହାନଗର ଶୋକ ସାଗରରେ ଡୁବି ଯାଏ।
ତାହା ହିଁ ଫୁଟବଲର ଇନ୍ଦ୍ରଜାଲ!Advertisment Editorial: ଦୁର୍ନୀତିର ବ୍ୟବଚ୍ଛେଦ ଫୁଟବଲ ଯେ ବିପୁଳ ଉଲ୍ଲାସ ପ୍ରଦାନକାରୀ ଏକ କ୍ରୀଡ଼ା ମାତ୍ର ନୁହେଁ, ପ୍ରେରଣା ଯୋଗାଉଥିବା ଶିକ୍ଷକଙ୍କ ଭଳି ଏହା କାହା କାହାର ଜୀବନ ଦର୍ଶନକୁ ମଧ୍ୟ ପ୍ରଭାବିତ କରି ପୃଥିବୀର ସର୍ବକାଳୀନ ମହାନତମ ଲେଖକଙ୍କ ମଧ୍ୟରୁ ଜଣଙ୍କୁ ସୃଷ୍ଟି କରିପାରେ, ତାହାର ପ୍ରମାଣ ହେଉଛନ୍ତି ଫରାସୀ ଲେଖକ ଆଲବର୍ଟ କାମ୍ୟୁ।
ଆଲଜେରିଆର ରାଜଧାନୀ ଆଲଜିଏର୍ସର ଏକ ଦରିଦ୍ର ବସ୍ତିରେ ଛେଉଣ୍ଡ କାମ୍ୟୁ ବଡ଼ ହେଉଥିବା ବେଳେ କତରା କନାର ପିଣ୍ଡୁଳାକୁ ଏକ ପେଣ୍ଡୁ ରୂପେ ବ୍ୟବହାର କରି ଖେଳୁଥିଲେ ଏବଂ ତଦ୍ଦ୍ବାରା ସ୍କୁଲ ଜୋତା ଖରାପ ହୋଇଯାଉଥିବାରୁ ବଦ୍ରାଗୀ ଜେଜେମା"ଙ୍କ ଠାରୁ ପ୍ରହାର ମଧ୍ୟ ଖାଉଥିଲେ। "ରେସିଙ୍ଗ ୟୁନିଭର୍ସାୟାଟର୍ସ ଆଲଜେରିଅସ" ନାମକ ଦଳରେ ସେ ଥିଲେ ଗୋଲ କିପର ଏବଂ ଖୁବ୍ ସମ୍ଭବ ସେ ତାଙ୍କ ଖେଳକୁ ଜାରି ରଖିଥାଆନ୍ତେ, ଯଦି ରାଜଯକ୍ଷ୍ମା ତାଙ୍କୁ ତହିଁରୁ ବିଦା କରି ଦେଇ ନ ଥାଆନ୍ତା।
ଫୁଟବଲ ପ୍ରତି ତାଙ୍କ ଅନୁରକ୍ତି ଜଣାପଡ଼େ, ବନ୍ଧୁ ଚାର୍ଲସ ପନସେଟଙ୍କ ସହିତ ତାଙ୍କ କଥୋପକଥନରୁ, ଯହିଁରେ କାମ୍ୟୁ ପ୍ରାଣ ଭରି ଭଲ ପାଉଥିବା ଦୁଇଟି ବିଷୟ, ଫୁଟବଲ ଓ ମଞ୍ଚ-ନାଟକ ମଧ୍ୟରୁ କେଉଁ ଗୋଟିଏକୁ ବାଛିବେ ବୋଲି ପନସେଟଙ୍କ ପ୍ରଶ୍ନରେ କାମ୍ୟୁଙ୍କ ତତ୍କାଳ ଓ ନିର୍ଦ୍ବନ୍ଦ୍ବ ଉତ୍ତରଟି ଥିଲା "ଫୁଟବଲ"।
ଗଲା ଗୁରୁବାର ଦିନ, ମେକ୍ସିକୋ ସିଟିରେ "ଫିଫା-୨୦୨୬" ଆନୁକୂଲ୍ୟରେ ଫୁଟବଲ ବିଶ୍ବକପ୍ର ମହୋତ୍ସବ ଆରମ୍ଭ ହୋଇ ଯେତେବେଳେ ସମଗ୍ର ପୃଥିବୀକୁ ଏକ ଐନ୍ଦ୍ରଜାଲିକ ଆକର୍ଷଣରେ ବାନ୍ଧି ପକାଇଛି, ସେତେବେଳେ ଅନୁଭବ କରିହୁଏ କାମ୍ୟୁଙ୍କ ଭଳି ଜଣେ ଭାବଗମ୍ଭୀର ଲେଖକ ନିଜ ପ୍ରଥମ ପସନ୍ଦ ଭାବେ ଏକ ସର୍ଜନଶୀଳ କଳା ବିଭାବ ପରିବର୍ତ୍ତେ କାହିଁକି ଏକ ମଉଜିଆ କ୍ରୀଡ଼ାକୁ ବାଛିଲେ!
