Editorial: ଗଣତନ୍ତ୍ରର ଭବିଷ୍ୟତ

Oct 30, 2026 - 03:12
Editorial: ଗଣତନ୍ତ୍ରର ଭବିଷ୍ୟତ

ଭାରତରେ 'କ୍ରୋନି କ୍ୟା‌ପିଟାଲିଜମ'ର ସ୍ଥାନ ନାହିଁ ବୋଲି କହିବା ସତ୍ୟର ଅପଳାପ ହେବ!

ଆମ ଦେଶରେ, ସବୁ ସରକାରଙ୍କ ଅମଳରେ ପୁଞ୍ଜିପତିମାନଙ୍କ ପ୍ରଚ୍ଛନ୍ନ ପ୍ରଭାବ ଦେଖିବାକୁ ମିଳିଛି।

ବେଳେ ବେଳେ ସରକାର ଓ ପୁଞ୍ଜିପତି ହାତ ଧରାଧରି ହୋଇ ଚାଲୁଥିବା ମଧ୍ୟ ଦିଶିଛି।

କିନ୍ତୁ ଆମେରିକା ଭଳି ଗଣତାନ୍ତ୍ରିକ ମୂଲ୍ୟବୋଧ ବିରୋଧୀ ତଥା ବ୍ୟକ୍ତି-ସର୍ବଭୌମତ୍ବର ପୃଷ୍ଠପୋଷକ ପୁଞ୍ଜିପତି ଓ ସେମାନଙ୍କ ଦ୍ବାରା ବଶୀଭୂତ ସରକାର ଅନ୍ତତଃ ପକ୍ଷେ ଏଠାରେ ଦେଖାଯାଆନ୍ତି ନାହିଁ।

Advertisment ଅଳ୍ପ ଦିନ ତଳେ ପୃଥିବୀର ସର୍ବାଧିକ ଧନିକ ଏଲନ ମସ୍କ ତାଙ୍କ ଏକ୍‌ସ ହାଣ୍ଡଲରେ ପ୍ରଦତ୍ତ ମନ୍ତବ୍ୟରେ ଏକ ପରୋକ୍ଷ ଆକ୍ଷେପ କରିଥିଲେ ଯେ ଭାରତର ପ୍ରକୃତ ଶାସନ-କର୍ତ୍ତା ଏକ ନିର୍ବାଚିତ ସରକାର ନୁହେଁ, ବରଂ ଜଣେ ଅମିତ ବିତ୍ତଶାଳୀ ଶିଳ୍ପପତି!

ସେମିତି, ନିକଟରେ ଭାରତ ଗସ୍ତ କରିଥିବା ଆମେରିକୀୟ ସ୍ବରାଷ୍ଟ୍ର ମନ୍ତ୍ରୀ ମାର୍କୋ ରୁବିଓ, ନୂଆଦିଲ୍ଲୀ ପରିବର୍ତ୍ତେ ମୁମ୍ବାଇରେ ଅବତରଣ କରି ଜାମନଗରଠାରେ ମୁକେଶ ଅମ୍ବାନୀଙ୍କ ସହିତ ସାକ୍ଷାତ ଓ ଆଲୋଚନା କରି ଫେରି ଯାଇଛନ୍ତି।

କହିବା ଅନାବଶ୍ୟକ ଯେ ଲୋକକ୍ଷେତ୍ରରେ ଏହାକୁ ନେଇ ଯେଉଁ ଆଲୋଚନାର ଝଡ଼ ସୃଷ୍ଟି ହୋଇଥିଲା, ତହିଁରେ ତାତ୍କାଳିକ ବିବାଦ ହିଁ ପ୍ରମୁଖ ସ୍ଥାନ ଅଧିକାର କରିଥିଲା; ଯେମିତି ଭାରତରେ ଏଲନ ମସ୍କଙ୍କ କଂପାନି 'ଷ୍ଟାରଲିଙ୍କ' ପ୍ରବେଶ କରି ପାରୁ ନ ଥିବା ହେତୁ ତାଙ୍କ କ୍ଷୋଭ ଓ ସେଭଳି କ୍ଷୋଭର ଯାଥାର୍ଥ୍ୟ କିମ୍ବା ପ୍ରଧାନମନ୍ତ୍ରୀଙ୍କୁ ସାକ୍ଷାତ କରିବା ଭଳି ସାମାନ୍ୟ ସୌଜନ୍ୟ ଏବଂ କୂଟନୈତିକ ଶୃଙ୍ଖଳା ପ୍ରଦର୍ଶନ କରି ନ ଥିବା ମାର୍କୋ ରୁବିଓଙ୍କ କାର୍ଯ୍ୟର ଔଚିତ୍ୟ ଇତ୍ୟାଦି!

