13 JUNE 2026

Welcome!

Unlock your personalized experience.
Sign Up

Free education: କେଜିରୁ ପିଜି ମାଗଣା ଶିକ୍ଷା: ସଫଳତା ବଖାଣିବା ସହ ପୂର୍ବ ସରକାରକୁ ଭର୍ତ୍ସନା

Jun 13, 2026 - 05:49
Free education: କେଜିରୁ ପିଜି ମାଗଣା ଶିକ୍ଷା: ସଫଳତା ବଖାଣିବା ସହ ପୂର୍ବ ସରକାରକୁ ଭର୍ତ୍ସନା

ଭୁବନେଶ୍ବର: ରାଜ୍ୟ ସରକାର ଶିକ୍ଷାକୁ ପ୍ରକୃତ ଅର୍ଥରେ ଦେୟମୁକ୍ତ ଓ ସାର୍ବଜନୀନ କରିବାକୁ ଯାଉଛନ୍ତି। କେଜିରୁ ପିଜି ପର୍ଯ୍ୟନ୍ତ ଶିକ୍ଷାକୁ ସଂପୂର୍ଣ୍ଣ ଦେୟମୁକ୍ତ କରାଯିବ। ଏହା ଦ୍ୱାରା ଆର୍ଥିକ ସ୍ତରରେ ପଛୁଆବର୍ଗ ଓ ଛାତ୍ରୀମାନେ ଉପକୃତ ହେବେ। ବୋଧହୁଏ ଶିକ୍ଷା କ୍ଷେତ୍ରରେ ଏପରି ଏକ ପଦକ୍ଷେପ ସାରା ଦେଶରେ ଓଡ଼ିଶାରେ ପ୍ରଥମଥର ପାଇଁ କାର୍ଯ୍ୟକାରୀ ହେବ। ରାଜ୍ୟ ସରକାରଙ୍କ ଦୁଇ ବର୍ଷ ପୂର୍ତ୍ତି ଅବସରରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ମୁଖ୍ୟମନ୍ତ୍ରୀ ମୋହନଚରଣ ମାଝୀ ଏହି ଘୋଷଣା କରିଛନ୍ତି। ସେ କହିଛନ୍ତି, ୨୦୩୬ ସୁଦ୍ଧା ସମୃଦ୍ଧ ଓଡ଼ିଶାର ଏହି ଲକ୍ଷ୍ୟ ହାସଲ ଦିଗରେ ମୋଦୀଜୀଙ୍କ ନେତୃତ୍ବରେ କେନ୍ଦ୍ର ସରକାର ସମ୍ପୂର୍ଣ୍ଣ ସହଯୋଗ ଦେଉଛନ୍ତି। ଦୁଇ ବର୍ଷରେ ଆମେ ୧୨୧ଟି ନୂଆ ଯୋଜନା, କାର୍ଯ୍ୟକ୍ରମ କିମ୍ବା ପଦକ୍ଷେପ ଘୋଷଣା କରିଛୁ। 