କାରଣ, ସ୍ବେଦ, ଅଶ୍ରୁ, ଉଚ୍ଛ୍ବାସ, ଆକ୍ରୋଶ, ସମର୍ପଣ, ସାମର୍ଥ୍ୟ ପ୍ରଦର୍ଶନ ଇତ୍ୟାଦିକୁ ଘେନି ନବେ ମିନିଟର ଯେଉଁ ଚିତ୍ତାକର୍ଷକ ଦୃଶ୍ୟ ଫୁଟବଲ ପ୍ରାଙ୍ଗଣରେ ଅଭିନୀତ ହୁଏ ଏବଂ ଦର୍ଶକ ଭରପୂର ଷ୍ଟାଡିଅମମାନ ଆବେଗର ଆଗ୍ନେୟଗିରିରେ ପରିଣତ ହୁଅନ୍ତି, ତହିଁେର ତାହା କେବଳ ଏକ କ୍ରୀଡ଼ା ମାତ୍ର ହୋଇ ରହେ ନାହିଁ!୧୯୯୪ ମସିହାର "ଫିଫା ବିଶ୍ବକପ୍" ପ୍ରତିଯୋଗିତାରେ କଲମ୍ବୀୟ ଡିଫେଣ୍ଡର ଆେଣ୍ଡସେ ଏସକୋବାରଙ୍କ ଗୋଡ଼ରେ ବଲ୍ ବାଜି ଦୈବାତ୍ ଆତ୍ମଘାତୀ ଗୋଲଟିଏ ହୋଇଯାଏ, ଯଦ୍ଦ୍ବାରା କଲମ୍ବିଆକୁ ପ୍ରାଥମିକ ଲିଗ ସ୍ତରରୁ ବିଦାୟ ନେବାକୁ ପଡ଼େ।
ଅନେକ କଲମ୍ବୀୟଙ୍କ ସକାଶେ ତାହା ହୋଇଯାଏ ଅକ୍ଷମଣୀୟ।
ଏହାର ଦଶ ଦିନ ପରେ ଏକ ନାଇଟ କ୍ଲବରେ ଏସକୋବାରଙ୍କ କପାଳରେ ଗୁଳି ବିଦ୍ଧ କରି ହତ୍ୟା କରେ ହମ୍ବର୍ଟୋ କାେଷ୍ଟ୍ରା ଏବଂ ତାଚ୍ଛଲ୍ୟରେ କୁଆଡ଼େ କହେ "ଗୋଲ"।
ଫୁଟବଲର ସମ୍ମୋହନ କିଭଳି ଅନ୍ଧ କରିଦେଇଥାଏ ତାହାର କେତେକ ଦୃଷ୍ଟାନ୍ତ ବର୍ଣ୍ଣିତ ହୋଇଛି ଉରୁଗୁଏର ସାମ୍ବାଦିକ ଓ ଲେଖକ ଏଡୁଆର୍ଡୋ ଗୁଲିଆନୋଙ୍କ ଚମତ୍କାର ପୁସ୍ତକ "ସକର ଇନ ସନ ଏଣ୍ଡ ସାଡୋ", ଅର୍ଥାତ୍ "ଖରା ଓ ଛାଇରେ ଫୁଟବଲ।" ୧୯୭୦, ଫିଫା ବିଶ୍ବକପ୍ ସକାଶେ, ୧୯୬୯ ମସିହାରେ ଅନୁଷ୍ଠିତ ଯୋଗ୍ୟତା ପର୍ଯ୍ୟାୟର ତିନିଟି ମ୍ୟାଚରେ ଏଲ ସାଲଭାଡର ୨-୧ ବ୍ୟବଧାନରେ ହଣ୍ଡୁରାସକୁ ପରାଜିତ କରିବା ପରେ ଆରମ୍ଭ ହୋଇଯାଏ ଦୁଇ ଦେଶ ମଧ୍ୟରେ ଏକ ଚାରିଦିନିଆ ଯୁଦ୍ଧ, ଯାହା ଶହେଘଣ୍ଟିଆ ଯୁଦ୍ଧ ଭାବେ ଖ୍ୟାତ।
