07 JULY 2026

Welcome!

Unlock your personalized experience.
Sign Up

ପାଠ୍ୟପୁସ୍ତକ ତ୍ରୁଟି ଘଟଣା : ଯାଞ୍ଚ ବିନା ଏନ୍‌ସିଇଆର୍‌ଟି ବହିରୁ ସିଧା କପି, ଯୋରନ୍ଦା ମେଳା ଚିତ୍ର ସ୍ଥାନରେ ସୁରଜକୁଣ୍ଡ ମେଳା

Jul 07, 2026 - 11:36
ପାଠ୍ୟପୁସ୍ତକ ତ୍ରୁଟି ଘଟଣା : ଯାଞ୍ଚ ବିନା ଏନ୍‌ସିଇଆର୍‌ଟି ବହିରୁ ସିଧା କପି, ଯୋରନ୍ଦା ମେଳା ଚିତ୍ର ସ୍ଥାନରେ ସୁରଜକୁଣ୍ଡ ମେଳା

ଭୁବନେଶ୍ୱର, ୭/୭ : ଷଷ୍ଠ ଶ୍ରେଣୀ ‘ସାହିତ୍ୟ ସୁଧା’ ପାଠ୍ୟପୁସ୍ତକରେ ‘ଛଉ ନୃତ୍ୟ’ ବିଷୟ ରହିଛି । ଏଥିରେ ମୟୂରଭଞ୍ଜ ଜିଲ୍ଲାର ପ୍ରସିଦ୍ଧ ‘ଛଉ ନୃତ୍ୟ’ ବିଷୟ ଉଲ୍ଲେଖ କରାଯାଇଛି । ହେଲେ ପଶ୍ଚିମବଙ୍ଗର ପୁରୁଲିଆ ଛଉ ଫଟୋ ଦିଆଯାଇଛି । ତୃତୀୟ ଶ୍ରେଣୀ ‘ଗଣିତ ମେଳା’ ପାଠ୍ୟପୁସ୍ତକରେ ‘ଯୋରନ୍ଦା ମେଳା’ ଉପରେ ଏକ ବିଷୟ ରଖାଯାଇଛି । ହେଲେ ପାଠରେ ମେଳା ସଂପର୍କରେ କିଛି ଉଲ୍ଲେଖ କରାଯାଇନି । ମାତ୍ର ପ୍ରଦର୍ଶିତ ଚିତ୍ର ହେଲା ସୁରଜକୁଣ୍ଡ ମେଳାର । ଏଇ ଦୁଇଟି ଉଦାହରଣ ନୁହେଁ ଏମିତି ଅନେକ ସ୍ଥାନରେ ତ୍ରୁଟି ରହିଛି । ଏନ୍‌ସିଇଆର୍‌ଟି ବହିରୁ ତଥ୍ୟ ଓ ଫଟୋ ଚିତ୍ରକୁ ଆଣି ପିଲାଙ୍କ ପଢ଼ା ପାଇଁ ଭୁଲ୍‌ ତଥ୍ୟ ଓ ଚିତ୍ର ପ୍ରଦାନ କରାଯାଇଛି । ଓଡ଼ିଶାର କଳା, ସଂସ୍କୃତି ଓ ପରମ୍ପରା ଏହା ଦ୍ୱାରା ବିକୃତ ହେଉଛି ବୋଲି ଶିକ୍ଷକମାନେ ଅଭିଯୋଗ ଆଣିଛନ୍ତି । ପ୍ରଥମରୁ ଅଷ୍ଟମ ଶ୍ରେଣୀ ପାଠ୍ୟପୁସ୍ତକରେ ବନାନ୍‌ଗତ ତ୍ରୁଟି ଯେତିକି ଅଛି ତା ସାଙ୍ଗକୁ ତଥ୍ୟଗତ, ଚିତ୍ରଜନିତ ତ୍ରୁଟି ରହିଛି । ଶିକ୍ଷକଙ୍କ କହିବା କଥା, ବନାନଗତ ତ୍ରୁଟିକୁ ସଂଶୋଧନ କରି ପଢ଼ାଇ ହେବ, ହେଲେ ତଥ୍ୟଗତ ତ୍ରୁଟିକୁ କିପରି ସଂଶୋଧନ କରାଯିବ। 

