Major floods in 7 rivers: ଜଳ ପ୍ରଳୟ: ୭ ନଦୀରେ ବଡ଼ ବନ୍ୟା, ଦେଢ଼ଲକ୍ଷ ଲୋକ ଜଳବନ୍ଦି
ବ୍ରହ୍ମପୁର: ବାତ୍ୟା ‘ଅର୍ଣ୍ଣବ’ ପ୍ରଭାବରେ ଭୀଷଣ ବର୍ଷା ଗଞ୍ଜାମ ଜିଲ୍ଲାରେ ଜଳ ପ୍ରଳୟ ସୃଷ୍ଟି କରିଛି। ଗତକାଲି ବିଳମ୍ବିତ ରାତିରୁ ଆଜି ଦିନସାରା ଅବିଶ୍ରାନ୍ତ ବର୍ଷାରେ ଅଧା ଜିଲ୍ଲା ଉବୁଟୁବୁ ହୋଇଛି। ଆସିକା, ଶେରଗଡ଼, ସୋରଡ଼ା, ଧରାକୋଟ, ଭଞ୍ଜନଗର ଓ ବେଲଗୁଣ୍ଠା ଚାରିଆଡ଼ୁ ବିଚ୍ଛିନ୍ନ ହୋଇଯାଇଛି। ପୁରୁଷୋତ୍ତମପୁରରେ ଋଷିକୁଲ୍ୟା ନଦୀବନ୍ଧ ଭାଙ୍ଗିଯିବାରୁ ଗାଁ ଓ ସହରରେ ପାଣି ପଶିଯାଇଛି। ସୀମାନ୍ତ ପାତ୍ରପୁର ଓ ଚିକିଟି ବ୍ଲକରେ ବି ବର୍ଷା ବିତ୍ପାତ ଦେଖିବାକୁ ମିଳିଛି। ଗାଁ ଦାଣ୍ଡରେ ପାଣି ସୁଅ ଛୁଟୁଛି। ପ୍ରଖର ସ୍ରୋତ ଯୋଗୁଁ ଉଦ୍ଧାର କାର୍ଯ୍ୟ ପ୍ରଭାବିତ ହୋଇଛି। ତଥାପି ଆଜି ସନ୍ଧ୍ୟା ୭ଟା ସୁଦ୍ଧା ପ୍ରାୟ ୧୬ ହଜାର ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି। ଇତିମଧ୍ୟରେ ଆଠଟି ବ୍ଲକ୍ର ଦେଢ଼ଲକ୍ଷରୁ ଅଧିକ ଲୋକ ଜଳବନ୍ଦି ହୋଇ ରହିଛନ୍ତି। ସୋରଡ଼ାରେ ପାଣ୍ଡା ନାୟକ (୩୬) ବନ୍ୟାପାଣିରେ ଭାସି ପ୍ରାଣ ହରାଇଥିବା ସୂଚନା ମିଳିଛି। ୨୦୧୩ ‘ଫାଇଲିନ୍’ ଓ ୨୦୧୮ ’ତିତ୍ଲି’ ବାତ୍ୟା ପରେ ଗଞ୍ଜାମ ଜିଲ୍ଲା ପାଇଁ ଏହା ସବୁଠୁ ବଡ଼ ବିପର୍ଯ୍ୟୟ ବୋଲି କୁହାଯାଉଛି।
Health: ଆଜି 'ଆଡପ୍ଟ' ବୈଠକ; ସ୍ୱାସ୍ଥ୍ୟ ନୀତିରେ ବୈଜ୍ଞାନିକ ପ୍ରମାଣ ଉପରେ ଗୁରୁତ୍ୱ