କିନ୍ତୁ ଏହି ପରିପ୍ରେକ୍ଷୀରେ ଯେଉଁ ବିଷୟ ଭୟ ଓ ଅସ୍ବସ୍ତିର ଶୀତଳ ଶିହରଣ ଖେଳାଇ ଦେବା ଲାଗି ଯଥେଷ୍ଟ, ତାହା ଉପରେ ବିମର୍ଶର ବିଶେଷ ଆଲୋକ ପଡ଼ିନାହିଁ, ଯାହାକୁ ନେଇ ଏକ କ୍ଷୁଦ୍ର ଆଲୋଚନା ପ୍ରାସଙ୍ଗିକ ଭଳି ମନେ ହୋଇଥାଏ।

ଚଳିତ ବର୍ଷ ଅଗଷ୍ଟ ମାସରେ ପ୍ରକାଶିତ, ସାମ୍ବାଦିକ ଓ ଚିନ୍ତକ ଜିଲ ଡୁରାନଙ୍କ ଦ୍ବାରା ରଚିତ, 'ନ୍ୟୁୟର୍କ ଟାଇମ୍‌ସ' ପତ୍ରିକାର ସର୍ବାଧିକ ବିକ୍ରି ହେଉଥିବା ପୁସ୍ତକ ତାଲିକାରେ ତୃତୀୟ ସ୍ଥାନ ଅଧିକାର କରିଥିବା ବହି 'ନର୍ଡ ରେଇକ୍‌'ରେ କୁହାଯାଇଛି ଯେ ଆମେରିକାର କତିପୟ ଅର୍ବପତି, ବିଶେଷ କରି ସିଲିକନ ଭ୍ୟାଲିରେ ବିଚରଣ କରୁଥିବା କିଛି ଅପରିମେୟ ବିତ୍ତର ଅଧିକାରୀ, ପୁଞ୍ଜିପତି ତଥା ଟେକ୍‌ କଂପାନିର ମାଲିକ ସୁବ୍ୟବସ୍ଥିତ ଭାବେ ଗଣତନ୍ତ୍ରକୁ ଭୂଲୁଣ୍ଠିତ କରିବାକୁ ଉଦ୍ୟମରତ, ଯେଉଁମାନଙ୍କ ମଧ୍ୟରେ ଅଛନ୍ତି ପିଟର ଥିଲ, ମାର୍କ ଆଣ୍ଡରସନ, ବାଲାଜୀ ଶ୍ରୀନିବାସନ, ଏଲନ ମସ୍କ ଇତ୍ୟାଦି।

ଏମାନଙ୍କ ମଧ୍ୟରୁ ପିଟର ଥିଲ୍‌ ଓ ବାଲାଜୀ ଶ୍ରୀନିବାସନ ଅତି ଖୋଲାଖୋଲି ଭାବେ, ବିଭିନ୍ନ ପ୍ରଭାବଶାଳୀ ମଞ୍ଚରେ, ସେମାନଙ୍କ ବ୍ୟକ୍ତି-ତାନ୍ତ୍ରିକ ଦର୍ଶନର ପ୍ରଚାରରେ ବ୍ୟାପୃତ!

ପ୍ରକାଶ ଥାଉ କି ପିଟର ଥିଲ୍‌ଙ୍କ ଚିନ୍ତନକୁ ପ୍ରଭାବିତ କରିଛି ୧୯୯୭ ମସିହାରେ ପ୍ରକାଶିତ ପୁସ୍ତକ 'ଦ ସଭରନ ଇଣ୍ଡିଭିଜୁଆଲ' ('ସର୍ବଭୌମ ବ୍ୟକ୍ତି), ଯାହାର ମୂଳ ଉପପାଦ୍ୟ ହେଲା ଇଣ୍ଟରନେଟ, ଡିଜିଟାଲ ଅର୍ଥନୀତି ଓ 'ଏନକ୍ରିପ୍‌ସନ' ବା 'ଗୋପନୀୟ ଭାବେ ତଥ୍ୟ ପ୍ରେରଣର ସୂତ୍ର' ଆଦି ମାଧ୍ୟମରେ ଜଣେ ବ୍ୟକ୍ତି ସରକାର ଓ ଶାସନ ବ୍ୟବସ୍ଥାକୁ ଭ୍ରୂକ୍ଷେପ ନ କରି, ସ୍ବଇଚ୍ଛାରେ, ସ୍ବନିର୍ବାଚିତ ପଥରେ ନିଜ ମନୋନୀତ ସ୍ଥାନରେ ରହି ସଂପଦ ସୃଷ୍ଟି ଓ ଠୁଳ କରି ପାରିବ; ଅର୍ଥାତ୍‌ ରାଷ୍ଟ୍ର ନୁହେଁ, ବ୍ୟକ୍ତି ହିଁ ହେବ 'ସର୍ବଭୌମତ୍ବର ଅଧିକାରୀ'।