ଅଭିଯୋଗ ଅନୁଯାୟୀ, ଷଷ୍ଠ ଶ୍ରେଣୀ ସାହିତ୍ୟ ସୁଧା ବହିରେ ଛଉ ନୃତ୍ୟ ଏବଂ ଏହାର ଓଡ଼ିଶା ସହ ସଂପର୍କ ବିଷୟରେ ୪ ପୃଷ୍ଠାରେ ଉଲ୍ଲେଖ କରାଯାଇଛି । ହେଲେ ଏଠାରେ ଓଡ଼ିଶାର ମୟୂରଭଞ୍ଜର ସ୍ୱତନ୍ତ୍ର ଛଉ ନୃତ୍ୟର ପରମ୍ପରା କୌଣସି ଦୃଶ୍ୟମାନ ଚିତ୍ରକୁ ପ୍ରଦର୍ଶିତ କରାଯାଇନାହିଁ । ଏହା ବଦଳରେ ଏଠାରେ ପଶ୍ଚିମବଙ୍ଗ, ଝାଡ଼ଖଣ୍ଡରେ ପ୍ରଚଳିତ ପୁରୁଲିଆ ଓ ଷଢ଼େଇକଳା ଛଉ ପରମ୍ପରା ଭଳି ଦେଖାଯାଉଥିବା ମୁଖାପିନ୍ଧା କଳାକାରଙ୍କ ତିନୋଟି ଫଟୋ ରହିଛି । ମାତ୍ର ପାଠ ସହ ଜଡ଼ିତ କାର୍ଯ୍ୟପତ୍ରିକାର ଶେଷରେ ମୟୂରଭଞ୍ଜ ଛଉ ନୃତ୍ୟର ଏକ ଛୋଟ ଚିତ୍ର ରହିଛି ଯାହା ପାଠ ପଢ଼ିବା ଅଧ୍ୟାୟରେ ନାହିଁ ବୋଲି ଜଣେ ଶିକ୍ଷକ ଅଭିଯୋଗ ଆଣିଛନ୍ତି । ତାଙ୍କ କହିବା କଥା, ଓଡ଼ିଶାର ‘ଛଉ ନୃତ୍ୟ’ ପୁରୁଲିଆ ଓ ଷଢ଼େଇକଳା ଶୈଳୀ ଭଳି ନୁହେଁ । ମୟୂରଭଞ୍ଜରେ ହେଉଥିବା ଛଉ ନୃତ୍ୟ ବିନା ମୁଖାରେ ପ୍ରଦର୍ଶନ କରାଯାଏ । କଳାକାରମାନେ ମୁହଁର ଅଭିବ୍ୟକ୍ତି ଓ ଆଖିର ଚାଳନା ମାଧ୍ୟମରେ ଭାବ ପ୍ରକାଶ କରନ୍ତି । 

