Editorial: ଦଶାହାରୀ ଦର୍ଶନ

Jun 30, 2026 - 03:16
Editorial: ଦଶାହାରୀ ଦର୍ଶନ

"ବିଶେଷ କରି ଚିନ୍ତାଶକ୍ତି ଧାରଣକାରୀ "ଏଆଇ"ର ଆଗମନ ପରେ "ଏଆଇ" ମଡେଲମାନଙ୍କ‌ର ଆଚରଣକୁ ଅଧିକ ନୀତିବାନ, ଦାୟିତ୍ବସଂପନ୍ନ ଏବଂ ନିରାପଦ କରିବାକୁ ମଡେଲ ନିର୍ମାଣରେ ଏବେ ଅଧିକରୁ ଅଧିକ ଦର୍ଶନଶାସ୍ତ୍ରର ଛାତ୍ରଛାତ୍ରୀମାନଙ୍କୁ ସଂପୃକ୍ତ କରାଯିବା ଏକ ନିୟମିତ ଧାରାରେ ପରିଣତ ହେଲାଣି।

ସେମାନେ "ଏଆଇ" ମଡେଲମାନଙ୍କୁ ନୀତିବାନ, ଦାୟିତ୍ବସଂପନ୍ନ ଆଚରଣ ପ୍ରଦର୍ଶନ କରିବାକୁ ତାଲିମ ଦେଉଛନ୍ତି।Advertisment Lord Jagannath: ହାତୀବେଶରେ ଦର୍ଶନ ଦେଲେ ଜଗା ପୃଥିବୀର ଅଗ୍ରଣୀ ସୋସିଆଲ୍ ମିଡିଆ ଓ ଟେକ୍‌ନୋଲୋଜି କଂପାନି "ମେଟା" ତା"ର ପ୍ରମୁଖ ଶାଖା କଂପାନି "ହ୍ବାଟ୍‌ସଆପ୍"ର "ଗ୍ଲୋବାଲ୍ ସିଇଓ" ପଦରେ ସଦ୍ୟ ସଦ୍ୟ ଜଣେ ଭାରତୀୟଙ୍କୁ ନିଯୁକ୍ତ କରିଛି।

ଏଇ ଖବର କାହାରିକୁ ହେଲେ ତିଳେମାତ୍ର ଆଶ୍ଚର୍ଯ୍ୟାନ୍ବିତ କରିବା କଥା ନୁହେଁ, କାରଣ ପୃଥିବୀର ଓ ବିଶେଷ କରି ଆମେରିକାର ଅଧିକାଂଶ ବୃହତ୍ ଟେକ୍‌ନୋଲୋଜି କଂପାନିମାନଙ୍କର "ସିଇଓ" ହେଉଛନ୍ତି ଭାରତୀୟ ମୂଳର।

ରହସ୍ୟରେ କୁହାଯାଇଥାଏ ଭାରତର ମୁଖ୍ୟ ରପ୍ତାନି ଦ୍ରବ୍ୟ ହେଉଛି- "ସିଇଓ"।

କିନ୍ତୁ ଏଥିସତ୍ତ୍ବେ "ହ୍ବାଟ୍‌ସଆପ୍" ପରି ବିଶ୍ବବ୍ୟାପୀ କାୟା ବିସ୍ତାର କରିଥିବା ଏକ ବିଶାଳ ତଥା ଅପରିହାର୍ଯ୍ୟ ସେବା ପ୍ରଦାନକାରୀ ଟେକ୍‌ନୋଲୋଜି କଂପାନିର ମୁଖ୍ୟ ରୂପେ ୪୩ ବର୍ଷୀୟ କୁନାଲ ଶାହଙ୍କର ନିଯୁକ୍ତି କେବଳ ସଂପୃକ୍ତ ପରିସରରେ ନୁହେଁ, ବୃହତ୍ତର ସମାଜର ପର୍ଯ୍ୟବେକ୍ଷକମାନଙ୍କ ମଧ୍ୟରେ ଏକ ଆଶ୍ଚର୍ଯ୍ୟମିଶ୍ରିତ ଗୁଞ୍ଜରଣ ସୃଷ୍ଟି କରିବା ଦେଖାଯାଇଛି।ଏହାର କାରଣ କୁନାଲ ଶାହଙ୍କର ବୟସ ବା ଜାତୀୟତା ନୁହେଁ, ଏହାର କାରଣ ହେଉଛି ତାଙ୍କର ଶିକ୍ଷାଗତ ତାଲିମ ବା ଉପଲବ୍‌ଧି।