ସେହିଭଳି ପିଟର ଥିଲ୍‌ଙ୍କ ଜଣେ ଶିଷ୍ୟ, ଭାରତୀୟ ମୂଳୋଦ୍ଭବ ବାଲାଜୀ ଶ୍ରୀନିବାସନଙ୍କ ଦ୍ବାରା ରଚିତ ଓ ୨୦୨୨ ମସିହାରେ ପ୍ରକାଶିତ ପୁସ୍ତକ 'ଦ ନେଟୱର୍କ ଷ୍ଟେଟ୍‌'ରେ ସେ ଥିଲ୍‌ଙ୍କ ଠାରୁ ଆଉ ଧାପେ ଆଗେଇ ଯାଇ କହିଛନ୍ତି କିଭଳି, ଇଣ୍ଟରନେଟ ଜରିଆରେ, ପୃଥିବୀର ବିଭିନ୍ନ ସ୍ଥାନରେ ବସବାସ କରୁଥିବା ସମ ମତାବଲମ୍ବୀମାନେ 'ନେଟୱର୍କ' ମାଧ୍ୟମରେ ସଂଯୋଜିତ ହୋଇ ଏକ ପ୍ରତୀୟମାନ ରାଷ୍ଟ୍ର ରୂପେ ସ୍ବୀକୃତି ଲାଭ କରିବା ଲାଗି ଦାବି କରି ପାରନ୍ତି, ନିଜସ୍ବ ଆଇନ ପ୍ରଣୟନ କରି ପାରନ୍ତି ବା ନିଜ ବାଟରେ ଆପଣା ସ୍ବତନ୍ତ୍ର ଅର୍ଥ ବ୍ୟବସ୍ଥା ମଧ୍ୟ ସୃଷ୍ଟି କରି ପାରନ୍ତି!

ସୁତରାଂ, ଏଭଳି ସ୍ଥିତିରେ କୌଣସି ରାଷ୍ଟ୍ରର ସରକାର, ଶାସନ ବ୍ୟବସ୍ଥା ଓ ଭୌଗୋଳିକ ସୀମାରେଖା ଯେ ନିରର୍ଥକ ହୋଇଯିବ, ତାହା ସ୍ପଷ୍ଟ।

ଏଥିରେ ଦ୍ବିମତ ନାହିଁ ଯେ ସୂଚନା ପ୍ରଯୁକ୍ତି ଯୁଗର ପ୍ରାରମ୍ଭ ହେବା ପ‌ରେ ସୃଷ୍ଟି ହୋଇଥିବା ସିଲିକନ ଭ୍ୟାଲିର ଅନେକ ଅର୍ବପତି ସଂବେଦନଶୂନ୍ୟ, ଅହଙ୍କାରୀ, ତୀବ୍ର ବ୍ୟକ୍ତିବାଦୀ ଓ ଗଣତାନ୍ତ୍ରିକ ମୂଲ୍ୟବୋଧ ପ୍ରତି ହେୟମନସ୍କ ହୋଇଥିବା ଦେଖାଯାଏ, ଯେମିତି ପିଟର ଥିଲ୍‌।

ଜିଲ ଡୁରାନ କହନ୍ତି ଯେ ଏଭଳି ଅର୍ବପତିମାନଙ୍କ ସହିତ ଯୁଗଳ ନୃତ୍ୟରେ ଅବତୀର୍ଣ୍ଣ ହେବା ଲାଗି ଡୋନାଲ୍‌ଡ ଟ୍ରମ୍ପ ବା ଜେ.

ଡି.