ସେହିପରି ଏନ୍‌ସିଇଆର୍‌ଟି ତୃତୀୟ ଶ୍ରେଣୀ ‘ମ୍ୟାଥ୍‌ ମେଳା’ ବହିରେ ସୁରଜକୁଣ୍ଡ ମେଳାର ଏକ ବିଷୟ ରହିଛି । ଏଠାରେ ତା ପାଇଁ ଏକ ଚିତ୍ର ବ୍ୟବହାର କରାଯାଇଛି । ଏଠାରେ ତୃତୀୟ ଶ୍ରେଣୀ ବହିର ନାମକୁ ‘ଗଣିତ ମେଳା’ ରଖାଯାଇଛି । ଏଠାରେ ସୁରଜକୁଣ୍ଡ ମେଳା ବଦଳରେ ବିଷୟର ଶୀର୍ଷକକୁ ‘ଯୋରନ୍ଦା ମେଳା’ ରଖାଯାଇଛି । ମାତ୍ର ଚିତ୍ର ପ୍ରଦର୍ଶନ ସମୟରେ ଏନ୍‌ସିଇଆର୍‌ଟି ବହିରେ ବ୍ୟବହୃତ ହୋଇଥିବା ସୁରଜକୁଣ୍ଡ ମେଳାର ବିଷୟରେ ବ୍ୟବହୃତ ଚିତ୍ରକୁ ସିଧାସଳଖ କପି ଆଣି ଏଠାରେ ରଖାଯାଇଛି । ଶିକ୍ଷକଙ୍କ ଅଭିଯୋଗ, ଓଡ଼ିଶାର ସଂସ୍କୃତିକୁ ଆଧାର କରି ବିଷୟ ଲେଖାଯାଉଛି ହେଲେ ସେହି ଚିତ୍ରକୁ ସ୍ଥାନିତ କରାଯାଇ ନାହିଁ । ଏତିକି ନୁହେଁ, ଅଷ୍ଟମ ଶ୍ରେଣୀ କଳା ଶିକ୍ଷା ବହି ‘କୃତି’ରେ ପଣ୍ଡିତ ଗୋଦାବରୀଶ ମିଶ୍ରଙ୍କ ଫଟୋ ବଦଳରେ ଜାତୀୟ ପତାକା ସହ ବନ୍ଦେ ମାତରମ୍‌ର ଲୋଗୋ ଦିଆଯାଇଛି । ଅନ୍ୟ ଏକ କବିତାରେ ଅଚ୍ୟୁତାନନ୍ଦ ଦାସଙ୍କ ନାମ ଉଲ୍ଲେଖ ରହିଛି ହେଲେ ତାଙ୍କ ଫଟୋ ବଦଳରେ ଅଚ୍ୟୁତାନନ୍ଦ ଗାଦିର ଫଟୋ ରହିଛି । ଅନେକ ସାହିତ୍ୟିକଙ୍କ ନାମକୁ ଭୁଲ୍‌ ଲେଖାଯାଇଛି । କେଉଁ ବିଷୟରେ କେଉଁ ପ୍ରସଙ୍ଗ ରହିବା କଥା ତାହାକୁ ସ୍ଥିର ନକରି ସିଧାସଳଖ ଏନ୍‌ସିଇଆର୍‌ଟି ପାଠ୍ୟପୁସ୍ତକରୁ କପି କରିବା ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗକୁ ମହଙ୍ଗା ପଡ଼ିଲା । ରାଜ୍ୟ ଶିକ୍ଷା ଗବେଷଣା ଓ ପ୍ରଶିକ୍ଷଣ ପରିଷଦ (ଏସ୍‌ସିଇଆର୍‌ଟି) ପକ୍ଷରୁ ପାଠ୍ୟପୁସ୍ତକ ପ୍ରସ୍ତୁତି ପୂର୍ବରୁ ସିଲାବସ୍‌ ଓ କୋର କମିଟି ଗଠନ ହୋଇ ମଧ୍ୟ ସିଲାବସରେ କ’ଣ ରହିବ ନ ରହିବ ତାହା ସ୍ଥିର ହୋଇନଥିଲା । ଏନ୍‌ସିଇଆର୍‌ଟି ଯେତେବେଳେ ପାଠ୍ୟପୁସ୍ତକ ପ୍ରସ୍ତୁତ କରିଥାଏ ସେ ସମୟରେ ତାଙ୍କ ପାଖରେ ଯେ କେବଳ ପାଠ୍ୟପୁସ୍ତକ ଲେଖିବାକୁ ଶିକ୍ଷକ ଥାନ୍ତି ତାହା ନୁହେଁ କେଉଁ ବିଷୟ ପାଇଁ କେଉଁ ଚିତ୍ରକୁ ରଖାଯିବ ସେଥିଲାଗି ଚିତ୍ରକର (ଇଲ୍ଲୁଷ୍ଟ୍ରେଟର)ଙ୍କୁ ନିୟୋଜିତ କରାଯାଇଥାଏ । ଏମାନଙ୍କ କାର୍ଯ୍ୟ ହେଉଛି ବିଷୟ ଓ କଣ୍ଟେଣ୍ଟକୁ ଆଧାର କରି ଚିତ୍ର ପ୍ରସ୍ତୁତ କରିବେ । ଯଦି ଆବଶ୍ୟକ ହୁଏ କୌଣସି ସ୍ଥାନକୁ ଚିତ୍ରକୁ ଆଣିବାକୁ ପଡ଼େ ସେଠାରୁ କପି ରାଇଟ୍‌ ଅନୁମତି ଆଣିବାକୁ ହେବ । ହେଲେ ଏସ୍‌ସିଇଆର୍‌ଟିର ପାଠ୍ୟପୁସ୍ତକ ପ୍ରସ୍ତୁତ ସମୟରେ ସମସ୍ତ ପ୍ରକାରର କପି ରାଇଟ୍‌ ନିୟମକୁ ଉଲ୍ଲଘଂନ କରିଛି । ଏମିତି ମନଇଚ୍ଛା ଚିତ୍ରକୁ ସ୍ଥାନିତ କରିଛି ।   