ଆମର ବଦ୍ଧମୂଳ ଧାରଣା ଅନୁସାରେ କମ୍ପ୍ୟୁଟର୍‌ରୁ "ଏଆଇ" ପର୍ଯ୍ୟନ୍ତ ସମସ୍ତ ଟେକ୍‌ନୋଲୋଜି କଂପାନିମାନଙ୍କୁ ନେତୃତ୍ବ ପ୍ରଦାନ କରିବା ପାଇଁ ଇଞ୍ଜିନିଅରିଙ୍ଗ୍‌ରେ ଜ୍ଞାନ ଅପରିହାର୍ଯ୍ୟ ହୋଇଥାଏ- ସତ୍ୟ ନାଡେଲା, ସୁନ୍ଦର ପିଚାଇରୁ ଶାନ୍ତନୁ ନାରାୟଣ ପର୍ଯ୍ୟନ୍ତଙ୍କର ଥିବା ଭଳି।

କିନ୍ତୁ କୁନାଲ ଶାହ ମୁମ୍ବାଇର ୱିଲ୍‌ସନ୍ କଲେଜରୁ ଯେଉଁ ବିଷୟରେ ସ୍ନାତକ ଡିଗ୍ରି ହାସଲ କରିଛନ୍ତି ତାହା ହେଉଛି ଅବିଶ୍ବାସ୍ୟ ମନେ ହେଉଥିବା- ଦର୍ଶନଶାସ୍ତ୍ର।ଅବିଶ୍ବାସ୍ୟ ଏଇଥିପାଇଁ ଯେ ପୃଥିବୀରେ ବିଜ୍ଞାନ ଓ ପ୍ରବିଧି ("ସାଇନ୍‌ସ ଆଣ୍ଡ ଟେକ୍‌ନୋଲୋଜି")ର ଜୟଯାତ୍ରା ଆରମ୍ଭ ହୋଇଯିବା ପରେ ବିଗତ ଦଶନ୍ଧିମାନଙ୍କରେ ନିଯୁକ୍ତିସନ୍ଧାନୀ ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ସାଇନ୍‌ସ ଓ ଇଞ୍ଜିନିଅରିଙ୍ଗ୍ ପ୍ରତି ଆଦର ବୃଦ୍ଧି ପାଇବା ସହିତ ଦର୍ଶନଶାସ୍ତ୍ର ଓ ଇତିହାସ ଭଳି ବିଷୟମାନ ଆଲୋଡ଼ା ହୋଇପଡ଼ି ଚାଲିବା ଦେଖାଯାଇଛି।

ଅନେକ କଲେଜ ଓ ବିଶ୍ବବିଦ୍ୟାଳୟରେ ଏଥିଯୋଗୁଁ ଦର୍ଶନଶାସ୍ତ୍ର ବିଭାଗମାନ ଛାତ୍ରଛାତ୍ରୀଶୂନ୍ୟ ହୋଇ ପଡ଼ିଥିବା ବେଳେ, କେଉଁଠି କେଉଁଠି ଏଇ ବିଭାଗକୁ ମଧ୍ୟ ପୂରାପୂରି ବନ୍ଦ କରି ଦିଆଯାଇଛି।