ଭାନ୍‌ସ ବା ମାର୍କୋ ରୁବିଓଙ୍କ ଭଳି କ୍ଷମତାଲିପ୍‌ସୁ, ମତାନ୍ଧ ଓ ଗଣତାନ୍ତ୍ରିକ ମୂଲ୍ୟବୋଧକୁ ପଦାନତ କରିବାକୁ ପ୍ରସ୍ତୁତ ନେତାଙ୍କ ଆବିର୍ଭାବ ମଧ୍ୟ ଘଟିଛି।

ଏହା ସୁବିଦିତ ଯେ ଯେକୌଣସି ଗଣତନ୍ତ୍ରରେ ନିର୍ବାଚନକୁ ପ୍ରଭାବିତ କରିବା ଲାଗି ପୁଞ୍ଜିପତିମାନେ ଆପଣା ସମର୍ଥିତ ରାଜନୈତିକ ଦଳ ଲାଗି ବିପୁଳ ଅର୍ଥ ବ୍ୟୟ କରନ୍ତି ଏବଂ ସେହି ଦଳ ଯଦି କ୍ଷମତାସୀନ ହୁଏ, ତେବେ, ନେପଥ୍ୟରୁ ପ୍ରଭାବ ବିସ୍ତାର କରି ନିଜକୁ ସୁହାଇଲା ଭଳି ନୀତି ନିର୍ଦ୍ଧାରଣ କରାଇବାଠାରୁ ନେଇ ବିଶେଷ ସୁବିଧା ଓ ଅଧିକାର ଲାଭ ପର୍ଯ୍ୟନ୍ତ ଅନେକ ସୁଯୋଗର ହିତାଧିକାରୀ ମଧ୍ୟ ହୁଅନ୍ତି, ଯାହା 'କ୍ରୋନି କ୍ୟାପିଟାଲିଜମ' ଭାବେ ଜଣାଶୁଣା।

ସେହି ଦୃଷ୍ଟିରୁ ୨୦୨୪ ମସିହା ନିର୍ବାଚନରେ ଡୋନାଲ୍‌ଡ ଟ୍ରମ୍ପଙ୍କ ସକାଶେ ଏଲନ ମସ୍କ କରିଥିବା ବିପୁଳ ବ୍ୟୟ (ପ୍ରାୟ ୨୯୦ ମିଲିଅନ ଡଲାର) ବିଶେଷ ଭ୍ରୂକୁଞ୍ଜନର କାରଣ ହୋଇ ନ ଥାଏ ବା ତା' ପ୍ରତିବଦଳରେ ମସ୍କଙ୍କୁ ଅନେକ ଲାଭ ମିଳିବାର ସମ୍ଭାବନାରେ ବିସ୍ମିତ ହେବାର କାରଣ ମଧ୍ୟ ନ ଥାଏ!

କିନ୍ତୁ ଜିଲ ଡୁରାନଙ୍କ ମତରେ ବିଡ଼ମ୍ବନାଟି ଥିଲା ଟ୍ରମ୍ପଙ୍କ ଦ୍ବିତୀୟ ପାଳି ରାଷ୍ଟ୍ରପତିତ୍ବ ସମୟରେ, ପ୍ରଥମ ପାଞ୍ଚ ମାସ, ଏଲନ ମସ୍କ, ସର୍ବ ସମକ୍ଷରେ, ଜଣେ ସମାନ୍ତରାଳ ରାଷ୍ଟ୍ରପତି ରୂପେ, ଅନେକ ନୀତି ନିର୍ଦ୍ଧାରଣ ଓ ନିଷ୍ପତ୍ତିର ସୂତ୍ରଧର ହେବା।

ଏହାର ଅର୍ଥ ନିର୍ବାଚିତ ନ ହୋଇ ମଧ୍ୟ ହ୍ବାଇଟ ହାଉସରୁ ଶାସନ ଚଳାଇବା!

ଡୁରାନ କହନ୍ତି ଏଭଳି ଅର୍ବପତିମାନେ ଅକାତରେ ଗଣତନ୍ତ୍ରକୁ ନତଜାନୁ କରିଦେଇ ପାରନ୍ତି।

ଉଲ୍ଲେଖଯୋଗ୍ୟ, ଆମେରିକାରେ ହେବାକୁ ଯାଉଥିବା ମଧ୍ୟବର୍ତ୍ତୀକାଳୀନ ନିର୍ବାଚନରେ ଟ୍ରମ୍ପଙ୍କ ରିପବ୍ଲିକାନ ଦଳ ସକାଶେ ଏଲନ ମସ୍କ ପ୍ରଦାନ କରିଛନ୍ତି ୪୪୫ ମିଲିଅନ ଡଲାର।

ପୂର୍ବରୁ ଆମେରିକୀୟ ନିର୍ବାଚନ‌େର 'କ୍ରିପଟୋ' ମୁଦ୍ରାର କୌଣସି ଭୂମିକା ନ ଥିବାବେଳେ ଏହି ମଧ୍ୟବର୍ତ୍ତୀକାଳୀନ ନିର୍ବାଚନ ସକାଶେ 'କ୍ରିପଟୋ' ସୂତ୍ରରୁ ମିଳିଛି ଅତ୍ୟନ୍ତ ବିପୁଳ ୫୪୬ ମିଲିଅନ ଡଲାର, ଯାହାର ବ୍ୟବସ୍ଥା କରିଥିବେ ପିଟର ଥିଲ୍‌ ବା ବାଲାଜୀ ଶ୍ରୀନିବାସନ ବା ତାଙ୍କ ସମଧର୍ମାମାନେ!