ଅନ୍ୟ ରାଷ୍ଟ୍ରଗୁଡ଼ିକର ହସ୍ତକ୍ଷେପ ପରେ ଯୁଦ୍ଧରେ ବିରତି ଲାଗିଲା ବେଳକୁ ଚାଲି ଯାଇଥାଏ ୩୦୦୦ ସରିକି ଜୀବନ।
୧୯୮୦ ମସିହାରେ ଏମ-୧୯ ନାମକ କଲମ୍ବିଆର ଚରମ ବାମପନ୍ଥୀ, ଅତ୍ୟନ୍ତ ହିଂସ୍ର ସଶସ୍ତ୍ର ଗରିଲା ବାହିନୀର ସଦସ୍ୟମାନେ ଡୋମିନିକାନ ରିପବ୍ଲିକର ରାଷ୍ଟ୍ରାବାସକୁ ଧସେଇ ପଶନ୍ତି ଏବଂ ୬୦ ଜଣ ବ୍ୟକ୍ତିଙ୍କୁ ପଣବନ୍ଦୀ କରି ନିଅନ୍ତି, ଯେଉଁମାନଙ୍କ ମଧ୍ୟରେ ଥାଆନ୍ତି ୧୫ଟି ଦେଶର ରାଷ୍ଟ୍ରଦୂତ।
ପ୍ରାୟ ୬୪ ଦିନ ଧରି ଚାଲିଥିବା ଏହି ଅପହରଣ ନାଟକରେ ଗୋଟିଏ ପଟେ ଦାବିମାନ ରଖାଯାଇ ସେ ସବୁ ପୂରଣ ନ ହେଲେ ମାରାତ୍ମକ ପରିଣତିର ଧମକ ଦିଆଯାଉଥାଏ ତ ଅପର ପଟେ ସମୟ କାଟିବା ଲାଗି ଅପହର୍ତ୍ତାମାନେ ପଣବନ୍ଦୀମାନଙ୍କ ସହିତ ଫୁଟବଲ ଖେଳିବାରେ ମଜ୍ଜି ରହନ୍ତି।
ଏହି ଖେଳରୁ ସମ୍ଭବତଃ ସମୟ କ୍ରମେ ଅପହର୍ତ୍ତା ଓ ପଣବନ୍ଦୀଙ୍କ ମଧ୍ୟରେ ଭାବର ଆଦାନପ୍ରଦାନ ଓ ମୈତ୍ରୀ ଜନ୍ମ ନେଇଥିବ; କାରଣ ୬୪ ଦିନ ପରେ ସମସ୍ତ ପଣବନ୍ଦୀ ମୁକ୍ତ ହୁଅନ୍ତି ଓ ଅପହର୍ତ୍ତାମାନଙ୍କୁ କ୍ୟୁବା ଚାଲିଯାଇ ଆଶ୍ରୟ ନେବା ଲାଗି ସୁଯୋଗ ଦିଆଯାଏ।
ପ୍ରତିଶୋଧ, ଯୁଦ୍ଧ ଓ ସଂପ୍ରୀତିର ଉପରୋକ୍ତ ତିନି ଦୃଷ୍ଟାନ୍ତ ହେଉଛି ଫୁଟବଲ ନିମଗ୍ନତାର ତିନିଟି ରୂପ।ଏହି ବିଶ୍ବକପ୍ରେ ୪୮ଟି ରାଷ୍ଟ୍ର ଅଂଶ ଗ୍ରହଣ କରିଛନ୍ତି, ଯହିଁରେ ୧୪୦ କୋଟି ଜନସଂଖ୍ୟା ବିଶିଷ୍ଟ ଦେଶ ଭାରତର ସ୍ଥାନ ନାହିଁ; ଫିଫା ରୢାଙ୍କିଙ୍ଗ ଅନୁସାରେ ଫୁଟବଲ ଦକ୍ଷତା ତାଲିକାରେ ଭାରତର ସ୍ଥାନ ୧୩୮।