ଆନ୍ତର୍ଜାତିକ ସ୍ତରରେ ଏହାର ଏକ ପ୍ରମୁଖ ଉଦାହରଣ ସ୍ବରୂପ ଟେକ୍‌ନୋଲୋଜି କ୍ଷେତ୍ରରେ ସର୍ବଦା ଚମତ୍କାରିତା ପ୍ରଦର୍ଶନ ପାଇଁ ପ୍ରସିଦ୍ଧ ଜାପାନରେ ସେ ଦେଶର ଶିକ୍ଷାମନ୍ତ୍ରୀ ୨୦୧୫ରେ ଦର୍ଶନଶାସ୍ତ୍ର ଭଳି କଳା ଶାଖାର ସମସ୍ତ ବିଷୟରେ ଶିକ୍ଷାଦାନ ବନ୍ଦ କରିଦେବା ନିମିତ୍ତ ପଦକ୍ଷେପ ନେବା ଲାଗି ସମସ୍ତ ବିଶ୍ବବିଦ୍ୟାଳୟମାନଙ୍କୁ ନିର୍ଦ୍ଦେଶ ଦେବା ଉଚିତ ମନେ କରିଥିଲେ।ଏହାର ବହୁ ପୂର୍ବରୁ ୧୯୮୦ ଦଶକରେ ବ୍ରିଟେନ୍‌ରେ "ଆଇରନ୍ ଲେଡି" ମାର୍ଗାରେଟ୍ ଥାଚର୍ (ସେ ଥିଲେ ଅକ୍‌ସଫୋର୍ଡ ବିଶ୍ବବିଦ୍ୟାଳୟର ରସାୟନବିଜ୍ଞାନ ଛାତ୍ରୀ)ଙ୍କର ପ୍ରଧାନମନ୍ତ୍ରିତ୍ବ ସମୟରେ ସେଠାରେ ଗୋଟିକ ପରେ ଗୋଟିଏ କଲେଜରେ ଦର୍ଶନଶାସ୍ତ୍ର ବିଭାଗ ବନ୍ଦ ହେବାକୁ ଆରମ୍ଭ କରିଥିଲେ।

ନିଜର ଦୈନନ୍ଦିନ ଜୀବନକୁ ସହଜ, ସୁଗମ ଓ ଉପଭୋଗ୍ୟ କରିବା ପାଇଁ ଆତୁର ମନୁଷ୍ୟ ପାଇଁ ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟାର ଉପଯୋଗିତା ଓ ଆଦରରେ ଘଟି ଚାଲିଥିବା ଦ୍ରୁତ ବୃଦ୍ଧି ସହିତ ତାଳଦେଇ ଦର୍ଶନଶାସ୍ତ୍ର ପରି ଅସ୍ତିତ୍ବ, ବାସ୍ତବତା ଓ ନୈତିକତା ଆଦିର ମୌଳିକ ଚରିତ୍ରର ଅନୁସନ୍ଧାନରେ ବ୍ୟାପୃତ ଏକ ଅଣ-ଭୌତିକ ଶାସ୍ତ୍ର ଅନୁରୂପ ବେଗରେ ତା"ର ଗୁରୁତ୍ବ ହରାଇ ଚାଲିଥିଲା।ଦର୍ଶନଶାସ୍ତ୍ର ପ୍ରତି ବସ୍ତୁବାଦୀ ମନୁଷ୍ୟ ପ୍ରଦର୍ଶନ କରୁଥିବା ଏଭଳି ହେୟଜ୍ଞାନ ବହନ କରୁଥିବା ଅନ୍ତର୍ନିହିତ ବିପଦ ଦ୍ବାରା ଆତଙ୍କିତ ଓ ଚିନ୍ତିତ ହୋଇ ପ୍ରସିଦ୍ଧ ବ୍ରିଟିଶ୍ ନୀତିଶାସ୍ତ୍ରବିତ୍ ଦାର୍ଶନିକା ମେରୀ ମିଜ୍‌ଲୀ ୨୦୧୮ରେ ୯୯ ବର୍ଷ ବୟସରେ ତାଙ୍କର ପରଲୋକ ଗମନର ଅବ୍ୟବହିତ ପୂର୍ବରୁ ପ୍ରକାଶିତ ତାଙ୍କର ସର୍ବଶେଷ ପୁସ୍ତକ, "ହ୍ବାଟ୍ ଇଜ୍ ଫିଲସଫି ଫର୍?" ("ଦର୍ଶନଶାସ୍ତ୍ର କ"ଣ ପାଇଁ?")ରେ ମନୁଷ୍ୟ ଜାତି ତା"ର ଭବିଷ୍ୟତକୁ ଟେକ୍‌ନୋଲୋଜି ଓ "ଏଆଇ" ହାତରେ ସମର୍ପଣ କରିଦେବାର ମାନସିକତାକୁ ଏକ ଆରାମପ୍ରଦ ନିଶ୍ଚେତକ ରୂପେ ବର୍ଣ୍ଣନା କରିଥିଲେ।