US Iran Tensions: ଗଲ୍‌ଫ ରାଷ୍ଟ୍ରଙ୍କ ହସ୍ତକ୍ଷେପ ପରେ ଆକ୍ରମଣରୁ ଓହରିଲେ ଟ୍ରମ୍ପ

ଏହି ଅବସରରେ ଶ୍ରୀ ମାଝୀ ପୂର୍ବ ବିଜେଡି ସରକାରକୁ କଟାକ୍ଷ କରିବା ସହ କଡ଼ା ଭର୍ତ୍ସନା କରିଥିଲେ। ସେ କହିଥିଲେ, ତଥାକଥିତ ୨୪ ବର୍ଷର ସୁଶାସନ ସମୟରେ ଓଡ଼ିଶାର ବିକାଶ କାର୍ଯ୍ୟକୁ କେବଳ ପ୍ରଚାର-ସର୍ବସ୍ୱ କରିଦେଇଥିଲେ। ସବୁ ପ୍ରକଳ୍ପ ଜଣେ ବ୍ୟକ୍ତିର ମର୍ଜିରେ ଚାଲିଥିଲା। ଏହି ସବୁ ଐତିହାସିକ ଭୁଲକୁ ଆମ ସରକାର ସୁଧାରୁଛନ୍ତି। ମୁଖ୍ୟମନ୍ତ୍ରୀ କହିଥିଲେ, ଏବେ ସରକାରୀ କାର୍ଯ୍ୟରେ ଓଡ଼ିଆ ଭାଷାର ବହୁଳ ବ୍ୟବହାର ହେଉଛି। ଏହି କାମ ୨୪ ବର୍ଷର ସରକାର କାହିଁକି କରି ପାରି ନ ଥିଲେ? କାରଣ ପୂର୍ବ ସରକାର ଚଳାଉଥିବା ବ୍ୟକ୍ତି ଓ ନେତାଙ୍କର ଓଡ଼ିଆ ଭାଷା ପ୍ରତି ଆଗ୍ରହ ନ ଥିଲା। ସେହିପରି ଛାତ୍ରଛାତ୍ରୀଙ୍କୁ ଗୁଣାତ୍ମକ ଶିକ୍ଷା ପ୍ରଦାନ ପାଇଁ ପୂର୍ବ ସରକାର ମନ ବଳାଇଲେ ନାହିଁ। ୨୨ ବର୍ଷ ପରେ ଯେତେବେଳେ ମନେ ପଡ଼ିଲା, ସେବେ କେବଳ ସ୍କୁଲରେ ରଙ୍ଗମାରି ଚାଲିଲେ। ଏବେ ରାଜ୍ୟର ଆଇନଶୃଙ୍ଖଳାକୁ ନେଇ ଅନେକ ପ୍ରଶ୍ନ ଅଛି। ଆଜିର ଆଇନଶୃଙ୍ଖଳା ପରିସ୍ଥିତି ଏକ ରାଜନୈତିକ ରୂପ ଧାରଣ କରିଛି। ତେଣୁ ମୁଁ ବିଧାନସଭା ଭିତରେ ଏବଂ ବାହାରେ ଅନେକ ଥର ସିଧା ଓ ସ୍ପଷ୍ଟ ପ୍ରଶ୍ନ ପଚାରିଛି, ‘କେଉଁ ସାଂଘାତିକ ଆପରାଧିକ କେସ୍‌ରେ ଅଭିଯୁକ୍ତଙ୍କୁ ଗିରଫ କରାଯାଇ ନାହିଁ?’ ଏହାର ଉତ୍ତର କେହି ଦେଇ ପାରୁନାହାନ୍ତି। ମୁଁ ପୁଣିଥରେ ସେଇ ପ୍ରଶ୍ନ ଆଜି ପଚାରୁଛି। ଯଦି ଏହାର ଉତ୍ତର ବିରୋଧୀ ଦଳ ପାଖରେ ଥିବ, ତେବେ ଜଣାନ୍ତୁ।

ସଫଳତା ବଖାଣିବା ସହ ପୂର୍ବ ସରକାରକୁ ଭର୍ତ୍ସନା
ଦୁଇ ବର୍ଷରେ ୧୨୧ ନୂଆ ଯୋଜନା, କାର୍ଯ୍ୟକ୍ରମ
ପୂର୍ବ ସରକାରକୁ ‘ରଙ୍ଗ ମରା’ ସରକାର କହିଲେ
ଜଣଙ୍କ ମର୍ଜିରେ ଓଡ଼ିଶାର ସବୁ ପ୍ରକଳ୍ପ ଚାଲୁଥିଲା
ଏକାଠି ମିଳିବ ୩ ମାସର ଭତ୍ତା

ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନାମ ନ ନେଇ ମୁଖ୍ୟମନ୍ତ୍ରୀ କହିଥିଲେ, ଏବେ ଗଣମାଧ୍ୟମ ପ୍ରତିନିଧିମାନେ ମୁଖ୍ୟମନ୍ତ୍ରୀଙ୍କୁ ଖୋଲା ମଞ୍ଚରେ ପ୍ରଶ୍ନ କରି ପାରୁଛନ୍ତି। ତଥାକଥିତ ୨୪ ବର୍ଷର ସୁଶାସନରେ ଆପଣମାନେ କେତେଦୂର ତତ୍କାଳୀନ ମୁଖ୍ୟମନ୍ତ୍ରୀଙ୍କୁ ଏପରି ପ୍ରଶ୍ନ ପଚାରିବାକୁ ସୁଯୋଗ ପାଇଥିଲେ? ଓଡ଼ିଶାବାସୀ ସେମାନଙ୍କ ମୁଖ୍ୟମନ୍ତ୍ରୀ ତଥା ଅନ୍ୟ ମନ୍ତ୍ରୀଙ୍କୁ ନିଜ ଗୁହାରି ଶୁଣାଇବା ଭୁଲି ଯାଇଥିଲେ। ଆମ ସରକାର ଆସିବାମାତ୍ରେ ପ୍ରତ୍ୟକ୍ଷ ଜନଶୁଣାଣି ଆରମ୍ଭ ହୋଇଛି। 
ସରକାରଙ୍କ ସଫଳତା ବଖାଣି ମୁଖ୍ୟମନ୍ତ୍ରୀ କହିଥିଲେ, ‘ସୁଭଦ୍ରା’ ଯୋଜନାରେ ଦୁଇ ବର୍ଷ ମଧ୍ୟରେ ୨୦ ହଜାର ୬୦୦ କୋଟିରୁ ଊର୍ଦ୍ଧ୍ୱ ଟଙ୍କାର ସହାୟତା ପ୍ରଦାନ କରାଯାଇଛି। ମହିଳାଙ୍କ ବିକାଶ ପାଇଁ କନ୍ୟାବିବାହ ଯୋଜନା ଆଣି ୧୩୦୦ ଗରିବ କନ୍ୟାଙ୍କୁ ସାମୂହିକ ବିବାହ ଅନୁଷ୍ଠିତ କରାଇଛି। କୃଷକଙ୍କୁ ସମ୍ମାନ ଦେବା ସହ ଆମେ ତାଙ୍କୁ ସଶକ୍ତ ପାଇଁ ଅନେକ ପଦକ୍ଷେପ ଗ୍ରହଣ କରିଛୁ। ଗତ ସରକାରରେ ଜଳସେଚନ ନାଁରେ ରାଜୀବ ଭବନକୁ ଠିକାଦାରଙ୍କ ଆଡ୍ଡାସ୍ଥଳୀ ଭାବେ କରାଯାଇଥିଲା। ଆମ ସରକାର ଆସିବା ପରେ ସେସବୁ ବନ୍ଦ। ଆମେ ସ୍ବାସ୍ଥ୍ୟ କ୍ଷେତ୍ରକୁ ଗମ୍ଭୀରତାର ସହ ନେଇଛନ୍ତି। ରାଜନୈତିକ କାରଣରୁ ସ୍ଥଗିତ ରଖାଯାଇଥିବା ଆୟୁଷ୍ମାନ ଭାରତ-ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନାକୁ କାର୍ଯ୍ୟକାରୀ କରିଛନ୍ତି। ୨୦୨୭ ଶେଷ ସୁଦ୍ଧା ସବୁ ଗ୍ରାମକୁ ବିଜୁଳି, ପିଇବା ପାଣି ଓ ସବୁଦିନିଆ ସଡ଼କ ସୁବିଧା ପହଞ୍ଚାଇବା ପାଇଁ ‘ମିସନ୍‌ ପାୱାର’ ଗଠନ କରାଯାଇଛି।

KIIT: ଚାର୍ଟାର୍ଡ ଆକାଉଣ୍ଟାଣ୍ଟ ଛାତ୍ରମାନେ ବୃତ୍ତିଗତ ଉତ୍କର୍ଷତା ସହିତ ସଚ୍ଚୋଟତା ବଜାୟ ରଖିବାକୁ ରାଜ୍ୟପାଳଙ୍କ ଆହ୍ୱାନ