୧୯୫୦ ମସିହା, ଫିଫା ବିଶ୍ବକପ୍ରେ ଭାଗ ନେବା ଲାଗି ବ୍ରିଟିସ ଶାସିତ ଭାରତ ସୁଯୋଗଟିଏ ପାଇଥିଲା, କାରଣ ଯୋଗ୍ୟତା ପର୍ଯ୍ୟାୟ ଟୁର୍ନାମେଣ୍ଟରେ ସେହି ଗ୍ରୁପର କୌଣସି ଦଳ ଉପସ୍ଥିତ ହୋଇ ନ ଥିଲେ।
କିନ୍ତୁ, ଖାଲି ପାଦରେ ଖେଳିବା ଲାଗି ଭାରତର ଆଗ୍ରହକୁ ଫିଫା ପକ୍ଷରୁ ଗ୍ରହଣ କରା ନ ଯିବା ଏବଂ ବ୍ରାଜିଲକୁ ଦଳକୁ ପଠାଇ ଅର୍ଥ ବ୍ୟୟ କରିବାକୁ ବ୍ରିଟିସ ସରକାରଙ୍କ ଅନିଚ୍ଛା ହେତୁ ତାହା ସମ୍ଭବ ହୋଇ ନ ଥିଲା।
ତେବେ, ଏହା ମଧ୍ୟ ସତ ଯେ ଭାରତରେ କ୍ରିକେଟର ସର୍ବ ବିଦ୍ୟମାନତା ସତ୍ତ୍ବେ ଫୁଟବଲର ଅସଂଖ୍ୟ ପ୍ରଶଂସକ ଅଛନ୍ତି।
ଏବେ ବି ପଶ୍ଚିମବଙ୍ଗ, କେରଳ, ଗୋଆ ଓ କେତେକ ଉତ୍ତର ପୂର୍ବୀୟ ରାଜ୍ୟରେ ଫୁଟବଲ ପ୍ରତି ଆକର୍ଷଣ ଦୁର୍ବାର।
ଅନେକ ଭାରତୀୟ ଚାହାନ୍ତି ଯେ ପୃଥିବୀର ଏହି ସର୍ବାଧିକ ଜନବହୁଳ ଦେଶରୁ ସର୍ବାଧିକ ଲୋକପ୍ରିୟ କ୍ରୀଡ଼ାରେ କିଛି ଅନ୍ତର୍ଜାତୀୟ ସ୍ତରୀୟ ତରକା ଦୃଶ୍ୟମାନ ହୁଅନ୍ତୁ।
ହୁଏତ ଏହାକୁ ସମ୍ଭବ କରନ୍ତା ପୃଷ୍ଠପୋଷକତା, ପ୍ରତିଭା ଠାବ ଏବଂ ଉନ୍ନତ ମାନର ପ୍ରଶିକ୍ଷଣ ତଥା ଭାରତୀୟ ଫୁଟବଲ ଫେଡେରେସନର ନିଷ୍ଠା।
କିନ୍ତୁ ସେ ସବୁ ଅନୁପସ୍ଥିତ।
ତେବେ, ସେ ଯାହା ହେଉ, ଚଳିତ ବିଶ୍ବକପ୍ରେ ଭାରତ ଲାଗି ଯାହା ସାମାନ୍ୟ ସାନ୍ତ୍ବନା ପ୍ରଦାୟୀ, ତାହା ହେଲା ଅନ୍ତତଃ ଚାରି ଜଣ ଭାରତୀୟ ବଂଶୋଦ୍ଭବ ଖେଳାଳି ଏଥିରେ ଭାଗ ଦେଇଛନ୍ତି; ଯେମିତି ନ୍ୟୁଜିଲାଣ୍ଡରୁ ସରପ୍ରିତ ସିଂହ, ଅଷ୍ଟ୍ରେଲିଆରୁ ନିଶାନ ଭେଲୁପିଲ୍ଲେ, ଡେମୋକ୍ରାଟିକ ରିପବ୍ଲିକ ଅଫ କଙ୍ଗୋରୁ ସାମୁଏଲ ମୁଟ୍ଟୁସାମି ଓ କାତାରରୁ ତସିମ ମହମଦ ଜାମସିଦ।
ସୁତରାଂ, ଭାରତର କିଛି ପଦଚିହ୍ନ ସୃଷ୍ଟି ହେବ!