ଜିଲ ଡୁରାନ କହନ୍ତି ଯେ ଏଭଳି ସ୍ଥିତିରେ ସଂବେଦନ ବିରହିତ ନିର୍ଦ୍ଦୟ ଅର୍ବପତିମାନଙ୍କ ଦ୍ବାରା ଗଣତନ୍ତ୍ର ଖର୍ଦ୍ଦି ହୋଇଯିବା ସୁନିଶ୍ଚିତ, ଯହିଁରେ ଟ୍ରମ୍ପ ଓ ତାଙ୍କ ସତୀର୍ଥ ରାଜନେତାମାନେ ଗଣତନ୍ତ୍ରର ସ୍ଖଳନର ଇଚ୍ଛାକୃତ ଅଂଶୀଦାର ହେବେ!

ଭାରତରେ 'କ୍ରୋନି କ୍ୟା‌ପିଟାଲିଜମ'ର ସ୍ଥାନ ନାହିଁ ବୋଲି କହିବା ସତ୍ୟର ଅପଳାପ ହେବ!

ଆମ ଦେଶରେ, ସବୁ ସରକାରଙ୍କ ଅମଳରେ ପୁଞ୍ଜିପତିମାନଙ୍କ ପ୍ରଚ୍ଛନ୍ନ ପ୍ରଭାବ ଦେଖିବାକୁ ମିଳିଛି।

ବେଳେ ବେଳେ ସରକାର ଓ ପୁଞ୍ଜିପତି ହାତ ଧରାଧରି ହୋଇ ଚାଲୁଥିବା ମଧ୍ୟ ଦିଶିଛି।

କିନ୍ତୁ ଆମେରିକା ଭଳି ଗଣତାନ୍ତ୍ରିକ ମୂଲ୍ୟବୋଧ ବିରୋଧୀ ତଥା ବ୍ୟକ୍ତି-ସର୍ବଭୌମତ୍ବର ପୃଷ୍ଠପୋଷକ ପୁଞ୍ଜିପତି ଓ ସେମାନଙ୍କ ଦ୍ବାରା ବଶୀଭୂତ ସରକାର ଅନ୍ତତଃ ପକ୍ଷେ ଏଠାରେ ଦେଖାଯାଆନ୍ତି ନାହିଁ।

ତେଣୁ ଏଲନ ମସ୍କ ଭାରତକୁ ନିଜ ଚଷମାରେ ଦେଖି ହୁଏତ କହି ପକାଇଲେ ଯେ ଭାରତ ଜଣେ ପୁଞ୍ଜିପତିଙ୍କ ଦ୍ବାରା ଶାସିତ ଏବଂ ମାର୍କୋ ରୁବିଓ ତାଙ୍କ ଭାରତ ଗସ୍ତ କାଳରେ ସାମାନ୍ୟ ଗଣତାନ୍ତ୍ରିକ ମର୍ଯ୍ୟାଦା ରକ୍ଷା କରିବାକୁ ଭୁଲିଗଲେ!

ତେବେ, କଥାଟି ଏଠାରେ ସରୁ ନାହିଁ।

ଆମେରିକାରେ ହେଉ ପଛକେ, ଏହା ଯଦି ସତରେ ବ୍ୟକ୍ତି-ସର୍ବ‌ଭୌମତ୍ବର ବିକାଶ ଓ ଗଣତନ୍ତ୍ରର ପତନର ପ୍ରାରମ୍ଭ ହୁଏ, ତେବେ ଭୟଭୀତ ହେବାର କାରଣ ରହିଛି!

କାରଣ ଇଣ୍ଟରନେଟ ଦ୍ବାରା ଛନ୍ଦା ପୃଥିବୀରେ ସତରେ ଭୌଗୋଳିକ ସୀମାରେଖା ଦ୍ରବୀଭୂତ ହୋଇଯାଏ, ପ୍ରତ୍ୟେକ ଅନ୍ୟ ଦ୍ବାରା ପ୍ରଭାବିତ ହୋଇପାରନ୍ତି!

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)