Eastern Zonal Council Meet: ଲୋକସେବା ଭବନରେ ‘ଇଷ୍ଟର୍ଣ୍ଣ ଜୋନାଲ କାଉନସିଲ’ ବୈଠକ, ସୀମା ବିବାଦ ଓ ମାଓ ମୂଳପୋଛ ଉପରେ ରହିବ ନଜର
ଭୁବନେଶ୍ୱର, ୭।୭: ମଙ୍ଗଳବାର ବସିବ ଇଷ୍ଟର୍ଣ୍ଣ ଜୋନାଲ କାଉନସିଲ ଷ୍ଟାଣ୍ଡିଂ କମିଟି ବୈଠକ । ଯୋଗ ଦେବେ ୪ ରାଜ୍ୟର ମୁଖ୍ୟ ଶାସନ ସଚିବ ଏବଂ ପୋଲିସ ଡିଜି ଏବଂ ଗୃହ ସଚିବ । କେନ୍ଦ୍ର ସରକାରଙ୍କ ଅଧିକାରୀ ମଧ୍ୟ ସାମିଲ ହେବ । ଲୋକ ସେବା ଭବନ କଂଭେନଶନ ସେଣ୍ଟରରେ ବୈଠକ ବସିବ । ୧୫ତମ ଷ୍ଟାଣ୍ଡିଂ କମିଟି ବୈଠକରେ ଅଧ୍ୟକ୍ଷତା କରିବେ ମୁଖ୍ୟ ସଚିବ ଅନୁ ଗର୍ଗ । ବୈଠକରେ ଓଡ଼ିଶା ସମେତ ବିହାର, ଝାଡ଼ଖଣ୍ଡ ଓ ପଶ୍ଚିମବଙ୍ଗର ମୁଖ୍ୟ ସଚିବମାନଙ୍କ ସମେତ ଗୃହ ସଚିବ ଓ ପୁଲିସ ଡିଜିମାନେ ମଧ୍ୟ ଯୋଗ ଦେବେ । ପରବର୍ତ୍ତୀ ପୂର୍ବାଂଚଳ ଜୋନାଲ କାଉନସିଲ୍ ବୈଠକ ପାଇଁ ଏଜେଣ୍ଡା ନିର୍ଦ୍ଧାରଣ କରିବା ଓ ପୂର୍ବ ବୈଠକର ନିଷ୍ପତ୍ତିଗୁଡ଼ିକର ଅଗ୍ରଗତି ସମ୍ପର୍କରେ ଏହି ବୈଠକରେ ସମୀକ୍ଷା ହେବ ।
ଏହା ବି ପଢ଼ନ୍ତୁ... Shishu Vatika Teacher Recruitment: ଶିଶୁ ବାଟିକାରେ ନିଯୁକ୍ତ ହେବେ ୭୨୩୪ ଶିକ୍ଷକ, ମାସିକ ୨୬,୨୦୦ ଦରମା
ବୈଠକରେ ମୁଖ୍ୟତଃ ଓଡ଼ିଶା ଓ ଝାଡ଼ଖଣ୍ଡ ସୀମାରେ ମାଓବାଦୀ କାର୍ଯ୍ୟକଳାପର ସମ୍ପୂର୍ଣ୍ଣ ମୂଳପୋଛ ଓ ମାଦକ ଦ୍ରବ୍ୟ ଚୋରାଚାଲାଣ ରୋକିବା ପାଇଁ ରାଷ୍ଟ୍ରୀୟ ନାର୍କୋଟିକ୍ସ ସମନ୍ୱୟ ପୋର୍ଟାଲର ବ୍ୟବହାର ଉପରେ ବିଶେଷ ଗୁରୁତ୍ୱ ଦିଆଯିବ । ଏହାସହିତ ପୂର୍ବାଞ୍ଚଳ ରାଜ୍ୟଗୁଡ଼ିକର ଦୁର୍ଗମ ଅଞ୍ଚଳରେ ଯୋଗାଯୋଗ ଓ ବ୍ୟାଙ୍କିଙ୍ଗ ବ୍ୟବସ୍ଥାରେ ସୁଧାର ପାଇଁ ପ୍ରତି ୫କିମି ପରିଧି ମଧ୍ୟରେ ବ୍ୟାଙ୍କିଙ୍ଗ ଆଉଟଲେଟ୍ ଓ ଡାକଘର ପ୍ରତିଷ୍ଠା କରିବା ନିମନ୍ତେ ପ୍ରସ୍ତୁତ ହୋଇଥିବା ବ୍ଲୁ-ପ୍ରିଣ୍ଟ ଉପରେ ବିଚାରବିମର୍ଶ ହେବ । ରାଜ୍ୟଗୁଡ଼ିକ ମଧ୍ୟରେ ଥିବା ସୀମା ବିବାଦ ଉପରେ ମଧ୍ୟ ଆଲୋଚନା ହେବ ବୋଲି ଜଣାପଡ଼ିଛି ।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ PRAMEYA - ପ୍ରମେୟ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।