ଗଞ୍ଜାମ ଜିଲ୍ଲାରେ ଗୋଟିଏ ଦିନରେ ମୋଟ ୨୭୦୦ ମିଲିମିଟର (ହାରାହାରି ୧୨୨.୭୭ ମିମି)ରୁ ଅଧିକ ବର୍ଷା ରେକର୍ଡ ହୋଇଛି। ପାତ୍ରପୁରରେ ଆଜି ସକାଳ ସାଢ଼େ ୮ଟା ସୁଦ୍ଧା ୫୪୬ ମିମି ବର୍ଷା ହୋଇଛି। ଅବିଶ୍ରାନ୍ତ ବର୍ଷା ଫଳରେ ଋଷିକୁଲ୍ୟା, ବାହୁଦା, ଘୋଡ଼ାହାଡ଼, ଲୋହରାଖଣ୍ଡି, ଜରଉ, ପଦ୍ମା ଓ ବଡ଼ନଦୀରେ ବନ୍ୟା ଆସିଛି। ସେହିପରି ବାଘଲଟି, ବାଘୁଆ ଓ ଡହ ଡ୍ୟାମ୍ ଉବୁଟୁବୁ ହେଉଛି। ଆସିକା, ଶେରଗଡ଼, ଧରାକୋଟ, ଭଞ୍ଜନଗର, ହିଞ୍ଜିଳିକାଟୁ, ସୋରଡ଼ା, ବେଲଗୁଣ୍ଠା, ସାନଖେମୁଣ୍ଡି, ପାତ୍ରପୁର, ଚିକିଟି, ଗଞ୍ଜାମ, ଖଲ୍ଲିକୋଟ, ପୁରୁଷୋତ୍ତମପୁର ଓ ଛତ୍ରପୁର ବ୍ଲକ୍ ବିଶେଷ ପ୍ରଭାବିତ ହୋଇଛି। ଆସିକା ସହର ସଂପୂର୍ଣ୍ଣ ଜଳବନ୍ଦିରେ ରହିଥିବା ବେଳେ ଲୋକଙ୍କୁ ଉଦ୍ଧାର କରିବାକୁ ପ୍ରୟାସ ଆରମ୍ଭ ହୋଇଛି। ଲୋକେ ପ୍ରଥମ ଓ ଦ୍ବିତୀୟ ମହଲାରେ ଆଶ୍ରୟ ନେଇଛନ୍ତି। ବହୁ ସ୍ଥାନରେ ତଳମହଲାରେ ୬ ଫୁଟ୍ରୁ ଅଧିକ ପାଣି ପ୍ରବାହିତ ହେଉଛି।
ସୋରଡ଼ାରେ ଜଣେ ଭାସିଗଲେ, ୩୧ ଯାଏଁ ସବୁ ଶିକ୍ଷାନୁଷ୍ଠାନ ଛୁଟି
ଗୁରୁବାର ସନ୍ଧ୍ୟା ସୁଦ୍ଧା ଭଞ୍ଜନଗର-ବ୍ରହ୍ମପୁର, ଭଞ୍ଜନଗର-ଭୁବନେଶ୍ବର, ବ୍ରହ୍ମପୁର-ଆସିକା, ବ୍ରହ୍ମପୁର-ପାରଳାଖେମୁଣ୍ଡି, ବ୍ରହ୍ମପୁର-ଦାରିଙ୍ଗବାଡ଼ି ରାସ୍ତା ବିଚ୍ଛିନ୍ନ ହୋଇ ରହିଥିଲା। ଜାତୀୟ ରାଜପଥ ଓ ରାଜ୍ୟ ରାଜପଥ ଉପରେ ପାଣି ଚାଲୁଛି। ଗଞ୍ଜାମ ଜିଲ୍ଲାକୁ ଅତିରିକ୍ତ ୨୭ଟି ଓଡ୍ରାଫ୍ ଟିମ୍ ସରକାର ପଠାଇଛନ୍ତି। ପୁରୀ, ଖୋରଧା, କଟକ, ଜଗତସିଂହପୁର ଓ ଭଦ୍ରକରେ ନିୟୋଜିତ ଓଡ୍ରାଫ୍ ଟିମ୍ ସନ୍ଧ୍ୟା ସୁଦ୍ଧା ଗଞ୍ଜାମରେ ପହଞ୍ଚିଛନ୍ତି। ସେପଟେ ଉଦ୍ଧାର କାର୍ଯ୍ୟରେ ଓଡ୍ରାଫ୍, ଏନ୍ଡିଆର୍ଏଫ୍ ସହ ଆଜି କୋଷ୍ଟଗାର୍ଡକୁ ନିୟୋଜିତ କରାଯାଇଛି। ଧରାକୋଟ ଓ ସୋରଡ଼ା ଅଞ୍ଚଳରେ କୋଷ୍ଟଗାର୍ଡର ହେଲିକପ୍ଟର ଜରିଆରେ ଅତ୍ୟନ୍ତ ସମ୍ବେଦନଶୀଳ ସ୍ଥାନରୁ ଲୋକଙ୍କୁ ଏୟାରଲିଫ୍ଟ କରାଯାଇଛି। ତପ୍ତପାଣି ଓ କଳିଙ୍ଗା ଘାଟିରେ ଭୂସ୍ଖଳନ ହୋଇଛି। ତପ୍ତପାଣିରେ ପାହାଡ଼ରୁ ମାଟି ଓ କଳିଙ୍ଗାରେ ପଥର ଖସିଛି। ଫଳରେ ଘାଟି ରାସ୍ତାଗୁଡ଼ିକୁ ସିଲ୍ କରି ଦିଆଯାଇଛି। ଏଥିସହ ଜିଲ୍ଲାର ସମସ୍ତ ଶିକ୍ଷାନୁଷ୍ଠାନକୁ ଆସନ୍ତା ୩୧ ତାରିଖ ପର୍ଯ୍ୟନ୍ତ ଛୁଟି ଘୋଷଣା କରାଯାଇଛି।
୧୬ ହଜାରଙ୍କୁ ସ୍ଥାନାନ୍ତର, ଏୟାରଲିଫ୍ଟ ବି କରାଗଲା
ଆସିକା, ଧରାକୋଟ, ଶେରଗଡ଼, ଭଞ୍ଜନଗର ଓ ସୋରଡ଼ା ବିଚ୍ଛିନ୍ନ
ଉଦ୍ଧାରରେ ଓଡ୍ରାଫ୍, ଏନ୍ଡିଆର୍ଏଫ୍, କୋଷ୍ଟଗାର୍ଡ
ଫାଇଲିନ୍ ଓ ତିତ୍ଲି ପରେ ଜିଲ୍ଲାରେ ବଡ଼ ବିପର୍ଯ୍ୟୟ
Health: ଆଜି 'ଆଡପ୍ଟ' ବୈଠକ; ସ୍ୱାସ୍ଥ୍ୟ ନୀତିରେ ବୈଜ୍ଞାନିକ ପ୍ରମାଣ ଉପରେ ଗୁରୁତ୍ୱ
ବ୍ରହ୍ମପୁର ସହର ବି ଜଳବନ୍ଦି ସ୍ଥିତିରେ। ବିଭିନ୍ନ ସାହି ଓ ବସ୍ତିର ଲକ୍ଷାଧିକ ଲୋକ ପାଣିଘେରରେ ରହିଛନ୍ତି। ତଳିଆ ଅଞ୍ଚଳରେ ଲୋକଙ୍କ ଘରେ ଅଣ୍ଟାଏ ଯାଏଁ ପାଣି ପଶିଯାଇଛି। ସାପୁଆ ଓ ବାହାନା ନାଳ ପାଣି ଉଛୁଳୁଛି। ଅନ୍ଧପସରା, ହଳଦିଆପଦର, ବାସୁଦେବନଗର, ମୟୂରୀବିହାର, ଶକ୍ତିନଗର ଆଦି ଅଞ୍ଚଳ ପାଣି ଘେରରେ ରହିଛି। ଜିଲ୍ଲାପାଳ ଭି.କୀର୍ତ୍ତି ଭାସନଙ୍କ ନେତୃତ୍ବରେ ପୂରା ପ୍ରଶାସନିକ କଳ ଲୋକଙ୍କୁ ଉଦ୍ଧାର ଓ ରିଲିଫ୍ କାର୍ଯ୍ୟରେ ଲାଗିଛି। ଆର୍ଡିସି ବିଜୟ ଅମୃତା କୁଲାଙ୍ଗେ ଓ ଦକ୍ଷିଣାଞ୍ଚଳ ଆଇଜି ଜେ.ଏନ୍. ପଙ୍କଜ ମଧ୍ୟ ଉପସ୍ଥିତ ରହି ସ୍ଥିତି ତଦାରଖ କରୁଛନ୍ତି।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।