ଯେତେବେଳେ ଯୁଦ୍ଧ, ଜଳବାୟୁ, ପରିବେଶ, ଶିକ୍ଷା, କିମ୍ବା ଲିଙ୍ଗ-ନ୍ୟାୟ ଆଦି କ୍ଷେତ୍ରରେ ଆମର ଭବି‌ଷ୍ୟତ ଗତିପଥ ନିରୂପଣର ଦାୟିତ୍ବ ଆମେ ଏହାରି ଉପରେ ସଂପୂର୍ଣ୍ଣ ରୂ‌େପ ନ୍ୟସ୍ତ କରିଦେବା, ତାହା ଆମ ପାଇଁ ଶେଷରେ ଆତ୍ମହତ୍ୟା ସଦୃଶ ହେବ ବୋଲି ମିଜ୍‌ଲୀ ଆମକୁ ଚେତାଇ ଦେଇଥିଲେ।

ଏଠାରେ ସ୍ଥାନାଭାବ ସତ୍ତ୍ବେ ମନୁଷ୍ୟରେ ଏଇ ସମ୍ଭାବ୍ୟ ଦଶାକୁ ପ୍ରତିହତ କରିବାରେ ଦର୍ଶନଶାସ୍ତ୍ରର ଗୁରୁତ୍ବପୂର୍ଣ୍ଣ ଦଶା ହରଣକାରୀ ଭୂମିକା ସଂପର୍କରେ ତାଙ୍କ ପୁସ୍ତକର ଅନ୍ତିମ ଅନୁଚ୍ଛେଦରେ ମିଜ୍‌ଲୀ ଲିପିବଦ୍ଧ କରିଥିବା ନିଜର ବିଚାର ନିମ୍ନରେ ଉଦ୍ଧାର କରିବା ଯଥାର୍ଥ ହେବ ବୋଲି ଆମେ ଅନୁଭବ କରୁଛୁ।""ଆମର କ"ଣ ଘଟିବ, ତାହା ନିଶ୍ଚିତ ରୂପେ ମନୁଷ୍ୟର ପସନ୍ଦ ଉପରେ ନିର୍ଭର କରିବ।

ସବୁଠାରୁ ଚମକପ୍ରଦ ମେସିନ୍‌ ମଧ୍ୟ ତାକୁ ପ୍ରୋଗ୍ରାମିଙ୍ଗ୍ କରୁଥିବା ମନୁଷ୍ୟ ଠାରୁ ଅଧିକ ଉତ୍ତମ ପସନ୍ଦ ପ୍ରଦର୍ଶନ କରିପାରିବ ନାହିଁ।

ତେଣୁ ନିଃସନ୍ଦେହରେ ଏଠାରେ ଆମେ ଏ ଦାୟିତ୍ବ ସଂପାଦନ ଭାର ମେସିନ୍ ପରି ଏକ ପଦାର୍ଥ (ମାଟର୍) ଉପରେ ନ୍ୟସ୍ତ ନ କରି ନିଜର ମସ୍ତଷ୍କ (ମାଇଣ୍ଡ୍) ଉପରେ ନିର୍ଭର କରିବା ଆମ ପାଇଁ ଅଧିକ ନିରାପଦ ହେବ।

ଏଇ କାରଣରୁ ମୁଁ ବିଶ୍ବାସ କରୁଛି ଏଣିକି ଦାର୍ଶନିକ ବିଚାରବିମର୍ଶ ଅଧିକରୁ ଅଧିକ ଗୁରୁତ୍ବ ବହନ କରିବା ଅବଶ୍ୟମ୍ଭାବୀ।