ଶିକ୍ଷା ବ୍ୟବସ୍ଥା ସମ୍ପର୍କରେ ସେ କହିଥି‌ଲେ, ରାଜନୈତିକ କାରଣରୁ ସ୍ଥଗିତ ରଖାଯାଇଥିବା ଜାତୀୟ ଶିକ୍ଷା ନୀତି ୨୦୨୦କୁ ଆମେ କାର୍ଯ୍ୟକାରୀ କରିଛୁ। ପ୍ରତି ପଞ୍ଚାୟତରେ ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟ ସ୍ଥାପନ କରାଯାଉଛି। ପ୍ରଥମ ପର୍ଯ୍ୟାୟରେ ସ୍ଥାପିତ ହେବାକୁ ଥିବା ୨୨ ଶହ ବିଦ୍ୟାଳୟରୁ ବର୍ତ୍ତମାନ ସୁଦ୍ଧା ୩୨୨ ବିଦ୍ୟାଳୟ ପାଇଁ ଶିଳାନ୍ୟାସ କରାଯାଇଛି। ଚଳିତ ବଜେଟ୍‌ରେ ଓଡ଼ିଶାରେ ୪ଟି ନୂତନ ବିଶ୍ୱବିଦ୍ୟାଳୟ ସ୍ଥାପନ ନିଷ୍ପତ୍ତି ନିଆଯାଇଛି। ଉଚ୍ଚଶିକ୍ଷା କ୍ଷେତ୍ରରେ ଅନୁସୂଚିତ ଜନଜାତି, ଅନୁସୂଚିତ ଜାତି ଏବଂ ସାମାଜିକ ଓ ଶିକ୍ଷାଗତ ପଛୁଆବର୍ଗ ଛାତ୍ରଛାତ୍ରୀଙ୍କ ଲାଗି ସଂରକ୍ଷଣ ବ୍ୟବସ୍ଥା କରାଯାଇଛି। ମୁଖ୍ୟମନ୍ତ୍ରୀ କହିଥିଲେ, ଓଡ଼ିଶା ରେକର୍ଡ ପରିମାଣ ଅର୍ଥ ଭିତ୍ତିଭୂମି ପାଇଁ ଖର୍ଚ୍ଚ କରୁଛି। ଚଳିତ ବଜେଟ୍‌ରେ ୭୨,୧୦୦ କୋଟି ଟଙ୍କାର ପୁଞ୍ଜି ଖର୍ଚ୍ଚ ପ୍ରାବଧାନ କରାଯାଇଛି, ଯାହା ରାଜ୍ୟ ଜିଡିପିର ୬.୫ ପ୍ରତିଶତ। ଏହି ହାର ସବୁ ରାଜ୍ୟଠାରୁ ଅଧିକ। ଗତ ବର୍ଷ ଜାନୁଆରିରେ ଅନୁଷ୍ଠିତ ଉତ୍କର୍ଷ ଓଡ଼ିଶାଠାରୁ ଆରମ୍ଭ କରି ଦେଶର ବିଭିନ୍ନ ସ୍ଥାନରେ ନିବେଶ ସମ୍ମିଳନୀ ଓ ରୋଡ୍ ସୋ ଆୟୋଜନ କରି ଆମେ ମୋଟ ୨୦ ଲକ୍ଷ କୋଟି ଟଙ୍କାର ନିବେଶ ପ୍ରସ୍ତାବ ପାଇପାରିଛୁ। ଭତ୍ତା ମିଳିବାରେ ବିଳମ୍ବ ହେବା ନେଇ ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଜାତୀୟ ସାମାଜିକ ସୁରକ୍ଷା ପେନ୍‌ସନ୍‌ରେ ବୈଷୟିକ ସମସ୍ୟା ଯୋଗୁ ଭତ୍ତା ପ୍ରଦାନରେ ବିଳମ୍ବ ଘଟିଛି। ଏହାର ସମାଧାନ କରାଯାଉଛି ଏବଂ ଖୁବଶୀଘ୍ର ହିତାଧିକାରୀମାନେ ତିନିମାସର ଭତ୍ତା ଏକକାଳୀନ ପାଇବେ।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।