Editorial: ଆଲୋକ ପଥର ଯାତ୍ରୀ: ସୁବ୍ରତ ବାଗ୍ଚୀଙ୍କ ସମ୍ପାଦକୀୟ କାଲି ପାଇଁ କଥାଟିଏରେ ପଢ଼ନ୍ତୁ ଏଥର...
ଅନେକ କହନ୍ତି ଯେ ଫୁଟବଲ ଖେଳରୁ ଅଙ୍କୁରିତ ହୋଇଥିଲା କାମ୍ୟୁଙ୍କ ଦାର୍ଶନିକ ଚେତନା।
ଗୋଲ ରକ୍ଷକ ଭାବେ ଫୁଟବଲ ଖେଳୁଥିବା ବେଳେ ତରୁଣ ଆଲବର୍ଟ କାମ୍ୟୁ ବୋଧହୁଏ ପାଇଥିଲେ ତାଙ୍କ ଅନବଦ୍ୟ ପ୍ରଥମ ଉପନ୍ୟାସ "ଦ ଆଉଟ୍ସାଇଡର" ବା "ବାହାର ଲୋକ"ର ମଞ୍ଜି ଧାରଣା!
କାରଣ ଗୋଲ ରକ୍ଷକର ଭୂମିକା ନେଇ ସେ ଠାଏ କହିଥିଲେ ଯେ ଗୋଲକିପର ଭାବେ ଖେଳିଲେ ଜଣେ ଦଳ ଭିତରେ ଥାଏ, ଅଥଚ ଦର୍ଶକ ଭଳି ଦୂରରୁ ଖେଳକୁ ଦେଖୁଥାଏ; ଅର୍ଥାତ୍ ଏଗାର ଜଣିଆ ଦଳର ଅଂଶ ଅଥଚ ପଡ଼ିଆରେ ଏକୁଟିଆ!
ପରିଚିତଙ୍କ ମଧ୍ୟରେ ରହି ନିଃସଙ୍ଗ ବୋଧ କରୁଥିବା "ଆଉଟ୍ସାଇଡର"!
ୟେ ତ ଗଲା ତୀକ୍ଷ୍ଣ ଚେତନା ସଂପନ୍ନ କାମ୍ୟୁଙ୍କ କଥା।
କିନ୍ତୁ, ପ୍ରକୃତରେ ଫୁଟବଲ କାହାକୁ ହେଲେ "ଆଉଟ୍ସାଇଡର" କରି ନ ଥାଏ।
ଦରିଆ ଏ ପଟେ ରହି ଟେଲିଭିଜନ ପରଦାରେ ଖେଳ ଦେଖୁଥିଲେ ହେଁ ପ୍ରଶଂସକମାନେ ତହିଁରେ ଦ୍ରବୀଭୂତ ହୋଇଯାଆନ୍ତି; ଏପରିକି ଭାରତର କୌଣସି ସଂପର୍କ ନ ଥିଲେ ସୁଦ୍ଧା ଆର୍ଜେଣ୍ଟିନା ପରାସ୍ତ ହୋଇଗଲେ କୋଲକତା ମହାନଗର ଶୋକ ସାଗରରେ ଡୁବି ଯାଏ।
ତାହା ହିଁ ଫୁଟବଲର ଇନ୍ଦ୍ରଜାଲ!"
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।