ଏଇ ସମସ୍ତ କଠିନ ବିଷୟମାନଙ୍କ ସମ୍ବନ୍ଧରେ ଆମର ଚିନ୍ତନ କିଭଳି ସର୍ବୋତ୍ତମ ହେବ, ଆମକୁ ସେ ସମ୍ବନ୍ଧରେ ଚିନ୍ତା କରିବାକୁ ହେବ- ତାହାର କିଭଳି ପରିକଳ୍ପନା କରିବା, ତାହାର ଭବିଷ୍ୟତର ରୂପରେଖ କିପରି ଅଙ୍କନ କରିବା, ତାହାକୁ ଏକ ବିଶ୍ବ-ଚିତ୍ରରେ କିପରି ଖାପ ଖୁଆଇବା।

ଆଉ ଆମେ ଯଦି ନିଜ ପାଇଁ ଏହା ନ କରିବା, ମୁଁ ଦେଖି ପାରୁନାହିଁ ଆଉ କିଏ ଆମ ପାଇଁ ଏହା କରିବାକୁ ସମର୍ଥ ହେବ।"" Lord Jagannath: ଦୁର୍ଲଭ ଗଜାନନ ବେଶରେ ଦର୍ଶନ ଦେଲେ ମହାବାହୁ କୁନାଲ ଶାହଙ୍କର ନିଯୁକ୍ତି ଆମକୁ ପ୍ରଚଳିତ ଧାରାର ଏକ ବ୍ୟତିକ୍ରମ ଭଳି ପ୍ରତୀୟମାନ ହେଉଥିଲେ ହେଁ, ଏହା ହେଉଛି ମିଜ୍‌ଲୀଙ୍କର ସେଇ ବିଶ୍ବାସ ସତ୍ୟ ସାବ୍ୟସ୍ତ ହେବାର ଏକ ତାଜା ତଥା ଅତୀବ ଦୃଶ୍ୟମାନ ଉଦାହରଣ।

ଏହା ହେଉଛି ଅତୀତରେ ବଟ୍ରାଣ୍ଡ ରସେଲ୍ ଓ ଲୁଡୱିଗ୍ ୱିଟ୍‌ଗେନ୍‌ଷ୍ଟାଇନ୍‌ଙ୍କ ମଧ୍ୟରେ ଘଟିଥିବା କିଂବଦନ୍ତିରେ ପରିଣତ ହୋଇଥିବା ଘଟଣାର ଠିକ୍ ବିପରୀତ ଭଳି।

ବିଚକ୍ଷଣ ଯୁବ ଅଷ୍ଟ୍ରୀୟ ଇଞ୍ଜିନିଅର୍ ୱିଟ୍‌ଗେନ୍‌ଷ୍ଟାଇନ୍ ଜଣେ ଦାର୍ଶନିକ ହେବା ପାଇଁ ମନ ବଳାଇ ୧୯୧୧ରେ ଦିନେ ହଠାତ୍ ଆସି କେମ୍ବ୍ରିଜରେ ମହାନ ବ୍ରିଟିଶ୍ ଦାର୍ଶନିକ ବଟ୍ର‌ାଣ୍ଡ ରସେଲ୍‌ଙ୍କ ସମ୍ମୁଖରେ ଉପସ୍ଥିତ ହେଲେ।

ୱିଟ୍‌ଗେନ୍‌ଷ୍ଟାଇନ୍‌ଙ୍କ ତୀକ୍ଷ୍‌ଣ ବୁଦ୍ଧିମତ୍ତା ଦ୍ବାରା ତତ୍‌କ୍ଷଣାତ୍ ପ୍ରଭାବିତ ହୋଇ ରସେଲ୍ ତାଙ୍କୁ ଆଗ୍ରହ ସହକାରେ ନିଜର ଶିଷ୍ୟ ରୂ‌େପ ଗ୍ରହଣ କଲେ।

ପରବର୍ତ୍ତୀ ସମୟରେ ୱିଟ୍‌ଗେନ୍‌ଷ୍ଟାଇନ୍‌ଙ୍କର ଅବଦାନ ଆଧୁନିକ ଦର୍ଶନଶାସ୍ତ୍ରକୁ ଯେଉଁଭଳି ଋଦ୍ଧିମନ୍ତ କରିଥିଲା, ତାହା ଅତୁଳନୀୟ।