ଏତିକି ନୁହେଁ, ପ୍ରଥମ ଶ୍ରେଣୀରୁ ଅଷ୍ଟମ ଶ୍ରେଣୀ ସାହିତ୍ୟ ବହିରେ ଅନେକ କବିତା ଓ ଗପକୁ ରଖାଯାଇଛି । ହେଲେ କିଏ ଲେଖିଛନ୍ତି ତାଙ୍କର ନାମ ଲେଖାଯାଇନି । ଏହାକୁ ନେଇ ସାହିତ୍ୟିକ ମାନେ ଏସ୍‌ସିଇଆର୍‌ଟିକୁ ବହୁଦିନ ଆଗରୁ ଚିଠି ଲେଖିଛନ୍ତି । ହେଲେ ଏହାର ଉତ୍ତର ଏସ୍‌ସିଇଆର୍‌ଟି ସେମାନଙ୍କୁ ଦେଇନାହିଁ । ସେହିପରି ପାଠ୍ୟପୁସ୍ତକରେ ବହୁ ଅବୈଜ୍ଞାନିକ ବିଷୟବସ୍ତୁକୁ ଭର୍ତ୍ତି ହୋଇଥିବା ଅଭିଯୋଗ ମଧ୍ୟ କରାଯାଇଛି । ଅଷ୍ଟମ ଶ୍ରେଣୀ ଗଣିତ ବହିରୁ ଜ୍ୟାମିତି, ତ୍ରିକୋଣମିତି, ପରିମିତି, ସେଟ୍‌, ପଲିନୋମିଆଲ୍‌, ବ୍ୟବସାୟ ଗଣିତ ଭଳି ଗୁରୁତ୍ୱପୂର୍ଣ୍ଣ ବିଷୟକୁ ଉଚ୍ଛେଦ କରି ମନଇଚ୍ଛା ଗପ ଭର୍ତ୍ତି କରାଯାଇଛି ବୋଲି ଶିକ୍ଷକ ଅଭିଯୋଗ କରିଛନ୍ତି ।   ସରକାର ନିର୍ଦ୍ଦେଶ ଦେଲେ, ଗଣଶିକ୍ଷା ବିଭାଗ ମଧ୍ୟ କହିଲା ସଂପୂର୍ଣ୍ଣ ଭାବେ ତ୍ରୁଟିମୁକ୍ତ ବହି ପିଲାଙ୍କ ପାଖେ ପହଞ୍ଚିବ । ହେଲେ ଏଥିପାଇଁ ପ୍ରାରମ୍ଭିକ ଭାବେ ପ୍ରଥମରୁ ଚତୁର୍ଥ ଶ୍ରେଣୀ ବହିର ସଂଶୋଧିତ ଡ୍ରାଫ୍ଟ କପିକୁ ଓସେପା, ଏସ୍‌ସିଇଆର୍‌ଟି ୱେବ୍‌ସାଇଟ୍‌ରେ ଅପଲୋଡ୍‌ କରାଯାଇଛି । ଏଥି ପ୍ରଶ୍ନ ଉଠୁଛି, ବହିରୁ ତଥ୍ୟ, ବନାନ୍‌ଗତ ତ୍ରୁଟି ତ ସଂଶୋଧିତ ହୋଇପାରିବ । ହେଲେ ଏପରି ପ୍ରାସଙ୍ଗିକ ତ୍ରୁଟିକୁ ଏସ୍‌ସିଇଆର୍‌ଟି ସଂଶୋଧନ କରିବ ତ? ସିଲାବସ୍‌ ପ୍ରଥମେ ସମୀକ୍ଷା କରି କେଉଁ ବିଷୟରେ କ’ଣ ରହିବା ଆବଶ୍ୟକ ତାକୁ ସ୍ଥାନିତ କରାଯିବ ତ? ଏପରି ପ୍ରଶ୍ନ କରିଛନ୍ତି ପ୍ରାଥମିକ ବିଦ୍ୟାଳୟ ଶିକ୍ଷକ ସଂଘ । ସଂଘ କହିଛି, ତୃତୀୟ ଶ୍ରେଣୀ ଭାଷା ମହକ ବହିରୁ ଗାନ୍ଧୀ, ଗୋପବନ୍ଧୁଙ୍କ କଥା ସହ ଅସହଯୋଗ ଆନ୍ଦୋଳନକୁ ସମର୍ଥନ କରି ଲଢ଼ିଥିବା ସଂଗ୍ରାମୀଙ୍କ ବିଷୟକୁ ଅଣଦେଖା କରାଯାଇଛି । ଚତୁର୍ଥ ଶ୍ରେଣୀ ଭାଷା ମହକରେ ଓଡ଼ିଶା ମୋର ଦେଶ ବୋଲି ଉଲ୍ଲେଖ କରାଯାଇଛି । 

ଆହୁରି ପଢନ୍ତୁ- ଶିଶୁ ବାଟିକାରେ ନିଯୁକ୍ତ ହେବେ ୭୨୩୪ ଶିକ୍ଷକ, ମାସିକ ୨୬,୨୦୦ ଦରମା

କାହିଁକି ବାଲିରଥରେ ବିଜେ ହୋଇଥିଲେ ଜଗନ୍ନାଥ ? ​​​​​​​

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ PRAMEYA - ପ୍ରମେୟ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।