ଏବେ "ମେଟା"ର ମାଲିକ ମାର୍କ ଜୁକର୍‌ବର୍ଗ ସେଇ ଚିତ୍ରକୁ ଓଲଟାଇ ଦେଇ ତାଙ୍କର ଟେକ୍‌ନୋଲୋଜି ସାମ୍ରାଜ୍ୟର ନେତୃତ୍ବ ପ୍ରଦାନ କରିଛନ୍ତି ଜଣେ ଯୁବ ଦାର୍ଶନିକ କୁନାଲ ଶାହଙ୍କୁ।

ଆଶା କରାଯାଇପାରେ, ଇଞ୍ଜିନିଅର୍ ୱିଟ୍‌ଗେନ୍‌ଷ୍ଟାଇନ୍‌ଙ୍କର ପ୍ରବେଶ ଯୋଗୁଁ ଦର୍ଶନଶାସ୍ତ୍ର ଲାଭବାନ ହେବା ଭଳି ଦାର୍ଶନିକ ଶାହଙ୍କ ପ୍ରବେଶ ଯୋଗୁଁ ଟେକ୍‌ନୋଲୋଜି କମ୍ପାନି "ହ୍ବାଟ୍‌ସଆପ୍" ଅନୁରୂପ ଭାବରେ ଲାଭବାନ ହେବ।ତେବେ ଟେକ୍‌ନୋଲୋଜି ଜଗତରେ ପ୍ରବେଶ କରିବାରେ କୁନାଲ ଶାହ ସର୍ବପ୍ରଥମ ଦାର୍ଶନିକ ନୁହନ୍ତି।

ବିଶେଷ କରି ଚିନ୍ତାଶକ୍ତି ଧାରଣକାରୀ "ଏଆଇ"ର ଆଗମନ ପରେ "ଏଆଇ" ମଡେଲମାନଙ୍କ‌ର ଆଚରଣକୁ ଅଧିକ ନୀତିବାନ, ଦାୟିତ୍ବସଂପନ୍ନ ଏବଂ ନିରାପଦ କରିବାକୁ ମଡେଲ ନିର୍ମାଣରେ ଏବେ ଅଧିକରୁ ଅଧିକ ଦର୍ଶନଶାସ୍ତ୍ରର ଛାତ୍ରଛାତ୍ରୀମାନଙ୍କୁ ସଂପୃକ୍ତ କରାଯିବା ଏକ ନିୟମିତ ଧାରାରେ ପରିଣତ ହେଲାଣି।

ସେମାନେ "ଏଆଇ" ମଡେଲମାନଙ୍କୁ ନୀତିବାନ, ଦାୟିତ୍ବସଂପନ୍ନ ଆଚରଣ ପ୍ରଦର୍ଶନ କରିବାକୁ ତାଲିମ ଦେଉଛନ୍ତି।

ଏହାର ଏକ ପ୍ରମାଣ ସ୍ବରୂପ ଏକ ସର୍ବେ‌କ୍ଷଣରୁ ଜଣାପଡ଼ିଛି ଯେ ଆମେରିକାରେ ବର୍ତ୍ତମାନ କମ୍ପ୍ୟୁଟର୍ ସାଇନ୍‌ସ ସ୍ନାତକମାନଙ୍କ ଅପେକ୍ଷା ଦର୍ଶନଶାସ୍ତ୍ର ସ୍ନାତକମାନଙ୍କର ନିଯୁକ୍ତି ଲାଭ କରିବାର ସମ୍ଭାବନା ହେଉଛି ବେଶ୍ ଅଧିକ।

ସେମାନେ ସାଧାରଣତଃ ସର୍ବଦା ଅଣ-ଭୌତିକ ଚିନ୍ତନରେ ନିମଗ୍ନ ଥିଲେ ମଧ୍ୟ ଦର୍ଶନଶାସ୍ତ୍ରର ଛାତ୍ରଛାତ୍ରୀମାନଙ୍କ କାନରେ ଏଇ ସୂଚନା ନିଶ୍ଚିତ ରୂପେ ଏକ ମଧୁର ସଂଗୀତ ସୃଷ୍ଟି କରୁଥିବ।"